Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏଣିକି ରାଜ୍ୟର ସମସ୍ତ ତହସିଲରେ ସ୍ଥାପନ ହେବ ଭର୍ଚୁୟାଲ କୋର୍ଟ, ବଜେଟରେ ହେଲା ବ୍ୟବସ୍ଥା

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଗତ ୨୦୨୩-୨୪ ମସିହା ବଜେଟର ମୁଖ୍ୟାଂଶ ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଲେ ଯେ ଓଡ଼ିଶାର ପ୍ରିୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ବହୁ ଲୋକାଭିମୁଖୀ ପଦକ୍ଷେପ ନିଆ ଯାଇଥିବାବେଳେ ଦିଆଯାଉଥିବା ସେବାଗୁଡିକୁ ଲୋକମାନଙ୍କ ନିକଟରେ ପହଞ୍ଚାଯାଇପାରୁଛି। ଏ ବର୍ଷ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ପର୍ଯ୍ୟାପ୍ତ ବ୍ୟୟ ଅଟକଳ କରାଯାଇଛି।

ଭୂରାଜସ୍ୱ ପ୍ରଶାସନରେ ସମୁଦାୟ ଭାବରେ ୧୫୮୬.୭୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ସେ ମଧ୍ୟରୁ ୧୧୬୪.୭୧ କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ଏବଂ ୪୨୨.୦୧ କୋଟି ଟଙ୍କା ପ୍ରୋଗ୍ରାମ ଖର୍ଚ୍ଚ ପାଇଁ ବ୍ୟବସ୍ଥା କରାଯାଇଛି । ରାଜସ୍ୱ କ୍ଷେତ୍ର କାର୍ଯ୍ୟାଳୟର ଭିତ୍ତିଭୂମି ଏହି ବିଭାଗ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଏଗୁଡିକର ଭିତ୍ତିଭୂମିକୁ ମଜବୁତ କରିବାକୁ ବଜେଟରେ ୨୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।

ରାଜସ୍ୱ କାର୍ଯ୍ୟାଳୟର ସୂଚନା ଓ ପ୍ରଯୁକ୍ତି ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ୫୯.୭୩ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ରେକର୍ଡ ରୁମରେ ଆସବାବପତ୍ର ପାଇଁ ୫ କୋଟି ଟଙ୍କାର ବଜେଟ କରାଯାଇଛି । ପଞ୍ଜୀକରଣ କାର୍ଯ୍ୟାଳୟମାନଙ୍କରେ ଅଧିକ ସ୍ୱଚ୍ଛତା ପାଇଁ ସ୍ମାର୍ଟ ସର୍ଭେଲାନ୍ସ ସିଷ୍ଟମ ପରି ପରିବର୍ତ୍ତନଶୀଳ ପଦକ୍ଷେପ ଆରମ୍ଭ କରାଯାଇଛି।

ସେହିଭଳି ସୁବିଧାରେ ପଞ୍ଜୀକରଣ ପାଇଁ ପଞ୍ଜୀକରଣ କାର୍ଯ୍ୟାଳୟରେ ଅନଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି। ରେଜିଷ୍ଟ୍ରେସନ୍‌ ଅଫିସରେ ଏହି ଆଇଟି ପଦକ୍ଷେପ ନିମନ୍ତେ ୨୯.୨୮ କୋଟିର ବ୍ୟୟ ଅଟକଳ କରାଯାଇଛି। ସରକାରୀ ଜମିର ସୁରକ୍ଷା ହେଉଛି ବିଭାଗର ଏକ ଉଚ୍ଚ ପ୍ରାଥମିକତା ଏବଂ ସେଥି ନିମନ୍ତେ ୨୦ କୋଟି ଟଙ୍କା ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି।

୫-‘ଟି’ ଓ ‘ମୋ ସରକାର’ ନିମନ୍ତେ ୫୦ ଲକ୍ଷ ଏବଂ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ସେବାଗୁଡିକୁ ଲୋକମାନଙ୍କୁ ଜଣାଇବା ଉଦ୍ଦେଶ୍ୟରେ ୯୨.୨୦ ଲକ୍ଷ ବ୍ୟୟ ଅଟକଳ କରାଯାଇଛି। ରାଜସ୍ୱ ନିରୀକ୍ଷକଙ୍କ ତାଲିମ ନିମନ୍ତେ ୫୦ ଲକ୍ଷର ବ୍ୟୟ ଅଟକଳ କରାଯାଇଛି ଓ ମାନବ ସମ୍ବଳ ନିଯୁକ୍ତ କରିବା ପ୍ରକ୍ରିୟା ନିମିତ୍ତ ୩୨ ଲକ୍ଷର ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି।

ସର୍ଭେ ଓ ମ୍ୟାପ ପ୍ରକାଶନ ନିମନ୍ତେ ୨୦ ଲକ୍ଷର ଖର୍ଚ୍ଚର ବ୍ୟବସ୍ଥା କରାଯାଇଛି। ଜମିଦାରୀ ଉଚ୍ଛେଦ ନିମନ୍ତେ ଜମି ମାଲିକଙ୍କୁ କ୍ଷତିପୂରଣ ହିସାବରେ ୫୫.୭୫ ଲକ୍ଷର ବ୍ୟବସ୍ତା କରାଯାଇଛି। ଜନଗଣନା ନିମନ୍ତେ ସେଣ୍ଟ୍ରାଲ ସ୍କିମ ମାଧ୍ୟମରେ ୫୫ କୋଟିର ବ୍ୟୟ ବରାଦ କରାଯାଇଛି।

ଏହି ଅବସରରେ ଉପସ୍ଥିତ ରହି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ୫-‘ଟି’ ଚାର୍ଟର୍‌ ଏବଂ ‘ମୋ ସରକାର’ ପ୍ରବର୍ତ୍ତନ ପରେ ରାଜସ୍ୱ ବିଭାଗ ନାଗରିକମାନଙ୍କ ବ୍ୟକ୍ତିଗତ ଉପସ୍ଥିତି ହ୍ରାସ କରିବା ତଥା ରାଜସ୍ୱ କ୍ଷେତ୍ର କାର୍ଯ୍ୟାଳୟ ପରିଦର୍ଶନ କରିବାର ଆବଶ୍ୟକତାକୁ କମ୍‌ କରିବା ପାଇଁ ଏକାଧିକ ପଦକ୍ଷେପ ନେଇଛି। ବିଭାଗ ପ୍ରଦାନ କରୁଥିବା ବହୁବିଧ ସେବାଗୁଡ଼ିକ ମଧ୍ୟରୁ କେବଳ ବୈଧାନିକ ଆବଶ୍ୟକତାକୁ ଛାଡି ଅଧିକାଂଶ ସେବା ସମ୍ପୂର୍ଣ୍ଣ ଭାବେ ଅନଲାଇନରେ ଉପଲବ୍ଧ ଅଟେ।

ଜମିଜମା ରେକର୍ଡ ସେବା କ୍ଷେତ୍ରରେ ଧାର୍ଯ୍ୟ ସମୟସୀମାକୁ ପ୍ରକ୍ରିୟା ପୁନର୍ବିନ୍ୟାସ ଏବଂ ପ୍ରଚଳିତ ନିୟମରେ ସଂଶୋଧନ ଦ୍ୱାରା ହ୍ରାସ କରାଯାଇଛି। ସେହିଭଳି, ଜାତି ଓ ବିବିଧ ପ୍ରମାଣପତ୍ରର ସେବାରେ, ORTPS ଅଧିନିୟମ ଅନୁଯାୟୀ ଥିବା ସମୟସୀମାକୁ ହ୍ରାସ କରାଯାଇଛି ଉଦାହରଣ ସ୍ୱରୂପ, ବାସିନ୍ଦା ଏବଂ ଆୟ ପ୍ରମାଣପତ୍ରର ସମୟସୀମାକୁ ୧୫ ଦିନରୁ ୧୦ ଦିନକୁ ହ୍ରାସ କରାଯାଇଛି ।

ଆବେଦନ ପ୍ରକ୍ରିୟାର ପୁନର୍ବିନ୍ୟାସ, କେତେକ କ୍ଷେତ୍ରରେ ରାଜସ୍ୱ ନିରୀକ୍ଷକଙ୍କ ଅନୁସନ୍ଧାନର ଆବଶ୍ୟକତାକୁ ହ୍ରାସ ଏବଂ ଏକ ଉପଲବ୍ଧ ଅନଲାଇନ ଆବେଦନ ବ୍ୟବସ୍ଥା ଯୋଗୁଁ ବିଭିନ୍ନ ବିବିଧ ଏବଂ ଜାତିଗତ ପ୍ରମାଣପତ୍ରର ଶୀଘ୍ର ମିଳିବା ସମ୍ଭବ ହୋଇପାରିଛି।

ବିନା ମୂଲ୍ୟରେ ଏବଂ ସ୍ୱ-ଘୋଷଣା ଉପରେ ଆଧାର କରି ବିବିଧ ଏବଂ ଜାତି ପ୍ରମାଣପତ୍ର ବିତରଣ କରିବାକୁ ବିଭାଗ ବିହିତ ପଦକ୍ଷେପ ନେଇଛି। ଗତ ୩ ବର୍ଷରେ ୫-‘ଟି’ ଚାର୍ଟର ପ୍ରବର୍ତ୍ତନ ପରେ ସ୍ୱ-ଘୋଷଣା ଆଧାରରେ ପ୍ରାୟ ୫୦ ଲକ୍ଷ ବାସିନ୍ଦା ଏବଂ ଆୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

ନଭେମ୍ବର ୨୦୨୨ ମାସରୁ ୮୦ ଟି ତହସିଲରେ ଭର୍ଚୁଆଲ୍‌ କୋର୍ଟ ଆରମ୍ଭ ହୋଇଛି ଏବଂ ପ୍ରାୟ ୩,୦୦୦ ମାମଲା ଭର୍ଚୁଆଲ୍‌ ପ୍ଲାଟଫର୍ମ ମାଧ୍ୟମରେ ଶୁଣାଣି ପରେ ଫଇସଲା ହୋଇଛି । ଏପ୍ରିଲ୍‌ ୨୦୨୩ ସୁଦ୍ଧା ସମସ୍ତ ତହସିଲରେ ଭର୍ଚୁଆଲ୍‌ କୋର୍ଟ ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜସ୍ୱ କ୍ଷେତ୍ର କାର୍ଯ୍ୟାଳୟର ଭିତ୍ତିଭୂମି ଏହି ବିଭାଗ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଏଗୁଡିକର ଭିତ୍ତିଭୂମିକୁ ମଜଭୁତ କରିବାକୁ ବଜେଟରେ ୨୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ରାଜସ୍ୱ କାର୍ଯ୍ୟାଳୟର ସୂଚନା ଓ ପ୍ରଯୁକ୍ତି ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ୫୯.୭୩ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ରେକର୍ଡ ରୁମରେ ଆସବାବପତ୍ର ପାଇଁ ୫ କୋଟି ଟଙ୍କାର ବଜେଟ କରାଯାଇଛି।

ତ୍ୱରିତ ଏବଂ ସଠିକ୍‌ ଜମିଜମା ରେକର୍ଡ ସେବା ପାଇଁ ବିଭାଗ ହାଇଟେକ୍‌ ସର୍ଭେକୁ ତ୍ୱରାନ୍ୱିତ କରୁଛି। ଦେବଗଡ ଜିଲ୍ଲାରେ ହାଇ-ଟେକ୍‌ ସର୍ଭେ ଶେଷ ହୋଇଛି ଏବଂ ଏହାକୁ ସୋନପୁର ଏବଂ ସୁନ୍ଦରଗଡ ଜିଲ୍ଲାରେ ତ୍ୱରାନ୍ୱିତ କରାଯାଉଛି।

ଜିଲ୍ଲା ରାଜସ୍ୱ ଓ ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣର ସମୀକ୍ଷା ମାଧ୍ୟମରେ, ଜାତୀୟ ରାଜପଥ, ରେଳବାଇ ଏବଂ ଜଳସେଚନ ନେଟ୍‌ୱାର୍କ ପରି ବିଭିନ୍ନ ପ୍ରକଳ୍ପଗୁଡିକର ପ୍ରଗତି ତ୍ୱରାନ୍ୱିତ କରାଯାଉଅଛି। ବିସ୍ଥାପିତ ପରିବାରର ସ୍ୱାର୍ଥକୁ ଆଖି ଆଗରେ ରଖି ଭୂମି ଅଧିଗ୍ରହଣକୁ ଶୃଙ୍ଖଳିତ କରିବା ପାଇଁ RFCTLARR ଅଧିନିୟମରେ ସଂଶୋଧନ କରାଯାଇଛି ।

ବିପର୍ଯ୍ୟୟ ପରିଚାଳନା ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ନିକୁଞ୍ଜବିହାରୀ ଧଳ କହିଲେ ଯେ ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନା ଏବଂ ବିପଦ ହ୍ରାସ ପାଇଁ ୨୦୨୩-୨୪ ବର୍ଷ ନିମନ୍ତେ ରାଜ୍ୟ ବଜେଟରେ ୩୭୬୪.୨୮ କୋଟି ଟଙ୍କାର ପ୍ରାବଧାନ କରାଯାଇଛି।

ଏଥିରେ ରିଲିଫ୍‌, ବିପର୍ଯ୍ୟୟ ମୁକାବିଲା, ପୁନରୁଦ୍ଧାର ଓ ପୁନଃନିର୍ମାଣ ତଥା ବିପର୍ଯ୍ୟୟ ମୁକାବିଲା, ଭିତ୍ତିଭୂମି ନିର୍ମାଣ ଏବଂ ବିପର୍ଯ୍ୟୟ ମୁକାବିଲା ବାହିନୀର ଦକ୍ଷତା ବୃଦ୍ଧି, ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ପ୍ରସ୍ତୁତି କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଅନୁଷ୍ଠାନର ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକୀୟ ଅର୍ଥର ବରାଦ କରାଯାଇଅଛି।

ରିଲିଫ୍‌ ଏବଂ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ୯୪୩.୨୦ କୋଟି ଟଙ୍କା, ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ନିମନ୍ତେ ୭୦୭.୪୦ କୋଟି ଟଙ୍କା, ବିପର୍ଯ୍ୟୟ ମୁକାବିଲା ବାହିନୀର ଦକ୍ଷତା ବୃଦ୍ଧି, ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ପ୍ରସ୍ତୁତି କାର୍ଯ୍ୟକ୍ରମ ନିମନ୍ତେ ୨୩୫.୮୦ କୋଟି ଟଙ୍କା, ବିପର୍ଯ୍ୟୟ ନିରୋଧି ଭିତ୍ତିଭୂମି ନିମନ୍ତେ ୪୭୧.୬୦ କୋଟି ଟଙ୍କା, ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ନିମନ୍ତେ ୧୩୪୨.୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଏତଦ୍‌ ବ୍ୟତୀତ ଯୋଜନା ବ୍ୟୟ ବାବଦକୁ ୩୦.୦୦ କୋଟି ଟଙ୍କା ଓ ପ୍ରଶାସନିକ ଖର୍ଚ୍ଚ ନିମନ୍ତେ ୩୪.୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାର ୨୦୪ ଗ୍ରାମରେ ହେବ ହାଇ-ଟେକ ସର୍ଭେ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ଗାଁ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ କଳାହାଣ୍ଡି ଗସ୍ତ ସମୟରେ ଓ ବିଭିନ୍ନ ଜିଲ୍ଲା ସମୀକ୍ଷା ବୈଠକ ସମୟରେ ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ୧୯୨୯-୩୦ ମସିହା ସମୟରେ ସର୍ଭେ ହୋଇଥିବା ୨୦୪ ଗ୍ରାମ ବିଷୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସେହି ଗ୍ରାମରେ ଜମିବାଡ଼ି ରେକର୍ଡର ବହୁ ପୁରୁଣା ସର୍ଭେ ଯୋଗୁ ଜନସାଧାରଣ ଜମି କିଣାବିକା, ଜାତିଗତ ପ୍ରମାଣପତ୍ର ଇତ୍ୟାଦି ସେବା ପାଇବାରେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜସ୍ୱ ବିଭାଗ ଏହି ସମସ୍ୟାର ସମାଧାନ ପାଇଁ ୨୦୪ ଗ୍ରାମରେ ହାଇ-ଟେକ ସର୍ଭେ କରିବାକୁ ନିଷ୍ପତି ନେଇଛନ୍ତି ।

ଏହା ଫଳରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ତହସିଲରେ ୧୩ ଗ୍ରାମ, ବିରିଡି ତହସିଲରେ ୧ ଗ୍ରାମ, ଯାଜପୁର ଜିଲ୍ଲା ଯାଜପୁର ତହସିଲରେ ୧୯ ଗ୍ରାମ, ବିଂଝାରପୁର ତହସିଲରେ ୩୮ ଗ୍ରାମ, ଦାନଗଦି ତହସିଲରେ ୨୦ ଗ୍ରାମ, ସୁକିନ୍ଦା ତହସିଲରେ ୯ ଗ୍ରାମ, ବ୍ୟାସନଗର ତହସିଲରେ ୧ ଗ୍ରାମ, ଦଶରଥପୁର ତହସିଲରେ ୫ ଗ୍ରାମ, କେନ୍ଦ୍ରାପଡା ଜିଲ୍ଲାରେ ରାଜନଗର ତହସିଲରେ ୨ ଗ୍ରାମ ରହିଛି।

ସେହିପରି କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ତହସିଲରେ ୭ ଗ୍ରାମ, କେସିଙ୍ଗା ତହସିଲର ୩ ଗ୍ରାମ, କର୍ଲାମୁଣ୍ଡା ତହସିଲରେ ୧ ଗ୍ରାମ, ଥୁଆମୂଳ ରାମପୁର ତହସିଲରେ ୧୦ ଗ୍ରାମ, ଧର୍ମଗଡ ତହସିଲରେ ୧୨ ଗ୍ରାମ, ଗୋଲମୁଣ୍ଡା ତହସିଲରେ ୭ ଗ୍ରାମ, ଜୁନାଗଡ଼ ତହସିଲରେ ୧୮ ଗ୍ରାମ, କୋକସରା ତହସିଲରେ ୬ ଗ୍ରାମ, ଜୟପାଟଣା ତହସିଲର ୨୯ ଗ୍ରାମ ଓ କଳମପୁର ତହସିଲରେ ୩ ଗ୍ରାମରେ ହାଇ-ଟେକ ସର୍ଭେ ହେବ ।

ଏହା ଫଳରେ ଏହି ୨୦୪ ଗ୍ରାମରେ ସମସ୍ତ ଜାଗାର ଜିଓ-ରେଫରେନସିଙ୍ଗ ହୋଇପାରିବ । ଏହି ହାଇ-ଟେକ ସର୍ଭେ ପରେ ଲୋକମାନଙ୍କର ବହୁବିଧ ସମସ୍ୟା ଯଥା ଜମିବାଡ଼ି କିଣାବିକା ଓ ଜାତିଗତ ପ୍ରମାଣପତ୍ର ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂରୀଭୂତ ହେବା ସହ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ ପଟ୍ଟା ତିଆରି ହୋଇ ଲୋକଙ୍କୁ ମିଳିପାରିବ ।

Categories
ବିଶେଷ ଖବର ରାଜ୍ୟ ଖବର

ଏକ ମାସ ମଧ୍ୟରେ ରାଜ୍ୟରେ ୩୦ ହଜାର ପଟ୍ଟା ବଣ୍ଟନ, ୧୦୪୨ କୋଟି ରାଜସ୍ୱ ଆଦାୟ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଏପ୍ରିଲ ୨ ତାରିଖରୁ ପ୍ରତ୍ୟେକ ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ହେଉଛି ମେ ମାସ ୪ ତାରିଖ ମଧ୍ୟରେ ୧୬ଟି ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ସମାପ୍ତ ହୋଇଛି । ଏହି ଏକ ମାସ ମଧ୍ୟରେ ରାଜସ୍ୱ ବିଭାଗ ଅଧିକ କ୍ରିୟାଶୀଳ ହେବ ସହ ରାଜସ୍ୱ ବିଭାଗର ବିଭିନ୍ନ ଲୋକାଭିମୁଖୀ ସେବାରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି । ତହସିଲର ରେକର୍ଡ କିପରମାନଙ୍କ ନିକଟରେ ପଡିଥିବା ହଜାର ହଜାର ଦାଖଲ ଖାରଜ ମାମଲା ସମାଧାନ ହୋଇ ଲୋକମାନଙ୍କ ଘରେ ରାଜସ୍ୱ ରଥ ମାଧ୍ୟମରେ ପଟ୍ଟା ବଣ୍ଟନ କରାଯାଇଛି ।

ଗତ ଏକ ମାସ ମଧ୍ୟରେ ଦାଖଲ ଖାରଜ ମାମଲା ସମ୍ପୂର୍ଣ ହୋଇ ୩୦,୦୦୦ ପଟ୍ଟା ଲୋକମାନଙ୍କୁ ତହସିଲ ମାଧ୍ୟମରେ ବଣ୍ଟନ ହୋଇଛି । ସେହିପରି ୫,୦୦୦ ଘରବାଡ଼ି ପଟ୍ଟା ମଧ୍ୟ ଗତ ଏକ ମାସ ମଧ୍ୟରେ ବଣ୍ଟନ ହୋଇଛି । ସେହିପରି ଦାଖଲ ଖାରଜ ମାମଲା ଓଡିଶା ଲୋକସେବା ଅଧିନିୟମ ସମୟସୀମା ମଧ୍ୟରେ ସମାପ୍ତ ହୋଇ ଲୋକମାନଙ୍କୁ ପଟ୍ଟା ମିଳିପାରୁଛି । ସେହିପରି ଗତ ଏକ ମାସ ମଧ୍ୟରେ ୪,୫୦,୦୦୦ ଜାତିଗତ ଓ ବିବିଧ ପ୍ରମାଣପତ୍ର ଆବଣ୍ଟନ କରାଯାଇଛି ।

ରାଜସ୍ୱ ବିଭାଗର ନିୟମିତ ସମୀକ୍ଷା ଫଳରେ ନର୍ବାଚନ ସତ୍ତେ୍ୱ ଲଘୁ ଖଣିଜ ସଂପଦରୁ ୧୦୪୨ କୋଟି ରାଜସ୍ୱ ଆଦାୟ ହୋଇଛି । ସେହିପରି ବହୁ ଲଘୁ ଖଣିଜ ସମ୍ପଦ ଉତ୍ସର ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରୁ ଅନୁମୋଦନ ତ୍ୱରାନ୍ୱିତ ହୋଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଅଧିକରୁ ଅଧିକ ଲଘୁ ଖଣିଜ ସମ୍ପଦ ଉତ୍ସକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ହାଇ-ଟେକ ସର୍ଭେ ତ୍ୱରାନ୍ୱିତ ହୋଇଛି । ଦେବଗଡ ଜିଲ୍ଲାରେ ହାଇ-ଟେକ ସର୍ଭେ ପରେ ସାତଟି ଗ୍ରାମରେ ULPIN(Unique Land Parcel Identification Number) ସୃଷ୍ଟି କରାଯାଇଛି । ଏହା ଫଳରେ ଯେ କୌଣସି ଲୋକ ସେହି ଗ୍ରାମରେ ତାଙ୍କର ପ୍ଲଟ ଗୁଗୁଲ ମ୍ୟାପରେ ଦେଖିପାରିବେ । ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ଏହି କାର୍ଯ୍ୟରେ ନିୟମିତ ସମୀକ୍ଷା ବୈଠକ କରି ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ଚାରି ମାସ ମଧ୍ୟରେ ୭,୫୦୦ ଶିକ୍ଷାନୁଷ୍ଠାନକୁ ପଟ୍ଟା ହସ୍ତାନ୍ତର କରାଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ମେ ମାସ ୧୫ ତାରିଖ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ କିମ୍ବା ସରକାରୀ ଅନୁମୋଦନପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କୁ ପଟ୍ଟା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସୁଦ୍ଧା ୨୫୦୦ ୫-‘ଟି’ ଉଚ୍ଚ ବିଦ୍ୟାଳୟକୁ ପଟ୍ଟା ବଣ୍ଟନ ସରିଛି । ସମସ୍ତ ଜିଲ୍ଲାପାଳ ଓ ରାଜସ୍ୱ ଆୟୁକ୍ତମାନଙ୍କୁ ୫-‘ଟି’ ଉଚ୍ଚ ବିଦ୍ୟାଳୟମାନଙ୍କୁ ମେ ମାସ ୧୫ ତାରିଖ ସୁଦ୍ଧା ପଟ୍ଟା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜସ୍ୱ ବିଭାଗ ଜାତୀୟ ରାଜପଥ, ରେଳପଥ, ରାଜ୍ୟ ରାଜପଥ ଓ ଜଳସେଚନ ପ୍ରକଳ୍ପର ଜମି ଅଧିଗ୍ରହଣକୁ ପ୍ରମୁଖ ପ୍ରାଥମିକତା ଦେଉଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ବିଭାଗର ନିୟମିତ ସମୀକ୍ଷା ବୈଠକ ଫଳରେ ବିଭିନ୍ନ ରେଲେୱ ପ୍ରକଳ୍ପ ଯଥା ଖୋର୍ଦ୍ଧା ରୋଡ ବଲାଙ୍ଗୀର, ତାଳଚେର ବିମଳାଗଡ, ସମ୍ବଲପୁର ତାଳଚେର ଦୋହରୀକରଣ, ବୁଢାପଙ୍କ ସାଲେଗାଓଁ ତୃତୀୟ ଓ ଚତୁର୍ଥ ଲାଇନ ଓ ଅନୁଗୁଳ ସୁକିନ୍ଦା ରେଲେୱ ପ୍ରକଳ୍ପର ଜମି ଅଧିଗ୍ରହଣରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି ।

ସେହିପରି ନିୟମିତ ସମୀକ୍ଷା ଫଳରେ ଜାତୀୟ ରାଜପଥ ୨୩ର ରାଉରକେଲାରୁ ରଜାମୁଣ୍ଡା, ସେହିପରି ବିଶାଖାପାଟଣା ଓ ରାୟପୁର ଅର୍ଥନୈତିକ କରିଡର ମଧ୍ୟରେ ନବରଙ୍ଗପୁର ଓ କୋରାପୁଟ ମଧ୍ୟରେ, ବିଜୟାଡା ରାଞ୍ଚି ମଧ୍ୟରେ ଭାରତମାଳା ପ୍ରକଳ୍ପରେ ଓଡିଶା ମଧ୍ୟରେ ଆସୁଥିବା ଭାଗରେ, ପାରାଦୀପ-ଚଣ୍ଡିଖୋଲ-ଡ଼ìବୁରୀ ଅର୍ଥନୈତିକ କରିଡର ଜମି ଅଧିଗ୍ରହଣ କାର୍ଯ୍ୟରେ ଗୁରୁତ୍ୱ ଦିଆଯାଇଛି ।

ସେହିପରି ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପ ଯଥା-ସୁବର୍ଣ୍ଣରେଖା, ଆନନ୍ଦପୁର ବ୍ୟାରେଜ, କାନପୁର, ଦେଓ, ରେଙ୍ଗାଲୀ ବାମ ଓ ଦକ୍ଷିଣ, ଲୋୟର ସୁକତେଲ, ଛେଳିଗଡ଼, ତେଲେଙ୍ଗିରି, ରେତ ଓ ହାଡୁଆ ପ୍ରକଳ୍ପର ଜମି ଅଧିଗ୍ରହଣରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି ।