ଏକ ମାସ ମଧ୍ୟରେ ରାଜ୍ୟରେ ୩୦ ହଜାର ପଟ୍ଟା ବଣ୍ଟନ, ୧୦୪୨ କୋଟି ରାଜସ୍ୱ ଆଦାୟ

Published: May 6, 2022, 11:36 pm IST

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଏପ୍ରିଲ ୨ ତାରିଖରୁ ପ୍ରତ୍ୟେକ ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ହେଉଛି ମେ ମାସ ୪ ତାରିଖ ମଧ୍ୟରେ ୧୬ଟି ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ସମାପ୍ତ ହୋଇଛି । ଏହି ଏକ ମାସ ମଧ୍ୟରେ ରାଜସ୍ୱ ବିଭାଗ ଅଧିକ କ୍ରିୟାଶୀଳ ହେବ ସହ ରାଜସ୍ୱ ବିଭାଗର ବିଭିନ୍ନ ଲୋକାଭିମୁଖୀ ସେବାରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି । ତହସିଲର ରେକର୍ଡ କିପରମାନଙ୍କ ନିକଟରେ ପଡିଥିବା ହଜାର ହଜାର ଦାଖଲ ଖାରଜ ମାମଲା ସମାଧାନ ହୋଇ ଲୋକମାନଙ୍କ ଘରେ ରାଜସ୍ୱ ରଥ ମାଧ୍ୟମରେ ପଟ୍ଟା ବଣ୍ଟନ କରାଯାଇଛି ।

ଗତ ଏକ ମାସ ମଧ୍ୟରେ ଦାଖଲ ଖାରଜ ମାମଲା ସମ୍ପୂର୍ଣ ହୋଇ ୩୦,୦୦୦ ପଟ୍ଟା ଲୋକମାନଙ୍କୁ ତହସିଲ ମାଧ୍ୟମରେ ବଣ୍ଟନ ହୋଇଛି । ସେହିପରି ୫,୦୦୦ ଘରବାଡ଼ି ପଟ୍ଟା ମଧ୍ୟ ଗତ ଏକ ମାସ ମଧ୍ୟରେ ବଣ୍ଟନ ହୋଇଛି । ସେହିପରି ଦାଖଲ ଖାରଜ ମାମଲା ଓଡିଶା ଲୋକସେବା ଅଧିନିୟମ ସମୟସୀମା ମଧ୍ୟରେ ସମାପ୍ତ ହୋଇ ଲୋକମାନଙ୍କୁ ପଟ୍ଟା ମିଳିପାରୁଛି । ସେହିପରି ଗତ ଏକ ମାସ ମଧ୍ୟରେ ୪,୫୦,୦୦୦ ଜାତିଗତ ଓ ବିବିଧ ପ୍ରମାଣପତ୍ର ଆବଣ୍ଟନ କରାଯାଇଛି ।

ରାଜସ୍ୱ ବିଭାଗର ନିୟମିତ ସମୀକ୍ଷା ଫଳରେ ନର୍ବାଚନ ସତ୍ତେ୍ୱ ଲଘୁ ଖଣିଜ ସଂପଦରୁ ୧୦୪୨ କୋଟି ରାଜସ୍ୱ ଆଦାୟ ହୋଇଛି । ସେହିପରି ବହୁ ଲଘୁ ଖଣିଜ ସମ୍ପଦ ଉତ୍ସର ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରୁ ଅନୁମୋଦନ ତ୍ୱରାନ୍ୱିତ ହୋଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଅଧିକରୁ ଅଧିକ ଲଘୁ ଖଣିଜ ସମ୍ପଦ ଉତ୍ସକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ହାଇ-ଟେକ ସର୍ଭେ ତ୍ୱରାନ୍ୱିତ ହୋଇଛି । ଦେବଗଡ ଜିଲ୍ଲାରେ ହାଇ-ଟେକ ସର୍ଭେ ପରେ ସାତଟି ଗ୍ରାମରେ ULPIN(Unique Land Parcel Identification Number) ସୃଷ୍ଟି କରାଯାଇଛି । ଏହା ଫଳରେ ଯେ କୌଣସି ଲୋକ ସେହି ଗ୍ରାମରେ ତାଙ୍କର ପ୍ଲଟ ଗୁଗୁଲ ମ୍ୟାପରେ ଦେଖିପାରିବେ । ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ଏହି କାର୍ଯ୍ୟରେ ନିୟମିତ ସମୀକ୍ଷା ବୈଠକ କରି ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ଚାରି ମାସ ମଧ୍ୟରେ ୭,୫୦୦ ଶିକ୍ଷାନୁଷ୍ଠାନକୁ ପଟ୍ଟା ହସ୍ତାନ୍ତର କରାଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ମେ ମାସ ୧୫ ତାରିଖ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ କିମ୍ବା ସରକାରୀ ଅନୁମୋଦନପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କୁ ପଟ୍ଟା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସୁଦ୍ଧା ୨୫୦୦ ୫-‘ଟି’ ଉଚ୍ଚ ବିଦ୍ୟାଳୟକୁ ପଟ୍ଟା ବଣ୍ଟନ ସରିଛି । ସମସ୍ତ ଜିଲ୍ଲାପାଳ ଓ ରାଜସ୍ୱ ଆୟୁକ୍ତମାନଙ୍କୁ ୫-‘ଟି’ ଉଚ୍ଚ ବିଦ୍ୟାଳୟମାନଙ୍କୁ ମେ ମାସ ୧୫ ତାରିଖ ସୁଦ୍ଧା ପଟ୍ଟା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜସ୍ୱ ବିଭାଗ ଜାତୀୟ ରାଜପଥ, ରେଳପଥ, ରାଜ୍ୟ ରାଜପଥ ଓ ଜଳସେଚନ ପ୍ରକଳ୍ପର ଜମି ଅଧିଗ୍ରହଣକୁ ପ୍ରମୁଖ ପ୍ରାଥମିକତା ଦେଉଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ବିଭାଗର ନିୟମିତ ସମୀକ୍ଷା ବୈଠକ ଫଳରେ ବିଭିନ୍ନ ରେଲେୱ ପ୍ରକଳ୍ପ ଯଥା ଖୋର୍ଦ୍ଧା ରୋଡ ବଲାଙ୍ଗୀର, ତାଳଚେର ବିମଳାଗଡ, ସମ୍ବଲପୁର ତାଳଚେର ଦୋହରୀକରଣ, ବୁଢାପଙ୍କ ସାଲେଗାଓଁ ତୃତୀୟ ଓ ଚତୁର୍ଥ ଲାଇନ ଓ ଅନୁଗୁଳ ସୁକିନ୍ଦା ରେଲେୱ ପ୍ରକଳ୍ପର ଜମି ଅଧିଗ୍ରହଣରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି ।

ସେହିପରି ନିୟମିତ ସମୀକ୍ଷା ଫଳରେ ଜାତୀୟ ରାଜପଥ ୨୩ର ରାଉରକେଲାରୁ ରଜାମୁଣ୍ଡା, ସେହିପରି ବିଶାଖାପାଟଣା ଓ ରାୟପୁର ଅର୍ଥନୈତିକ କରିଡର ମଧ୍ୟରେ ନବରଙ୍ଗପୁର ଓ କୋରାପୁଟ ମଧ୍ୟରେ, ବିଜୟାଡା ରାଞ୍ଚି ମଧ୍ୟରେ ଭାରତମାଳା ପ୍ରକଳ୍ପରେ ଓଡିଶା ମଧ୍ୟରେ ଆସୁଥିବା ଭାଗରେ, ପାରାଦୀପ-ଚଣ୍ଡିଖୋଲ-ଡ଼ìବୁରୀ ଅର୍ଥନୈତିକ କରିଡର ଜମି ଅଧିଗ୍ରହଣ କାର୍ଯ୍ୟରେ ଗୁରୁତ୍ୱ ଦିଆଯାଇଛି ।

ସେହିପରି ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପ ଯଥା-ସୁବର୍ଣ୍ଣରେଖା, ଆନନ୍ଦପୁର ବ୍ୟାରେଜ, କାନପୁର, ଦେଓ, ରେଙ୍ଗାଲୀ ବାମ ଓ ଦକ୍ଷିଣ, ଲୋୟର ସୁକତେଲ, ଛେଳିଗଡ଼, ତେଲେଙ୍ଗିରି, ରେତ ଓ ହାଡୁଆ ପ୍ରକଳ୍ପର ଜମି ଅଧିଗ୍ରହଣରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି ।

Related posts