ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସାଂସ୍କୃତିକ ସଂସଦର ବାର୍ଷିକ ଉତ୍ସବ ୨୦୨୨ ପାଳିତ ହୋଇଯାଇଛି। ଏଥିରେ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ରାଜସ୍ୱ ବିଭାଗ ଆମର ଗୋଟିଏ ପରିବାର।
ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ସାଲବେଗଙ୍କ ଭଜନ ପରିବେଷଣ କରିଥିଲେ। ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ପରେ ଓଡ଼ିଶୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା।
ଏହି ଅବସରରେ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶିତ ସ୍ମରଣିକା ‘ଭୂମି’କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସଂସ୍କୃତିକ ସଂପାଦକ ତପନ କୁମାର ଦଳାଇ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ସଂସଦର ସଭାପତି ବିଜୟ କୁମାର ମଲ୍ଲିକ ସ୍ୱାଗତ ଭାଷଣ ରଖିଥିଲେ। ରେକଡର୍ସର ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ପ୍ରମୁଖ ଉପସ୍ଥିତ ଥିବାବେଳେ ସଂପାଦକ ପ୍ରତାପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସଂସଦ ପକ୍ଷରୁ ନାଟକ ‘ଏଠି ଜିଇଁବା ମରିବା ସବୁ ସମାନ’ ଅନୁଷ୍ଠିତ ହୋଇଥିଲା।