ଅନ୍ତର୍ଜାତୀୟ ପୋଷକ ଶସ୍ୟ ବର୍ଷ ଅବସରରେ କୃଷି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଗଲା କାର୍ଯ୍ୟକ୍ରମ

Published: Dec 20, 2022, 8:20 pm IST

ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ବରେ ମିଲେଟ୍‌ ବା ମୋଟା ଶସ୍ୟକୁ ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରିବା ଲାଗି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ପ୍ରଚାରପ୍ରସାର କରାଯାଉଛି। ଏ ଦିଗରେ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ସଂସଦ ଭବନ ପରିସରରେ ସାଂସଦମାନଙ୍କ ପାଇଁ ଏକ ‘ସ୍ବତନ୍ତ୍ର ମିଲେଟ୍‌ ମଧ୍ୟାହ୍ନଭୋଜନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ୨୦୨୩କୁ ଅନ୍ତର୍ଜାତୀୟ ପୁଷ୍ଟିକର ଶସ୍ୟ ବର୍ଷ ଭାବେ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପୂର୍ବରୁ ଏହି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଶ୍ରୀ ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେ ଗୌଡ଼ା, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ, ଲୋକସଭାରେ କଂଗ୍ରେସ ସାଂସଦ ଦଳର ନେତା ଅଧିରରଞ୍ଜନ ଚୌଧୁରୀ, ରାଜ୍ୟସଭାରେ ଶାସକ ଦଳର ନେତା ତଥା କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, କେନ୍ଦ୍ର ମନ୍ତ୍ରୀଗଣ ଏବଂ ରାଜ୍ୟସଭା ଓ ଲୋକସଭାର ସାଂସଦଗଣ ଏହି ‘ସ୍ବତନ୍ତ୍ର ମିଲେଟ୍‌ ମଧ୍ୟାହ୍ନ ଭୋଜନ’ରେ ସାମିଲ ହେବା ସହିତ ଯଅ, ବାଜରା, ମାଣ୍ଡିଆ ଆଦି ଶସ୍ୟରେ ପ୍ରସ୍ତୁତ ବ୍ୟଞ୍ଜନ ଖାଇଥିଲେ। ସମସ୍ତେ ଏହି ବ୍ୟଞ୍ଜନକୁ ପ୍ରଶଂସା କରିବା ସହିତ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ପାଳନକୁ ସ୍ବାଗତ କରିଥିଲେ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ଓ ଶୋଭା କରନ୍ଦଲାଜେ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କ ପ୍ରସ୍ତାବକ୍ରମେ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରିବାକୁ ମିଳିତ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି। ଭାରତ ସମେତ ସାରା ବିଶ୍ବରେ ଏହି ଦିବସ ପାଳନ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମାର କହିଥିଲେ ଯେ, ଭାରତର ପ୍ରାଚୀନ ପୋଷକ ଶସ୍ୟକୁ ଖାଦ୍ୟ ପ୍ରଣାଳୀରେ ପୁଣିଥରେ ସାମିଲ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଆହ୍ବାନକ୍ରମେ ପ୍ରୟାସ ଆରମ୍ଭ ହୋଇଛି। ଏହା ଜନସାଧାରଣଙ୍କ ପୁଷ୍ଟିସାଧନ ଆବଶ୍ୟକତା ପୂରଣ କରିବା ସହିତ ଚାଷୀଙ୍କ ପାଇଁ ଲାଭଜନକ ସାବ୍ୟସ୍ତ ହେବ।

ମିଲେଟ୍‌ ବର୍ଷ ପାଳନ ପୂର୍ବରୁ ସଂସଦ ଭବନ ପରିସରରେ ଏହି ସୁସ୍ବାଦୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭାରତୀୟ ପୁଷ୍ଟିକର ଶସ୍ୟରେ ପ୍ରସ୍ତୁତ ଖାଦ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଓ ସାଂସଦମାନେ ଖାଇଥିଲେ । ଏଥିପାଇଁ ସଂସଦ ଭବନ ପରିସରକୁ ସୁସଜ୍ଜିତ କରାଯାଇଥିଲା। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ଅଂଶୀଦାରମାନଙ୍କ ଦ୍ବାରା ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷର ପ୍ରଚାର ନିମନ୍ତେ  ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି ପରିଦର୍ଶନ କରିଥିଲେ।

କର୍ଣ୍ଣାଟକ ଓ ରାଜସ୍ଥାନର ରୋଷେୟାମାନଙ୍କ ଦଳ ମିଲେଟ୍‌ରେ ପ୍ରସ୍ତୁତ ଭାରତୀୟ ବ୍ୟଞ୍ଜନ ପରଷି ଦେଇଥିଲେ । ନିକଟରେ ଇଟାଲୀର ରୋମ୍‌ ସ୍ଥିତ ମିଳିତ ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନ (ଫାଓ) ମୁଖ୍ୟାଳୟ ଠାରେ ଅନ୍ତର୍ଜାତୀୟ ପୋଷକ ଶସ୍ୟ ଦିବସର ଶୁଭାରମ୍ଭ ସମାରୋହ ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ୟ ଯେ, ମିଲେଟ୍‌ ବା ମୋଟା ଶସ୍ୟ ହେଉଛି ଏକ ପ୍ରାଚୀନ ଶସ୍ୟ। ଏହା ଶୁଖିଲା ଜମିରେ ଚାଷ ହୋଇଥାଏ। ଏହା ପରିବେଶ ଅନୁକୂଳ, ଜଳବାୟୁ ସହନଶୀଳ ତଥା କମ୍‌ ପାଣି ଓ ଖତସାର, କୀଟନାଶକ ଆବଶ୍ୟକ କରିଥାଏ। ଭାରତରେ ଉତ୍ପାଦିତ ମିଲେଟ୍‌ ଏକ ପୋଷକ ଶସ୍ୟ ଭାବେ ଲୋକପ୍ରିୟତା ଅର୍ଜନ କରିଛି। ପ୍ରଥମେ ଏସିଆ ଓ ଆଫ୍ରିକାରେ ମିଲେଟ୍‌ ଚାଷ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ସାରା ବିଶ୍ବକୁ ବ୍ୟାପି ଯାଇଥିଲା।

Related posts