ଏଥର ଜାନୁୟାରୀରେ ଏକ ବିରଳ ସଂଯୋଗ, ଶାମ୍ବ ଦଶମୀରୁ ଆରମ୍ଭ ମାଘ ସପ୍ତମୀରେ ଶେଷ

Published: Jan 1, 2023, 3:22 pm IST
ShambaDasami

ଭୁବନେଶ୍ବର: ଚଳିତ ନୂଆ ବର୍ଷ ଏକ ବିରଳ ସଂଯୋଗ ନେଇ ଆସିଛି। ଯାହା କେବେ ଘଟି ନ ଥିଲା। ଏଥର ନୂଆ ବର୍ଷ ଜାନୁୟାରୀ ମାସଟି ଶାମ୍ବ ଦଶମୀରୁ ଆରମ୍ଭ ହୋଇଛି। ଆଉ ଏହି ମାସଟି ମାଘ ସପ୍ତମୀରେ ଶେଷ ହେଉଛି।

ଅର୍ଥାତ ଜାନୁୟାରୀ ଏକ ତାରିଖରେ ସୂର୍ଯ୍ୟ ପୂଜାରୁ ଆରମ୍ଭ ସେହି ସୂର୍ଯ୍ୟ ପୂଜାରେ ଶେଷ ହେଉଛି। ଅର୍ଥାତ ଜାନୁୟାରୀ ୨୮ ତାରିଖରେ ପଡୁଛି ମାଘ ସପ୍ତମୀ। ଏହା ପରେ ଜାନୁୟାରୀ ମାସ ଶେଷ ହେବାକୁ ଆଉ ତିନିଦିନ ରହୁଥିଲେ ମଧ୍ୟ ଏହି ଦିନରେ କୌଣସି ପର୍ବପର୍ବାଣୀ ନାହିଁ। ତେଣୁ ଜାନୁୟାରୀ ମାସର ଶେଷ ପର୍ବ ହେଉଛି ମାଘ ସପ୍ତମୀ।

ତେବେ ଜ୍ୟୋତିଷ ଶାସ୍ତ୍ର କିମ୍ବା ଧାର୍ମିକ କ୍ଷେତ୍ରରେ ଏହା କେତେ ଗୁରୁତ୍ବ ବହନ କରେ ତାହା ଭିନ୍ନ କଥା। ହେଲେ ମାସ ଆରମ୍ଭରୁ ସୂର୍ଯ୍ୟ ପୂଜା ଏବଂ ମାସ ଶେଷ ହେବାକୁ 3 ଦିନ ଥିବା ବେଳେ ହେଉଛି ସେହି ସୂର୍ଯ୍ୟ ପୂଜାରେ ଯାହା ଏକ ବିରଳ ସଂଯୋଗ ବୋଲି କୁହାଯିବ। ଗତ ବର୍ଷ ଶାମ୍ବ ଦଶମୀ ଜାନୁୟାରୀ ୧୨ ତାରିଖରେ ପଡିଥିବା ବେଳେ ମାଘ ସପ୍ତମୀ ଫେବୃୟାରୀ ୭ ତାରିଖରେ ପଡିଥିଲା।

ସାଧାରଣତଃ ଶାମ୍ବ ଦଶମୀରେ ଓଡିଶାରେ ଘରେଘରେ ସୂର୍ଯ୍ୟ ପୂଜା କରାଯାଇଥାଏ। ଏଥିରେ ପିଲାମାନଙ୍କ ମଙ୍ଗଳ କାମନା କରି ଏହି ପୂଜା ଖୋଲା ସ୍ଥାନରେ କରାଯାଇଥାଏ। ଏହି ଦଶମୀ ପୂଜାରେ ୧୦ ଟି ଜିନିଷ ଭୋଗ କରାଯାଇଥାଏ। କେତେକ ସ୍ଥାନରେ ମକର ଚାଉଳ କିମ୍ବା ଗଇଁଠା ଖିରି ମଧ୍ୟ ପୂଜା କରାଯାଏ।

ସେହିପରି ମାଘ ସପ୍ତମୀ ବା ଚନ୍ଦଭାଗା ବୁଡ ମଧ୍ୟ ଧାର୍ମିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବ ପୂର୍ଣ୍ଣ। ସେହି ଶାମ୍ବ ବା କୃଷ୍ଣପୁତ୍ର କୁଷ୍ଠ ରୋଗରୁ ମୁକ୍ତି ପାଇଁ ସେ ଚନ୍ଦ୍ରଭାଗା କୁଳରେ ତପସ୍ୟା କରିଥିଲେ। ଆଉ ତପସ୍ୟାରେ ସେ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେଥିପାଇଁ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ହଜାର ହଜାର ଭକ୍ତ ବୁଡ ପକାଇଥାନ୍ତି।

ଏହିପରି ସୂର୍ଯ୍ୟଙ୍କ ସହିତ ଜଡିତ ଦୁଇ ପ୍ରମୁଖ ପୂଜା ଜାନୁୟାରୀର ଆରମ୍ଭରେ ଏବଂ ଶେଷରେ ପାଳିତ ହୋଇଛି। ସେଥିପାଇଁ ୨୦୨୩ ମସିହା ଜାନୁୟାରୀ ମାସଟି ବହୁ ଲୋକଙ୍କ ପାଇଁ ଶୁଭଦାୟ ହେବ ବୋଲି କୁହାଯାଇଛି। ସେଥିପାଇଁ ଏହି ମାସରେ ପ୍ରତ୍ୟେକ ରବିବାରରେ ସ୍ନାନ ପରେ ସୂର‌୍ୟ୍ୟଙ୍କୁ ନମସ୍କାର କଲେ ବହୁ ସୁଫଳ ମିଳିବ ବୋଲି କୁହାଯାଇଛି।

Related posts