ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୧୩୯ତମ ନିର୍ବାଣ ଉତ୍ସବ ପାଳିତ

Published: Oct 25, 2022, 4:47 pm IST

ଭୁବନେଶ୍ୱର : ଭାରତବର୍ଷରେ ସଂସ୍କାରବାଦୀ ଆନ୍ଦୋଳନର ପ୍ରବର୍ତ୍ତକ ତଥା ଆର୍ଯ୍ୟସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୧୩୯ତମ ନିର୍ବାଣ ଉତ୍ସବ ସୋମବାର ଦିନ ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ପାଳିତ ହୋଇଯାଇଛି ।
ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ଉତ୍ସବ, ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

ଉତ୍ସବର ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ବୈଦିକ ଯଜ୍ଞ ସରିବା ପରେ କାର୍ଯ୍ୟକ୍ରମକୁ ପାତଞ୍ଜଳି ଯୋଗଗୁରୁ ବୃନ୍ଦାବନ ସ୍ୱାଇଁ ଉଦ୍‌ଘାଟନ କରି କହିଲେ ଯେ, ଆଜକୁ ୧୪୭ ବର୍ଷ ତଳେ ମହର୍ଷି ଦୟାନନ୍ଦ ଯେଉଁ ସଂସ୍କାବାଦୀ ଆନ୍ଦୋଳନର ସୂତ୍ରପାତ କରିଥିଲେ ଆଜି ମଧ୍ୟ ଭାରତବର୍ଷରେ ତାହାର ଆବଶ୍ୟକତା ରହିଛି । ଏବେ ବି ଗାଁ ଗହଳିରେ ଅନ୍ଧବିଶ୍ୱାସ ବସା ବାନ୍ଧି ରହିଛି । ରୋଗ ହେଲେ ଲୋକେ ଡ଼ାକ୍ତରଖାନା ନ ଯାଇ ଦିସାରି ପାଖକୁ ଯାଉଛନ୍ତି ।

ନୂତନ ଯୁବପିଢି ସମାଜରେ ଚାଲିଥିବା ଏହି କୁସଂସ୍କାର ବିରୋଧରେ ଆନ୍ଦୋଳନ କରିବା ଆବଶ୍ୟକ ବୋଲି ସେ କହିଥିଲେ । ପୂର୍ବତନ କୁଳାଧିପତି ଡଃ ବଦ୍ରୀନାଥ ପଟ୍ଟନାୟକ ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ସ୍ୱାମିଜୀଙ୍କର ଯୁଗାନ୍ତଗାରୀ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ପରିପୁଷ୍ଟ କରିଥିଲା ବୋଲି କହିଥିଲେ ।

ସମାଜସେବୀ ଆଶୁତୋଷ ମିଶ୍ର କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଶେଷରେ ଆଶ୍ରମର ପରିଚାଳକ ଭବାନୀକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଧନଞ୍ଜୟ ନାୟକ ଓ ନଳିନୀକାନ୍ତ ରାଉତ ପରିଚାଳନା କରିଥିଲେ ।

Related posts