
ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସିଙ୍ଗେଶ୍ଵର ପଞ୍ଚାୟତ ଘିଅଖଲା ଗ୍ରାମ ନିକଟସ୍ଥ କଳିଜୁଗେଶ୍ଵର ପାହାଡ ନିକଟରୁ ଏକ ବିରାଟ ଅଜଗର ସାପ ମାଛ ଜାଲରେ ପଡିଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ ଦୈନନ୍ଦିନ ମାଛ ଧରିବାପାଇଁ ଘିଅଖଲା ଗ୍ରାମର ଶୁକୁଟା ଜେନା କଳିଯୁଗେଶ୍ୱର ପାହାଡ଼ ପାଦ ଦେଶ ଚିଲିକା କୂଳରେ ଜାଲ ଘେରି ବାନ୍ଧି ଆସୁଛନ୍ତି। ଦୈନିକ ଯାହା ମାଛ ଧରନ୍ତି ସେସବୁ ବିକ୍ରି କରି ପରିବାର ପୋଷଣ କରନ୍ତି। ସବୁ ଦିନ ପରି ଆଜି ଭୋର ସମୟରେ ଚିଲିକାକୁ ଯାଇ ଜାଲ ଉଠାଇ ଦେଖିଲାବେଳକୁ ପାଖାପାଖି ୭ ଫୁଟରୁ ଉର୍ଦ୍ଧ୍ବ ବିରାଟ ଅଜଗର ସାପ ଜାଲ ମଧ୍ୟରେ ପଡିଥିଲା। ଭୟଭୀତ ଅବସ୍ଥାରେ ତୁରନ୍ତ ଗାଁ ଲୋକଙ୍କୁ ଡାକି ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ। ଖବର ପାଇ ଚାରି ଜଣିଆ ସ୍ନେକ ହେଲ୍ପ ଲାଇନ ଟିମ ସହ ବନ୍ୟଜନ୍ତୁ ବିଭାଗ କର୍ମଚାରୀ ପହଞ୍ଚି ଉକ୍ତ ଅଜଗର ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି।