ବୃହତ ବିଜୟ ସହିତ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ପ୍ରଥମ ଥର ପାଇଁ ବାରଣାସୀ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ସମୟରେ ମୋଦି ବାରଣାସୀର ଜନତାଙ୍କୁ ନିର୍ବାଚନରେ ବୃହତ ବିଜୟ ପାଇଁ ଧନ୍ୟବାଦ ଜଣାଇବା ସହିତ କାଶୀ ବିଶ୍ବନାଥଙ୍କ ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ସହିତ ଯୋଗ ଦେଇଥିଲେ। ଶପଥ ଗ୍ରହଣର ତିନି ଦିନ ପୂର୍ବରୁ ବାରଣାସୀ ଗସ୍ତ କରିଥିବା ମୋଦି କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। କାଶୀ ବିଶ୍ଵନାଥ ମନ୍ଦିରକୁ ମୋଦି ଏକ କାର୍ରେ ଯାତ୍ରା କରିଥିଲେ। କାଶୀ ବିଶ୍ବନାଥ ମନ୍ଦିର ପରିସରରେ ଏକ ଏଲ୍ଇଡି ସ୍କ୍ରିନ୍ ଲଗା ଯାଇଥିଲା ଯାହାଦ୍ବାରା ମୋଦିଙ୍କ ପୂଜା କରିବା ସମୟର ଦୃଶ୍ୟର ଲାଇଭ୍ ଷ୍ଟ୍ରିମିଂ କରାଯାଇଥିଲା। କାଶୀ ବିଶ୍ବନାଥଙ୍କ ଦର୍ଶନ ପରେ ମୋଦି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ନିର୍ବାଚନରେ ସପାର ପ୍ରାର୍ଥୀ ଶାଲିନୀ ଯାଦବଙ୍କୁ ୪.୭୯ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ବାରଣାସୀରୁ ନିର୍ବାଚିତ ହୋଇଛନ୍ତି।