ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ବାପା ତଥା ପ୍ରସିଦ୍ଧ ଆକ୍ସନ ଡିରେକ୍ଟର ବିରୁ ଦେବଗନଙ୍କର ଆଜି ଦେହାନ୍ତ ହୋଇଯାଇଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ସ୍ଥାନୀୟ ସାଣ୍ଟା କ୍ଲସ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ପଞ୍ଜାବର ଅମୃତସରରେ ଜନ୍ମିତ ବିରୁ ଦେବଗନ୍ ୮୦ରୁ ଅଧିକ ଫିଲ୍ମରେ ଆକ୍ସନ ନିର୍ଦ୍ଦେଶନା ଦେଇଛନ୍ତି । ଏହା ବ୍ୟତୀତ ସେ ‘ହିନ୍ଦୁସ୍ତାନ କା କସମ୍’ ରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଏଥିସହ ବିରୁ ଅଭିନେତା ଭାବେ କିଛି ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ‘କ୍ରାନ୍ତି’, ‘ସୌରଭ’, ‘ସିଂହାସନ’ରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି। ତାଙ୍କ ଆକ୍ସନ ନିର୍ଦ୍ଦେଶିତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ଲାଲ୍ ବାଦଶାହା’, ’ଜାନ୍’, ‘ହକିକତ୍’, ’ଦିଲ୍ଓ୍ବାଲେ,’ ‘ଜିଗର୍’, ‘ଖୁନ୍ ଭରି ମାଁଗ୍’ ‘ମିଷ୍ଟର ଇଣ୍ଡିଆ’, ’ହମିତ୍ଓ୍ବାଲା’ ପରି ସିନେମା । ଅଜୟ ଦେବଗନ୍ ଓ କରିସ୍ମା କପୁର୍ଙ୍କ ଅଭିନୀତ ‘ଜିଗର୍’ ଫିଲ୍ମର କାହାଣୀ ମଧ୍ୟ ଲେଖିଥିଲେ ବୀରୁ ଦେବଗନ୍ । ବଲିଉଡ୍ ଇଣ୍ଡଷ୍ଟ୍ରିର ଏହି ଲୋକପ୍ରିୟ ଆକ୍ସନ ନିର୍ଦ୍ଦେଶକଙ୍କ ଦୁଃଖରେ ବଲିଉଡ୍ ମ୍ରିୟମାଣ ହୋଇଛି । ଆଜି ସନ୍ଧ୍ୟା ୬ଟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କ ମୃତ୍ୟୁରେ ଅଜୟଙ୍କ ବାସଭବନରେ ଅଭିନେତା ଶାହରୁ୍ଖ୍ ଖାନ୍, ସନ୍ନି ଦେଓଲ, ସଂଜୟ ଦତ୍ତ, ସାଜିଦ୍ ଖାନ୍ ପ୍ରମୁଖ ବଲିଉଡ୍ ହସ୍ତୀମାନେ ତାଙ୍କ ଶେଷ ଦର୍ଶନ କରିଛନ୍ତି ।
ଆରପାରିରେ ବଲିଉଡ୍ ଆକ୍ସନ୍ ଡିରେକ୍ଟର ବୀରୁ ଦେବଗନ୍
Published:
May 27, 2019, 4:38 pm IST
Tags: