୩ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ବାଲୁଗାଁ ମେଡିକାଲ୍ ଅଧିକାରୀ ଓ ବିପିଏମ

Published: Jan 12, 2023, 5:23 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ପରିପ୍ରେକ୍ଷିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ତିନି ଜଣ ରୋଗୀଙ୍କୁ ମେଡିକାଲ ଅଧିକାରୀ ଓ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳିକା(ବିପିଏମ) ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯକ୍ଷ୍ମାରୋଗୀ ମାନଙ୍କୁ ଉତ୍ତମ ପୋଷଣ ସହ ସୁସ୍ଥ ଜୀବନ ଯାପନ ନିମନ୍ତେ ସେମାନଙ୍କୁ ପୋଷ୍ୟ ଭାବେ ବିଭିନ୍ନ ଅଧିକାରୀ ଜନପ୍ରତିନିଧି ଓ ବ୍ୟବସାୟୀ ମାନଙ୍କୁ ନିକ୍ଷୟ ମିତ୍ର ଯୋଜନା ମାଧ୍ୟମରେ ଆହ୍ବାନ କରାଯାଇଛି। ସେମାନଙ୍କ ସହିତ ସୁସମ୍ପର୍କ ରଖି ନିୟମିତ ପୋଷଣ ଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ ସ୍ବରୂପ ମେଡିକାଲ ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ ଓ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳିକା ଆରତୀ ଦାସ ତିନି ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ସହ ସେମାନଙ୍କୁ ପୁଷ୍ଟିସାର ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ।ଆଗାମୀ ୬ ମାସ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରତିମାସରେ ଉତ୍ତମ ପୋଷଣଯୁକ୍ତ ଖାଦ୍ୟ ସାମଗ୍ରୀ ଦିଆଯିବ ଏବଂ ଏହାର ସମସ୍ତ ଖର୍ଚ୍ଚ ଉଭୟ ଅଧିକାରୀ ବହନ କରିବେ ବୋଲି କହିଥିଲେ ଶ୍ରୀ ପଟ୍ଟନାୟକ। ଏଥିସହ ଆଗାମୀ ଦିନରେ ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିବେଦନ କରିଥିଲେ ଶ୍ରୀ ପଟ୍ଟନାୟକ।

ସୂଚନା ଥାଉକି ଗତ ବର୍ଷ ଡିସେମ୍ବର ୧୯ ତାରିଖରେ ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଜିଲ୍ଲାରେ ଉକ୍ତ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ କୌଣସି ଯକ୍ଷ୍ମା ରୋଗୀଙ୍କୁ ହତାଦର କିମ୍ବା ବାଛନ୍ଦ କରିବା ଉଚିତ ନୁହଁ, ସେମାନଙ୍କୁ ସବୁବେଳେ ପରିଷ୍କାର ପରିଛନ୍ନ ରଖିବା ସହିତ ମାଦକ ଦ୍ରବ୍ୟ ଓ ନିଶାପାଣି ଠାରୁ ଦୂରେଇ ରଖିବା, ନିୟମିତ ଭାବେ ସେମାନଙ୍କୁ ପୃଷ୍ଟିକର ଖାଦ୍ୟ ଖାଇବାକୁ ଯୋଗାଇବାର ଆବଶ୍ୟକତା ରହିଛି ବୋଲି କହିଥିଲେ ଡ଼ା ନାୟକ।

Related posts