୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ବିପୁଳ ଜନସମର୍ଥନରେ ବହୁ ଆଞ୍ଚଳିକ ଦଳ ଘାଇଲା ହୋଇଛନ୍ତି । ପଶ୍ଚିମବଙ୍ଗର ଟିଏମ୍ସିଙ୍କୁ ତ ବହୁତ ଝଟ୍କା ମିଳିଛି । ମଙ୍ଗଳବାର ଦିନ ମୁକୁଲ ରାୟଙ୍କ ପୁତ୍ର ଶୁଭ୍ରାଂଶୁ ରାୟଙ୍କ ସମେତ ଟିଏମସିର ୨ଜଣ ବିଧାୟକ ଓ ଜଣେ ସିପିଏମ୍ ବିଧାୟକ ବିଜେପିରେ ସାମିଲ୍ ହୋଇଛନ୍ତି । ସେହିପରି ଟିଏମସିର ୫୦ରୁ ୬୦ ଜଣ କାଉନସିଲର୍ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି। ସେମାନେ ମମତାଙ୍କ କାର୍ଯ୍ୟଶୈଳୀକୁ ପସନ୍ଦ କରନ୍ତି କିନ୍ତୁ ପଶ୍ଚିମବଙ୍ଗରେ ବିଜେପିର ସ୍ଥିତି ସୁଦୃଢ ଦେଖି ପ୍ରାୟ ୫୦ରୁ ଉର୍ଦ୍ଧ୍ବ କାଉନସିଲ୍ର ବିଜେପିରେ ମିଶିବା ପାଇଁ ଦିଲ୍ଲୀରେ ଆସି ପହଞ୍ଚିଥିଲେ। ପଶ୍ଚିମବଙ୍ଗରେ ବିଜେପି ଭଲ ପ୍ରଦର୍ଶନ କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ସେମାନେ ପଦ୍ମ ଧରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।” ଚଳିତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ ବିଜେପି ୧୮ଟିରେ ଜିତିଥିବା ବେଳେ ଟିଏମସି ୨୨ଟିରେ ସୀମିତ ରହିଛି। ୨୦୧୪ରେ ବିଜେପି ଏଠାରେ ମାତ୍ର ୨ଟି ଆସନ ଜିତିଥିଲା ଏବଂ ଟିଏମସି ୩୪ଟି ସାଂସଦ ଲୋକସଭାକୁ ପଠାଇଥିଲା।