ଓଡିଶାର ୨୦୪ ଗ୍ରାମରେ ହେବ ହାଇ-ଟେକ ସର୍ଭେ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ଗାଁ

Published: May 24, 2022, 9:45 am IST

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ କଳାହାଣ୍ଡି ଗସ୍ତ ସମୟରେ ଓ ବିଭିନ୍ନ ଜିଲ୍ଲା ସମୀକ୍ଷା ବୈଠକ ସମୟରେ ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ୧୯୨୯-୩୦ ମସିହା ସମୟରେ ସର୍ଭେ ହୋଇଥିବା ୨୦୪ ଗ୍ରାମ ବିଷୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସେହି ଗ୍ରାମରେ ଜମିବାଡ଼ି ରେକର୍ଡର ବହୁ ପୁରୁଣା ସର୍ଭେ ଯୋଗୁ ଜନସାଧାରଣ ଜମି କିଣାବିକା, ଜାତିଗତ ପ୍ରମାଣପତ୍ର ଇତ୍ୟାଦି ସେବା ପାଇବାରେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜସ୍ୱ ବିଭାଗ ଏହି ସମସ୍ୟାର ସମାଧାନ ପାଇଁ ୨୦୪ ଗ୍ରାମରେ ହାଇ-ଟେକ ସର୍ଭେ କରିବାକୁ ନିଷ୍ପତି ନେଇଛନ୍ତି ।

ଏହା ଫଳରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ତହସିଲରେ ୧୩ ଗ୍ରାମ, ବିରିଡି ତହସିଲରେ ୧ ଗ୍ରାମ, ଯାଜପୁର ଜିଲ୍ଲା ଯାଜପୁର ତହସିଲରେ ୧୯ ଗ୍ରାମ, ବିଂଝାରପୁର ତହସିଲରେ ୩୮ ଗ୍ରାମ, ଦାନଗଦି ତହସିଲରେ ୨୦ ଗ୍ରାମ, ସୁକିନ୍ଦା ତହସିଲରେ ୯ ଗ୍ରାମ, ବ୍ୟାସନଗର ତହସିଲରେ ୧ ଗ୍ରାମ, ଦଶରଥପୁର ତହସିଲରେ ୫ ଗ୍ରାମ, କେନ୍ଦ୍ରାପଡା ଜିଲ୍ଲାରେ ରାଜନଗର ତହସିଲରେ ୨ ଗ୍ରାମ ରହିଛି।

ସେହିପରି କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ତହସିଲରେ ୭ ଗ୍ରାମ, କେସିଙ୍ଗା ତହସିଲର ୩ ଗ୍ରାମ, କର୍ଲାମୁଣ୍ଡା ତହସିଲରେ ୧ ଗ୍ରାମ, ଥୁଆମୂଳ ରାମପୁର ତହସିଲରେ ୧୦ ଗ୍ରାମ, ଧର୍ମଗଡ ତହସିଲରେ ୧୨ ଗ୍ରାମ, ଗୋଲମୁଣ୍ଡା ତହସିଲରେ ୭ ଗ୍ରାମ, ଜୁନାଗଡ଼ ତହସିଲରେ ୧୮ ଗ୍ରାମ, କୋକସରା ତହସିଲରେ ୬ ଗ୍ରାମ, ଜୟପାଟଣା ତହସିଲର ୨୯ ଗ୍ରାମ ଓ କଳମପୁର ତହସିଲରେ ୩ ଗ୍ରାମରେ ହାଇ-ଟେକ ସର୍ଭେ ହେବ ।

ଏହା ଫଳରେ ଏହି ୨୦୪ ଗ୍ରାମରେ ସମସ୍ତ ଜାଗାର ଜିଓ-ରେଫରେନସିଙ୍ଗ ହୋଇପାରିବ । ଏହି ହାଇ-ଟେକ ସର୍ଭେ ପରେ ଲୋକମାନଙ୍କର ବହୁବିଧ ସମସ୍ୟା ଯଥା ଜମିବାଡ଼ି କିଣାବିକା ଓ ଜାତିଗତ ପ୍ରମାଣପତ୍ର ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂରୀଭୂତ ହେବା ସହ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ ପଟ୍ଟା ତିଆରି ହୋଇ ଲୋକଙ୍କୁ ମିଳିପାରିବ ।

Related posts