ନବନିଯୁକ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ଦିଆଗଲା ପ୍ରଶିକ୍ଷଣ

Published: Feb 8, 2023, 10:42 pm IST
OASTraining

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବାରେ ନବନିଯୁକ୍ତ ଅଧିକାରୀମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଆଜି ଉଦ୍‌ଘାଟିତ ହୋଇଛି । ପ୍ରଶିକ୍ଷାର୍ଥୀମାନଙ୍କୁ ନିଷ୍ଠାପରତା ତଥା ବୃତ୍ତିଗତ ସଫଳତାର ପଥ ଅନୁସରଣ କରିବା ପାଇଁ ଅତିଥିମାନେ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍‌. ବାଲକ୍ରିଷ୍ଣନ୍‌, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଡ. ସୁବ୍ରତୋ ବାଗ୍‌ଚୀ ଓ ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ରାଜକୁମାର ଶର୍ମା ପ୍ରମୁଖ ଶିକ୍ଷାନବିସମାନଙ୍କୁ ଏହି ମର୍ମରେ ସାଧୁତା ଓ ପ୍ରଶାସନିକ ପ୍ରତିବଦ୍ଧତା ରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଉଲ୍ଲେଖ କରିଛନ୍ତି ।

କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ଶ୍ରୀ ଆର୍‌ ବାଲ୍‌କ୍ରିଷ୍ଣନ୍‌ ଓଡ଼ିଶାରେ ତାଙ୍କର ସୁଦୀର୍ଘ ବୃତ୍ତିଗତ ଅଭିଜ୍ଞତା ଉପରେ ଆଲୋକପାତ କରିବା ସହିତ ଦେଶରେ ଏକ ଅଗ୍ରଣୀ ଓ ସଫଳ ରାଜ୍ୟ ଭାବେ ଓଡ଼ିଶା ଉଭା ହୋଇଛି ବୋଲି ପ୍ରକାଶ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ତଥା ବିବିଧ ମାନବସମ୍ବଳ ବିକାଶ ସୂଚକାଙ୍କଗୁଡ଼ିକରେ ଓଡ଼ିଶାର ସଫଳତା ବହୁ ମହଲରେ ଉଚ୍ଚ ପ୍ରଶଂସିତ ହେବା ଦର୍ଶାଇ ଶ୍ରୀ ବାଲକ୍ରିଷ୍ଣନ ମହିଳା ସଶକ୍ତିକରଣର ଦୃଷ୍ଟାନ୍ତ ପ୍ରଦାନ କରିଥିଲେ । ଅନୁରୂପ ଭାବରେ ବିଶ୍ୱକପ୍‌ ହକି ଓ ମେକ୍‌ ଇନ୍‌ ଓଡ଼ିଶା ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନରେ ୫-‘ଟି’ ନୀତି ସଫଳତା ଆଣିବାରେ ସାହାଯ୍ୟ କରିଛି ବୋଲି ସେ ପ୍ରକାଶ କରିଥିଲେ ।

ଡ. ବାଗ୍‌ଚୀ ତାଙ୍କର ଭିତ୍ତି ବକ୍ତବ୍ୟ ପ୍ରଦାନ କରି ଶିକ୍ଷାନବିସମାନେ ସେମାନଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେବା ପାଇଁ ଆହ୍ୱାନ ଜଣାଇଥିଲେ । ନିଜର ବିବେକ, ନିଷ୍ଠାପରତା, ସାଧୁତା ଓ ଅଙ୍ଗୀକାର ସହିତ କୌଣସି ପରିସ୍ଥିତିରେ ସାଲିସ୍‌ ନକରିବାକୁ ସେ ଶିକ୍ଷାନବିସମାନଙ୍କୁ ପରାମର୍ଶ ଦେଇଥିଲେ ।

ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ଶର୍ମା ଉଦ୍‌ଘାଟନ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଶିକ୍ଷାନବିସମାନେ ଚରିତ୍ର, ଦକ୍ଷତା ଓ ସହାନୁଭୂତି ପରି ତିନୋଟି ସ୍ତମ୍ଭ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଦର୍ଶାଇବା ସହିତ ଏପରି କାର୍ଯ୍ୟକ୍ରମକୁ ଅଧିକ ଫଳପ୍ରଦ ଓ ଉପଯୋଗୀ କରିବା ନିମନ୍ତେ ନିୟମିତ ମତାମତ ଦେବା ପାଇଁ ଯୁବ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଶିକ୍ଷାନବିସମାନଙ୍କ ମଧ୍ୟରୁ ଶ୍ରୀ କିରଣ କୁମାର ମହାନ୍ତି ଏପରି ପ୍ରଶିକ୍ଷଣର ପାଠ୍ୟକ୍ରମରେ ନେତୃତ୍ୱ, ସମୟ ଓ ଲୋକପରିଚାଳନାକୁ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରିଥିଲେ ।
କାର୍ଯ୍ୟକ୍ରମରେ ଏକାଡେମୀର ନୂତନ ଲୋଗୋ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ୩୧ ଜଣ ଯୁବ ଅଧିକାରୀ ଅଂଶଗ୍ରହଣ କରିଛନ୍ତି।

ଆଜି ଉଦ୍‌ଘାଟିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ମଇ ମାସ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏକାଡେମୀର ଅତିରିକ୍ତ କମିଶନର ଡ. ହିମାଂଶୁ ଭୂଷଣ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପମହାନିର୍ଦ୍ଦେଶକ ଶ୍ରୀ ପ୍ରତାପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉପନିର୍ଦ୍ଦେଶକ ଡ. ମମତାରାଣୀ ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ଯୁଗ୍ମନିର୍ଦ୍ଦେଶକ ଶ୍ରୀମତୀ କାନନବାଳା ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Related posts