Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ଦୁଇଦିନିଆ ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଛି। ଏହି ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଓଡ଼ିଆ ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏଭଳି କାର୍ଯ୍ୟକ୍ରମ ବିଭାଗର କର୍ମଚାରୀମାନଙ୍କ ମଧ୍ୟରେ ଭ୍ରାତୃତ୍ୱ ଭାବ ସୃଷ୍ଟି ସହ ସେମାନଙ୍କୁ କର୍ମକ୍ଷେତ୍ରରେ ଅଧିକ ନିଷ୍ଠାର ସହ କାର୍ଯ୍ୟକରିବାକୁ ପ୍ରେରଣା ଦେବ। ଏପରି ଅବସର କର୍ମଚାରୀମାନଙ୍କ ମଧ୍ୟରେ ଥିବା ସୃଜନଶୀଳ କ୍ରିୟାଶୀଳତାର ଉନ୍ମେଷ ଓ ବିକାଶରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପରିଷଦର ସ୍ମରଣିକା ‘ସଂସ୍କୃତି ଦର୍ପଣ’ ଉନ୍ମୋଚିତ ହୋଇଥିଲା।

ଏହି ଦୁଇଦିନିଆ ବାର୍ଷିକ ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବା ସହ ଆସନ୍ତାକାଲି ପରିଷଦର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ତଥା ଶ୍ରୀ ହରେନ୍‌ ସାହୁଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘ସମୟ କହିବ କିଏ କାହାର’ ମଞ୍ଚସ୍ଥ ହେବ। ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପରିଷଦର ସଭାପତି ଶ୍ରୀ ମାଥିଆସ୍‌ ତିର୍କୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ ଶ୍ରୀ ମୃତୁ୍ୟଞ୍ଜୟ ଦଳବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବଡ ନିଷ୍ପତି: ମୁଖ୍ୟ ସଚିବଙ୍କଠାରୁ ଆରମ୍ଭ କରି ଗ୍ରୁପ ଡି କର୍ମଚାରୀ ନେବେ ବିପର୍ଯ୍ୟୟ ପରିଚାଳନା ଟ୍ରେନିଂ

ଭୁବନେଶ୍ବର: ଗତ ୨୯ ମଇ, ୨୦୨୧ରେ ରାଜ୍ୟ ମନ୍ତ୍ରୀ ପରିଷଦର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌-ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ସମ୍ବନ୍ଧୀୟ ତାଲିମ୍‌ ଦିଆଯିବ।

ଏହି ନିଷ୍ପତ୍ତି ଅନୁପାଳନପୂର୍ବକ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ନିମନ୍ତେ ଉକ୍ତ ବିଷୟ ସମ୍ବନ୍ଧୀୟ ପାଠ୍ୟକ୍ରମ ବିକଶିତ କରାଯାଉଛି। ଗ୍ରୁପ୍‌-ଡି ସ୍ତରର ସମସ୍ତ କର୍ମଚାରୀଙ୍କ ପାଇଁ ଯେଉଁ ପାଠ୍ୟକ୍ରମ ନିର୍ଦ୍ଧାରିତ ହେବ, ତାହା କ୍ରମାଗତ ଭାବେ ବୃଦ୍ଧି ହୋଇ ଗ୍ରୁପ୍‌-ଏ ସ୍ତରର କର୍ମଚାରୀମାନେ ମଧ୍ୟ ସମସ୍ତ ପାଠ୍ୟକ୍ରମକୁ ସଂପୂର୍ଣ୍ଣ କରିବେ।

ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDAM), ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ଓ ଉଚ୍ଚଶିକ୍ଷା ବିଭାଗର ସହଭାଗିତାରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସ୍‌ଆର୍‌ସି ଶ୍ରୀ ସତ୍ୟବ୍ରତ ସାହୁ, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁରର କୁଳପତି ପ୍ରଫେସର ଅର୍କ କୁମାର ଦାସମହାପାତ୍ରଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ଓସ୍‌ଡମା ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଡ. ଜ୍ଞାନ ଦାସ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଚିବ ଶ୍ରୀ ବୀରେନ୍ଦ୍ର କୋରକରା ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ, ସମ୍ବଲପୁରଙ୍କ ପକ୍ଷରୁ ରେଜିଷ୍ଟ୍ରାର ପ୍ରଫେସର ମାନସ ରଞ୍ଜନ ପୂଜାରୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।
ତାଲିମ୍‌, ଦକ୍ଷତା ବୃଦ୍ଧି ଏବଂ ପାଠ୍ୟକ୍ରମ ପ୍ରସ୍ତୁତ କରିବାରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୈଷୟିକ ସହାୟତା ପ୍ରଦାନ କରିବ।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଭିନ୍ନ ବିଭାଗ ସ୍ତରୀୟ ସରକାରୀ (ଗ୍ରୁପ-ଏ, ଗ୍ରୁପ୍‌-ବି, ଗ୍ରୁପ-ସି ଏବଂ ଗ୍ରୁପ୍‌-ଡି) କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି କରିବା ଏହି ମିଳିତ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ। ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ପାଠ୍ୟକ୍ରମକୁ ମୁକ୍ତ ଏବଂ ଦୂର ଶିକ୍ଷା ନିମନ୍ତେ ଶିକ୍ଷଣ ପରିଚାଳନା ବ୍ୟବସ୍ଥା ପ୍ଲାଟଫର୍ମରେ ଅନ୍‌-ଲାଇନ୍‌ରେ ମାଧ୍ୟମରେ ଏହି ଚାରିଗୋଟିର ଡିଜାଇନ୍‌ ଏବଂ ବିକାଶ କରାଯାଇଛି।

ଏଥି ସହ ଶିକ୍ଷାର୍ଥୀମାନଙ୍କର ଡାଟାବେସ୍‌ ବିକାଶ, ସେମାନଙ୍କର ଅଗ୍ରଗତିକୁ ନିରୀକ୍ଷଣ କରିବା ଏବଂ ଅନଲାଇନ୍‌ ପାଠ୍ୟକ୍ରମର ସମାପ୍ତି ପରେ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଏକ େୱବ୍‌ ଆଧାରିତ ଆପ୍ଲିକେଶନ ବିକଶିତ କରାଯାଇଛି। ଅନଲାଇନ୍‌ ପାଠ୍ୟକ୍ରମକୁ ଅଧିକ ପ୍ରଭାବୀ ଏବଂ ଆଗ୍ରହପୂର୍ଣ୍ଣ କରିବା ନିମନ୍ତେ ଦୃଶ୍ୟ-ଶ୍ରାବ୍ୟ ପରି ଶିକ୍ଷଣ ସାମଗ୍ରୀ ଏବଂ ମଲ୍‌ଟିମିଡିଆ ଶିକ୍ଷଣ ପ୍ୟାକେଜ୍‌ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମର ଆବଶ୍ୟକତାଭିତ୍ତିକ ମୂଲ୍ୟାୟନ ପାଇଁ ଅଧିକାରୀମାନଙ୍କର ମୂଲ୍ୟାଙ୍କନ, ପ୍ରମାଣପତ୍ର ଏବଂ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ତାଲିମ୍‌ଗୁଡିକ ପାଇଁ ମନୋନୀତ ଶିକ୍ଷାନୁଷ୍ଠାନରୁ ବିପର୍ଯ୍ୟୟ ପରିଚାଳନାରେ ଦକ୍ଷତା ତଥା ଅଭିଜ୍ଞତା ଥିବା ଶିକ୍ଷକ ଏବଂ ଅଭିଜ୍ଞତାସଂପନ୍ନ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଚୟନ କରାଯିବ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏଣିକି ରାଜ୍ୟର ସମସ୍ତ ତହସିଲରେ ସ୍ଥାପନ ହେବ ଭର୍ଚୁୟାଲ କୋର୍ଟ, ବଜେଟରେ ହେଲା ବ୍ୟବସ୍ଥା

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଗତ ୨୦୨୩-୨୪ ମସିହା ବଜେଟର ମୁଖ୍ୟାଂଶ ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଲେ ଯେ ଓଡ଼ିଶାର ପ୍ରିୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ବହୁ ଲୋକାଭିମୁଖୀ ପଦକ୍ଷେପ ନିଆ ଯାଇଥିବାବେଳେ ଦିଆଯାଉଥିବା ସେବାଗୁଡିକୁ ଲୋକମାନଙ୍କ ନିକଟରେ ପହଞ୍ଚାଯାଇପାରୁଛି। ଏ ବର୍ଷ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ପର୍ଯ୍ୟାପ୍ତ ବ୍ୟୟ ଅଟକଳ କରାଯାଇଛି।

ଭୂରାଜସ୍ୱ ପ୍ରଶାସନରେ ସମୁଦାୟ ଭାବରେ ୧୫୮୬.୭୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ସେ ମଧ୍ୟରୁ ୧୧୬୪.୭୧ କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ଏବଂ ୪୨୨.୦୧ କୋଟି ଟଙ୍କା ପ୍ରୋଗ୍ରାମ ଖର୍ଚ୍ଚ ପାଇଁ ବ୍ୟବସ୍ଥା କରାଯାଇଛି । ରାଜସ୍ୱ କ୍ଷେତ୍ର କାର୍ଯ୍ୟାଳୟର ଭିତ୍ତିଭୂମି ଏହି ବିଭାଗ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଏଗୁଡିକର ଭିତ୍ତିଭୂମିକୁ ମଜବୁତ କରିବାକୁ ବଜେଟରେ ୨୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।

ରାଜସ୍ୱ କାର୍ଯ୍ୟାଳୟର ସୂଚନା ଓ ପ୍ରଯୁକ୍ତି ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ୫୯.୭୩ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ରେକର୍ଡ ରୁମରେ ଆସବାବପତ୍ର ପାଇଁ ୫ କୋଟି ଟଙ୍କାର ବଜେଟ କରାଯାଇଛି । ପଞ୍ଜୀକରଣ କାର୍ଯ୍ୟାଳୟମାନଙ୍କରେ ଅଧିକ ସ୍ୱଚ୍ଛତା ପାଇଁ ସ୍ମାର୍ଟ ସର୍ଭେଲାନ୍ସ ସିଷ୍ଟମ ପରି ପରିବର୍ତ୍ତନଶୀଳ ପଦକ୍ଷେପ ଆରମ୍ଭ କରାଯାଇଛି।

ସେହିଭଳି ସୁବିଧାରେ ପଞ୍ଜୀକରଣ ପାଇଁ ପଞ୍ଜୀକରଣ କାର୍ଯ୍ୟାଳୟରେ ଅନଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି। ରେଜିଷ୍ଟ୍ରେସନ୍‌ ଅଫିସରେ ଏହି ଆଇଟି ପଦକ୍ଷେପ ନିମନ୍ତେ ୨୯.୨୮ କୋଟିର ବ୍ୟୟ ଅଟକଳ କରାଯାଇଛି। ସରକାରୀ ଜମିର ସୁରକ୍ଷା ହେଉଛି ବିଭାଗର ଏକ ଉଚ୍ଚ ପ୍ରାଥମିକତା ଏବଂ ସେଥି ନିମନ୍ତେ ୨୦ କୋଟି ଟଙ୍କା ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି।

୫-‘ଟି’ ଓ ‘ମୋ ସରକାର’ ନିମନ୍ତେ ୫୦ ଲକ୍ଷ ଏବଂ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ସେବାଗୁଡିକୁ ଲୋକମାନଙ୍କୁ ଜଣାଇବା ଉଦ୍ଦେଶ୍ୟରେ ୯୨.୨୦ ଲକ୍ଷ ବ୍ୟୟ ଅଟକଳ କରାଯାଇଛି। ରାଜସ୍ୱ ନିରୀକ୍ଷକଙ୍କ ତାଲିମ ନିମନ୍ତେ ୫୦ ଲକ୍ଷର ବ୍ୟୟ ଅଟକଳ କରାଯାଇଛି ଓ ମାନବ ସମ୍ବଳ ନିଯୁକ୍ତ କରିବା ପ୍ରକ୍ରିୟା ନିମିତ୍ତ ୩୨ ଲକ୍ଷର ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି।

ସର୍ଭେ ଓ ମ୍ୟାପ ପ୍ରକାଶନ ନିମନ୍ତେ ୨୦ ଲକ୍ଷର ଖର୍ଚ୍ଚର ବ୍ୟବସ୍ଥା କରାଯାଇଛି। ଜମିଦାରୀ ଉଚ୍ଛେଦ ନିମନ୍ତେ ଜମି ମାଲିକଙ୍କୁ କ୍ଷତିପୂରଣ ହିସାବରେ ୫୫.୭୫ ଲକ୍ଷର ବ୍ୟବସ୍ତା କରାଯାଇଛି। ଜନଗଣନା ନିମନ୍ତେ ସେଣ୍ଟ୍ରାଲ ସ୍କିମ ମାଧ୍ୟମରେ ୫୫ କୋଟିର ବ୍ୟୟ ବରାଦ କରାଯାଇଛି।

ଏହି ଅବସରରେ ଉପସ୍ଥିତ ରହି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ୫-‘ଟି’ ଚାର୍ଟର୍‌ ଏବଂ ‘ମୋ ସରକାର’ ପ୍ରବର୍ତ୍ତନ ପରେ ରାଜସ୍ୱ ବିଭାଗ ନାଗରିକମାନଙ୍କ ବ୍ୟକ୍ତିଗତ ଉପସ୍ଥିତି ହ୍ରାସ କରିବା ତଥା ରାଜସ୍ୱ କ୍ଷେତ୍ର କାର୍ଯ୍ୟାଳୟ ପରିଦର୍ଶନ କରିବାର ଆବଶ୍ୟକତାକୁ କମ୍‌ କରିବା ପାଇଁ ଏକାଧିକ ପଦକ୍ଷେପ ନେଇଛି। ବିଭାଗ ପ୍ରଦାନ କରୁଥିବା ବହୁବିଧ ସେବାଗୁଡ଼ିକ ମଧ୍ୟରୁ କେବଳ ବୈଧାନିକ ଆବଶ୍ୟକତାକୁ ଛାଡି ଅଧିକାଂଶ ସେବା ସମ୍ପୂର୍ଣ୍ଣ ଭାବେ ଅନଲାଇନରେ ଉପଲବ୍ଧ ଅଟେ।

ଜମିଜମା ରେକର୍ଡ ସେବା କ୍ଷେତ୍ରରେ ଧାର୍ଯ୍ୟ ସମୟସୀମାକୁ ପ୍ରକ୍ରିୟା ପୁନର୍ବିନ୍ୟାସ ଏବଂ ପ୍ରଚଳିତ ନିୟମରେ ସଂଶୋଧନ ଦ୍ୱାରା ହ୍ରାସ କରାଯାଇଛି। ସେହିଭଳି, ଜାତି ଓ ବିବିଧ ପ୍ରମାଣପତ୍ରର ସେବାରେ, ORTPS ଅଧିନିୟମ ଅନୁଯାୟୀ ଥିବା ସମୟସୀମାକୁ ହ୍ରାସ କରାଯାଇଛି ଉଦାହରଣ ସ୍ୱରୂପ, ବାସିନ୍ଦା ଏବଂ ଆୟ ପ୍ରମାଣପତ୍ରର ସମୟସୀମାକୁ ୧୫ ଦିନରୁ ୧୦ ଦିନକୁ ହ୍ରାସ କରାଯାଇଛି ।

ଆବେଦନ ପ୍ରକ୍ରିୟାର ପୁନର୍ବିନ୍ୟାସ, କେତେକ କ୍ଷେତ୍ରରେ ରାଜସ୍ୱ ନିରୀକ୍ଷକଙ୍କ ଅନୁସନ୍ଧାନର ଆବଶ୍ୟକତାକୁ ହ୍ରାସ ଏବଂ ଏକ ଉପଲବ୍ଧ ଅନଲାଇନ ଆବେଦନ ବ୍ୟବସ୍ଥା ଯୋଗୁଁ ବିଭିନ୍ନ ବିବିଧ ଏବଂ ଜାତିଗତ ପ୍ରମାଣପତ୍ରର ଶୀଘ୍ର ମିଳିବା ସମ୍ଭବ ହୋଇପାରିଛି।

ବିନା ମୂଲ୍ୟରେ ଏବଂ ସ୍ୱ-ଘୋଷଣା ଉପରେ ଆଧାର କରି ବିବିଧ ଏବଂ ଜାତି ପ୍ରମାଣପତ୍ର ବିତରଣ କରିବାକୁ ବିଭାଗ ବିହିତ ପଦକ୍ଷେପ ନେଇଛି। ଗତ ୩ ବର୍ଷରେ ୫-‘ଟି’ ଚାର୍ଟର ପ୍ରବର୍ତ୍ତନ ପରେ ସ୍ୱ-ଘୋଷଣା ଆଧାରରେ ପ୍ରାୟ ୫୦ ଲକ୍ଷ ବାସିନ୍ଦା ଏବଂ ଆୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

ନଭେମ୍ବର ୨୦୨୨ ମାସରୁ ୮୦ ଟି ତହସିଲରେ ଭର୍ଚୁଆଲ୍‌ କୋର୍ଟ ଆରମ୍ଭ ହୋଇଛି ଏବଂ ପ୍ରାୟ ୩,୦୦୦ ମାମଲା ଭର୍ଚୁଆଲ୍‌ ପ୍ଲାଟଫର୍ମ ମାଧ୍ୟମରେ ଶୁଣାଣି ପରେ ଫଇସଲା ହୋଇଛି । ଏପ୍ରିଲ୍‌ ୨୦୨୩ ସୁଦ୍ଧା ସମସ୍ତ ତହସିଲରେ ଭର୍ଚୁଆଲ୍‌ କୋର୍ଟ ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜସ୍ୱ କ୍ଷେତ୍ର କାର୍ଯ୍ୟାଳୟର ଭିତ୍ତିଭୂମି ଏହି ବିଭାଗ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଏଗୁଡିକର ଭିତ୍ତିଭୂମିକୁ ମଜଭୁତ କରିବାକୁ ବଜେଟରେ ୨୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ରାଜସ୍ୱ କାର୍ଯ୍ୟାଳୟର ସୂଚନା ଓ ପ୍ରଯୁକ୍ତି ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ୫୯.୭୩ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ରେକର୍ଡ ରୁମରେ ଆସବାବପତ୍ର ପାଇଁ ୫ କୋଟି ଟଙ୍କାର ବଜେଟ କରାଯାଇଛି।

ତ୍ୱରିତ ଏବଂ ସଠିକ୍‌ ଜମିଜମା ରେକର୍ଡ ସେବା ପାଇଁ ବିଭାଗ ହାଇଟେକ୍‌ ସର୍ଭେକୁ ତ୍ୱରାନ୍ୱିତ କରୁଛି। ଦେବଗଡ ଜିଲ୍ଲାରେ ହାଇ-ଟେକ୍‌ ସର୍ଭେ ଶେଷ ହୋଇଛି ଏବଂ ଏହାକୁ ସୋନପୁର ଏବଂ ସୁନ୍ଦରଗଡ ଜିଲ୍ଲାରେ ତ୍ୱରାନ୍ୱିତ କରାଯାଉଛି।

ଜିଲ୍ଲା ରାଜସ୍ୱ ଓ ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣର ସମୀକ୍ଷା ମାଧ୍ୟମରେ, ଜାତୀୟ ରାଜପଥ, ରେଳବାଇ ଏବଂ ଜଳସେଚନ ନେଟ୍‌ୱାର୍କ ପରି ବିଭିନ୍ନ ପ୍ରକଳ୍ପଗୁଡିକର ପ୍ରଗତି ତ୍ୱରାନ୍ୱିତ କରାଯାଉଅଛି। ବିସ୍ଥାପିତ ପରିବାରର ସ୍ୱାର୍ଥକୁ ଆଖି ଆଗରେ ରଖି ଭୂମି ଅଧିଗ୍ରହଣକୁ ଶୃଙ୍ଖଳିତ କରିବା ପାଇଁ RFCTLARR ଅଧିନିୟମରେ ସଂଶୋଧନ କରାଯାଇଛି ।

ବିପର୍ଯ୍ୟୟ ପରିଚାଳନା ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ନିକୁଞ୍ଜବିହାରୀ ଧଳ କହିଲେ ଯେ ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନା ଏବଂ ବିପଦ ହ୍ରାସ ପାଇଁ ୨୦୨୩-୨୪ ବର୍ଷ ନିମନ୍ତେ ରାଜ୍ୟ ବଜେଟରେ ୩୭୬୪.୨୮ କୋଟି ଟଙ୍କାର ପ୍ରାବଧାନ କରାଯାଇଛି।

ଏଥିରେ ରିଲିଫ୍‌, ବିପର୍ଯ୍ୟୟ ମୁକାବିଲା, ପୁନରୁଦ୍ଧାର ଓ ପୁନଃନିର୍ମାଣ ତଥା ବିପର୍ଯ୍ୟୟ ମୁକାବିଲା, ଭିତ୍ତିଭୂମି ନିର୍ମାଣ ଏବଂ ବିପର୍ଯ୍ୟୟ ମୁକାବିଲା ବାହିନୀର ଦକ୍ଷତା ବୃଦ୍ଧି, ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ପ୍ରସ୍ତୁତି କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଅନୁଷ୍ଠାନର ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକୀୟ ଅର୍ଥର ବରାଦ କରାଯାଇଅଛି।

ରିଲିଫ୍‌ ଏବଂ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ୯୪୩.୨୦ କୋଟି ଟଙ୍କା, ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ନିମନ୍ତେ ୭୦୭.୪୦ କୋଟି ଟଙ୍କା, ବିପର୍ଯ୍ୟୟ ମୁକାବିଲା ବାହିନୀର ଦକ୍ଷତା ବୃଦ୍ଧି, ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ପ୍ରସ୍ତୁତି କାର୍ଯ୍ୟକ୍ରମ ନିମନ୍ତେ ୨୩୫.୮୦ କୋଟି ଟଙ୍କା, ବିପର୍ଯ୍ୟୟ ନିରୋଧି ଭିତ୍ତିଭୂମି ନିମନ୍ତେ ୪୭୧.୬୦ କୋଟି ଟଙ୍କା, ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ନିମନ୍ତେ ୧୩୪୨.୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଏତଦ୍‌ ବ୍ୟତୀତ ଯୋଜନା ବ୍ୟୟ ବାବଦକୁ ୩୦.୦୦ କୋଟି ଟଙ୍କା ଓ ପ୍ରଶାସନିକ ଖର୍ଚ୍ଚ ନିମନ୍ତେ ୩୪.୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲପାଳଙ୍କ ସମ୍ମିଳନୀଗୃହରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ଭାରପ୍ରାପ୍ତ ସଚିବ ଆକଂଖୀ ଜିଲ୍ଲା କାର୍ଯ୍ୟକ୍ରମ ସତ୍ୟବ୍ରତ ସାହୁ ଜିଲ୍ଲାର ବିଭିନ୍ନ ବିଭାଗ ସ୍ବାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି, ଜଳ ସମ୍ପଦ, ପ୍ରାଣୀ ସମ୍ପଦ, ବିଦ୍ୟୁତିକରଣ, ରାସ୍ତା ନିର୍ମାଣ, ମୁଦ୍ରା ଋଣ, ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ସୁରକ୍ଷା ବୀମା ଯୋଜନା, ଅଟଳ ପେନ୍ ସନ୍, ଜନଧନ ଯୋଜନା, ଦକ୍ଷତା ବିକାଶ ଉପରେ ସମୀକ୍ଷା କରିଥିଲେ। ବୈଠକରେ ଜିଲ୍ଲାପାଳ କଳାହାଣ୍ଡି ପି. ଅନ୍ୱେଷା ରେଡ୍ଡୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଅଧିକାରୀ ଜିଲ୍ଲା ପରିଷଦ ସଚିନ୍ ପାୱାରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଶ୍ରୀ ସାହୁ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଯୋଜନାର ପ୍ରଣୟନ, ବିକାଶ ଓ ମାପଦଣ୍ଡ ଲକ୍ଷ୍ୟ ଧାର୍ଯ୍ୟକୁ କେତେ ଛୁଇଁଛି, ତା ଉପରେ ବିଶେଷ ଆଲୋଚନା କରି ଥିଲେ। ସାରା ଭାରତବର୍ଷରେ ୧୧୨ ଟି ଆକାଙ୍କ୍ଷୀ ଜିଲ୍ଲାରୁ କଳାହାଣ୍ଡି ୧୭ ରାଙ୍କ୍ ହାସଲ କରିଛି ଏବଂ ଏହି ରାଙ୍କକୁ ଆଗକୁ ନେବାକୁ ପଡ଼ିବ ବୋଲି ଶ୍ରୀ ସାହୁ ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ କରିଥିଲେ। ଶିକ୍ଷା କ୍ଷେତ୍ରରେ ଯେଭଳି ପିଲା ମଝିରୁ ପାଠ ନ ଛାଡ଼ିବେ ତା ଉପରେ ଦୃଷ୍ଟି ଦେବା, ଗୁଣାତ୍ମକ ଶିକ୍ଷା ପ୍ରଦାନ, ଶିକ୍ଷକ ନିଜ ପୋଷ୍ଟିଂ ସ୍ଥାନ ରେ ରହିବା, ଉନ୍ନତ ଓ ସ୍ୱଚ୍ଛ ପରିବେଶ, ଶୌଚାଳୟ ର ବ୍ୟବସ୍ଥା, ବିଦ୍ୟାଳୟରେ ଶିକ୍ଷକମାନଙ୍କ ଦ୍ଵାରା 5ଟିର ସଠିକ୍ ରୂପାୟନ, ବିଦ୍ୟୁତିକରଣ, ପାଠ୍ୟ ପୁସ୍ତକ ଆଗ୍ରହରେ ପଢ଼ିବା ଉପରେ ଗୁରୁତ୍ବ ଦେବାକୁ ଡି.ଇ.ଓ. ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେଭଳି କୃଷି କ୍ଷେତ୍ରରେ ଅଣ ଧାନ ଓ ମିଶ୍ରିତ କୃଷିକୁ ପ୍ରାଧାନ୍ୟ, କୃଷି ବୀମା, ଧାନ ଓ କପାର ଉତ୍ପାଦନ, କ୍ଷୁଦ୍ର ଜଳ ସେଚନ, ମୃତ୍ତିକା କାର୍ଡ ବଣ୍ଟନ ସହିତ କୃଷକର ଲାଭ ପାଇଁ ସମସ୍ତ ସ୍କିମ୍ ର ସଠିକ୍ ରୂପାୟନ ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭିତ୍ତିଭୂମି ବିକାଶରେ ଘରକୁ ବିଦ୍ୟୁତିକରଣ, ଗ୍ରାମ ପଞ୍ଚାୟତରେ ନେଟ୍ ସଂଯୋଗ, ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସମସ୍ତ ଗ୍ରାମକୁ ସଂଯୋଗୀକରଣ, ପ୍ରତ୍ୟେକ ଘରକୁ ଶୌଚାଳୟ, ପାନୀୟ ଜଳ ଉପରେ ଗୁରୁତ୍ଵ ଦେବା ଓ ଲକ୍ଷ୍ୟ ଧାର୍ଯ୍ୟ ମାପଦଣ୍ଡକୁ ଆଗକୁ ନେବାକୁ ପରାମର୍ଶ ଦେଇଥିଲେ।

ଯେଉଁ ଗ୍ରାମକୁ ରାସ୍ତା ସଂଯୋଗ ହୋଇପାରୁନାହିଁ ତାହାକୁ ଅଗ୍ରାଧିକାର ଭିତ୍ତିରେ ସର୍ଭେ କରି ଶୀଘ୍ର ନିର୍ମାଣ କରିବାକୁ ସି.ସି.ଇ.ଆର୍.ଡବ୍ଲୁ. ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାତୀ ଚଳାଚଳ ରାସ୍ତା ରେ ମୁଖ୍ୟତଃ ରାତ୍ର ସମୟରେ ବହୁ ଗ୍ରାମ ଅନ୍ଧାର ଯୋଗୁଁ ଅସୁବିଧା ଭୋଗ କରୁଥିଲେ ତାହାର ସମାଧାନ ନିମନ୍ତେ ସେହି ଅଞ୍ଚଳରେ କେବୁଲ ତାରର ଉପଯୋଗୀ କରିବା ତଥା ଏହା ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଅଧିକ୍ଷକ ଯନ୍ତ୍ରୀ ଟି.ପି.ଡବ୍ଲୁ.ଓ.ଡି.ଏଲ.ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେଭଳି ଧାନ ଚାଷ ପରେ ମୁଗ ବିହନ ଆବଶ୍ୟକ ହୋଇ ଥିବା ଅଞ୍ଚଳ ରେ ଚାଷୀ ମାନଙ୍କ ପାଇଁ ୧୬୦ କ୍ଵିଣ୍ଟାଲ ମୁଗ ବିହନ ଶୀଘ୍ର ବ୍ୟବସ୍ଥା କରିବାକୁ ସି.ଡି.ଏ.ଓ. ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗର୍ଭବତୀ ମହିଳାଙ୍କ ଯତ୍ନ, ଶିଶୁ ମୃତ୍ୟୁ ହାରକୁ କମ୍ କରିବା, ଶିଶୁ ଯତ୍ନ, ଆନେମିଆକୁ ନିୟନ୍ତ୍ରଣ, ଲିଙ୍ଗଗତ ପାର୍ଥକ୍ୟକୁ ହ୍ରାସ ଉପରେ ଗୁରୁତ୍ବ ଦେବାକୁ ସି.ଡ଼ି.ଏମ୍.ଓ. ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲାଞ୍ଜିଗଡ଼ ଓ ଥୁଆମୂଲ୍ ରାମପୁର ଅଞ୍ଚଳରେ ନେଟ ସୁବିଧା ନଥିବା ଯୋଗୁ ଯେଉଁ ଅସୁବିଧା ହୁଏ, ତାହାର ସମାଧାନ ଓ ଟାୱାର ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ବି.ଏସ.ଏନ୍.ଏମ୍ ଅଧିକାରୀଙ୍କୁ ନିର୍ଦ୍ଦେଶ କରିଥିଲେ।

ଅତିରିକ୍ତ ଶାସନ ସଚିବ ଶ୍ରୀ ସାହୁ ଏହି ଅବସରରେ ସଦ୍ୟ ନିଯୁକ୍ତି ପାଇ ଥିବା ୩୦ ଜଣ ଆର୍.ଆଇ ଓ ଅମିନ ଙ୍କୁ ୫ଟି ମନ୍ତ୍ର ଓ ଲୋକଙ୍କ ସେବାକୁ ଗୁରୁତ୍ବ ଦେବାକୁ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଫେବୃଆରୀ ୧୫ ମଧ୍ୟରେ ପଡା ଗ୍ରାମ ରାଜସ୍ୱ ଗ୍ରାମକୁ ହେବ ପରିବର୍ତ୍ତନ, ରାଜସ୍ବ ବିଭାଗର ନିଷ୍ପତି

ଭୁବନେଶ୍ୱର: ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପଡା ଗ୍ରାମରୁ ନୂତନ ଗ୍ରାମ, ନୂଆ ରାଜସ୍ୱ ନିରକ୍ଷକଙ୍କ କାର୍ଯ୍ୟାଳୟ ଓ ମୋ ସରକାରର ଅନ୍ତର୍ଗତ ସମସ୍ତ ସେବା ପ୍ରଦାନ ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସମସ୍ତ ଡିଭିଜନର ଡିଭିଜନର ରାଜସ୍ୱ ଆୟୁକ୍ତ, ବିଭାଗର ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

ଏହି ବୈଠକରେ ବିଭାଗୀୟ ଅଧିକାରୀ ପଡା ଗ୍ରାମରୁ ନୂତନ ଗ୍ରାମ ସୃଷ୍ଟି ପାଇଁ ନିର୍ଗମନ ହୋଇଥିବା ବିଭିନ୍ନ ବିଜ୍ଞପ୍ତି ଉପରେ ଆଲୋକପାତ କରିଥିଲେ। ୨୦୨୧ ମସିହାରେ ହୋଇଥିବା ବିଜ୍ଞପ୍ତିରେ ପଡା ଗ୍ରାମରେ ୨୫୦ ରୁ କମ ଲୋକ ଥିଲେ ମଧ୍ୟ ରାଜସ୍ୱ ଗ୍ରାମ ଓ ପଡା ଗ୍ରାମ ମଧ୍ୟରେ ଗମନାଗମନରେ କୌଣସି ପ୍ରାକୃତିକ ପ୍ରତିବନ୍ଧକ ଥିଲେ, ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ଘୋଷଣା ପାଇଁ ବିଚାର କରାଯାଇପାରିବାର ବ୍ୟବସ୍ଥା ରହିଛି।

ସେହିପରି ପଡା ଗ୍ରାମଟି ରାଜସ୍ୱ ଗ୍ରାମର ୫୦୦ ମିଟର ଦୂରତା ମଧ୍ୟରେ ଥିଲେ ମଧ୍ୟ, ପଡା ଗ୍ରାମର ଲୋକସଂଖ୍ୟା ୩୦୦ରୁ ଅଧିକ ହେଲେ, ସେହି ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ହେବାପାଇଁ ଜିଲ୍ଲାପାଳ ପ୍ରସ୍ତାବ ପଠାଇପାରିବେ। ପଡାଗ୍ରାମଟିର ଲୋକସଂଖ୍ୟା ୨୫୦ ରୁ ଅଧିକ ହୋଇ ରାଜସ୍ୱ ଗ୍ରାମରୁ ଦୂରତା ୫୦୦ ମିଟରରୁ ଅଧିକ ହେଲେ, ସେହି ପଡ଼ା ଗ୍ରାମ ମଧ୍ୟ ରାଜସ୍ୱ ଗ୍ରାମ ହୋଇପାରିବ। ପଡା ଗ୍ରାମ ରାଜସ୍ୱ ଗ୍ରାମ ହେଲା ପରେ ମଧ୍ୟ ପଡା ଗ୍ରାମର ବାସିନ୍ଦାମାନେ ଆବଶ୍ୟକ ସ୍ଥଳେ ପୁରୁଣା ରାଜସ୍ୱ ଗ୍ରାମର ଗୋଚର ଓ ସର୍ବସାଧାରଣ ଜାଗା ଯଥା ଶ୍ମଶାନ ଆଦି ବ୍ୟବହାର କରିପାରିବେ।

ମନ୍ତ୍ରୀ ସମସ୍ତ ଜିଲ୍ଲାପାଳମାନଙ୍କୁ ଏହିପରି ନୂତନ ଗ୍ରାମର ପ୍ରସ୍ତାବ ଫେବୃଆରୀ ୧୫ ତାରିଖ ସୁଦ୍ଧା ଭୁ-ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକଙ୍କ ନିକଟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ନୂତନ ଭାବେ ସୃଷ୍ଟି ହୋଇଥିବା ଗ୍ରାମରେ ଥିବା ଜମିଜମା ସମ୍ବନ୍ଧୀୟ ଦସ୍ତାବିଜ ତୁରନ୍ତ ଭୂଲେଖ ପୋର୍ଟାଲରେ ଅଦ୍ୟତନ କରିବା ପାଇଁ ନିର୍ଦ୍ଦେଶ ଦଆଯାଇଛି।

ଲୋକମାନେ ଯେପରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନ ଆସି ଉଭୟ ସମୟ ଓ ଅର୍ଥର ଅପଚୟ ନ କରି ଇ-ପାଉତି ମାଧ୍ୟମରେ ଖଜଣା ଦେଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମନ୍ତ୍ରୀ ମହୋଦୟା ନୂତନ ଭାବେ ଯୋଗ୍ୟ ବିବେଚିତ ହୋଇଥିବା ସହାୟକ ରାଜସ୍ୱ ନିରୀକ୍ଷକ ଓ ଅମିନମାନଙ୍କୁ ଡିସେମ୍ବର ୨୦ ତାରିଖ ମଧ୍ୟରେ ନିଯୁକ୍ତିପତ୍ର ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳମାନଙ୍କୁ ପ୍ରତ୍ୟେକ ଦିନ ମୋ ସରକାର ମାଧ୍ୟମରେ ଲୋକଙ୍କ ସହ କଥା ହୋଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କଠୁ ଉତ୍କୋଚ ନେଲେ, ଲୋକଙ୍କୁ ଖରାପ ବ୍ୟବହାର କଲେ ଓ କାର୍ଯ୍ୟରେ ଅବହେଳା କଲେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ ମାନନୀୟ ମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ କଡା ତାଗିଦ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନିଜ ବିଭାଗର ସାଂସ୍କୃତିକ ଉତ୍ସବରେ ଗୀତ ବୋଲିଲେ ଆଇଏଏସ ସତ୍ୟବ୍ରତ ସାହୁ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସାଂସ୍କୃତିକ ସଂସଦର ବାର୍ଷିକ ଉତ୍ସବ ୨୦୨୨ ପାଳିତ ହୋଇଯାଇଛି। ଏଥିରେ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ  ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ରାଜସ୍ୱ ବିଭାଗ ଆମର ଗୋଟିଏ ପରିବାର।

ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ସାଲବେଗଙ୍କ ଭଜନ ପରିବେଷଣ କରିଥିଲେ। ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ପରେ ଓଡ଼ିଶୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା।

ଏହି ଅବସରରେ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶିତ ସ୍ମରଣିକା ‘ଭୂମି’କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସଂସ୍କୃତିକ ସଂପାଦକ ତପନ କୁମାର ଦଳାଇ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ସଂସଦର ସଭାପତି ବିଜୟ କୁମାର ମଲ୍ଲିକ ସ୍ୱାଗତ ଭାଷଣ ରଖିଥିଲେ। ରେକଡର୍ସର ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ପ୍ରମୁଖ ଉପସ୍ଥିତ ଥିବାବେଳେ ସଂପାଦକ ପ୍ରତାପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସଂସଦ ପକ୍ଷରୁ ନାଟକ ‘ଏଠି ଜିଇଁବା ମରିବା ସବୁ ସମାନ’ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ନେଲେ ସତ୍ୟବ୍ରତ ସାହୁ, କଲେ ସମୀକ୍ଷା

ଭୁବନେଶ୍ବର: ଆମେ ସମସ୍ତେ ଆମର ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଇବା ଆବଶ୍ୟକ । ଓଡିଶାର ଉନ୍ନତି ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବା ସହ ବିଭାଗର ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ କରାଯିବା ପାଇଁ ର୍ସବାଧିକ ଗୁରୁତ୍ୱ ଦିଆଯିବାକୁ ବିଭାଗରେ ନୂତନ ଭାବେ ଯୋଗଦାନ କରିଥିବା ଓଡିଆ ଭାଷା, ସାହିତ୍ୟ,ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି ।

ଏ ସଂର୍ପକରେ ସେ ବିଭାଗୀୟ ସମସ୍ତ ଅଧିକାରୀ ଓ ର୍କମଚାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦଶେ ଓ ପରାର୍ମଶଦେଇଛନ୍ତି ।ଆଜି ପୂର୍ବାହ୍ଣରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଶ୍ରୀ ସାହୁ କାର୍ଯ୍ୟାଳୟରେ ପହଁଚିବା ପରେ ବିଭାଗର ନିର୍ଦ୍ଦଶେକ ଶ୍ରୀ ରଞ୍ଜନ କୁମାର ଦାସଙ୍କ ସମତେ ବିଭାଗ ଅନ୍ର୍ତଗତ ବିଭିନ୍ନ ଶାଖାର ମୁଖ୍ୟମାନେ ଯୋଗଦେଇ ଶ୍ରୀ ସାହୁଙ୍କୁ ସ୍ୱାଗତ କରିଥିଲେ।

ପରେ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ବିଭାଗର ବିଭିନ୍ନ ଶାଖାର କାର୍ଯ୍ୟାବଳୀ ସଂର୍ପକରେ ଏକ ସମୀକ୍ଷା ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବିଭାଗକୁ ଅଧିକ ଚଳ ଚଂଚଳ କରିବା ସହିତ ସମସ୍ତ ଅଧିକାରୀ ଓ ର୍କମଚାରୀମାନଙ୍କୁ ନିଷ୍ଠାର ସହିତ କାର୍ଯ୍ୟ ସଂପାଦନ କରିବା, ଯେଉଁ ଦିନର କାମକୁ ସହେି ଦିନ ସାରିବା, ସମସ୍ତେ ଦାୟିତ୍ୱ ସଂପନ୍ନ ଭାବେ କାର୍ଯ୍ୟ ନିର୍ବାହ କରିବାକୁ ପରାର୍ମଶ ଦେଇଛନ୍ତି ।

ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ସମସ୍ତଙ୍କ ସମ୍ମିଳିତ ପ୍ରୟାସରେ ବିଭାଗର ଉନ୍ନତିକୁ ଆହୁରି ଆଗକୁ ନବୋକୁ ଶ୍ରୀ ସାହୁ ସମସ୍ତ ଅଧିକାରୀ ଓ ର୍କମଚାରୀମାନଙ୍କର ସହଯୋଗ କାମନା କରିଥିଲେ ।

ବୈଠକରୁ ଜଣାପଡିଛି ଯେ, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ୫୦ହଜାର ହିତାଧିକାରୀଙ୍କ ମଧ୍ୟରୁ ଏବେ ୩୪ ହଜାର ହିତାଧିକାରୀ ସହାୟତା ପାଉଛନ୍ତି, ଯେଉଁମାନଙ୍କୁ କି ଅନ୍ ଲାଇନ୍ ଯୋଗେ ସମୋନଙ୍କର ବ୍ୟାଙ୍କ ଜମାଖାତାକୁ ଅର୍ଥ ପ୍ରରେଣର ବ୍ୟବସ୍ଥା ହୋଇଛି । ତବେେ ଚୟନ ହୋଇଥିବା ଅବଶିଷ୍ଟ ପ୍ରାୟ ୧୬ ହଜାର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ ପାଇଁ ତ୍ୱରିତ ବ୍ୟବସ୍ଥା ଗ୍ରହଣକରାଯିବାକୁ ନବୋକୁ ଶ୍ରୀ ସାହୁ ଗୁରୁତ୍ୱ ଦେଇଥିଲେ । ବୈଠକରେ ବିଭାଗରେ ଲାଗୁ କରାଯାଇଥିବା ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ସଂର୍ପକରେ ଅବଗତ ହୋଇଥିଲେ ।

ବିଭାଗର ବିଭିନ୍ନ ଶାଖା ଯଥା, ଓଡିଶା ସଂଗୀତ ନାଟକ ଏକାଡମେୀ, ଲଳିତ କଳା ଏକାଡମେୀ, ଊର୍ଦ୍ଦୁ ଏକାଡମେୀ, ରାଜ୍ୟ ସଂଗ୍ରହାଳୟ, ଉତ୍କଳ ସଂଗୀତ ମହାବିଦ୍ୟାଳୟ,ଓଡିଶା ସାହିତ୍ୟ ଏକାଡମେୀ, ଓଡିଆ ଭାଷା ପ୍ରତିଷ୍ଠାନ, କଳିଙ୍ଗ ଆର୍ଟ ଗ୍ୟାଲରେୀ, ଖଲିକୋଟସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଭୁବନଶେ୍ୱରସ୍ଥିତ ବିଭୁତି କାନୁନଗୋ କଳା ଓ ଶିଳ୍ପ ମହାବିଦ୍ୟାଳୟ, ଓଡିଶା ରାଜ୍ୟ ଅଭିଲଖୋଗାର, ହରକେୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଆଦି ବିଭିନ୍ନ ଶାଖାର କାର୍ଯ୍ୟାବଳୀ ଓ ସଗେୁଡିକର ଅଧିକ ଉନ୍ନତିକରଣ ଯୋଜନା ସମତେ ଓଡିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ଜରିଆରେ ପୁରାତନ କୀର୍ତ୍ତୀରାଜିର ସଂରକ୍ଷଣକୁ ସେ ଗୁରୁତ୍ୱ ଦେଇଥିଲେ ।

କୋଭିଡ୍ କଟକଣା ପରିପ୍ରକେ୍ଷୀରେ ୨୦୧୭ ମସିହାରୁ ବଣ୍ଟନ କରାଯାଇପାରିନଥିବା ବିଭିନ୍ନ ଲଖେକ ଲଖେିକାମାନଙ୍କର ପ୍ରକାଶିତ ପୁସ୍ତକଗୁଡିକୁକାର୍ଯ୍ୟକ୍ଷମ ଥିବା ପଂଜୀକୃତ ପାଠାଗାରଗୁଡିକୁ ଶୀଘ୍ର ପଦକ୍ଷପେ ନିଆଯାଇ ବଣ୍ଟନ କରାଯିବା ପାଇଁ ଶ୍ରୀ ସାହୁ ନିର୍ଦ୍ଦଶେ ଦେଇଥିଲେ । ସମସ୍ତେ ସମ୍ମିଳିତ ପ୍ରଚଷେ୍ଟା ପୂର୍ବକ ବିଭାଗର କାର୍ଯ୍ୟକୁ ଅଧିକ ଚଳ ଚଂଚଳ କରି ବିଭାଗର ସୁନାମ ବଜାୟ ରଖିବାକୁ ଶ୍ରୀ ସାହୁ ବୈଠକରେ ଗୁରୁତ୍ୱାରୋପ କରିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ, ଯୁଗ୍ମ ନିର୍ଦ୍ଦଶେକ ଶ୍ରୀ ସୁବୋଧ କୁମାର ଆଚାର୍ଯ୍ୟଙ୍କ ସମତେ ବିଭାଗ ଅନ୍ର୍ତଗତ ବିଭିନ୍ନ ଶାଖାର ମୁଖ୍ୟମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଶ୍ରୀ ସାହୁ ରାଜସ୍ୱ ଓ ବିର୍ପଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ଦାୟିତ୍ୱରେ ଥାଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ଓଡ଼ିଶା ଷ୍ଟାର୍ଟଅପ୍‌ ଟାସ୍କ ଫୋର୍ସ ପକ୍ଷରୁ ୧.୫୩ କୋଟି ମଞ୍ଜୁର

ଭୁବନେଶ୍ୱର: ଷ୍ଟାର୍ଟଅପ୍‌ ଓଡ଼ିଶା ଟାସ୍କ ଫୋର୍ସ ରାଜ୍ୟରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମର ବିକାଶ ଦିଗରେ ୨୩ଟି ଷ୍ଟାର୍ଟଅପ୍‌କୁ ୧.୫୩ କୋଟି ଟଙ୍କା ଏବଂ ୨ଟି ଇନକ୍ୟବେଟରକୁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛି।

ଓଡ଼ିଶା ଷ୍ଟାର୍ଟଅପ୍‌ ନୀତି ୨୦୧୬ ଅଧାରରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ନିମନ୍ତେ ଏସିଏସ, ଏମ୍‌ଏସ୍‌ଏମ୍‌ଇ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଏହି ପ୍ରୋତ୍ସାହନ ଷ୍ଟାର୍ଟଅପ୍‌ଗୁଡ଼ିକୁ ସେମାନଙ୍କର ଉତ୍ପାଦର ବିକାଶ ଏବଂ ଏହାକୁ ବଜାରକୁ ନେବାରେ ସାହାଯ୍ୟ କରିବ କହିଥିଲେ । ଏଥି ସହିତ ଷ୍ଟାର୍ଟଅପ୍‌ ଓଡ଼ିଶାକୁ ଷ୍ଟାର୍ଟଅପ୍‌ ପର୍ଯ୍ୟନ୍ତ ବିସ୍ତାରିତ ଆର୍ଥିକ ସହାୟତା ସୁବିଧା ସଂଖ୍ୟା ୨୬୯କୁ ବୃଦ୍ଧି ପାଇଛି ବୋଲି ସେ ପ୍ରକାଶ କରିଥିଲେ ।

ଯେଁଉ ଷ୍ଟାର୍ଟଅପ୍‌ଗୁଡ଼ିକ ଏହି ଅର୍ଥରୁ ଲାଭଦାୟକ ହେବେ ସେଗୁଡ଼ିକ ମଧ୍ୟରେ ଏୟୁୟୁଏମ୍‌ ପ୍ଲାଟଫର୍ମ ଯାହା ଏସୱାସନର ନାମକ ପିପିଇ କିଟ୍‌ର ଏକ ଅଭିନବ ମଡେଲ୍‌ ଉପରେ କାର୍ଯ୍ୟ କରୁଛନ୍ତି, ସେହିଭଳି ଅମଳ ପରବର୍ତ୍ତୀ ବୈଷୟିକ ଉପରେ କାର୍ଯ୍ୟ କରୁଥିବା ମାଟି ଫାର୍ମସ୍‌ ନାମକ ଷ୍ଟାର୍ଟଅପ୍‌ ଉତ୍ପାଦ ବିକାଶ ଏବଂ ମାର୍କେଟିଂ ସହାୟତା ଦିଗରେ ସରକାରଙ୍କଠାରୁ ଆର୍ଥିକ ସହାୟତା ପାଇଥିଲେ, ଓଡିକାଷ୍ଟ ଡିଜିଟାଲ୍‌ ଭାରତର ସର୍ବବୃହତ ସ୍ୱାସ୍ଥ୍ୟ ମିଡିଆ ନେଟୱାର୍କ ଉପରେ କାମ କରନ୍ତି, ଟିଏସ୍‌ ଓରିଜିନାଲ୍ସ ପିଭିଟି ଲିମିଟେଡ୍‌ ବିକାଶ ଉପରେ ଧ୍ୟାନ ଦେଇ ସ୍ୱଦେଶୀ, ସମସ୍ତ ହାତରେ ମିଶ୍ରିତ, ହର୍ବାଲ୍‌ ଚା ଉତ୍ପାଦନ କରନ୍ତି।

ସେହିପରି କୋଡିଗେରାଓ ଇନନୋଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାନୋପାର୍ଟିକାଲ୍‌ ସହିତ ଜୈବିକ ବ୍ୟବହାର କରି ସୂତା ଉତ୍ପାଦନ କରୁଛି, ମିଓର୍ଗ୩୬୦ ଇନୋଭେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୱାନ୍‌ ଷ୍ଟପ୍‌, ମାଗଣା କ୍ଲାଉଡ୍‌-ଆଧାରିତ ମାନବ ସମ୍ବଳ ସଫଫେୱୟାର୍‌ ଯାହା ନିଯୁକ୍ତି, ଦକ୍ଷତା, ଅନୁପାଳନ, ବେତନ ଏବଂ ଅନ୍ୟାନ୍ୟ ସେବା ଯୋଗାଉଛି, କ୍ଲାଭିକଫର ଏକାଡେମୀ, ଶିକ୍ଷା ବୈଷୟିକ ଷ୍ଟାର୍ଟଅପ୍‌ ଏଆଇ-ଆଧାରିତ ପରାମର୍ଶ ଏବଂ ମାର୍ଗଦର୍ଶନ ପ୍ଲାଟଫର୍ମ ପ୍ରସ୍ତୁତ କରୁଅଛି ।

ଅନ୍ୟ ଷ୍ଟାର୍ଟଅପ୍‌ଙ୍କ ମଧ୍ୟରେ ଆଇଓନୋକ୍ସ ସଫଫେୱୟାର୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଏମ୍‌ପିବିଏସ୍‌ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଡିଜାଇନ୍‌ ଏଲ୍‌ଏଲ୍‌ପି, ଥିଙ୍କ୍‌-ଜେନିକ୍ସ ବାୟୋଟେକ୍‌, ପ୍ୟìରିପେଟାଲ୍‌ ଆଲାଏନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ପ୍ରାୟଓରିଟିଜ୍‌ ମେଡ୍‌ ଇଜି ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ , ଲାପି ସ୍ୱାସ୍ଥ୍ୟ କେୟାର୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ୫ଷ୍ଟାର୍‌ ଅପ୍ନିସେବା ପ୍ରାଇଭେଟ୍‌ ଲିମିଟେଡ୍‌, କୋଏଲ୍‌ ଫ୍ରେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ୟୋଶିନୋ ଏନର୍ଜି ପ୍ରାଇଭେଟ୍‌ ଲିମିଟେଡ୍‌, ୱେଟୁୱର୍ଥ ଏଲ୍‌ ପି, ହଳଦୀ ତତ୍ତ୍ୱ ପ୍ରାଇଭେଟ୍‌ ଲିମିଟେଡ୍‌, କିଓମସ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ କେଡଟେକ୍ମାଟିକ୍‌ ଟେକ୍ନୋଲୋଜିସ୍‌ ।

ସ୍ଥାୟୀ ଜୀବନଶୈଳୀ, ଜୈବସାର, ଜୈବଖାଦ୍ୟ, ଇଭି ଯାନ, ଏଆର /ଭିଆର ଉପରେ କାର୍ଯ୍ୟ କରୁଥିବା ଅନ୍ୟ ଷ୍ଟାର୍ଟଅପ୍‌ ଓଏସପି ୨୦୧୬ ଅଧୀନରେ ଆର୍ଥିକ ପ୍ରୋତ୍ସାହନ ପାଇଥିଲା ।
ଏହି ବୈଠକରେ ଶ୍ରୀ ବିଭୁତି ଭୂଷଣ ଦାଶ, ସ୍ୱତନ୍ତ୍ର ସଚିବ, ଏମ୍‌ଏସ୍‌ଏମ୍‌ଇ ବିଭାଗ, ସାଦିକ୍‌ ଆଲାମ, ଶିଳ୍ପ ନିର୍ଦ୍ଦେଶକ, ଶ୍ରୀମତୀ ସ୍ମିତା ରାଉତ, ଅର୍ଥ ବିଭାଗର ଉପସଚିବ, ରଜେନ୍‌ ପାଢ଼ୀ, ୟୁସିସିଆଇ, ଜୟଶ୍ରୀ ମହାନ୍ତି, ଲୁମିନୌସ ଇନ୍‌ଫାେୱସ୍‌, ଶ୍ରୀ ଐଶକାନ୍ତ ମହାନ୍ତି, ଏମ୍‌ଡି, ତତୱା ଟେକ୍ନୋଲୋଜି, ଡକଫର ଏସ ଏମ ମୁସ୍ତାକିମ, ଆଇଏମଏମଟି ଭୁବନେଶ୍ୱର ଏବଂ ଡକଫର ସଂଯୁକ୍ତା ବଢ଼ାଇ, ଇଭାନ୍‌ଜେଲିଷ୍ଟ, ଷ୍ଟାର୍ଟଅପ୍‌ ଓଡ଼ିଶା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାର ୨୦୪ ଗ୍ରାମରେ ହେବ ହାଇ-ଟେକ ସର୍ଭେ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ଗାଁ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ କଳାହାଣ୍ଡି ଗସ୍ତ ସମୟରେ ଓ ବିଭିନ୍ନ ଜିଲ୍ଲା ସମୀକ୍ଷା ବୈଠକ ସମୟରେ ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ୧୯୨୯-୩୦ ମସିହା ସମୟରେ ସର୍ଭେ ହୋଇଥିବା ୨୦୪ ଗ୍ରାମ ବିଷୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସେହି ଗ୍ରାମରେ ଜମିବାଡ଼ି ରେକର୍ଡର ବହୁ ପୁରୁଣା ସର୍ଭେ ଯୋଗୁ ଜନସାଧାରଣ ଜମି କିଣାବିକା, ଜାତିଗତ ପ୍ରମାଣପତ୍ର ଇତ୍ୟାଦି ସେବା ପାଇବାରେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜସ୍ୱ ବିଭାଗ ଏହି ସମସ୍ୟାର ସମାଧାନ ପାଇଁ ୨୦୪ ଗ୍ରାମରେ ହାଇ-ଟେକ ସର୍ଭେ କରିବାକୁ ନିଷ୍ପତି ନେଇଛନ୍ତି ।

ଏହା ଫଳରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ତହସିଲରେ ୧୩ ଗ୍ରାମ, ବିରିଡି ତହସିଲରେ ୧ ଗ୍ରାମ, ଯାଜପୁର ଜିଲ୍ଲା ଯାଜପୁର ତହସିଲରେ ୧୯ ଗ୍ରାମ, ବିଂଝାରପୁର ତହସିଲରେ ୩୮ ଗ୍ରାମ, ଦାନଗଦି ତହସିଲରେ ୨୦ ଗ୍ରାମ, ସୁକିନ୍ଦା ତହସିଲରେ ୯ ଗ୍ରାମ, ବ୍ୟାସନଗର ତହସିଲରେ ୧ ଗ୍ରାମ, ଦଶରଥପୁର ତହସିଲରେ ୫ ଗ୍ରାମ, କେନ୍ଦ୍ରାପଡା ଜିଲ୍ଲାରେ ରାଜନଗର ତହସିଲରେ ୨ ଗ୍ରାମ ରହିଛି।

ସେହିପରି କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ତହସିଲରେ ୭ ଗ୍ରାମ, କେସିଙ୍ଗା ତହସିଲର ୩ ଗ୍ରାମ, କର୍ଲାମୁଣ୍ଡା ତହସିଲରେ ୧ ଗ୍ରାମ, ଥୁଆମୂଳ ରାମପୁର ତହସିଲରେ ୧୦ ଗ୍ରାମ, ଧର୍ମଗଡ ତହସିଲରେ ୧୨ ଗ୍ରାମ, ଗୋଲମୁଣ୍ଡା ତହସିଲରେ ୭ ଗ୍ରାମ, ଜୁନାଗଡ଼ ତହସିଲରେ ୧୮ ଗ୍ରାମ, କୋକସରା ତହସିଲରେ ୬ ଗ୍ରାମ, ଜୟପାଟଣା ତହସିଲର ୨୯ ଗ୍ରାମ ଓ କଳମପୁର ତହସିଲରେ ୩ ଗ୍ରାମରେ ହାଇ-ଟେକ ସର୍ଭେ ହେବ ।

ଏହା ଫଳରେ ଏହି ୨୦୪ ଗ୍ରାମରେ ସମସ୍ତ ଜାଗାର ଜିଓ-ରେଫରେନସିଙ୍ଗ ହୋଇପାରିବ । ଏହି ହାଇ-ଟେକ ସର୍ଭେ ପରେ ଲୋକମାନଙ୍କର ବହୁବିଧ ସମସ୍ୟା ଯଥା ଜମିବାଡ଼ି କିଣାବିକା ଓ ଜାତିଗତ ପ୍ରମାଣପତ୍ର ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂରୀଭୂତ ହେବା ସହ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ ପଟ୍ଟା ତିଆରି ହୋଇ ଲୋକଙ୍କୁ ମିଳିପାରିବ ।

Categories
ବିଶେଷ ଖବର ରାଜ୍ୟ ଖବର

ଟିଟିଲାଗଡ ବିଜୟନଗରମ ତୃତୀୟ ରେଳ ଲାଇନ, ଖୁବ୍‌ଶୀଘ୍ର ହେବ ଜମି ଅଧିଗ୍ରହଣ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଜମି ଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମି ଗ୍ରହଣ ଅଧିକାରୀ, ତହସିଲଦାର ତଥା ଅନ୍ୟାନ୍ୟ କ୍ଷେତ୍ର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତହସିଲ ଓ ନିବନ୍ଧନ କାର୍ଯ୍ୟଳୟକୁ ଆସୁଥିବା ପ୍ରତ୍ୟେକ ଜନସାଧାରଣଙ୍କୁ ସମ୍ମାନର ସହିତ ସେମାନଙ୍କର ଅଭିଯୋଗ ଶୁଣାଣି ଓ ଅଭିଯୋଗ ଉପରେ ତୁରନ୍ତ ନ୍ୟାୟୋଚିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ କଳାହାଣ୍ଡି ତହସିଲଦାରଙ୍କୁ ଆସନ୍ତା ୧ ମାସ ମଧ୍ୟରେ ସମସ୍ତ ଦାଖଲ ଖାରଜ ମାମଲା ସମ୍ପୂର୍ଣ୍ଣର୍ କରି ଜନସାଧାରଣଙ୍କୁ ଠିକ ସମୟରେ ପଟ୍ଟା ଦେବାକୁ ନିର୍ଦ୍ଦେଶ ଦେଇଥିଲ।

କଳାହାଣ୍ଡି ଜିଲ୍ଲାରେ ୨୨୫ ଲଘୁ ଖଣିଜ ଉତ୍ସରୁ ମାତ୍ର ୧୦୩ ଲଘୁ ଖଣିଜ ଉତ୍ସ କାର୍ଯ୍ୟକ୍ଷମ ହୋଇଛି ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବଶିଷ୍ଟ ଲଘୁ ଖଣିଜ ଉତ୍ସକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ କ୍ଷେତ୍ରାଧିକାରୀଙ୍କୁ ଲଘୁ ଖଣିଜ ସଂପଦରୁ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱାରୋପ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ, ତହସିଲଦାରମାନଙ୍କୁ ଲଘୁ ଖଣିଜ ଚୋରା ଚାଲାଣ ସମୟରେ ଚଢ଼ାଉ ବେଳେ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ କୌଣସି ସରକାରୀ ପ୍ରକଳ୍ପ ଯଥା ରେଳବାଇ, ଜାତୀୟ ରାଜପଥ ଓ ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ବିଳମ୍ବ ନ କରିବାକୁ ସମସ୍ତ ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମଧ୍ୟରେ କାର୍ଯ୍ୟକ୍ଷମ ଟିଟିଲାଗଡ ବିଜୟନଗରମ୍‌ ଓ ବିଜୁ ଏକ୍ସପ୍ରେସ ୱେ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜାତୀୟ ରାଜପଥ ୨୬ରେ ଭବାନୀପାଟଣା ପାଇଁ ଲିଙ୍କ ରୋଡ ନିମନ୍ତେ ଖୁବ୍‌ଶୀଘ୍ର ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସମସ୍ତ ସରକାରୀ ପ୍ରକଳ୍ପରେ ଜମି ଅଧିଗ୍ରହଣ କରି ଦାଖଲଖାରଜ ମାମଲାରେ ପଟ୍ଟା ସଂଶୋଧନ କରି ଜାତୀୟ ରାଜପଥ ପ୍ରାଧିକରଣ ଓ ରେଳପଥ କର୍ତ୍ତୃପକ୍ଷଙ୍କୁ ଜମି ହସ୍ତାନ୍ତରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ସମସ୍ତ ୫ଟି ଉଚ୍ଚ ବିଦ୍ୟାଳୟକୁ ଏପ୍ରିଲ ୩୦ ସୁଦ୍ଧା ସଂଶୋଧିତ ଜମି ପଟ୍ଟା ଦେବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପଯୁକ୍ତ ହିତାଧିକାରୀଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ମାଧ୍ୟମରେ ଅଗ୍ରାଧିକାର ଭିତ୍ତିିରେ ଜମି ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମୂଲ୍ୟବାନ ସରକାରୀ ଜମିକୁ ସୁରକ୍ଷା ଓ ସଂରକ୍ଷଣ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

କେନ୍ଦୁଝର ଜିଲ୍ଲାର ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବାକୁ କଡା ପଦକ୍ଷେପ ନେବ ରାଜସ୍ବ ବିଭାଗ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଆଭାସୀ ବୈଠକରେ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇ. ଜି. ଆର, ଭୂ-ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ,ଏନ. ଆଇ. ସି.ର ବରିଷ୍ଠ ଅଧିକାରୀ, କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଜମିଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମିଗ୍ରହଣ ଅଧିକାରୀ, ତହସିଲଦାର ତଥା ଅନ୍ୟାନ୍ୟ କ୍ଷେତ୍ରାଧିକାରୀମାନେ ଯୋଗ ଦେଇଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଗତ ୨ ମାସ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଜମି ଅଧିଗ୍ରହଣ କାର୍ଯ୍ୟରେ ପରିଲକ୍ଷିତ ଉନ୍ନତି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତହସିଲ ଓ ନିବନ୍ଧନ କାର୍ଯ୍ୟଳୟକୁ ଆସୁଥିବା ପ୍ରତ୍ୟେକ ଜନସାଧାରଣଙ୍କୁ ସମ୍ମାନ ସହିତ ସେମାନଙ୍କର ଅଭିଯୋଗ ଶୁଣାଣି ଓ ଅଭିଯୋଗ ଉପରେ ତୁରନ୍ତ ନ୍ୟାୟୋଚିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ସମସ୍ତ ଅଧିକାରୀମାନଙ୍କୁ ନିଜ ଓ ନିଜ ଅଧିନସ୍ଥ କାର୍ଯ୍ୟାଳୟମାନଙ୍କରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଜନସାଧାରଣଙ୍କୁ ଆଇନ ଅନୁଯାୟୀ ଦାଖଲ ଖାରଜ ଓ ଘରବାଡ଼ି ପଟ୍ଟା ସେବା ତ୍ୱରିତ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସାର୍ଟିଫିକେଟ ସେବା ଯଥା ରେସିଡେଣ୍ଟ, ଇନକମ ଓ ଜାତିଗତ ପ୍ରମାଣପତ୍ରରେ କୌଣସି ବିଳମ୍ବ ନକରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଘସିପୁରା ତହସିଲ ଅନ୍ତର୍ଗତ ତୋରାଣିଆପାଳ ଗ୍ରାମ ଭୂଲେଖରେ ତୁରନ୍ତ ଦର୍ଶାଇବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

କେନ୍ଦୁଝର ଜିଲ୍ଲାରେ ୧୯୭ ଲଘୁ ଖଣିଜ ଉତ୍ସରୁ ମାତ୍ର ୫୫ ଲଘୁ ଖଣିଜ ଉତ୍ସ କାର୍ଯ୍ୟକ୍ଷମ ହୋଇଛି ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବଶିଷ୍ଟ ଲଘୁ ଖଣିଜ ଉତ୍ସକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟତଃ ଘସିପୁରା ଓ ଆନନ୍ଦପୁର ଅଂଚଳରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣକୁ ରୋକିବା ଦିଗରେ ଉପ ଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ କଡା ତାଗିଦ କରାଯାଇଥିଲା । ସମସ୍ତ ଲଘୁ ଖଣିଜ ଉତ୍ସକୁ କାର୍ଯ୍ୟକ୍ଷମ କିମ୍ବା ଲଘୁ ଖଣିଜ ଉତ୍ସରୁ ସମସ୍ତ ଲଘୁ ଖଣିଜ ସମ୍ପଦ ବିଲୁପ୍ତ ହୋଇଥିଲେ ତାକୁ ଆଇନ ଅନୁଯାୟୀ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ଏବଂ ବେଆଇନ ଲଘୁ ଖଣିଜ ସମ୍ପଦ ଉଠାଣ ଉପରେ କଡା ପଦକ୍ଷେପ ନେବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ କ୍ଷେତ୍ରାଧିକାରୀଙ୍କୁ ଲଘୁ ଖଣିଜସଂପଦରୁ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱାରୋପ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ତହସିଲଦାରମାନଙ୍କୁ ଲଘୁ ଖଣିଜ ଚୋରା ଚାଲାଣ ସମୟରେ ଚଢ଼ାଉ ବେଳେ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲ। ତହସିଲଦାରମାନଙ୍କୁ ପୋଲିସ ସହ ଭଲ ସମନ୍ୱୟ ରକ୍ଷା କରି ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ କୌଣସି ସରକାରୀ ପ୍ରକଳ୍ପ ଯଥା ରେଳବାଇ, ଜାତୀୟ ରାଜପଥ ଓ ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ବିଳମ୍ବ ନ କରିବାକୁ ସମସ୍ତ ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମଧ୍ୟରେ କାର୍ଯ୍ୟକ୍ଷମ ଦୈତାରୀ ବାଂଶପାଣି ରେଳପଥ ପ୍ରକଳ୍ପ, ସିଂଘଡା ବିଞ୍ଜବାହାଲ ଓ ପାଣିକୋଇଲି ରିମୁଳି ଜାତୀୟ ରାଜପଥ ପ୍ରଶସ୍ତିକରଣ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ସେହିପରି ଜାତୀୟ ରାଜପଥ ୨୦ରେ ରିମୁଲି କୋଇଡା ମଧ୍ୟରେ ଜମି ଅଧିଗ୍ରହଣ କରି ଦାଖଲ ଖାରଜ ମାମଲାରେ ପଟ୍ଟା ସଂଶୋଧନ କରି ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଆନନ୍ଦପୁର ବ୍ୟାରେଜ, କାନପୁର ଓ ଦେଓ ଜଳସେଚନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣକୁ ପ୍ରାଥମିକତା ଦେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସମସ୍ତ ୫ଟି ଉଚ୍ଚ ବିଦ୍ୟାଳୟକୁ ଏପ୍ରିଲ ୩୦ ସୁଦ୍ଧା ସଂଶୋଧିତ ଜମି ପଟ୍ଟା ଦେବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏତଦବ୍ୟତୀତ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ଏପ୍ରିଲ ୩୦ ସୁଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ତତ୍ତ୍ୱାବଧାନରେ ଜମି ପଟ୍ଟା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ନୂତନ ରାଜସ୍ୱ ନିରୀକ୍ଷକମାନଙ୍କ ପାଇଁ ବାସଭବନ ତଥା କାର୍ଯ୍ୟାଳୟ ନର୍ମାଣ ଦିଗରେ ଏପ୍ରିଲ ୧୫ ସୁଦ୍ଧା ଜାଗା ଚିହ୍ନଟ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ମୂଲ୍ୟବାନ ସରକାରୀ ଜମିକୁ ସୁରକ୍ଷା ଓ ସଂରକ୍ଷଣ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହିପରି ନିୟମିତ ସମୀକ୍ଷା ବୈଠକ କରାଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରି ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ଏହିପରି ଆଭାସୀ ରାଜସ୍ୱ ସମୀକ୍ଷା ବୈଠକ ନିୟମିତ ବ୍ୟବଧାନରେ ପ୍ରତ୍ୟେକ ଜିଲ୍ଲା ସହ ଅନୁଷ୍ଠିତ ହେବ ।

Categories
ବିଶେଷ ଖବର ରାଜ୍ୟ ଖବର

କୋଟିଆ ଅଞ୍ଚଳର ବିକାଶ ପାଇଁ ଦକ୍ଷିଣାଞ୍ଚଳ ରାଜସ୍ୱ ଡିଭିଜନର ସମୀକ୍ଷା ବୈଠକ, ନିଆଗଲା ନିଷ୍ପତି

ଭୁବନେଶ୍ୱର: ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନ ଅନ୍ତର୍ଗତ ଦଶଗୋଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳମାନଙ୍କର ଏକ ସମୀକ୍ଷା ବୈଠକ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର, ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇ.ଜି.ଆର, ଓଡିଶା ଏବଂ ଭୂ- ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦାନ କରିଥିଲେ ।

ଜିଲ୍ଲାଗୁଡିକରେ ହେଉଥିବା ବିଭିନ୍ନ ପ୍ରକାର ଉନ୍ନତିମୂଳକ ତଥା ଭିତ୍ତିଭୂମି ପ୍ରକଳ୍ପ ଯଥା ରେଳ, ଜାତୀୟ ରାଜପଥ ଓ ଜଳସେଚନ ନିମନ୍ତେ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନିତ କରିବା ସହିତ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ଅଗ୍ରାଧିକାର ଭିତ୍ତିରେ ସମାପନ କରିବାକୁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ କୋଟିଆର ସର୍ବାଙ୍ଗୀନ ବିକାଶକୁ ଅଧିକ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦିଆଯାଇଛି । ଏହି ପ୍ରସଙ୍ଗରେ କୋରାପୁଟ ଜିଲ୍ଲା ପ୍ରଶାସନକୁ ପ୍ରତି ୧୫ ଦିନରେ ଏଠାର ସମସ୍ତ ବିକାଶମୂଳକ କାର୍ଯ୍ୟକୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରେଜିଷ୍ଟ୍ରେସନ ଅଫିସରେ ଏକକ ପଇଠ ବ୍ୟବସ୍ଥା ଉପରେ ବିଚାରବିମର୍ଶର୍ କରିବାକୁ ଆଇ.ଜି.ଆର.ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡିଶା ଲୋକସେବା ଅଧିକାର ଅଧିନିୟମ ଅନୁଯାୟୀ ସମସ୍ତ ଜନସେବାଗୁଡିକୁ ଉଦ୍ଦିଷ୍ଟ ସମୟ ସୀମା ଭିତରେ ଫଇସଲା କରିବା, ବେ-ବନ୍ଦୋବସ୍ତ, ଗ୍ରାମକଣ୍ଠ ପରମବୋକ ଓ ନଜୁଲ ଜମିଜମାଗୁଡିକର ଯଥାଶୀଘ୍ର ଫଇସଲା ଓ ସମାଧାନ କରିବା ପାଇଁ ଗୁରତ୍ୱାରୋପ କରାଯାଇଥିଲା ।

ଲଘୁ ଖଣିଜ ପଦାର୍ଥ ଉତ୍ସଗୁଡିକରୁ ନିୟମିତ ରାଜସ୍ୱ ଆଦାୟ, ବେଆଇନ ଉଠାଣ ଓ ଚୋରି ସହିତ ଆନ୍ତରାଜ୍ୟ ଚାଲାଣକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରିବେଶ ମଞ୍ଜୁରୀ ମିଳିସାରିଥିବା ସମସ୍ତ ଉତ୍ସଗୁଡିକରୁ ଆସନ୍ତା ଜାନୁଆରୀ ୨୫ ତାରିଖ ସୁଦ୍ଧା ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ କାର୍ଯ୍ୟ ଆରମ୍ଭ କରିବେ। ଓରସାକ ସହାୟତାରେ ଡିଜିପିଏସ ସର୍ଭେ ଦ୍ୱାରା ରାଜ୍ୟରେ ପ୍ରମୁଖ ନଦୀଗୁଡିକର ବାଲୁକା ଉତ୍ସକୁ ଚିହ୍ନଟ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇ।

ଅତିରିକ୍ତ ଜିଲ୍ଲାପାଳମାନେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ତହସିଲଦାରମାନଙ୍କ ସହିତ ସମୀକ୍ଷା ବୈଠକ କରି ସ୍କୁଲ ଓ କଲେଜଗୁଡିକରେ ଥିବା ଜମିଜମା ସମସ୍ୟାକୁ ସମାଧାନ କରିବା ସହ ଏହିସବୁ କାର୍ଯ୍ୟଗୁଡିକୁ ଆସନ୍ତା ମାର୍ଚ୍ଚ ୫ ତାରିଖ ମଧ୍ୟରେ ଅନୁଷ୍ଠାନଗୁଡିକୁ ଜମିପଟ୍ଟା ହସ୍ତାନ୍ତର କରିବେ ।

ରାଜସ୍ୱ ଜଙ୍ଗଲ ଜମି ଚିହ୍ନଟ କରି ନୂତନ ବନୀକରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ନିମନ୍ତେ ଓରସାକ ଏକ ମୋବାଇଲ ଆପ ବିକଶିତ କରୁଛି ଏବଂ ଚିହ୍ନଟ ହୋଇଥିବା ଜଙ୍ଗଲ ଜମିଗୁଡିକର ଏକ ପୁସ୍ତିକା ଓରସାକ ଦ୍ୱାରା ପ୍ରକାଶ କରାଯାଇ ସମସ୍ତ ଜିଲ୍ଲାପାଳଙ୍କୁ ଯୋଗାଇ ଦିଆଯିବ । ସେହିପରି ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ସମସ୍ତଙ୍କୁ ଜମିପଟ୍ଟା ପ୍ରଦାନ କାର୍ଯ୍ୟକୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନ ନିୟମିତ ସମୀକ୍ଷା କରିବ।

ବସୁନ୍ଧରା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଯଥାଶୀଘ୍ର ଜମି ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଯାହାଦ୍ୱାରା ପଞ୍ଚାୟତିରାଜ ବିଭାଗର ଆବାସ ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ କରାଯାଇପାରିବ । ବିଭିନ୍ନ ରାଜସ୍ୱ ଅଧିକାରୀଙ୍କ ପଦବୀ ପୂରଣ, ପେନସନ, ପଦୋନ୍ନତି ଓ ଚାକିରି ନିୟମିତ ନିମିତ୍ତ ସର୍ବଦା ତତ୍ପର ହୋଇ କାମ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଏବଂ ଅତିରିକ୍ତ ଜିଲ୍ଲାପାଳମାନେ ନିୟମିତ ଭାବେ ସ୍ଥାନୀୟ ସମସ୍ୟାଗୁଡିକର ସମୀକ୍ଷା କରିବା ସହିତ ୫-‘ଟ’ ଓ ‘ମୋ ସରକାର’ କାର୍ଯ୍ୟସୂତ୍ରୀ ଆଧାରରେ ରାଜସ୍ୱ ପ୍ରଶାସନକୁ ସ୍ୱଚ୍ଛ, ର୍ନିମଳ ଓ ସଶକ୍ତୀକରଣ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହିପରି ଡିଭିସନସ୍ତରୀୟ ସମୀକ୍ଷା ବୈଠକ ପ୍ରତି ମାସରେ ଅନୁଷ୍ଠିତ ହେବ ବୋଲି ବିଭାଗ ତରଫରୁ ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ଛଅ ଜଣ ଆଇଏଏସଙ୍କୁ ମିଳିଲା ନୂଆବର୍ଷ ଭେଟି, ଅତିରିକ୍ତ ମୁଖ୍ୟ ଶାସନ ସଚିବକୁ ପଦୋନ୍ନତି

ଭୁବନେଶ୍ବର : ନୂଆବର୍ଷରେ ଓଡିଶାର ଛଅଜଣ ଆଇଏଏସଙ୍କୁ ମିଳିଛି ନୂଆବର୍ଷ ଭେଟି। ସେମାନଙ୍କୁ ରାଜ୍ୟ ସରକାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏହି ପଦବୀ ହେଉଛି ଆଇଏଏସର ସର୍ବୋଚ୍ଚ ପଦୋନ୍ନତି। ଯେଉଁମାନଙ୍କୁ ଏହି ପଦବୀକୁ ପଦନ୍ନୋତି ଦିଆଯାଇଛି ସେମାନେ ହେଲେ

1-ଅନୁ ଗର୍ଗ

2-ମଧୂସୁଦନ ପାଢୀ

3-ସତ୍ୟବ୍ରତ ସାହୁ

4-ବିଜୟ ଆରୋରା

5-ଜି ଶ୍ରୀନିବାସ

6-ଆରତୀ ଆହୁଜା

ଜି ଶ୍ରୀନିବାସ ଏବଂ ଆରତୀ ଆହୁଜା ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ରେଳମନ୍ତ୍ରୀଙ୍କ ଅଭିଯୋଗ ପରେ ଜମି ଅଧିଗ୍ରହଣ ନେଇ ରାଜ୍ୟ ସରକାରଙ୍କ ତତ୍ପରତା

ଭୁବନେଶ୍ୱର: ନିକଟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସିଥିଲେ। ଏହି ସମୟରେ ସେ ବିଭିନ୍ନ ଉଦଘାଟନ ବେଳେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ଯେତେ ଶିଘ୍ର ଜମି ଯୋଗାଇବେ ସେତେ ଶିଘ୍ର ସ୍ଥିଗିତ ଥିବା ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ।

ଏହାପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଗୁରୁବାର ଦିନ ରାଜ୍ୟରେ ଚାଲୁ ରହିଥିବା ସମସ୍ତ ରେଳ ପ୍ରକଳ୍ପ ପାଇଁ ଥିବା ଜମି ଅଧିଗ୍ରହଣ ଉପରେ ସମୀକ୍ଷା ବୈଠକ ହୋଇଥିଲା।  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶିଘ୍ର ଜମି ହସ୍ତାନ୍ତର ପାଇଁ ଆଲୋଚନା ହୋଇଥିଲା।

ଏହି ବୈଠକରେ ପ୍ରାୟ ୪୦ଟି ରେଳ ପ୍ରକଳ୍ପର ଜମି ଗ୍ରହଣ ସଂପର୍କରେ ଆଲୋଚନା ହୋଇଥିଲା । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ସଂପର୍କରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିବା ସହ ଏହି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଭର୍ଚୁଆଲ ମୋଡ଼୍‌ରେ ଆୟୋଜିତ ଏହି ବୈଠକରେ ୨୧ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ବାଣିଜ୍ୟ ଓ ପରିବହନ ବିଭାଗର ଜମି ଅଧିଗ୍ରହଣ ଅଧିକାରୀ ଓ ରେଲେୱର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସ୍ତରୀୟ କଳା ଉତ୍ସବ ଜାତୀୟ ସ୍ତରୀୟ ଯୋଗଦେବେ ମନୋନୀତ ୧୮ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଓସେପା ଆନୁକୁଲ୍ୟରେ ଚଳିତ ମାସ ଡିସେମ୍ବର ୭ ଓ ୮ ତାରିଖରେ ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୧ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ହେତୁ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପିଲାମାନଙ୍କୁ ତଥା ଶିକ୍ଷକ ଓ ଅଭିଭାବକମାନଙ୍କୁ ପାଠପଢା ସହିତ ପିଲାର ସାମଗ୍ରିକ ଦକ୍ଷତା ବିକାଶ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ।

ଗତବର୍ଷର ଜାତୀୟସ୍ତର ବିଜେତା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ତରଫରୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ଓସେପାର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରେମଚନ୍ଦ୍ର ଚୌଧୁରୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କର କଳା ଓ ସଂସ୍କୃତି ପାଇଁ ଆଗ୍ରହ ତଥା ସାମଗ୍ରିକ ବିକାଶର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ କଳା ଓ ସଂସ୍କୃତି ମାଧ୍ୟମରେ ଓଡିଶାର ପାରମ୍ପରିକ କଳାକୁ ଦେଶ ତଥା ବିଶ୍ୱସମୂହରେ ପହଞ୍ଚାଇବା ପାଇଁ ପିଲାମାନଙ୍କ ପ୍ରଚେଷ୍ଟାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ଦିବସ ଅବସରରେ ବଲାଙ୍ଗୀର ସ୍ଥିତ ପଥରଚେପା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ରୂପାନ୍ତରିତ ବିଦ୍ୟାଳୟ ସଂଗୀତ ‘ହସିବରେ ହସିବ’ ଗୀତ ଗାଇ ଶୁଭାରମ୍ଭ କରିଥିଲେ ।

ବିଦ୍ୟାର୍ଥୀମାନଙ୍କ ପ୍ରତିଯୋଗିତା ମୂଲ୍ୟାୟନ ଏକ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀ ଦ୍ୱାରା କରାଯାଇଥିଲା । ଏହି ପ୍ରତିଯୋଗିତାଗୁଡିକୁ ୦୯ ଭାଗରେ ବିଭକ୍ତ କରାଯାଇ ପରିବେଷଣ କରଯାଇଥିଲା । ସେଗୁଡିକ ମଧ୍ୟରୁ ଭୋକାଲ ଶାସ୍ତ୍ରୀୟ ସଂଗୀତ, ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ, ବାଦ୍ୟଯନ୍ତ୍ର ଶାସ୍ତ୍ରୀୟ, ବାଦ୍ୟଯନ୍ତ୍ର ଲୋକ ଏବଂ ସ୍ୱଦେଶୀ ଖେଳ ଇତ୍ୟାଦି ଅନ୍ୟତମ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୯୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ରାଜ୍ୟସ୍ତରୀୟ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ୧୮ ଜଣ ପ୍ରତିଯୋଗୀଙ୍କୁ ଜାତୀୟସ୍ତରୀୟ କଳା ଉତ୍ସବରେ ଭାଗ ନେବାକୁ ସୁଯୋଗ ମିଳିବ । କାର୍ଯ୍ୟକ୍ରମକୁ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ନାୟକ ଓ ଉପ ନିର୍ଦ୍ଦେଶିକା ଶ୍ରୀମତୀ କଳ୍ପ¬ନା ହାଁସଦା ପରିଚାଳନା କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ ମଂଜୁର ହେଲା ୫୩୩ କୋଟି ଟଙ୍କା, ଜାଣନ୍ତୁ କେଉଁ ଜିଲ୍ଲାକୁ କେତେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ, ଓମ୍ବାଡିସିର ମୁଖ୍ୟ ନିର୍ବାହୀ ଅଧିକାରୀ ଉମାନାନ୍ଦୁରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଉପସ୍ଥିତିରେ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ନୂତନ ଭାବେ ୮୮୯ ସ୍କୁଲ ପାଇଁ ୫୩୩ କୋଟି ୪୦ ଲକ୍ଷ ଟଙ୍କାର ନୂତନ ପ୍ରକଳ୍ପ ଅନୁମୋଦନ ପାଇଁ ଓମ୍ବାଡିସିଙ୍କୁ ପ୍ରେରଣ କରାଯାଇଥିଲା । ଓମ୍ବାଡିସି ବୋର୍ଡ କମିଟି ଦ୍ୱାରା ଗୃହୀତ ହୋଇଥିଲା ଏବଂ ୫୩୩ କୋଟି ୪୦ ଲକ୍ଷ ଟଙ୍କା ଓମ୍ବାଡିସି ବୋର୍ଡ ଦ୍ୱାରା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏହା ଦ୍ୱାରା ଆଦିବାସୀ ଓ ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ଆନନ୍ଦଦାୟକ ଶିକ୍ଷା ପାଇପାରିବେ ।

ବୈଠକର ନିଷ୍ପତ୍ତି ଅନୁଯାୟୀ ଅନୁଗୋଳ ଜିଲ୍ଲାର ୧୬ଟି ସ୍କୁଲ ପାଇଁ ୯ କୋଟି ୬୦ ଲକ୍ଷ ଟଙ୍କା, ଦେବଗଡ଼ର ୪୭ ସ୍କୁଲ ପାଇଁ ୨୮ କୋଟି ୨୦ ଲକ୍ଷ ଟଙ୍କା, ଢେଙ୍କାନାଳ ଜିଲ୍ଲାର ୧୭ଟି ସ୍କୁଲ ପାଇଁ ୧୦ କୋଟି ୨୦ ଲକ୍ଷ ଟଙ୍କା, ଯାଜପୁର ଜିଲ୍ଲାର ୧୯୫ ସ୍କୁଲ ପାଇଁ ୧୧୭ କୋଟି ଟଙ୍କା, ଝାରସୁଗୁଡ଼ା ଜିଲ୍ଲାର ୮୦ଟି ସ୍କୁଲ ପାଇଁ ୪୮ କୋଟି ଟଙ୍କା, ମୟୂରଭଞ୍ଜ ଜିଲ୍ଲାର ୩୩୯ଟି ସ୍କୁଲ ପାଇଁ ୨୦୩ କୋଟି ୪୦ ଲକ୍ଷ ଟଙ୍କା ଏବଂ ସୁନ୍ଦରଗଡ଼ ଜିଲ୍ଲାର ୧୯୫ଟି ସ୍କୁଲ ପାଇଁ ୧୧୭ କୋଟି ଟଙ୍କା ହାଇସ୍କୁଲ ରୂପାନ୍ତରୀକରଣ ପାଇଁ ମଂଜୁର ହୋଇଛି।

ପ୍ରତି ସ୍କୁଲ ପାଇଁ ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ଏହି ସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌ରୁମ୍‌, ବିଜ୍ଞାନାଗାର, ଇ-ପାଠାଗାର, ସ୍କୁଲ ପରିବେଶର ଉନ୍ନତିକରଣ, ପୁରାତନ ଛାତ୍ର ସଂଘ ଏବଂ ସ୍କୁଲ ପରିଚାଳନା କମିଟି ଦ୍ୱାରା ସ୍କୁଲ ପରିଚାଳନା ଓ ପିଲାମାନଙ୍କ ଦକ୍ଷତା ବିକାଶ ପରିଚାଳନା ଆଦି ଏହି ଅର୍ଥରୁ ଭରଣା କରାଯିବ ।

ସେହିପରି ସ୍ମାର୍ଟ ବୋର୍ଡ, ଡିଜିଟାଲ୍‌ କ୍ଲାସ୍‌ ରୁମ୍‌ ପାଇଁ ଆବଶ୍ୟକୀୟ ଉପକରଣ ପରି ଆଇ.ସି.ଟି ଉପକରଣ, ସ୍କୁଲ ମୁଖ୍ୟଦ୍ୱାରର ପରିବର୍ତ୍ତନ, ଖେଳପଡ଼ିଆର ଉନ୍ନତିକରଣ, ପାଠ୍ୟଖସଡ଼ାର ଉନ୍ନତିକରଣ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ଆଦି ପାଇଁ ମଧ୍ୟ ଏହି ଅର୍ଥ ଖର୍ଚ୍ଚ କରାଯିବ । ଗୋଷ୍ଠୀ ସଂପୃକ୍ତିକରଣ ଏବଂ ପୁରାତନ ବିଦ୍ୟାର୍ଥୀଙ୍କ ସହ ସ୍କୁଲ କମିଟିର ଯୋଗାଯୋଗ ମାଧ୍ୟମରେ ଏହି କାର୍ଯ୍ୟକ୍ରମଗୁଡ଼ିକର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ମାନସସନ୍ତାନ ୫-‘ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ସମସ୍ତ ଉପସ୍ଥିତ ସଭ୍ୟସଭ୍ୟା ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତ୍ୱରିତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

ଏହି ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ମୋନା ଶର୍ମା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ଭାସ୍କର ଶର୍ମା, ଓଡ଼ିଶା ସ୍କୁଲ ଶିକ୍ଷା ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲରେ ହିନ୍ଦୀ, ସଂସ୍କୃତ, ଶାରୀରିକ ଶିକ୍ଷା ପ୍ରଶିକ୍ଷକଙ୍କ ଚାକିରୀ ପାଇଁ ଘୋଷଣା ହେଲା ପରୀକ୍ଷା ତାରିଖ

ଭୁବନେଶ୍ୱର : ରାଜ୍ୟର ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କ ନିଯୁକ୍ତି ନିମନ୍ତେ ଆସନ୍ତା ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ଧରି ପରୀକ୍ଷା ଅନୁଷ୍ଠିତ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ମର୍ମରେ ଏହି ନିଷ୍ପତ୍ତି ନିଆଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଯୁକ୍ତି ସଂପର୍କିତ ଆଲୋଚନା ହୋଇଛି । ଗତ ଅଗଷ୍ଟ ୧୩ ତାରିଖରେ ଏହି ସଂକ୍ରାନ୍ତରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲା । ବିଜ୍ଞାପନ ଅନୁସାରେ ଆସନ୍ତା ଅକେଫାବର ୪ ତାରିଖ ଦିନ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଏବଂ ୫ ତାରିଖରେ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ ।

ରାଜ୍ୟର ୨୪ ଗୋଟି ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀମାନଙ୍କ ନିକଟକୁ ଚଳିତ ମାସ ୨୫ ତାରିଖ ସୁଦ୍ଧା ପ୍ରବେଶ ପତ୍ର (ଆଡ୍‌ମିଟ୍‌ କାର୍ଡ) ପଠାଇବାକୁ ସ୍ଥିର କରାଯାଇଛି । ପରୀକ୍ଷା କେନ୍ଦ୍ରଗୁଡ଼ିକରେ କୋଭିଡ୍‌ ମାର୍ଗଦର୍ଶିକାର ଅନୁପାଳନ ସହିତ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ରଘୁରାମ ଆୟାରଙ୍କ ସମେତ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜୟ ସାହୁଙ୍କ ପରଲୋକ ପରେ ବସିଲା ପ୍ରଥମ ଆଦର୍ଶ ବିଦ୍ୟାଳୟ ବୈଠକ, ନିଆଗଲା ଏହି ନିଷ୍ପତି

ଭୁବନେଶ୍ୱର, ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟ ବାବଦରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରୁ ଜଣାପଡ଼ିଛି ଯେ ଭୁବନେଶ୍ୱରରର ଅନ୍ଧାରୁଆଠାରେ ନିର୍ମାଣାଧୀନ ମଡେଲ ଆଦର୍ଶ ବିଦ୍ୟାଳୟର ପାଚେରୀ କାନ୍ଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ପୂର୍ଣ୍ଣାଙ୍ଗ କାର୍ଯ୍ୟ ୨୦୨୨ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଓଡ଼ିଶାର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୫୦୦ ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ମେଡିକାଲ, ଇଂଜିନିୟରିଂ ଏବଂ ଅନ୍ୟ ପ୍ରବେଶିକା ପରୀକ୍ଷା ପାଇଁ ଏଠାରେ ପ୍ରଶିକ୍ଷଣ ଦିଆଯିବ । ଏହା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ସ୍ୱର୍ଗତ ବିଜୟ କୁମାର ସାହୁଙ୍କର ଏକ ଅଭିଳଷିତ ପ୍ରକଳ୍ପ ଥିଲା ଏବଂ ପ୍ରମୁଖ ଶାସନ ସଚିବ ଆଗାମୀ ଶିକ୍ଷାବର୍ଷରୁ ଏଠାରେ ଶିକ୍ଷାରମ୍ଭ କରି ସଂଗଠନର ଉପଦେଷ୍ଟାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ପ୍ରଦର୍ଶନ କରିବାକୁ କହିଥିଲେ ।

ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଟାଟା ଷ୍ଟିଲ୍‌ ଦ୍ୱାରା ଜାରି ରହିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି କାର୍ଯ୍ୟଗୁଡ଼ିକ ସଂପୂର୍ଣ୍ଣ କରିବା ପାଇଁ ନିବେଦନ କରାଯାଇଥିଲା । ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଏବଂ ବରଗଡ଼ର ଜିଲ୍ଲାପାଳମାନଙ୍କୁ ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ସହ ଜମିର ମାଲିକାନା ନିର୍ବାହୀ ଯନ୍ତ୍ରୀମାନଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଥିଲା ।

କେଉଁଝର, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାମାନଙ୍କରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ପାଇଁ ଓମ୍‌ବାଡ୍‌ସ ପାଣ୍ଠିରେ ନିର୍ମିତ ହେଉଥିବା ହଷ୍ଟେଲ, ପଚୋରୀ କାନ୍ଥ, ସାଇକେଲ ଷ୍ଟାଣ୍ଡ, ଗମନାଗମନ ରାସ୍ତା ଆଦି ବାବଦରେ ମଧ୍ୟ ସମୀକ୍ଷା କରାଯାଇଥିଲା । ସମସ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଅନୁରୋଧ କରାଯାଇଥିଲା ।

ଏହି ସମୀକ୍ଷା ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ, ଆର୍‌ଡବ୍ଲୁ୍ୟଏସ୍‌ଏସ୍‌ର ମୁଖ୍ୟ ଯନ୍ତ୍ରୀ, ଟାଟା ଷ୍ଟିଲ୍‌ ଲିମିଟେଡ୍‌ର ପ୍ରତିନିଧି, ଓବିସିସିର ପରିଚାଳନା ନିର୍ଦ୍ଦେଶକ, ବିଭାଗୀୟ ଅତିରିକ୍ତ ସଚିବ, ଅନ୍ୟ ସମସ୍ତ ସଂପୃକ୍ତ ର୍ନିବାହୀ ଯନ୍ତ୍ରୀ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ।