Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଆସିଥିବା ଅଭିଯୋଗ ନେଇ EdCILର ସ୍ପଷ୍ଟୀକରଣ

ଭୁବନେଶ୍ବର: ଓଡ଼ିଶାରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ଆସିଥିବା ଅଭିଯୋଗରେ EdCILର କୌଣସି ଭୂମିକା ନଥିବା ଜଣାପଡିଛି। ଏକ ପ୍ରେସ ବିଜ୍ଞପ୍ତି ଜାରି କରି EdCIL କହିଛି ଯେ, EdCIL ଓଡ଼ିଶା ସରକାରଙ୍କ ଓସେପା ସହ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଅଗଷ୍ଟ 22, 2023 ରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା ଏବଂ ପରୀକ୍ଷା ଆୟୋଜନ କରିଥିଲା।

ନିୟମ, ସର୍ତ୍ତାବଳୀ ଓ ମାନଦଣ୍ଡ ଅନୁସାରେ ଆଶାୟୀ ପ୍ରାର୍ଥୀମାନଙ୍କ ଚୟନ କରି ମେରିଟ୍ ତାଲିକା ଓଡ଼ିଶା ସରକାରଙ୍କ ଅଧୀନ ଓସେପାକୁ ଦିଆଯାଇଥିଲା। ରେସପୋର୍ନସେସ୍ କ୍ୟୁରି ମ୍ୟାନେଜମେଣ୍ଟ ଦ୍ୱାରା ଓସେପାର ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ସବୁ ପ୍ରକାର ଅଭିଯୋଗର ସମାଧାନ କରାଯାଇଥିଲା।

ସିବିଟି ପରୀକ୍ଷା ପରେ EdCIL 22 ଅଗଷ୍ଟ 2023ର ରେଜଲ୍ୟୁସନରେ ଦର୍ଶାଯାଇଥିବା ଗାଇଡଲାଇନ ଆଧାରରେ ପରୀକ୍ଷା ଫଳ ପ୍ରସ୍ତୁତ କରିଥିଲା ଏବଂ ଏମଓୟୁ ଆଧାରରେ ଓସେପାର ଅଧିକାରପ୍ରାପ୍ତ ନିଯୁକ୍ତ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।

କମ୍ବାଇନଡ୍ ଲିଷ୍ଟ ଓସେପାକୁ 13 ଜାନୁଆରୀରେ ପ୍ରଦାନ କରାଯାଇଥିଲା ଏବଂ 15 ଜାନୁଆରୀରେ ଜିଲ୍ଲା ଆଲୋକେସନ ସହ ମେରିଟ୍ ଲିଷ୍ଟ ଓସେପାକୁ ବି ପ୍ରଦାନ କରାଯାଇଥିଲା।

ଶିକ୍ଷକ ନିଯୁକ୍ତିରେ ଯାହା କିଛି ସମସ୍ୟା ହୋଇଛି, ତାହା ଓସେପା ତରଫରୁ ସମସ୍ୟା ରହିଥିବା ସ୍ପଷ୍ଟୀକରଣ ଦେଲା EdCIL।

Categories
ଆଞ୍ଚଳିକ

ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବ୍ଲକ୍‌ସ୍ତରୀୟ ପ୍ରଶିକ୍ଷଣ ଶିବିର

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧୂକରଣ କର୍ତ୍ତୃପକ୍ଷ (ଓସେପା), ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକଙ୍କ ବ୍ଳକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଆସିକା ବ୍ଲକ୍ ଓ ଏନ୍‌ଏସି ଅଧୀନ ୩୫ ହାଇସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‌ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧୂକାରୀ ବିଭୁନନ୍ଦନ ପଣ୍ଡା ଓ ଭାଗିରଥୀ ପାତ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜଲି ମହାପାତ୍ର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

ଶିବିରରେ ୫-ଟିରେ ରୂପାନ୍ତରିତ ହୋଇଥିବା ସ୍କୁଲଗୁଡିକର ସୁପରିଚାଳନା ଓ ଶୈକ୍ଷିକ ବାତାବରଣ ସୃଷ୍ଟି, ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାର ଯୋଜନାର ସଫଳ ରୂପାୟନ, ସ୍ମାର୍ଟସ୍କୁଲରେ ରୂପାନ୍ତରୀକରଣ ହେବାକୁ ଥିବା ସ୍କୁଲଗୁଡିକର ନିର୍ମାଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା, ହାଇସ୍କୁଲଗୁଡ଼ିକର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସାଙ୍କକୁ ଶୈକ୍ଷିକ କ୍ଷେତ୍ରରେ ଉନ୍ନତି କରିବା, ସମସ୍ତ ମାଧ୍ଯମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଗଠିତ ହେବାକୁ ଥିବା ଜିଜ୍ଞାସା, କୌଶଳୀ, ସାହିତ୍ୟ ସୃଜନୀ ଓ କ୍ରୀଡ଼ାଙ୍ଗନ ଆଦି ବିଷୟରେ ୪ କ୍ଲବର ଗଠନ ଓ ଆଭିମୁଖ୍ୟ, ମୋ ସ୍କୁଲ କାର୍ଯ୍ୟକ୍ରମର ସଫଳ ରୂପାୟନ, ବିଦ୍ୟାଳୟରେ ଲାଗୁ ହୋଇଥିବା ହାଉସ୍ ସିଷ୍ଟମ୍, ବାଇସାଇକେଲ ବଣ୍ଟନ ଓ ଷ୍ଟିକରିଂ, ସ୍କୁଲରେ ଷ୍ଟୁଡେଣ୍ଟ ମ୍ୟାପିଂ ରିପୋର୍ଟ, ନାମଲେଖା, ସ୍କୁଲ ଫିଡ୍‌ବ୍ୟାକ୍, ଷ୍ଟୁଡେଣ୍ଟ ଲିଡର୍‌ସିପ୍ ଆଓ୍ବାର୍ଡ ସମେତ ବିଭିନ୍ନ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିବଶଙ୍କର ଜେନା, ସିମାଞ୍ଚଳ ସେଠୀ, ସତ୍ୟନାରାୟଣ ସେଠୀ, ସରୋଜ କୁମାର ନାୟକ, ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଗୋବିନ୍ଦ ଚନ୍ଦ୍ର ଆଚର୍ଯ୍ୟ, ଅଶୋକ କୁମାର ପାଢୀ, ତାରାପ୍ରସାଦ ମିଶ୍ର, ପ୍ରଦୀପ କୁମାର ମହାପାତ୍ର, ଚିତ୍ତରଂଜନ ଷଡଙ୍ଗୀ, ଅଶୋକ କୁମାର ଦାଶ, ପ୍ରଦୀପ କୁମାର ଶତପଥୀ, ଅବନୀ କାନ୍ତ ତ୍ରିପାଠୀ, ସରୋଜକାନ୍ତ ମିଶ୍ର, ହିମାଂଶୁ ଶେଖର ମୁନୀ, ବିଭୁପ୍ରସାଦ ପଣ୍ଡା, ରାମକୃଷ୍ଣ ପଣ୍ଡା, ପ୍ରଦୀପ କୁମାର ପରିଡା, ଗୌରୀଶଙ୍କର ଗୌଡ, ଅଶୋକ କୁମାର ସେଠୀ, ରାଜୀବ ଲୋଚନ ସେଠୀ, ନାରାୟଣ ମହାପାତ୍ର, ଭାଗିରଥୀ ଷଡଙ୍ଗୀ, ହାଡୁବନ୍ଧୁ ମହାରଣା, ସ୍ନେହଲତା ଆଚାର୍ଯ୍ୟଙ୍କ ସମେତ ବହୁ ପ୍ରଧାନଶିକ୍ଷକ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏଫ୍‌ଏଲ୍‌ଏନ୍‌ କାର୍ଯ୍ୟକ୍ରମର ସମୀକ୍ଷା: କ୍ଲଷ୍ଟର ସ୍ତରୀୟ ବୈଠକରେ ଯୋଗଦେବେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ(ଏଫ୍‌ଏଲ୍‌ଏନ୍‌)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥୀ ଏସ୍‌ ଯୋଗଦେଇ ଏଫ୍‌ଏଲ୍‌ଏନର ସମୀକ୍ଷା କରିବା ସହ ଏହାର ପ୍ରକୃତ ଲକ୍ଷ୍ୟ ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟେକ ସ୍କୁଲର ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ମୌଳିକ ଜ୍ଞାନ ସହ ଗାଣିତିକ ଜ୍ଞାନରେ ସୁଦୃଢ ହୋଇପାରିବେ, ତାହା ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଭାଷା ଓ ଗାଣିତିକ ଜ୍ଞାନକୁ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଏ ନେଇ ସ୍ୱତନ୍ତ୍ର ପାଠ୍ୟଖସଡା ପ୍ରସ୍ତୁତ ହୋଇଛି। ଯାହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସହଜ, ସରଳ ଭାବେ ଶିଖିପାରିବେ। ଶିକ୍ଷକମାନଙ୍କୁ ମଧ୍ୟ ଏନେଇ ପ୍ରଶିକ୍ଷଣ ଦିଆଯାଇଛି।

ଏହି ବୈଠକରେ ଆଗାମୀ ୧୦ ମାସ ପାଇଁ କାର୍ଯ୍ୟକ୍ରମର ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି। ଏଫ୍‌ଏଲ୍‌ଏନର କାର୍ଯ୍ୟକାରିତା ଦିଗରେ ବିଭିନ୍ନ ସ୍ତରରେ ଦାୟିତ୍ୱ ନିର୍ବାହ ପାଇଁ ଆଲୋଚନା ହୋଇଛି। ଭାଷା ଓ ଗାଣିତିକ ଜ୍ଞାନ କ୍ଷେତ୍ରରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧିର ଅଗ୍ରଗତି ନେଇ ଏଣିକି କ୍ଲଷ୍ଟର ସ୍ତରରେ ଶିକ୍ଷକମାନଙ୍କର ବୈଠକ କରିବାକୁ ବିଭାଗୀୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। କ୍ଲଷ୍ଟରସ୍ତରୀୟ ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା କରିବାକୁ ସଚିବ ପରାମର୍ଶ ଦେଇଥିଲେ। ଏନେଇ ସିଆର୍‌ସିସିମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ନିୟମିତ ସ୍କୁଲ ପରିଦର୍ଶନ କରିବା ସହ ମାସର କୌଣସି ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟରତ ଶନିବାର ଦିନ କ୍ଲଷ୍ଟର ସ୍ତରରେ ବୈଠକର ଆୟୋଜନ କରିବେ। ପ୍ରତ୍ୟେକ ବୈଠକ ଏକ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ଉପରେ ଆଧାରିତ ହେବ। କାର୍ଯ୍ୟକ୍ରମର ଅଗ୍ରଗତି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ। ଏଫ୍‌ଏଲ୍‌ଏନ୍‌କୁ ତଦାରଖ କରିବାକୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଡିଆଇଇଟି)କୁ ଦାୟିତ୍ୱ ଦିଆଯାଇଛି।

ଏଫ୍‌ଏଲ୍‌ଏନ୍‌ର ମୂଳ ଉଦ୍ଦେଶ୍ୟ, ଲକ୍ଷ୍ୟକୁ ପ୍ରତ୍ୟେକ ସ୍ତରରେ ବୁଝିବା ଓ ଏହାକୁ ପ୍ରୟୋଗ କରି ସଫଳତା ପାଇବା ପାଇଁ ସମସ୍ତ ଅଧିକାରୀଙ୍କୁ ଶାସନ ସଚିବ ପରାମର୍ଶ ଦେଇଥିଲେ। ଜୁଲାଇରୁ ଡିସେମ୍ବର ମାସ ଓ ଡିସେମ୍ବରରୁ ଆଗାମୀ ଶିକ୍ଷାବର୍ଷ ଯାଏ ଦୁଇଟି ସ୍ତରରେ ଏଫ୍‌ଏଲ୍‌ଏନ୍‌କୁ କାର୍ଯ୍ୟାନ୍ୱିତ କରିବାକୁ ଆଲୋଚନା ହୋଇଛି। ବୈଠକରେ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ଏସସିଇଆରଟି ନିର୍ଦ୍ଦେଶକ ମନୋଜ କୁମାର ପାଢୀ, ମୋ ସ୍କୁଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ ଜେନାଙ୍କ ସହ ୟୁନିସେଫ୍‌, ସିଏସ୍‌ଏଫ୍‌, ଏଲ୍‌ଏଲ୍‌ଏଫ୍‌, ପିଏଫ୍‌ଇଏଲ୍‌ ଓ ଅକ୍ଷରା ଫାଉଣ୍ଡେସନର ଅନ୍ୟାନ୍ୟ ଅଧିକାରୀ ଏବଂ ଗଣଶିକ୍ଷା ବିଭାଗର ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନବନିଯୁକ୍ତ ପିଜିଟିମାନଙ୍କର ପାଞ୍ଚଦିନିଆ ପ୍ରବେଶକାଳୀନ ତାଲିମ ଶୁଭାରମ୍ଭ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆର.ଆଇ.ଇ. ଭୁବନେଶ୍ୱର ଓ ଓସେପା ମିଳିତ ପ୍ରୟାସରେ ଆୟୋଜିତ ନବନିଯୁକ୍ତ ପିଜିଟିମାନଙ୍କର ପାଞ୍ଚଦିନିଆ ପ୍ରବେଶକାଳୀନ ତାଲିମ ଶିବିର ଆର.ଆଇ.ଇ. ଭୁବନେଶ୍ୱରଠାରେ ଉଦଘାଟିତ ହୋଇ ଯାଇଛି। ଏଥିରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ପାଇଁ ଗୁଣାତ୍ମକ ଶିକ୍ଷା ଓ ନୈତିକ ଶିକ୍ଷା ଉପରେ ଗୁରୁିତ୍ୱ ଦେଇଥିଲେ।

ତାଲିମ ସମୟରେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ଦ୍ୱାରା ବିଭିନ୍ନ ଶିକ୍ଷଣ କୌଶଳ ଲାଭ ପାଇଁ ସେ ପରାମର୍ଶ ଦେଇଥିଲେ। ଆରଆଇଇର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ, ଚରିତ୍ର ଗଠନ ଓ ଶିକ୍ଷକ ସେମାନଙ୍କ ପାଇଁ ଏକ ରୋଲ ମଡେଲ ହେବାକୁ ପ୍ରେରଣା ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିିନୀ ମିଶ୍ର ଶିକ୍ଷକମାନେ କିପରି ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍‌ନାକରି ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବେ ସେ ବିଷୟରେ ଆହ୍ୱାନ ଦେଇଥିଲେ।

ପ୍ରାରମ୍ଭରେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର୍‌. ଆୟାର ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ ଏହି ତାଲିମ ସମୟରେ ବିଭାଗର ବିବିଧ କାର୍ଯ୍ୟକ୍ରମ ବିଷୟରେ ସୂଚନା ଯଥା ସରକାରୀ ସେବା ଓ ଶୃଙ୍ଖଳା ନୀତିନିୟମ, ଓଡିଶା କ୍ୟାରିଅର ପୋର୍ଟାଲ, ଜାତୀୟ ଶିକ୍ଷା ନୀତି, ଧନ୍ଦାମୂଳକ ଶିକ୍ଷା, ଧାରାଣୀୟ ବିକାଶ, ସାମସ୍‌ ପୋର୍ଟାଲ, ଶ୍ରେଣୀଗୃହ ପରିଚାଳନା କୌଶଳ, ରାଗିଙ୍ଗମୁକ୍ତ କ୍ୟାମ୍ପସ, ସମଗ୍ର ଶିକ୍ଷା ଓ ଷ୍ଟାରସ କାର୍ଯ୍ୟକ୍ରମ, ଆଇସିଟି ଯୁକ୍ତ ଶିକ୍ଷା, ମୋ ସ୍କୁଲ ଆଦି ବିଷୟରେ ଆଲୋଚନା ହେବା ସଂଗେ ସଂଗେ ୱାର୍ଲଡ ସ୍କିଲ ସେଣ୍ଟର କ୍ଷେତ୍ର ପରିଦର୍ଶନ ଯୋଜନା ଥିବା କହିଥିଲେ।

ଅଂଶଗ୍ରହଣକାରୀ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପିଜିଟି ପ୍ରତିଭା ପ୍ରଧାନ ପ୍ରଥମେ ଜଗନ୍ନାଥ ବନ୍ଦନା ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ରୋଜାଲିନ ମହାରଣା ସରସ୍ୱତୀ ବନ୍ଦନା ଗାନ କରିଥିଲେ। ଡ଼. ସନାତନ ପଣ୍ଡା, ଯୁଗ୍ମ ନିର୍ଦ୍ଦେଶକ ଏହି ତାଲିମ୍‌କୁ ପରିଚାଳନା କରିଥିବାବେଳେ ଉପନିର୍ଦ୍ଦେଶକ ପ୍ରଫେସର ତିଳୋତ୍ତମା ସେନାପତି ସଂଯୋଜନା ଓ ମଧୁସୂଦନ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସ୍ତରୀୟ କଳା ଉତ୍ସବ ଜାତୀୟ ସ୍ତରୀୟ ଯୋଗଦେବେ ମନୋନୀତ ୧୮ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଓସେପା ଆନୁକୁଲ୍ୟରେ ଚଳିତ ମାସ ଡିସେମ୍ବର ୭ ଓ ୮ ତାରିଖରେ ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୧ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ହେତୁ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପିଲାମାନଙ୍କୁ ତଥା ଶିକ୍ଷକ ଓ ଅଭିଭାବକମାନଙ୍କୁ ପାଠପଢା ସହିତ ପିଲାର ସାମଗ୍ରିକ ଦକ୍ଷତା ବିକାଶ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ।

ଗତବର୍ଷର ଜାତୀୟସ୍ତର ବିଜେତା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ତରଫରୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ଓସେପାର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରେମଚନ୍ଦ୍ର ଚୌଧୁରୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କର କଳା ଓ ସଂସ୍କୃତି ପାଇଁ ଆଗ୍ରହ ତଥା ସାମଗ୍ରିକ ବିକାଶର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ କଳା ଓ ସଂସ୍କୃତି ମାଧ୍ୟମରେ ଓଡିଶାର ପାରମ୍ପରିକ କଳାକୁ ଦେଶ ତଥା ବିଶ୍ୱସମୂହରେ ପହଞ୍ଚାଇବା ପାଇଁ ପିଲାମାନଙ୍କ ପ୍ରଚେଷ୍ଟାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ଦିବସ ଅବସରରେ ବଲାଙ୍ଗୀର ସ୍ଥିତ ପଥରଚେପା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ରୂପାନ୍ତରିତ ବିଦ୍ୟାଳୟ ସଂଗୀତ ‘ହସିବରେ ହସିବ’ ଗୀତ ଗାଇ ଶୁଭାରମ୍ଭ କରିଥିଲେ ।

ବିଦ୍ୟାର୍ଥୀମାନଙ୍କ ପ୍ରତିଯୋଗିତା ମୂଲ୍ୟାୟନ ଏକ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀ ଦ୍ୱାରା କରାଯାଇଥିଲା । ଏହି ପ୍ରତିଯୋଗିତାଗୁଡିକୁ ୦୯ ଭାଗରେ ବିଭକ୍ତ କରାଯାଇ ପରିବେଷଣ କରଯାଇଥିଲା । ସେଗୁଡିକ ମଧ୍ୟରୁ ଭୋକାଲ ଶାସ୍ତ୍ରୀୟ ସଂଗୀତ, ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ, ବାଦ୍ୟଯନ୍ତ୍ର ଶାସ୍ତ୍ରୀୟ, ବାଦ୍ୟଯନ୍ତ୍ର ଲୋକ ଏବଂ ସ୍ୱଦେଶୀ ଖେଳ ଇତ୍ୟାଦି ଅନ୍ୟତମ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୯୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ରାଜ୍ୟସ୍ତରୀୟ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ୧୮ ଜଣ ପ୍ରତିଯୋଗୀଙ୍କୁ ଜାତୀୟସ୍ତରୀୟ କଳା ଉତ୍ସବରେ ଭାଗ ନେବାକୁ ସୁଯୋଗ ମିଳିବ । କାର୍ଯ୍ୟକ୍ରମକୁ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ନାୟକ ଓ ଉପ ନିର୍ଦ୍ଦେଶିକା ଶ୍ରୀମତୀ କଳ୍ପ¬ନା ହାଁସଦା ପରିଚାଳନା କରିଥିଲେ ।

Categories
ଆଜିର ଖବର ଆଞ୍ଚଳିକ

ଓସେପାର ଜାଲିଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଜିଲ୍ଲା କର୍ମଚାରୀ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି

ରମେଶ ମହାନ୍ତି
ଜଗତସିଂହପୁର: ଓସେପାର ରାଜ୍ୟ କାର୍ଯ୍ୟାଳୟ ଜାଲି କର୍ମଚାରିଙ୍କ ଉପରେ ନିଆଯାଉଥିବା ପଦକ୍ଷପକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଶିକ୍ଷକଟିଏ ଜାଲି ବୋଲି ଧରା ହୋଇ ଚାକିରୀରୁ ବିଦା ହୋଇ ଗଲା ବେଳେ ଓସେପା ଜାଲି ମାନଙ୍କୁ ତଳ ପଦବୀରେ ଅବସ୍ଥାପିତ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମାତ୍ର ଜଗତସିଂହପୁର ସମଗ୍ର କାର୍ଯ୍ୟାଳୟର କିଛି କର୍ମଚାରୀ ପାଗଳଙ୍କ ପରି ବିଳାପ କରିବା ଚର୍ଚ୍ଚାର ବିଷୟ ହୋଇଛି। ନିଜକୁ ଦକ୍ଷ ବୋଲି କହୁଥିବା ସାର୍ ଜଣଙ୍କ ଦାନ୍ତ କଡମଡ କରି ସବୁ ଶିକ୍ଷକଙ୍କ ପୋଲ ଖୋଲି ଦେବେ ବୋଲି କହୁଥିବା ଚର୍ଚ୍ଚା ହେଉଛି।

ତେବେ ଜିଲ୍ଲାରେ କେତେ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜାଲି ଅଛନ୍ତି ବା ସେମାନଙ୍କ ପ୍ରମାଣ ପତ୍ର ତିଆରି କରିବାରେ ସାରଙ୍କ ଏଥିରେ ହାତ ନାହିଁ ତ? ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେଣୁ ସରକାର ନିରପେକ୍ଷ ତଦନ୍ତ କରି ଜିଲ୍ଲାରେ ଥିବା ଜାଲି ଶିକ୍ଷକମାନଙ୍କୁ ଠାବ କରିବା ସହିତ ସେମାନଙ୍କୁ ନିଯୁକ୍ତିରେ ସହଯୋଗ କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜିବୀ ମହଲରେ ଦାବୀ ହେଉଛି।