ସର୍ତ୍ତ ଅନୁସାରେ ଅଧ୍ୟକ୍ଷ ପଦରେ ରହିବେ ରାହୁଲ୍‌ ଗାନ୍ଧି !

Published: May 28, 2019, 12:41 pm IST
Rahul gandhi

ଲୋକସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ଦଳରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଅଧ୍ୟକ୍ଷ ପଦ ଛାଡ଼ିବା ପାଇଁ ଜିଦ୍‌ ଧରିଥିବାବେଳେ ତାଙ୍କୁ ମନାଇବାରେ ଲାଗିଛନ୍ତି କଂଗ୍ରେସ ନେତୃବୃନ୍ଦ। ମଙ୍ଗଳବାର ସକାଳେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ପ୍ରବକ୍ତା ରଣଦୀପ ସୁର୍ଜେଓ୍ବାଲା ତାଙ୍କ ସହିତ ଭେଟ କରିଛନ୍ତି। ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏବେ ଦଳକୁ ବିକଳ୍ପ କେହି ମିଳିନାହାନ୍ତି। ଏବଂ ରାହୁଲଙ୍କୁ ନିଜ ଇଚ୍ଛା ମୁତାବକ ଦଳରେ ବଦଳାଇ ପାରିବେ, ବା ଦଳକୁ ଚଲାଇପାରିବେ ବୋଲି ସୂଚନା ମିଳିଛି। ତେବେ ମିଳିଥିବା ସୂଚନା ଅନୁସାରେ ରାହୁଲ୍‌ କିଛି ସର୍ତ୍ତ ଅନୁସାରେ ଅଧ୍ୟକ୍ଷ ପଦଭାର ସମ୍ଭାଳିବେ। ବରିଷ୍ଠ ନେତା ଅହମ୍ମଦ ପଟେଲ୍‌, ପ୍ରିୟଙ୍କା ଗାନ୍ଧିଙ୍କ ସହ ବୈଠକ ପରେ ଏହି କଥାରେ ରାହୁଲ୍‌ ସହମତି ପ୍ରକାଶ କରିଥିବା ଜଣାପଡିଛି। ଚଳିତ ଲୋକସଭାରେ କଂଗ୍ରେସର ବଡ଼ ହାର ପରେ ପଞ୍ଜାବ, ଓଡ଼ିଶା, ଝାରଖଣ୍ଡ, ମଧ୍ୟପ୍ରଦେଶ ସମେତ ଅନ୍ୟ କିଛି ପ୍ରଦେଶର ଅଧ୍ୟକ୍ଷ ତଥା କିଛି ବରିଷ୍ଠ ନେତୃବୃନ୍ଦ ଇସ୍ତଫା ଦେଇ ସାରିଛନ୍ତି। ରାହୁଲ୍‌ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଇସ୍ତଫା ଦେବାକୁ ଅଡି ବସିଥିଲେ, କିନ୍ତୁ ତାଙ୍କ ଇସ୍ତଫା ପ୍ରସ୍ତାବକୁ କଂଗ୍ରେସର କାର୍ଯ୍ୟକାରିଣୀ ଟିମ୍‌ ଅଗ୍ରାହ୍ୟ କରିଦେଇଥିଲେ। ତେବେ ତାଙ୍କୁ ବୁଝାଇବାରେ କଂଗ୍ରେସ ନେତୃବୃନ୍ଦ କେତେଦୂର ସଫଳ ହେଉଛନ୍ତି, ତାହା ଦେଖିବାକୁ ବାକି ରହିଲା । ଆଜି ଅପରାହ୍ନ ୪ ଟା ସମୟରେ କଂଗ୍ରେସର ବୈଠକରେ ଏହା ସ୍ପଷ୍ଟ ରୂପେ ଜଣାପଡ଼ିବ ।

Related posts