ରେଳମନ୍ତ୍ରୀଙ୍କ ଅଭିଯୋଗ ପରେ ଜମି ଅଧିଗ୍ରହଣ ନେଇ ରାଜ୍ୟ ସରକାରଙ୍କ ତତ୍ପରତା

Published: Jan 14, 2022, 2:40 am IST

ଭୁବନେଶ୍ୱର: ନିକଟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସିଥିଲେ। ଏହି ସମୟରେ ସେ ବିଭିନ୍ନ ଉଦଘାଟନ ବେଳେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ଯେତେ ଶିଘ୍ର ଜମି ଯୋଗାଇବେ ସେତେ ଶିଘ୍ର ସ୍ଥିଗିତ ଥିବା ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ।

ଏହାପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଗୁରୁବାର ଦିନ ରାଜ୍ୟରେ ଚାଲୁ ରହିଥିବା ସମସ୍ତ ରେଳ ପ୍ରକଳ୍ପ ପାଇଁ ଥିବା ଜମି ଅଧିଗ୍ରହଣ ଉପରେ ସମୀକ୍ଷା ବୈଠକ ହୋଇଥିଲା।  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶିଘ୍ର ଜମି ହସ୍ତାନ୍ତର ପାଇଁ ଆଲୋଚନା ହୋଇଥିଲା।

ଏହି ବୈଠକରେ ପ୍ରାୟ ୪୦ଟି ରେଳ ପ୍ରକଳ୍ପର ଜମି ଗ୍ରହଣ ସଂପର୍କରେ ଆଲୋଚନା ହୋଇଥିଲା । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ସଂପର୍କରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିବା ସହ ଏହି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଭର୍ଚୁଆଲ ମୋଡ଼୍‌ରେ ଆୟୋଜିତ ଏହି ବୈଠକରେ ୨୧ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ବାଣିଜ୍ୟ ଓ ପରିବହନ ବିଭାଗର ଜମି ଅଧିଗ୍ରହଣ ଅଧିକାରୀ ଓ ରେଲେୱର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Related posts