
ସୀତାରାମ ଅଗ୍ରୱାଲ
ଚିଲିକା: ନିର୍ବାଚିତ ସମିତି ସଭ୍ୟାଙ୍କୁ ଜାତିଆଣ ଆକ୍ଷେପ ମାହାଙ୍ଗା ପଡିଛି। ଏହି ମାମଲାରେ ଯୋଗାଣ ସହାୟକ ବନ୍ଧା ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।
ଅଭିଯୋଗ ମୁତାବକ ଚିଲିକା ବ୍ଲକ ହାଟବରଡ଼ି ପଞ୍ଚାୟତର ଯୋଗାଣ ସହାୟକ ସଞ୍ଜୟ ଜେନା ଉକ୍ତ ପଞ୍ଚାୟତର ସମିତି ସଭ୍ୟା ମିନତୀ ବେହେରାଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ତେବେ ପିଡ଼ିଏସ ସାମଗ୍ରୀରେ ହେରଫେର ହେଉଥିବା ଜଣାପଡିବାରୁ ମିନତୀ ପୁର୍ବରୁ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ସଞ୍ଜୟ ଆକ୍ରୋଶମୂଳକ ଭାବେ ତାଙ୍କୁ ଦୁର୍ବ୍ୟବହାର ଏବଂ ଜାତିଆଣ ଆକ୍ଷେପ କରିଥିବା ମିନତୀ ଏତଲାରେ ଦର୍ଶାଇଛନ୍ତି।
ସେହିପରି ଭାବେ ବିଗତଦିନରେ ସଞ୍ଜୟ ମିନତୀଙ୍କ ସ୍ୱାମୀ ଶୁକଦେବ ବେହେରାଙ୍କ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ସହ ଗ୍ରାମର ଜଣେ ଦିବ୍ୟାଙ୍ଗ ଓ ନାବାଳିକାଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ ଶୁକଦେବଙ୍କ ବିରୋଧରେ ଅପପ୍ରଚାର କରିଥିଲେ। ସଞ୍ଜୟ ପୁର୍ବରୁ ଉକ୍ତ ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ମଧ୍ୟ ଭିଡିଓ କରି ସୋସିଆଲ ମିଡିଆରେ ଅପପ୍ରଚାର କରିବା ସହ ଧମକ ଚମକ ଦେଇଥିବାର ଅଭିଯୋଗ କରିଛନ୍ତି ମିନତୀ। ମିନତୀଙ୍କ ଜୀବନକୁ ବିପଦ ଥିବାରୁ ଏବଂ ସମ୍ମାନ ହାନି ହୋଇଥିବାରୁ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ନିକଟରେ ଦାବି କରିଛନ୍ତି।
ଅପରପକ୍ଷରେ ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ ସଞ୍ଜୟଙ୍କୁ ଗିରଫ କରିଥିବା ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ କହିଛନ୍ତି। ସଞ୍ଜୟଙ୍କ ବିରୁଦ୍ଧରେ କେସ ନମ୍ବର ୮୪୦/୨୨ ରେ ଏକ ଜାତିଆଣ ମାମଲା ରୁଜୁ ହେବା ସହ ବହୁ ଦିଗରେ ତଦନ୍ତ ଜାରି ରହିଥିବାର ଶ୍ରୀ ବିଶ୍ୱାଳ କହିଛନ୍ତି।