ଲିମ୍ଫାଟିକ ଫାଇଲେରିଆ ନିରାକରଣର ବାଟ ବାହାର କରିବା ସଂକ୍ରାନ୍ତ ଜାତୀୟ ଆଲୋଚନା ଚକ୍ର

Published: Jan 13, 2023, 9:13 pm IST

ନୂଆଦିଲ୍ଳୀ: ଲିମ୍ଫାଟିକ୍ ଫାଇଲେରିଆସିସ୍ ବା ଗୋଦର ଅନ୍ୟ ଦେଶ ପରି ଭାରତରେ ଏକ ଅବହେଳିତ ରୋଗ ନୁହେଁ। ଏହା ବରଂ ଏକ ଅଗ୍ରାଧିକାର ପର୍ଯ୍ୟାୟର ରୋଗ ଏବଂ ଭାରତ ସରକାର ଅଗ୍ରାଧିକାର ଭିତ୍ତିରେ ସମୟବଦ୍ଧ ନୀତିରେ ଏହାର ଅବସାନ ଘଟାଇବାକୁ ଚାହାନ୍ତି। ଲିମ୍ଫାଟିକ୍ ଫାଇଲେରିଆର ଅବସାନ ୨୦୨୭ ସୁଦ୍ଧା ଘଟାଇବାକୁ ଭାରତ ଅଙ୍ଗୀକାରବଦ୍ଧ। ଏଥିପାଇଁ ବୈଶ୍ୱିକ ସ୍ତରରେ ଯେଉଁ ସମୟ ସୀମା ଧାର୍ଯ୍ୟ କରାଯାଇଛି ତାହାର ତିନିବର୍ଷ ପୂର୍ବରୁ ଅର୍ଥାତ୍ ୨୦୨୭ସୁଦ୍ଧା ଭାରତ ଗୋଦର ରୋଗର ଅବସାନ ଘଟାଇବାକୁ ଚାହେଁ। ଏଥିପାଇଁ ଏକ ପଂଚସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍ତି।

ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଲିମ୍ଫାଟିକ୍ ଫାଇଲେରିଆର ଅବସାନ ପାଇଁ ଆୟୋଜିତ ଏକ ଜାତୀୟ ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ ଏଥିପାଇଁ ଆମେ କାର୍ଯ୍ୟସୂଚୀ ଓ ମାର୍ଗ ଚୂଡାନ୍ତ କରିଛୁ। ମିଶନ ମୋଡ୍ରେ ବହୁପାକ୍ଷିକ ଅଂଶୀଦାରୀ ଭିତ୍ତିରେ ସମୟବଦ୍ଧ ନୀତିରେ ଆମେ ଏହି ଲକ୍ଷ୍ୟ ପୂରଣ କରିବୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମତ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ ପଲ ମଧ୍ୟ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଆହୁରି କହିଥିଲେ ଯେ ଅନେକ ବ୍ୟାଧିର ମୂଳୋତ୍ପାଟନ କାର୍ଯ୍ୟରୁ ଭାରତ ଯଥେଷ୍ଟ ଅଭିଜ୍ଞତା ଅର୍ଜନ କରିଛି। ସେହି ଅଭିଜ୍ଞତା ଭିତ୍ତିରେ ଲିମ୍ଫାଟିକ୍ ଫାଇଲେରିଆର ନିରାକରଣ ପାଇଁ ପାଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଚୂଡାନ୍ତ କରିଛୁ।

ସେଗୁଡିକ ହେଲା-

ବର୍ଷରେ ଦୁଇଥର ବହୁବିଧ ଔଷଧ (ଏମ୍ଡିଏ) ପ୍ରଦାନ ଅଭିଯାନ ହାତକୁ ନେବା ସହିତ ତାହାକୁ ଜାତୀୟ କୃମିନାଶକ ଦିବସ ୧୦ଫେବୃୟାରୀ ଓ ୧୦ ଅଗଷ୍ଟ ସହିତ ଯୋଡିବା।

ଫାଇଲେରିଆର ସହଜ ଠାବ (ନିଦାନ) ଏବଂ ଚିକିତ୍ସା। ଏମ୍ଏମ୍ଡିପି ସେବାକୁୁ ସୁଦୃଢ କରିବାକୁ ମେଡିକାଲ କଲେଜଗୁଡିକୁ ସମ୍ପୃକ୍ତ କରିବା।

ବହୁପାକ୍ଷିକ ସମନ୍ୱିତ ବ୍ୟବସ୍ଥା ଦ୍ୱାରା ଭେକ୍ଟର(ପରଜୀବୀ) ନିୟନ୍ତ୍ରଣ ବ୍ୟବସ୍ଥାକୁ କାର୍ଯ୍ୟକାରିବା।

ସମ୍ପୃକ୍ତ ବିଭାଗ ଓ ମନ୍ତ୍ରଣାଳୟ ସହିତ ଆନ୍ତଃ ସମନ୍ୱୟ ପ୍ରତିଷ୍ଠା କରି ଅଭିଯାନକୁ ଆଗକୁ ବଢାଇବା।

ଲିମ୍ଫାଟିକ ଫାଇଲେରିଆ ପାଇଁ ବର୍ତ୍ତମାନ ଉପଲବ୍ଧ ଡିଜିଟାଲ ପ୍ଲାଟଫର୍ମକୁ ବ୍ୟବହାର କରିବା ଏବଂ ବିକଳ୍ପ ନିଦାନ ବ୍ୟବସ୍ଥାର ସନ୍ଧାନ କରିବା।

ସମୟବଦ୍ଧ ନୀତିରେ ଫାଇଲେରିଆର ନିରାକରଣ ପାଇଁ ଭାରତ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଦୋହରାଇ ଡକ୍ଟର ମାଣ୍ଡବୀୟ କହିଥିଲେ ଯେ ଦେଶର ବିବିଧ ଭୌଗୋଳିକ ଓ ସାମାଜିକ ଅର୍ଥନୀତିକ ସ୍ଥିତି ସତ୍ୱେ ପ୍ରତ୍ୟେକ ଅଞ୍ଚଳ ଓ ଜନ ସମୁଦାୟର ସ୍ୱତନ୍ତ୍ର ସାମର୍ଥ୍ୟ ଏବଂ ଶକ୍ତି ରହିଛି। ତେଣୁ ଫାଇଲେରିଆ ବ୍ୟାଧିର ଅବସାନ ପାଇଁ ଆମେ ସମସ୍ତଙ୍କ ସାହାଯ୍ୟ ସହଯୋଗ ଲୋଡିବୁ। ଜନଭାଗିଦାରୀ ଦ୍ୱାରା ପୋଲିଓର ଅବସାନ କିପରି ସମ୍ଭବ ହେଲା ଭାରତ ତାହା ସମଗ୍ର ବିଶ୍ୱକୁ ଦେଖାଇଛି। ତେଣୁ ସେହି ସମାନ ଆଭିମୁଖ୍ୟ ନେଇ ଭାରତରୁ ଫାଇଲେରିଆର ଅବସାନ ଘଟାଇବୁ। ଏଥିରେ କେନ୍ଦ୍ରର ମନ୍ତ୍ରଣାଳୟ ଓ ବିଭାଗ, ରାଜ୍ୟ ସରକାରମାନଙ୍କ ସବୁ ବିଭାଗ, ସମସ୍ତ ସରକାରୀ ସଂସ୍ଥା, ଏନ୍ଜିଓ, ଘରୋଇକ୍ଷେତ୍ର, ବିଭିନ୍ନ ଧାର୍ମିକ ସାମ୍ପ୍ରଦାୟର ନେତା, ନାନା ଗୋଷ୍ଠୀର ନେତୃ ସ୍ଥାନୀୟ ବ୍ୟକ୍ତି ଓ ସବୁ ପକ୍ଷଙ୍କୁ ସାଙ୍ଗରେ ନେଇ ସେବା ଓ ସହଯୋଗର ଭାବନାରେ ଫାଇଲେରିଆ ବିରୋଧରେ ଲଢେଇ ହେବ। ଏହି କାର୍ଯ୍ୟରେ ଆମେ ‘ଭାରତ-ମଡେଲ’ର ପ୍ରୟୋଗ କରିବୁ। ଏଥିରେ ଆମ ଅଗ୍ରାଧିକାର ଓ କାମର ସାମର୍ଥ୍ୟ ଗୁରୁତ୍ୱ ପାଇବ।

ଭାରତର ଅନ୍ତ୍ୟୋଦୟ ଦର୍ଶନର ଅବତାରଣା କରି ନିିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ ପଲ କହିଲେ ଯେ ଫାଇଲେରିଆ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳରେ ଗରିବ ଓ ଅବହେଳିତ ଲୋକଙ୍କୁ ଅଧିକ ଆକ୍ରାନ୍ତ କରିଥାଏ। ଅତଏବ ଏହାର ଅବସାନ ପାଇଁ ଭାରତ ସରକାର ଯେଉଁ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ସେ ସ୍ୱାଗତ କରିଥିଲେ। ଫାଇଲେରିଆ ନିରାକରଣ କାର୍ଯ୍ୟକୁ ସଫଳ କରିବା ପାଇଁ ଗଣ ଅଭିଯାନ, ବ୍ୟାପକ ପ୍ରଚାର ଓ ପ୍ରସାର ଉପରେ ସେ ଗୁରୁତ୍ୱ ଦେଇଥିଲେ। ଜାତୀୟ, ପ୍ରାଦେଶିକ, ଜିଲ୍ଲା ଉପଜିଲ୍ଲା ସେ ବ୍ଲକସ୍ତରରେ ଏହି ସଚେତନତାର ବାର୍ତ୍ତା ପହଞ୍ôଚଲେ ଏବଂ ଦେଶର ଦୂରଦୂରାନ୍ତ ଓ ଅଗମ୍ୟ ଅଞ୍ଚଳରେ ଔଷଧ ବିତରଣ କାର୍ଯ୍ୟ ଠିକ୍ ଭାବେ ହେଲେ ଏହି ବ୍ୟାଧିର ନିରାକରଣ ସମ୍ଭବ ବୋଲି ସେ କହିଥିଲେ।

ଚାରିଟି ରାଜ୍ୟ, ଓଡିଶା, ଉତ୍ତରପ୍ରଦେଶ, ବିହାର ଓ ତେଲଙ୍ଗାନାରେ ଦେଶର ୬୦ଭାଗରୁ ଅଧିକ ଫାଇଲେରିଆ ରୋଗୀ ଅଛନ୍ତି। ସେହିଭଳି ଓଡିଶା, ଝାଡଖଣ୍ଡ, ଉତ୍ତରପ୍ରଦେଶ ଓ ବିହାର ଏହି ଚାରୋଟି ରାଜ୍ୟରେ ଫାଇଲେରିଆଜନିତ ଅଣ୍ଡକୋଷକୁ ବୃଦ୍ଧି ରୋଗୀଙ୍କ ସଂଖ୍ୟା ୮୦%ରୁ ଅଧିକ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି କାର୍ଯ୍ୟକ୍ରମରେ ଆଭାସୀ ବ୍ୟବସ୍ଥାରେ ଯୋଗଦେଇଥିଲେ। ଅତିରିକ୍ତ ସଚିବ ତଥା ଏନ୍ଏଚ୍ଏମ୍ ମିଶନ ନିର୍ଦ୍ଦେଶକ ରୋଲି ସିଂହ, ଯୁଗ୍ମ ସଚିବ ରାଜୀବ ମାଂଝି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଆଲୋଚନାଚକ୍ରରେ ଅନେକ ନୀତି ନିର୍ମାତା, ବରିଷ୍ଠ ସରକାରୀ ପ୍ରତିନିଧି, ଉନ୍ନୟନ ବିଶେଷଜ୍ଞ ଓ ଗବେଷକ ଭାଗ ନେଇଥିଲେ।

ଏହି ଜାତୀୟ ଆଲୋଚନାଚକ୍ରରେ ଫାଇଲେରିଆ ନିରାକରଣ କାର୍ଯ୍ୟର ପ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ପଞ୍ଚସୂତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବାର ସବୁ ସମ୍ଭାବ୍ୟ ଦିଗ ଉପରେ ବକ୍ତାମାନେ କହିଥିଲେ।

Related posts