ଆନ୍ଧ୍ରପ୍ରଦେଶର ନୂତନ ରାଜଧାନୀ ହେବ ବିଶାଖାପାଟନମ୍: ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀଙ୍କ ଘୋଷଣା

Published: Jan 31, 2023, 6:11 pm IST

ନୂଆଦିଲ୍ଲୀ: ବିଶାଖାପାଟନମ୍ ଆନ୍ଧ୍ରପ୍ରଦେଶର ନୂତନ ରାଜଧାନୀ ହେବ। ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀ ନୂତନ ରାଜଧାନୀର ନାମ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ୍ ମୋହନ ରେଡ୍ଡୀ କହିଛନ୍ତି ଯେ, ରାଜ୍ୟର ରାଜଧାନୀ ବିଶାଖାପାଟନମକୁ ସ୍ଥାନାନ୍ତର କରାଯିବ। ମୁଖ୍ୟମନ୍ତ୍ରୀ ରେଡ୍ଡୀ କହିଛନ୍ତି ଯେ ସେ ତାଙ୍କ କାର୍ଯ୍ୟାଳୟ ବିଶାଖାପାଟନମକୁ ସ୍ଥାନାନ୍ତର କରିବେ। ଏପ୍ରିଲ୍ ୨୩ ତାରିଖ ୨୦୧୫ ରେ ଆନ୍ଧ୍ର ସରକାର ଅମରାବତୀଙ୍କୁ ଏହାର ରାଜଧାନୀ ଘୋଷଣା କରିଥିଲେ। ତା’ପରେ ୨୦୨୦ ରେ ରାଜ୍ୟ ତିନୋଟି ରାଜଧାନୀ ନିର୍ମାଣ କରିବାକୁ ଯୋଜନା କରିଥିଲା। ଯେଉଁଥିରେ ଅମରାବତୀ, ବିଶାଖାପାଟନମ୍ ଏବଂ କୁର୍ନୁଲ୍ ଅନ୍ତର୍ଭୁକ୍ତ ଥିଲା।

ମାର୍ଚ୍ଚ ମାସରେ ବିଶାଖାପାଟନମରେ ଅନୁଷ୍ଠିତ ହେବାକୁ ଥିବା ‘ଗ୍ଲୋବାଲ୍ ଇନଭେଷ୍ଟର୍ସ ସମ୍ମିଳନୀ’ ପାଇଁ ଏକ ପ୍ରସ୍ତୁତି ବୈଠକକୁ ସମ୍ବୋଧିତ କରି ରେଡ୍ଡୀ କହିଛନ୍ତି ଯେ, ସେ ଆସନ୍ତା ମାସରେ ତାଙ୍କ କାର୍ଯ୍ୟାଳୟ ବନ୍ଦର ସହରକୁ ସ୍ଥାନାନ୍ତର କରିବେ। ସେ କହିଛନ୍ତି ଯେ, “ଏଠାରେ ଆପଣମାନଙ୍କୁ ମୁଁ ବିଶାଖାପାଟନମ ନିମନ୍ତ୍ରଣ କରୁଛି, ଯାହା ଆଗାମୀ ଦିନରେ ଆମର ରାଜଧାନୀ ହେବାକୁ ଯାଉଛି। ମୁଁ ନିଜେ ମଧ୍ୟ ଆଗାମୀ ମାସରେ ବିଶାଖାପାଟନମରୁ କାମ କରିବି। ”ଆନ୍ଧ୍ରପ୍ରଦେଶର ରାଜଧାନୀ ବର୍ତ୍ତମାନ ଅମରାବତୀ। ଜଗନ୍ ମୋହନ ରେଡ୍ଡୀ ସରକାର ଗତ ବର୍ଷ ନଭେମ୍ବରରେ ବିବାଦୀୟ ଆନ୍ଧ୍ରପ୍ରଦେଶର ବିକେନ୍ଦ୍ରୀକରଣ ଏବଂ ସମସ୍ତ ଅଞ୍ଚଳର ଅନ୍ତର୍ଭୂକ୍ତ ବିକାଶ ଅଧିନିୟମ, ୨୦୨୦ ରଦ୍ଦ କରି ରାଜ୍ୟ ପାଇଁ ତିନୋଟି ରାଜଧାନୀ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଥିଲେ।

Related posts