ପଞ୍ଜାବ ସୀମାରେ ପ୍ରବେଶ କଲା ପାକିସ୍ତାନୀ ଡ୍ରୋନ: ଗୁଳି କରି ଖସାଇଲେ ବିଏସଏଫ ଯବାନ

Published: Dec 22, 2022, 12:13 pm IST

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନମାନେ ଅନ୍ତର୍ଜାତୀୟ ସୀମା ଦେଇ ପଞ୍ଜାବରେ ପ୍ରବେଶ କରୁଥିବା ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି କରି ଖସାଇଦେଇଛନ୍ତି। ସୀମାରେ ପାକିସ୍ତାନର ଏହି କାର୍ଯ୍ୟକୁ ଭାରତୀୟ ସୈନିକମାନେ ବିଫଳ କରିଛନ୍ତି। ବିଏସଏଫର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ପାକିସ୍ତାନୀ ଡ୍ରୋନ୍ ତରନ ତାରନ ଜିଲ୍ଲାର ଫିରୋଜପୁର ସେକ୍ଟରରେ ପାକିସ୍ତାନ ସୀମାରେ ଥିବା ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ଭାରତୀୟ ସେନାର ସୈନିକମାନେ ଡ୍ରୋନ୍ ଉପରକୁ ଗୁଳି ଚଳାଇ ତଳକୁ ଖସାଇଦେଇଥିଲେ।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ବିଏସଏଫ କର୍ମଚାରୀମାନେ ବୁଧବାର ରାତି ୮ ଟାରେ ପାକିସ୍ତାନୀ ଡ୍ରୋନକୁ ଗୁଳି କରିଥିଲେ। ଡ୍ରୋନ୍ ଖୋଜିବା ପାଇଁ ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଥିଲା। ବିଏସଏଫ ଯବାନମାନେ ଆଜି ସକାଳ ୮ ଟାରେ ପାକିସ୍ତାନୀ ଡ୍ରୋନକୁ ଏକ କ୍ଷେତରୁ ଉଦ୍ଧାର କରିଥିଲେ, କିନ୍ତୁ ଡ୍ରୋନ୍ ସାହାଯ୍ୟରେ ପଠାଯାଇଥିବା ସାମଗ୍ରୀ ମିଳିନଥିଲା। ଯାହାର ସନ୍ଧାନ ମଧ୍ୟ କରାଯାଉଛି।

ଶୀତ ଋତୁରେ ଘନ କୁହୁଡ଼ିର ସୁଯୋଗ ନେଇ ଡ୍ରୋନ୍ ମାଧ୍ୟମରେ ସୀମା ପାର କରି ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ପାକିସ୍ତାନର ଉଦ୍ୟମ ତୀବ୍ର ହୋଇଛି। ସମ୍ପ୍ରତି ଏହି ଘଟଣା ପରେ ପଞ୍ଜାବର ଭାରତ-ପାକିସ୍ଥାନ ସୀମା ନିକଟରେ ସିସିଟିଭି ବୃଦ୍ଧି କରାଯାଇଛି। ଅମୃତସର, ତରନତାରନ ଏବଂ ଫାଜିଲ୍କା ଜିଲ୍ଲାରେ ପାକିସ୍ତାନୀ ଡ୍ରୋନ୍ ଅଧିକ ଦୃଶ୍ୟମାନ ହେଉଛି।

Related posts