ଡିଏଭି ପୋଖରୀପୁଟରେ ବ୍ୟାସକବିଙ୍କ ଜୟନ୍ତୀ ପାଳିତ

Published: Jan 14, 2023, 3:41 pm IST
DAVPkt

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ ତଥା ଓଡ଼ିଆ ଜାତିର ଅଭ୍ୟୁତ୍‌ଥାନର କର୍ଣ୍ଣଧାର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟ,ଓଡ଼ିଶାର ସହଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷା ଡ.ସୁଜାତାଙ୍କ ପ୍ରରୋଚନାରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଦ୍ୱାରା ବ୍ୟାସକବିଙ୍କ ଜୟନ୍ତୀକୁ ଅତ୍ୟନ୍ତ ସଦ୍‌ଭାବନାର ସହିତ ପାଳନ କରାଯାଇଛି।

ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଶୁଭ୍ରାଂଶୁ ମୋହନ ଦାଶ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ବ୍ୟାସକବିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ନରୋତ୍ତମ ଷଡ଼ଙ୍ଗୀ ଫକୀର ମୋହନଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ବରିଷ୍ଠ କିରାଣୀ କ୍ଷେତ୍ରମୋହନ ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ ମନ୍ତ୍ରପାଠ କରିବା ସହିତ ବୈଦିକ ଶ୍ଳୋକରେ ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲେ।

ଫକୀରମୋହନଙ୍କ ରଚିତ ଛ’ମାଣ ଆଠ ଗୁଣ୍ଠ , ମାମୁ , ଲଛମା ଓ ପ୍ରାୟଶ୍ଚିତ ଉପନ୍ୟାସଗୁଡ଼ିକର ଭାବବସ୍ତୁ ଉପରେ ଆଲୋକପାତ କରା ଯାଇଥିଲା। ଉପସ୍ଥିତ ବିଦ୍ୟାର୍ଥୀମାନଙ୍କ ମଧ୍ୟରୁ ଏହି ଉପନ୍ୟାସଗୁଡ଼ିକରୁ କିଛି ସଂଳାପ ଶିବାଙ୍ଗୀ ସ୍ୱୟମ୍‌ସିଦ୍ଧା , ଶ୍ରେୟାଂଶୀ ସଲୋନିକା , ସୁରଭି ଶତ୍ରୁଶଲ୍ୟା , ରାଜଦୀପ ଶାନ୍ତି ଓ ଓମ୍‌କେଶ୍ୱର ପ୍ରଧାନ ଉପସ୍ଥାପନ କରିଥିଲେ। ଶିକ୍ଷକ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ପ୍ରଧାନ ବ୍ୟାସକବିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ ସଭିଙ୍କୁ ଶପଥ ପାଠ କରାଇଥିଲେ।

ଓଡ଼ିଆ ବିଭାଗର ସଂଯୋଜିକା ଝରଣା ମିଶ୍ର ସଭିଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ।ପରିଶେଷରେ ଶିକ୍ଷୟିତ୍ରୀ କ୍ଷଣପ୍ରଭା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Related posts