ରାଜ୍ୟ ସ୍ତରୀୟ କଳା ଉତ୍ସବ ଜାତୀୟ ସ୍ତରୀୟ ଯୋଗଦେବେ ମନୋନୀତ ୧୮ ଜଣ ଛାତ୍ରଛାତ୍ରୀ

Published: Dec 9, 2021, 5:03 pm IST

ଭୁବନେଶ୍ୱର : ଓସେପା ଆନୁକୁଲ୍ୟରେ ଚଳିତ ମାସ ଡିସେମ୍ବର ୭ ଓ ୮ ତାରିଖରେ ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୧ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ହେତୁ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପିଲାମାନଙ୍କୁ ତଥା ଶିକ୍ଷକ ଓ ଅଭିଭାବକମାନଙ୍କୁ ପାଠପଢା ସହିତ ପିଲାର ସାମଗ୍ରିକ ଦକ୍ଷତା ବିକାଶ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ।

ଗତବର୍ଷର ଜାତୀୟସ୍ତର ବିଜେତା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ତରଫରୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ଓସେପାର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରେମଚନ୍ଦ୍ର ଚୌଧୁରୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କର କଳା ଓ ସଂସ୍କୃତି ପାଇଁ ଆଗ୍ରହ ତଥା ସାମଗ୍ରିକ ବିକାଶର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ କଳା ଓ ସଂସ୍କୃତି ମାଧ୍ୟମରେ ଓଡିଶାର ପାରମ୍ପରିକ କଳାକୁ ଦେଶ ତଥା ବିଶ୍ୱସମୂହରେ ପହଞ୍ଚାଇବା ପାଇଁ ପିଲାମାନଙ୍କ ପ୍ରଚେଷ୍ଟାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ଦିବସ ଅବସରରେ ବଲାଙ୍ଗୀର ସ୍ଥିତ ପଥରଚେପା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ରୂପାନ୍ତରିତ ବିଦ୍ୟାଳୟ ସଂଗୀତ ‘ହସିବରେ ହସିବ’ ଗୀତ ଗାଇ ଶୁଭାରମ୍ଭ କରିଥିଲେ ।

ବିଦ୍ୟାର୍ଥୀମାନଙ୍କ ପ୍ରତିଯୋଗିତା ମୂଲ୍ୟାୟନ ଏକ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀ ଦ୍ୱାରା କରାଯାଇଥିଲା । ଏହି ପ୍ରତିଯୋଗିତାଗୁଡିକୁ ୦୯ ଭାଗରେ ବିଭକ୍ତ କରାଯାଇ ପରିବେଷଣ କରଯାଇଥିଲା । ସେଗୁଡିକ ମଧ୍ୟରୁ ଭୋକାଲ ଶାସ୍ତ୍ରୀୟ ସଂଗୀତ, ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ, ବାଦ୍ୟଯନ୍ତ୍ର ଶାସ୍ତ୍ରୀୟ, ବାଦ୍ୟଯନ୍ତ୍ର ଲୋକ ଏବଂ ସ୍ୱଦେଶୀ ଖେଳ ଇତ୍ୟାଦି ଅନ୍ୟତମ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୯୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ରାଜ୍ୟସ୍ତରୀୟ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ୧୮ ଜଣ ପ୍ରତିଯୋଗୀଙ୍କୁ ଜାତୀୟସ୍ତରୀୟ କଳା ଉତ୍ସବରେ ଭାଗ ନେବାକୁ ସୁଯୋଗ ମିଳିବ । କାର୍ଯ୍ୟକ୍ରମକୁ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ନାୟକ ଓ ଉପ ନିର୍ଦ୍ଦେଶିକା ଶ୍ରୀମତୀ କଳ୍ପ¬ନା ହାଁସଦା ପରିଚାଳନା କରିଥିଲେ ।

Related posts