Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଉଦ୍‌ଘାଟିତ ହେଲା ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତା

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ-୬ ବାଳିକା ହାଇସ୍କୁଲରେ ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୧୦ଟି ଜିଲ୍ଲାରୁ ୧୧ଟି ସ୍କୁଲ ବ୍ୟାଣ୍ଡ ଟିମ୍‌ ଏହି ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।

ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍‌. ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ଟିମ୍‌ ପ୍ରତିଯୋଗିତାର ଶୁଭ ଉଦ୍‌ଘାଟନ କରିଥିଲେ ଏବଂ ଟିମ୍‌ର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କେନ୍ଦ୍ର ସରକାରଙ୍କ ଦୁଇଟି ବିଭାଗ ଯଥା- କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟର ମିଳିତ ସହଯୋଗରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ବ୍ୟାଣ୍ଡ ପ୍ରତିଯୋଗିତାରେ ଯେଉଁ ଦଳ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନେ ପୂର୍ବ ଜୋନ ଆନ୍ତଃରାଜ୍ୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ଅନ୍ୟ ଟିମ୍‌ମାନଙ୍କ ମଧ୍ୟରୁ ଚୟନ କରାଯାଇ ସେମାନଙ୍କୁ ଭୁବନେଶ୍ୱରରେ ହେବାକୁ ଥିବା ଆଗାମୀ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବାର ସୁଯୋଗ ଦିଆଯିବ। ରାଜ୍ୟସ୍ତରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନପୂର୍ବକ ପୁରସ୍କୃତ କରାଯାଇଛି।

ସମଗ୍ର ଭାରତବର୍ଷକୁ ଚାରୋଟି ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଜୋନ୍‌ରୁ ୨ ଗୋଟି ବିଜୟୀ ଦଳ (ପୁରୁଷ ଓ ମହିଳା) ବ୍ରାସ୍‌ ବ୍ୟାଣ୍ଡର ଏବଂ ଗୋଟିଏ ବିଜୟୀ ଦଳ (ମହିଳା) ପାଇପ ବ୍ୟାଣ୍ଡ କାଟାଗୋରୀର ସମୁଦାୟ ତିନୋଟି ଟିମ୍‌ ଅନ୍ତରାଜ୍ୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଆମ ରାଜ୍ୟରୁ ୪ଟି ଲେଖାଏଁ ବ୍ୟାଣ୍ଡ ଟିମ୍‌ ସମୁଦାୟ ୧୬ଟି ଟିମ୍‌ ଦିଲ୍ଲୀର ଜାତୀୟ ନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗନେବେ।

ଏଥିରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଶ୍ରୀ ଅନୁପମ ସାହା ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତା କାର୍ଯ୍ୟକ୍ରମ ସଂପର୍କରେ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଭଗବାନ ବେହେରା ସୂଚନା ପ୍ରଦାନ କରିଥିବାବେଳେ ଶେଷରେ ଉପନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ‘ମୋ ସ୍କୁଲ’ର ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଅମରଜିତ ଜେନା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା, ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁକାନ୍ତି ହରିଚନ୍ଦନଙ୍କ ସମେତ ବହୁ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

‘ମୋ ସରକାର’ ପ୍ରକୋଷ୍ଠରୁ ମିଳିଥିବା ଅଭିଯୋଗର କାର୍ଯ୍ୟନୁଷ୍ଠାନ ପାଇଁ ଗଣଶିକ୍ଷା ପକ୍ଷରୁ ନିର୍ଦ୍ଦେଶ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ଦ୍ୱାରା ପରିଚାଳିତ ‘ମୋ ସରକାର’ ପ୍ରକୋଷ୍ଠରେ କେତେକ କର୍ମଚାରୀମାନଙ୍କ ବିରୁଦ୍ଧରେ ଅଭିଯୋଗ ହସ୍ତଗତ ହୋଇଥିଲା। ଉକ୍ତ ଅଭିଯୋଗଗୁଡ଼ିକୁ ଅନୁଧ୍ୟାନ କଲା ପରେ ଜଣାପଡ଼ିଲା ଯେ ଏଗୁଡ଼ିକ ମୁଖ୍ୟତଃ ଶିକ୍ଷକମାନଙ୍କର ପେନ୍‌ସନ୍‌, ଅବସରକାଳୀନ ପ୍ରାପ୍ୟ ଓ ସରକାରୀ କାର୍ଯ୍ୟରେ ଅବହେଳା ସମ୍ବନ୍ଧୀୟ ଅଟେ।

ଉକ୍ତ ଅଭିଯୋଗ ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବିଭାଗୀୟ ଅଧିକାରୀଙ୍କୁ ସଂପୃକ୍ତ ଜିଲ୍ଲା କାର୍ଯ୍ୟାଳୟ (ଭଦ୍ରକ, କଳାହାଣ୍ଡି ଓ ଯାଜପୁର)ଗୁଡ଼ିକୁ ତଦନ୍ତ ନିମନ୍ତେ ପଠାଯାଇଥିଲା। ତଦନ୍ତରୁ ଜଣାପଡ଼ିଲା ଯେ ଅଭିଯୋଗଗୁଡ଼ିକର ସତ୍ୟତା ରହିଅଛି।

ଉକ୍ତ ତଦନ୍ତ ରିପୋର୍ଟ ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସଂପୃକ୍ତ ବିଭାଗୀୟ ନିର୍ଦ୍ଦେଶକମାନଙ୍କୁ ଏହି କର୍ମଚାରୀମାନଙ୍କ ବିରୁଦ୍ଧରେ ନିୟମାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

୬ ଜଣ ଟ୍ର୍ରେନି ଆଇଏଏସ୍‌ ଅଧିକାରୀଙ୍କ ଶିକ୍ଷା ବିଭାଗ ପରିଦର୍ଶନ

ଭୁବନେଶ୍ୱର: ଓଡିଶା କ୍ୟାଡରର ୬ଜଣ ଟ୍ର୍ରେନି ଆଇଏଏସ୍‌ ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଦର୍ଶନ କରିଛନ୍ତି। ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେସନରେ ତାଲିମ ନେବାକୁ ଥିବା ଏହି ପ୍ରଶାସନିକ ଅଧିକାରୀ ଗୁରୁବାର ଦିନ ମୋ ସ୍କୁଲ କାର୍ଯ୍ୟାଳୟ, ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ କାର୍ଯ୍ୟାଳୟ ଓ ଚନ୍ଦ୍ରଶେଖରପୁରଠାରେ ଥିବା ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମଗୁଡିକ ସମ୍ବନ୍ଧରେ ସେମାନଙ୍କୁ ଅବଗତ କରିଛନ୍ତି। ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନର୍ଦ୍ଦେଶକ ଅନୁପମ ସାହା ପ୍ରଶାସନିକ ଶାସନ ବ୍ୟବସ୍ଥା ଏବଂ ୫-‘ଟି’ ହାଇସ୍କୁଲ୍‌ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ବିଷୟରେ ସେମାନଙ୍କୁ କହିଥିଲେ। ସେହିଭଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ମୋ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ୍‌ ଜେନା ଓ ମୋ ସ୍କୁଲର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନା ବିଷୟରେ ସେମାନଙ୍କୁ ଅବଗତ କରିଥିଲେ।

୫-‘ଟି’ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୋ ସ୍କୁଲ ଅଧିନରେ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ, ସମଗ୍ର ଶିକ୍ଷା, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆଦି କାର୍ଯ୍ୟକ୍ରମର ବିସ୍ତୃତ ଧାରଣା ସେମାନଙ୍କୁ ପ୍ରଦାନ କରାଯାଇଛି। ୨୦୨୨ ବ୍ୟାଚ୍‌ ଓଡିଶା କ୍ୟାଡରର ଏହି ୬ଜଣ ପ୍ରଶାସନିକ ଅଧିକାରୀ ରାଜ୍ୟ ସ୍ତରରେ ମୟୂରଭଞ୍ଜ, ଗଞ୍ଜାମ, ଝାରସୁଗଡା, ସମ୍ବଲପୁର, ସୁନ୍ଦରଗଡ ଓ କୋରାପୁଟ ଜିଲ୍ଲାରେ ମଧ୍ୟ ଏକ ବର୍ଷ ତାଲିମ ନେବେ। ଓଡିଶାରେ ତାଲିମ ସମାପ୍ତ ପରେ ସେମାନେ ଉତ୍ତରାଖଣ୍ଡର ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନରେ ତାଲିମ ଗ୍ରହଣ କରିବେ। ଏହାପରେ ଓଡିଶାରେ ସେମାନଙ୍କ ପାଇଁ ଦିଆଯାଇଥିବା ନିଜ ନିଜ ଜିଲ୍ଲାରେ କାର୍ଯ୍ୟରେ ଯୋଗଦେବେ।

Categories
ଆଜିର ଖବର ରାଜ୍ୟ ଖବର

ଆତ୍ମରକ୍ଷା କୌଶଳ ଉଦ୍‌ଯାପିତ, ପ୍ରଶିକ୍ଷଣ ନେଲେ ୩୦ ଜିଲ୍ଲାର ୮୦ ଜଣ ବାଳିକା

ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଉଚ୍ଚ ମାଧ୍ୟମିକସ୍ତରୀୟ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉତ୍କଳ କରାଟେ ସ୍କୁଲ ପରିସରଠାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆସିଥିବା ୮୦ ଜଣ ବାଳିକା ପ୍ରଶିକ୍ଷାର୍ଥୀଙ୍କୁ ଆତ୍ମରକ୍ଷା ତାଲିମ ପ୍ରଦାନ କରାଯାଇଥିଲା।

ଏହି ଉଦ୍‌ଯାପନୀ ଉତ୍ସବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍‌ ଆୟାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ପ୍ରଫେସର ଡ. ନିବେଦିତା ଜେନା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ଏବଂ ଭବିଷ୍ୟତରେ ଆତ୍ମରକ୍ଷା ସଂପର୍କିତ କୌଶଳକୁ ସମାଜରେ ଉପଯୁକ୍ତ ପ୍ରୟୋଗ କରିବା ନିମନ୍ତେ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଛାତ୍ରୀମାନେ ସେମାନଙ୍କର ଅଭିଜ୍ଞତା ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଉତ୍କଳ କରାଟେ ସ୍କୁଲର ଅଧ୍ୟକ୍ଷ ଡ. ହରିପ୍ରସାଦ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶେଷରେ ଡ. ଗୌରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୧୨୦ଟି ଶିକ୍ଷକ ପଦବୀ ପୂରଣ ପାଇଁ ବାହାରିଲା ନିଯୁକ୍ତି

ଭୁବନେଶ୍ୱର: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୧୨୦ଟି ଶିକ୍ଷକ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁମୋଦନ କରିଛନ୍ତି। ଏଥିପାଇଁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିଶନ ଡିସେମ୍ବର ୧୨ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ସେହି ବିଜ୍ଞପ୍ତି ଅନୁସାରେ ଡିସେମ୍ବର ୨୦ ତାରିଖରେ ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ ହୋଇଛି ଓ ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ହିଁ ପଞ୍ଜୀକରଣ କରାଯିବ। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏ ସଂପର୍କରେ ଅଧିକ ତଥ୍ୟ www.ossc.gov.in କୁ କ୍ଲିକ କଲେ ଜାଣିପାରିବେ।

ଏଥିରେ ତିନୋଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ପ୍ରାଥମିକ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ସାର୍ଟିଫିକେଟ୍‌ ଯାଞ୍ଚ, ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପରୀକ୍ଷା କରାଯିବ। କେବଳ ଇଂରାଜୀ ବିଷୟ ବ୍ୟତୀତ ପରୀକ୍ଷା ସମ୍ବନ୍ଧୀୟ ସଂପୂର୍ଣ୍ଣ ତଥ୍ୟ ପରେ ପ୍ରକାଶ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବଙ୍କ ଖୋର୍ଦ୍ଧା ଜିଲ୍ଲାରେ ସମୀକ୍ଷା ବୈଠକ

ଖୋର୍ଦ୍ଧା: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ, ଅଶ୍ଵଥି ଏସ୍. ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ପ୍ରଥମେ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସହ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହାପରେ ଜିଲ୍ଲା ସ୍ତରୀୟ ଶିକ୍ଷା ବିଭାଗର ସ୍ଵତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଜିଲ୍ଲାପାଳ, କେ. ସୁଦର୍ଶନ ଚକ୍ରବର୍ତ୍ତୀ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଦିଗନ୍ତ ରାଉତ, ମୋ ସ୍କୁଲ, ଚିଫ ଅପରେଟିଙ୍ଗ ଅଧିକାରୀ, ଅମରଜିତ ଜେନା ଏବଂ ତାଙ୍କର ସମସ୍ତ ଷ୍ଟାଫ,ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (Establishment), ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (Scheme/ Academic), ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ସମଗ୍ର ଶିକ୍ଷାର ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀମାନେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋସ୍ନା ମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। କମିଶନର ତଥା ସଚିବଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଶିକ୍ଷା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମର ଭୌତିକ ଏବଂ ଆର୍ଥିକ ଉପଲବ୍ଧି, ପୋଷାକ ବିତରଣ, ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ବିକାଶ ନିମନ୍ତେ କାର୍ଯ୍ୟକ୍ରମ, ବୈଷୟିକ ଶିକ୍ଷା କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ ଆଲୋଚନା କରଯାଇଥିଲା।

କମିଶନର ତଥା ସଚିବ, ମଧ୍ୟାହ୍ନ ଭୋଜନର ସୁପରିଚଳନା, ବିଦ୍ୟାଳୟରେ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ସହ କୌଣସି ଶିଶୁ ଯେପରି ଶିକ୍ଷାଲାଭରୁ ବଞ୍ଚିତ ନହୁଏ ସେ ଦିଗ ପ୍ରତି ଗୁରୁତ୍ଵ ଦେବା ନିମନ୍ତେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ଉକ୍ତ ବୈଠକରେ ମୋ ସ୍କୁଲ ଅଭିଯାନର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ସେମାନଙ୍କ ବିଦ୍ୟାଳୟ ପରିଦର୍ଶନର ବିବରଣୀ ଉପସ୍ଥାପନ କରିଥିଲେ ଏବଂ କମିଶନର ତଥା ସଚିବ ଏହା ଉପରେ ନିଜର ମନ୍ତବ୍ୟ ରଖି ଆବଶ୍ୟକ ସ୍ଥଳେ ଉପଯୁକ୍ତ କାର୍ଯ୍ୟ।ନୁଷ୍ଠାନ ନେବା ନିମନ୍ତେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସବୁ ସ୍ତରରେ ବିଦ୍ୟାଳୟ ପରିଦର୍ଶନ ବ୍ୟବସ୍ଥାକୁ ଦୃଢୀଭୂତ କରିବା ସହ ସମସ୍ତ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ଶାଳା ସିଦ୍ଧି ଆବାସୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ଭୁବନେଶ୍ୱର ଦ୍ୱାରା ଆୟୋଜିତ ଦୁଇ ଦିବସୀୟ ରାଜ୍ୟସ୍ତରୀୟ ଶାଳା ସିଦ୍ଧି ଆବାସୀୟ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଭୁବନେଶ୍ୱର ସିରିପୁରସ୍ଥିତ ‘ଇମେଜ୍‌’ ଠାରେ ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ନିର୍ଦ୍ଦେଶକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୯୦ ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଶୈକ୍ଷିକ ସଂଯୋଜକ ତଥା ଜିଲ୍ଲା ପ୍ରୋଗ୍ରାମରମାନେ ଯୋଗଦାନ କରିଛନ୍ତି । ଏଥିରେ ନୂଆଦିଲ୍ଲୀସ୍ଥିତ ନିପା(କ୍ତଔଊPଅ)ରୁ ପ୍ରଫେସର ପ୍ରଣତି ପଣ୍ଡା ଓ ସହଯୋଗୀ ଏ.ନ. ରେଡି ଜାତୀୟ ସମ୍ବଳ ଶିକ୍ଷକ ଭାବରେ ଯୋଗଦାନ କରିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ବିଶେଷ କରି ଶାଳା ସିଦ୍ଧି -‘ବିକାଶ ହେତୁ ବିଦ୍ୟାଳୟ ସ୍ୱ-ମୂଲ୍ୟାୟନ’ ପ୍ରସଙ୍ଗରେ ବିଶଦ ଆଲୋଚନା କରାଯାଉଛି । ଅଂଶଗ୍ରହଣକାରୀ ପ୍ରଶିକ୍ଷାର୍ଥୀମାନେ ଏଥିରେ ସକ୍ରିୟ ଭାବରେ ଯୋଗଦାନ କରି ସେମାନଙ୍କ ସଂଶୟ ମୋଚନ କରିବାକୁ ଯଥେଷ୍ଟ ସୁଯୋଗ ପାଉଛନ୍ତି । ଏହି କାର୍ଯ୍ୟକ୍ରମ ତା୨୨.୧୨.୨୦୨୨ ଠାରୁ ୨୩.୧୨.୨୦୨୨ ରିଖ ପର୍ଯ୍ୟନ୍ତ ଦୁଇ ଦିନ ବ୍ୟାପି ଚାଲୁ ରହିବ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନଭେମ୍ବର ୨୬ ତାରିଖରେ ସ୍କୁଲ କଲେଜରେ ପାଳିତ ହେବ ସମ୍ବିଧାନ ଦିବସ

ଭୁବନେଶ୍ୱର: ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେବାର ଦିବସ ନଭେମ୍ବର ୨୬କୁ ସାରା ଦେଶରେ ସମ୍ବିଧାନ ଦିବସ ରୂପେ ପାଳନ ପାଇଁ ଜାତୀୟ ସ୍ତରରେ ନିଷ୍ପତ୍ତି ହୋଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ସଚିବ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଜଣାଇଛନ୍ତି ।

ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ସରକାରୀ ଉଦ୍ୟୋଗ ବିଭାଗ ଦ୍ୱାରା ସେମାନଙ୍କ ଅଧିନସ୍ଥ ସ୍କୁଲ, କଲେଜ, ସରକାରୀ ଉଦ୍ୟୋଗ ଓ ସ୍ୱୟଂଶାସିତ ପ୍ରତିଷ୍ଠାନଗୁଡ଼ିକରେ ଏହି ସମ୍ବିଧାନ ଦିବସ ସ୍ୱତନ୍ତ୍ର ରୂପେ ପାଳିତ ହେବ। ଏହି ଦିବସ ପାଳନ ସମୟରେ ଭାରତୀୟ ସମ୍ବିଧାନର ମୁଖବନ୍ଧକୁ ପାଠ କରାଯିବ।

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ମୁଖ୍ୟ ନିର୍ଦ୍ଦେଶାଳୟ ଏବଂ ଜିଲ୍ଲାପାଳମାନେ ଏହି ଦିବସକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବାକୁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଇନକ୍ଲୁସିଭ ଶିକ୍ଷାକୁ ଗୁରୁତ୍ବ ଦେବା ପାଇଁ ମଗାଗଲା ପରାମର୍ଶ

ଭୁବନେଶ୍ୱର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ଏକ ପରାମର୍ଶକେନ୍ଦ୍ରିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଶ୍ରୀ ଜେନା ଅନ୍ତର୍ନିବେଶୀ ଶିକ୍ଷା ବା Inclusive Education ର ସୁଦୃଢୀକରଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀମାନଙ୍କର ସମସ୍ୟାକୁ ସୂଚାରୁରୂପେ କିଭଳି ସମାଧାନ କରାଯିବ ତାହା ଉପରେ ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀଙ୍କୁ କିଭଳି ଗୃହ, ବିଦ୍ୟାଳୟ ଓ ସମାଜରେ ସ୍ୱତନ୍ତ୍ର ଧ୍ୟାନଦେଇ ସେମାନଙ୍କର ଶିକ୍ଷଣ-ଅଭିବୃଦ୍ଧି କରିବା ଉପରେ ଆଲୋକପାତ କରିଥିଲେ।

ସେ ମଧ୍ୟ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀମାନଙ୍କ ପ୍ରତି କିଭଳି ସହାନୁଭୂତି, ଉତ୍ସାହ ଓ ପ୍ରତିବଦ୍ଧତା ଜାରି ରହିବ ସେ ବିଷୟରେ ମଧ୍ୟ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଏଥିପାଇଁ ଉଭୟ ସରକାରୀ, ବେସରକାରୀ ସଂସ୍ଥା ଓ ସାଧାରଣ ନାଗରିକମାନଙ୍କର ସମନ୍ୱୟର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥୀ ଏସ. ଉପସ୍ଥିତ ଥିବା ସମସ୍ତ ଅଧିକାରୀ, ସଦସ୍ୟସଦସ୍ୟାମାନଙ୍କୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ହେଲେ ପରିବର୍ତ୍ତନର ଆବଶ୍ୟକତା ତଥା ଅଂଶୀଦାରଭିତ୍ତିକ ଯୋଜନା ପ୍ରଣୟନ ଓ ସହଯୋଗିତାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।

ଉକ୍ତ ଶିକ୍ଷାର୍ଥୀମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର, ବେସରକାରୀ ସଂସ୍ଥା ତଥା ବିଭିନ୍ନ ସେ୍ୱଚ୍ଛାସେବୀ ଅନୁଷ୍ଠାନ ଓ ସାଧାରଣ ନାଗରିକତାର ଆବଶ୍ୟକତା ରହିଛି ବୋଲି ପ୍ରାଧାନ୍ୟ ଦେଇଥିଲେ। ସେ ମଧ୍ୟ ଅନ୍ତର୍ନିବେଶୀ ଶିକ୍ଷା ପାଇଁ ବ୍ଲକ ସ୍ତରରେ ବ୍ଲକ ସାଧନ କେନ୍ଦ୍ର ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ଏହି ଅବସରରେ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅନୁପମ ସାହା ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ପାଇଁ ସଙ୍ଗବଦ୍ଧ ହୋଇ ଏକତ୍ର ଭାବରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଓ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଅଧିକାରୀମାନେ ସେମାନଙ୍କର ବ୍ୟସ୍ତବହୁଳ କାର୍ଯ୍ୟକ୍ରମରୁ ଅନ୍ତର୍ନିବେଶୀ ଶିକ୍ଷା ପାଇଁ କିଛି ସମୟ ଅତିବାହିତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଏହି ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀ ବୃନ୍ଦ, ଡ. ଶୃତି ମହାପାତ୍ର, ପ୍ରତିଷ୍ଠାତା, ସ୍ୱାଭିମାନ, ଲଳିତା ପଟ୍ଟନାୟକ, ଶିକ୍ଷା ବିଶେଷଜ୍ଞ, ୟୁନିସେଫ ରାଜ୍ୟ କାର୍ଯ୍ୟାଳୟ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ଅନୁଷ୍ଠାନ ଓ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କାର୍ଯ୍ୟ କରୁଥିବା ରାଜ୍ୟ ସ୍ତରୀୟ ଅନୁଷ୍ଠାନ ସମୂହ, ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ଯୋଗଦେଇ ସେମାନଙ୍କର ମତାମତ ରଖିଥିଲେ।

ଉକ୍ତ ସମ୍ମିିଳନୀରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ନେଇ ଅନ୍ତର୍ନିବେଶୀ ଶିକ୍ଷାର୍ଥୀମାନଙ୍କର ବିକାଶ ପାଇଁ ମାନସ ମନ୍ଥନ କରାଯାଇ ଦଳଗତ ଭାବେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଆଗାମୀ ଦିନରେ ସମସ୍ତଙ୍କ ସୁପାରିଶକୁ ଆଧାର କରି ଉପଯୁକ୍ତ କାର୍ଯ୍ୟ ପନ୍ଥା ଅନ୍ତର୍ନିବେଶୀ ଶିକ୍ଷାର ଉନ୍ନତି ପାଇଁ ବିଶେଷ ସହାୟକ ହେବ। ପରିଶେଷରେ ଓସେପାର ଅତିରିକ୍ତ ନିର୍ଦେଶକ ଶ୍ରୀ ସରୋଜ କୁମାର ବେହେରା ବରିଷ୍ଠ ପଦାଧିକାରୀ, ସମସ୍ତ ସଭ୍ୟସଭ୍ୟାଙ୍କର ସମ୍ମିଳିତ ଯୋଗଦାନ ଓ ଅନ୍ତର୍ନିବେଶୀ ଶିକ୍ଷାର ମାନ ବୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡିକୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ନିୟମିତ ନହଲେ, ଆନ୍ଦୋଳନକୁ ଓହ୍ଲାଇବ ସଂଘ: ରାଜ୍ୟ ସଭାପତି ପଞ୍ଚାନନ

ଭୁବନେଶ୍ବର: ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରାୟ ୪୦୦୦ ହଜାର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ୨୦୧୫ ମସିହା ଜୁନ୍ ମାସରେ ନିଯୁକ୍ତି ଦିଆଯାଇଥିଲା। ୬ ମାସ କାର୍ଯ୍ୟ କରିବାପରେ ଆକସ୍ମିକ ଭାବରେ ତାଙ୍କୁ ପୁଣି ବିନା ଦୋଷରେ ଛଟେଇ କରିଦିଆଗଲା। କୌଣସି ଦୋଷ ନଥାଇ ସରକାର ତାଙ୍କୁ ନିଜ ଦୋଷ ଲୁଚାଇବାକୁ ଯାଇ ଛଟେଇ କଲେ। ଛଟେଇ ହେବା ପରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ରାଜରାସ୍ତାକୁ ଆସି ସରକାରଙ୍କୁ ନିଜର ହକ୍ ମାଗିଥିଲେ।

ପୁନଃ ନିଯୁକ୍ତି ନିମନ୍ତେ ରାଜ ରାସ୍ତାରେ ଦିର୍ଘ ଦିନ ଧରି ବସିବା ପରେ ସରକାର ପୁନଃଶ୍ଚ ୨୦୧୬ ଏପ୍ରେଲ୍ ମାସରେ ନିଯୁକ୍ତି ଦେଲେ। ସେହି ସମୟ ମଧ୍ୟରେ ଶିକ୍ଷକମାନେ ନାନାଦି ଦୁଶ୍ଚିନ୍ତା ମଧ୍ୟରେ ନିଜର ଦିନ କାଟିଥିଲେ। ଯେତେବେଳେ ନିଯୁକ୍ତି ପୁନଃ ପାଇଲେ ଭାବିଥିଲେ ଏବେ ଦୁଃଖ ଗଲା।

କିନ୍ତୁ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ଦୁଃଖ କେବେ କମିବା ବଦଳରେ ବଢି ବଢି ଚାଲିଛି। ସରକାରଙ୍କର ନିୟମ ଅନୁସାରେ ଯେଉଁ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ସନ୍ତୋଷଜନକ ଭାବେ କାର୍ଯ୍ୟ କରି ୬ ବର୍ଷ ଚାକିରି ସମୟ ପୂରଣ କରିବେ ତାଙ୍କୁ ୬ ବର୍ଷ ପୂରଣ ଦିନଠାରୁ ହିଁ ନିୟମିତ କରାଯିବ ଏବଂ ସମସ୍ତ ସୁବିଧା ସୁଯୋଗ ନିୟମିତ ସରକାରୀ କର୍ମଚାରୀ ଭାବରେ ସେ ପାଇପାରିବେ। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ସରକାରୀ ନିୟମକୁ ସରକାର ନିଜେ ହିଁ ଭାଙ୍ଗୁଛନ୍ତି।

୨୦୧୬ ରେ ଛଟେଇ ପରେ ପୁନଃ ନିଯୁକ୍ତି ପାଇଥିବା ପ୍ରାୟ ୪୦୦୦ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ୨୦୨୨ ଅପ୍ରେଲ ମାସରେ ୬ ବର୍ଷ ଚାକିରି ସମୟ ପୂରଣ କରିଥିଲେ ମଧ୍ୟ ସରକାର ସେମାନଙ୍କୁ ନିୟମିତ କରିବାପାଇଁ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିନାହାନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ଠାରୁ ଆରମ୍ଭ କରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟଳୟରୁ ମଧ୍ୟ ଏଥିନିମନ୍ତେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ ନକରିବା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ବ୍ୟଥିତ କରିଛି।

ନିୟମିତ ସମୟ ପୂରଣ ହୋଇଥିଲେ ମଧ୍ୟ ସେମାନେ ନିୟମିତ କର୍ମଚାରୀ ଭାବରେ କୌଣସି ସୁବିଧା ସୁଯୋଗ ପାଇପାରୁନାହାନ୍ତି। ଏଥି ନିମନ୍ତେ ରାଜ୍ୟ ସଂଘ ତରଫରୁ ବହୁ ବାର ବିଭାଗୀୟ ମନ୍ତ୍ରୀ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳିପାରିନାହିଁ ବୋଲି ରାଜ୍ୟ ସଂଘର ମହା ସଚିବ ବିଶ୍ୱଜିତ୍ ବିଶ୍ଵାଳ କହିଛନ୍ତି।

ସରକାର ୭ ଦିନ ଭିତରେ ଏହି ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ କରିବା ପାଇଁ କୌଣସି ନିଷ୍ପତି/କାର୍ଯ୍ୟପନ୍ଥା ଗ୍ରହଣ ନକଲେ ରାଜ୍ୟ ସଂଘ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଳାଇବ ବୋଲି ରାଜ୍ୟ ସଂଘର ସଭାପତି ପଞ୍ଚାନନ ଜେନା ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି।

ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ସରକାର ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି କିନ୍ତୁ ସେମାନଙ୍କୁ ତାଙ୍କର ମୌଳିକ ଅଧିକାର ଦେବାରେ ସରକାର ଅବହେଳା କାହିଁକି କରୁଛନ୍ତି ବୋଲି ରାଜ୍ୟ ସଂଘର ସଂପାଦକ ଅର୍ନ୍ତଯ୍ୟାମୀ ବେହେରା, ଅକ୍ଷୟ ସତନାମି, ଦାମୋଦର ମହାନନ୍ଦ, ବିନୋଦ ମିଶ୍ର, ମନୋହର ଦାସ, ପ୍ରତାପ ସାମଲ, ବସନ୍ତ କୌଶଲ୍ୟ, ମାନସ ମିଶ୍ର, ପ୍ରମୁଖ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ସମଗ୍ର ଶିକ୍ଷା ଅଧୀନସ୍ଥ ୫୦୫୬ ଜଣ ପାର୍ଟଟାଇମ୍‌ ଇନ୍‌ଷ୍ଟ୍ରକ୍ଟରଙ୍କ ବଢ଼ିବ ମାସିକ ବେତନ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟରତ ପାର୍ଟଟାଇମ୍‌ ଇନ୍‌ଷ୍ଟ୍ରକ୍ଟରଙ୍କ ମାସିକ ବେତନ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିରେ ପାର୍ଟଟାଇମ୍‌ ଇନ୍‌ଷ୍ଟ୍ରକ୍ଟରଙ୍କ ମାସିକ ବେତନ ୫୫୫୫ ଟଙ୍କାରୁ ୭୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏହାଯୋଗୁଁ ୫୦୫୬ ଜଣ ପାର୍ଟଟାଇମ୍‌ ଇନ୍‌ଷ୍ଟ୍ରକ୍ଟରଙ୍କ ଉପକୃତ ହେବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟାଳୟରେ ସକାଳୁଆ ପାଠପଢା ସମୟ ପରିବର୍ତ୍ତନ କରିବାକୁ ଦାବି

ଭୁବନେଶ୍ୱର: ନୂତନ ଶିକ୍ଷାବର୍ଷରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢା ଚାଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ପରିବର୍ତ୍ତନ କରିବାକୁ ଦାବି କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ। କରୋନା ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବାରୁ ତାହାକୁ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ମାଧ୍ୟମରେ ଭରଣା କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ ପିଜି ଶ୍ରେଣୀର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ବିଦ୍ୟାଳୟସ୍ତରରେ ସରକାର ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସକାଳ ୬ଟାରୁ ପିଲାମାନେ ମା’କୋଳ ଛାଡ଼ି ନଥିବା ବେଳେ ଛୋଟ ଛୋଟ ପିଲାମାନେ କିପରି ବିଦ୍ୟାଳୟକୁ ଆସିପାରିବେ ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିକ୍ଷାଦାନ ସମୟକୁ ସକାଳ ୬.୩୦ରୁ ୯ଟା ପର୍ଯ୍ୟନ୍ତ ପରିବର୍ତ୍ତନ କରିବାକୁ ସଂଘ ଦାବି କରିଛି। ୨ବର୍ଷ ଧରି କରୋନା ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବା ବେଳେ ଏହାକୁ ମେ ପହିଲାରୁ ଜୁନ୍ ୬ ତାରିଖ ଅର୍ଥାତ୍ ମାତ୍ର ୩୫ ଦିନ ମଧ୍ୟରେ ରିକଭରି କରିବା ଆଦୌ ସଫଳ ହୋଇପାରିବ ନାହିଁ ବୋଲି ସଂଘ ଯୁକ୍ତି ବାଢିଛି। ବ୍ରିଜ କୋର୍ସ ତୃତୀୟ ପକ୍ଷ ଦ୍ୱାରା ଆୟୋଜନ କରିବାକୁ ସଂଘ ଦୃଢ ବିରୋଧ କରିଛି। ତୃତୀୟ ପକ୍ଷର କୌଣସି ଆବଶ୍ୟକତା ନାହିଁ। ୬ବର୍ଷ ଧରି ପ୍ରାଥମିକ ବିଦ୍ୟାଳୟରେ ସରକାର ଶିକ୍ଷକ ନିଯୁକ୍ତି କରି ନଥିବାରୁ ନିଜର ଭୁଲ୍‌କୁ ଲୁଚାଇବା ପାଇଁ ତୃତୀୟ ପକ୍ଷକୁ ଦାୟିତ୍ୱ ଦେଉଛନ୍ତି।

ଶିକ୍ଷା ବିଭାଗରେ ତୃତୀୟ ପକ୍ଷ ଦ୍ୱାରା ବ୍ରିଜ କୋର୍ସ ଶିକ୍ଷାଦାନର ତଦାରଖ କରାଗଲେ ନିଯୁକ୍ତ ହୋଇଥିବା ସି.ଆର.ସି.ସି., ବି.ଆର.ସି.ସି., ବିଇଓ, ଡିଇଓ ଓ ଅନ୍ୟ ପଦାଧିକାରୀମାନେ କଣ କରିବେ ବୋଲି ସଂଘ ସରକାରଙ୍କୁ ପ୍ରଶ୍ନ କରିଛି। ସରକାର ଶିକ୍ଷାକୁ ଘରୋଇକରଣ କରିବା ପାଇଁ ପ୍ରତ୍ୟକ୍ଷ ପ୍ରୋତ୍ସାହନ କରୁଛନ୍ତି। ଆଇନ ଯଦି ସମାନ ତବେ ଘରୋଇ ବିଦ୍ୟାଳୟ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ କରାଯାଇ ନାହିଁ। ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବାଧାପ୍ରାପ୍ତ ପାଇଁ ସରକାର ନିଜେ ଦାୟୀ ଅଟନ୍ତି।

ମେ ପହିଲାରୁ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ବ୍ରିଜ କୋର୍ସ ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ସକାଳ ୬ଟା ବଦଳରେ ୬.୩୦ରୁ ୯ଟା କରିବା ପାଇଁ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ ଏକ ମିଳିତ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସ୍ତରୀୟ କଳା ଉତ୍ସବ ଜାତୀୟ ସ୍ତରୀୟ ଯୋଗଦେବେ ମନୋନୀତ ୧୮ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଓସେପା ଆନୁକୁଲ୍ୟରେ ଚଳିତ ମାସ ଡିସେମ୍ବର ୭ ଓ ୮ ତାରିଖରେ ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୧ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ହେତୁ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପିଲାମାନଙ୍କୁ ତଥା ଶିକ୍ଷକ ଓ ଅଭିଭାବକମାନଙ୍କୁ ପାଠପଢା ସହିତ ପିଲାର ସାମଗ୍ରିକ ଦକ୍ଷତା ବିକାଶ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ।

ଗତବର୍ଷର ଜାତୀୟସ୍ତର ବିଜେତା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ତରଫରୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ଓସେପାର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରେମଚନ୍ଦ୍ର ଚୌଧୁରୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କର କଳା ଓ ସଂସ୍କୃତି ପାଇଁ ଆଗ୍ରହ ତଥା ସାମଗ୍ରିକ ବିକାଶର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ କଳା ଓ ସଂସ୍କୃତି ମାଧ୍ୟମରେ ଓଡିଶାର ପାରମ୍ପରିକ କଳାକୁ ଦେଶ ତଥା ବିଶ୍ୱସମୂହରେ ପହଞ୍ଚାଇବା ପାଇଁ ପିଲାମାନଙ୍କ ପ୍ରଚେଷ୍ଟାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ଦିବସ ଅବସରରେ ବଲାଙ୍ଗୀର ସ୍ଥିତ ପଥରଚେପା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ରୂପାନ୍ତରିତ ବିଦ୍ୟାଳୟ ସଂଗୀତ ‘ହସିବରେ ହସିବ’ ଗୀତ ଗାଇ ଶୁଭାରମ୍ଭ କରିଥିଲେ ।

ବିଦ୍ୟାର୍ଥୀମାନଙ୍କ ପ୍ରତିଯୋଗିତା ମୂଲ୍ୟାୟନ ଏକ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀ ଦ୍ୱାରା କରାଯାଇଥିଲା । ଏହି ପ୍ରତିଯୋଗିତାଗୁଡିକୁ ୦୯ ଭାଗରେ ବିଭକ୍ତ କରାଯାଇ ପରିବେଷଣ କରଯାଇଥିଲା । ସେଗୁଡିକ ମଧ୍ୟରୁ ଭୋକାଲ ଶାସ୍ତ୍ରୀୟ ସଂଗୀତ, ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ, ବାଦ୍ୟଯନ୍ତ୍ର ଶାସ୍ତ୍ରୀୟ, ବାଦ୍ୟଯନ୍ତ୍ର ଲୋକ ଏବଂ ସ୍ୱଦେଶୀ ଖେଳ ଇତ୍ୟାଦି ଅନ୍ୟତମ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୯୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ରାଜ୍ୟସ୍ତରୀୟ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ୧୮ ଜଣ ପ୍ରତିଯୋଗୀଙ୍କୁ ଜାତୀୟସ୍ତରୀୟ କଳା ଉତ୍ସବରେ ଭାଗ ନେବାକୁ ସୁଯୋଗ ମିଳିବ । କାର୍ଯ୍ୟକ୍ରମକୁ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ନାୟକ ଓ ଉପ ନିର୍ଦ୍ଦେଶିକା ଶ୍ରୀମତୀ କଳ୍ପ¬ନା ହାଁସଦା ପରିଚାଳନା କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ଏକ ହଜାର ଛାତ୍ରଛାତ୍ରୀଙ୍କୁ ମିଳିଲା ଏକ କୋଟି ଟଙ୍କା, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ୧୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରତ୍ୟେକଙ୍କୁ ଦଶ ହଜାର ଟଙ୍କା ଲେଖାଏଁ କରି ମୋଟ ଏକ କୋଟି ଟଙ୍କା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ କରାଯାଇଛ ।

ଏହି ବୃତ୍ତି ମ୍ୟାଟ୍ରିକ ପରୀକ୍ଷାରେ ସାମଗ୍ରିକ ଭାବରେ ଓ ବିଶେଷ କରି ଗଣିତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପ୍ରଦାନ କରିଥାନ୍ତି । ଏଥିପାଇଁ ମ୍ୟାଟି୍ରକ୍‌ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଟପ-୨୦୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୨୭ ଜଣ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ । ଅଧକ୍ଷଙ୍କ ସୁପାରିଶ ଆଧାରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଏଥି ମଧ୍ୟରୁ ମେରିଟ ଆଧାରରେ ୧୦୦୦ ଜଣଙ୍କୁ ବୃତ୍ତି ପ୍ରଦାନ କରାଯାଇ ଅଛି ।

ବିଗତ ବର୍ଷ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇଁ ଆବେଦନ କରିଥିବା ବେଳେ ଚଳିତ ବର୍ଷ ବିଭାଗର ବିବିଧ ପ୍ରୟାସ ଯୋଗୁ ବିଶେଷ କରି ଓସେପାର ଶିକ୍ଷା ସମ୍ପର୍କ ସେଲ ସହାୟତାରେ ୧୦୦୦ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇପାରିଥିବାରୁ ସନ୍ତୋଷ ପ୍ରକାଶ ପାଇଛି ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜୟ ସାହୁଙ୍କ ପରଲୋକ ପରେ ବସିଲା ପ୍ରଥମ ଆଦର୍ଶ ବିଦ୍ୟାଳୟ ବୈଠକ, ନିଆଗଲା ଏହି ନିଷ୍ପତି

ଭୁବନେଶ୍ୱର, ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟ ବାବଦରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରୁ ଜଣାପଡ଼ିଛି ଯେ ଭୁବନେଶ୍ୱରରର ଅନ୍ଧାରୁଆଠାରେ ନିର୍ମାଣାଧୀନ ମଡେଲ ଆଦର୍ଶ ବିଦ୍ୟାଳୟର ପାଚେରୀ କାନ୍ଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ପୂର୍ଣ୍ଣାଙ୍ଗ କାର୍ଯ୍ୟ ୨୦୨୨ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଓଡ଼ିଶାର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୫୦୦ ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ମେଡିକାଲ, ଇଂଜିନିୟରିଂ ଏବଂ ଅନ୍ୟ ପ୍ରବେଶିକା ପରୀକ୍ଷା ପାଇଁ ଏଠାରେ ପ୍ରଶିକ୍ଷଣ ଦିଆଯିବ । ଏହା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ସ୍ୱର୍ଗତ ବିଜୟ କୁମାର ସାହୁଙ୍କର ଏକ ଅଭିଳଷିତ ପ୍ରକଳ୍ପ ଥିଲା ଏବଂ ପ୍ରମୁଖ ଶାସନ ସଚିବ ଆଗାମୀ ଶିକ୍ଷାବର୍ଷରୁ ଏଠାରେ ଶିକ୍ଷାରମ୍ଭ କରି ସଂଗଠନର ଉପଦେଷ୍ଟାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ପ୍ରଦର୍ଶନ କରିବାକୁ କହିଥିଲେ ।

ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଟାଟା ଷ୍ଟିଲ୍‌ ଦ୍ୱାରା ଜାରି ରହିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି କାର୍ଯ୍ୟଗୁଡ଼ିକ ସଂପୂର୍ଣ୍ଣ କରିବା ପାଇଁ ନିବେଦନ କରାଯାଇଥିଲା । ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଏବଂ ବରଗଡ଼ର ଜିଲ୍ଲାପାଳମାନଙ୍କୁ ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ସହ ଜମିର ମାଲିକାନା ନିର୍ବାହୀ ଯନ୍ତ୍ରୀମାନଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଥିଲା ।

କେଉଁଝର, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାମାନଙ୍କରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ପାଇଁ ଓମ୍‌ବାଡ୍‌ସ ପାଣ୍ଠିରେ ନିର୍ମିତ ହେଉଥିବା ହଷ୍ଟେଲ, ପଚୋରୀ କାନ୍ଥ, ସାଇକେଲ ଷ୍ଟାଣ୍ଡ, ଗମନାଗମନ ରାସ୍ତା ଆଦି ବାବଦରେ ମଧ୍ୟ ସମୀକ୍ଷା କରାଯାଇଥିଲା । ସମସ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଅନୁରୋଧ କରାଯାଇଥିଲା ।

ଏହି ସମୀକ୍ଷା ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ, ଆର୍‌ଡବ୍ଲୁ୍ୟଏସ୍‌ଏସ୍‌ର ମୁଖ୍ୟ ଯନ୍ତ୍ରୀ, ଟାଟା ଷ୍ଟିଲ୍‌ ଲିମିଟେଡ୍‌ର ପ୍ରତିନିଧି, ଓବିସିସିର ପରିଚାଳନା ନିର୍ଦ୍ଦେଶକ, ବିଭାଗୀୟ ଅତିରିକ୍ତ ସଚିବ, ଅନ୍ୟ ସମସ୍ତ ସଂପୃକ୍ତ ର୍ନିବାହୀ ଯନ୍ତ୍ରୀ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଞ୍ଚଳିକ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବଙ୍କ ଜଗତସିଂହପୁର ଜିଲ୍ଲାର ବନ୍ୟାଞ୍ଚଳ ଗ୍ରସ୍ତ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମୀକ୍ଷା

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବନ୍ୟାଜନିତ ପରିସ୍ଥିତିର ପରିଚାଳନା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ ଦାୟିତ୍ବରେ ଥିବା ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆଜି ତିର୍ତ୍ତୋଲ ବ୍ଲକ, କୁଜଙ୍ଗ ଓ ଜଗତସିଂହପୁର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଜଇପୁର ପଥପ୍ରାନ୍ତ ଆଶ୍ରୟ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହିତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ ।ଜଗତସିଂହପୁର ଜିଲ୍ଲାର ୧୬ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ସଜାଗରହି ଖାଦ୍ୟଦ୍ରବ୍ୟ, ଗୋ ଖାଦ୍ୟ ,ପଲିଥିନ୍ ଓ ଆର ଏସ୍ ଔଷଧ,ପାନୀୟଜଳ, ହାଲୋଜିନ୍ ଟାବଲେଟସ୍ ,ଶୁଖିଲା ଖାଦ୍ୟ, ରନ୍ଧାଖାଦ୍ୟ ରିଲିଫ୍ କୋର୍ଡ ଅନୁଯାୟୀ ଯୋଗାଇ ଦେଇଛନ୍ତି। ଏଥିସହିତ ଏନ୍ ଡି ଆର୍ ଏଫ୍, ଓଡ୍ରାଫ୍ ,ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି। ଯଦି ପାଣି ନିଷ୍କାସନ ନହୁଏ ଆର୍ ଡିସିଙ୍କ ଅନୁମତିରେ ରିଲିଫ୍ କୋର୍ଡ ଅନୁଯାୟୀ ରନ୍ଧାଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ। କୌଣସି ସ୍ଥାନରେ ଯେପରି ଧନଜୀବନ ହାନି ନହୁଏ ତା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଏଥିସହିତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ କ୍ଷୟକ୍ଷତି ଆକଳନ କରିବାକୁ କୁହାଯାଇଛି। ପାଣି ଛାଡିବା ପରେ ପୂର୍ନଉଦ୍ଧାର ଓ ଥଇଥାନ କାର୍ଯ୍ୟ ଆରମ୍ଭ ହେବ।

ଏଥିସହିତ ଅଧିକ ସଂଖ୍ୟକ ଏଲ୍ ଆଇ, ଗୋ ମିତ୍ର , ପାରାଭେଟ୍ ମାନଙ୍କୁ କ୍ଷତିଗ୍ରସ୍ତ ଗ୍ରାମାଞ୍ଚଳରେ ନିୟୋଜିତ କରିବାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ପଞ୍ଚାୟତକୁ ପାନୀୟ ଜଳ ଟ୍ୟାଙ୍କର ପଠାଇବା ସହିତ ଅନ୍ୟ ଟ୍ୟାଙ୍କର ଗାଁ ଗାଁ ବୁଲି ପାନୀୟଜଳ ଯୋଗାଇବାକୁ ଆର୍.ଡବ୍ଲ୍ୟୁ.ଏସ୍.ଏସ୍ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାଣି ଛାଡିବା ପରେ ସଂକ୍ରମଣ ଜନିତ ଡାଇରିଆକୁ ଦୃଷ୍ଟିରେ ରଖି ପ୍ରଚୁର ପରିମାଣରେ ହାଲୋଜିନ୍ ଟାବଲେଟ୍ ,ଓ.ଆର୍.ଏସ୍,ସାନିଟାରୀ ନ୍ୟାପକିନ୍ ଯୋଗାଇବାକୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରମୁଖ ଶାସନ ସଚିବଙ୍କ ସହ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ତିର୍ତ୍ତୋଲ, କୁଜଙ୍ଗ ଓ ଜଗତସିଂହପୁର ବ୍ଲକର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉଥିବା ଆଗୁଆ ପଦକ୍ଷେପ ସମ୍ପର୍କରେ ଶାସନ ସଚିବଙ୍କୁ ଅବଗତ କରାଯାଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ପିଡି ଡିଆର୍ ଡିଏ ସରୋଜକାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।