ରାହୁଲ୍ଙ୍କ ଇସ୍ତଫା ଡ୍ରାମାରେ ଏବେ ବ୍ରେକ୍ ଲାଗିଛି। ଲୋକସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ଦଳରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଅଧ୍ୟକ୍ଷ ପଦ ଛାଡ଼ିବା ପାଇଁ ଜିଦ୍ ଧରିଥିବାବେଳେ ତାଙ୍କ ପ୍ରସ୍ତାବକୁ ଅସ୍ବୀକାର କରିଛନ୍ତି ସିଡବ୍ଲ୍ୟୁସି କମିଟି। ତାଙ୍କୁ ଦଳର ଅଧ୍ୟକ୍ଷ କରିବା ନେଇ ମନାଇଛନ୍ତି କଂଗ୍ରେସ ନେତୃବୃନ୍ଦ। ମଙ୍ଗଳବାର ସକାଳେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ପ୍ରବକ୍ତା ରଣଦୀପ ସୁର୍ଜେଓ୍ବାଲା ତାଙ୍କ ସହିତ ଭେଟ କରି ବୁଝାଇଥିଲେ। ସୂଚନା ଅନୁସାରେ ରାହୁଲ୍ କିଛି ସର୍ତ୍ତ ଅନୁସାରେ ଅଧ୍ୟକ୍ଷ ପଦ ଭାର ସମ୍ଭାଳିବେ। ବରିଷ୍ଠ ନେତା ଅହମ୍ମଦ ପଟେଲ୍, ପ୍ରିୟଙ୍କା ଗାନ୍ଧିଙ୍କ ସହ ବୈଠକ ପରେ ଏହି କଥାରେ ରାହୁଲ୍ ସହମତି ପ୍ରକାଶ କରିଥିବା ଜଣାପଡିଛି। ମାସେ ଭିତରେ ନୂଆ ଅଧ୍ୟକ୍ଷଙ୍କ ଚୟନ ନେଇ ପ୍ରସ୍ତାବ ଦେଇଛନ୍ତି ରାହୁଲ୍। କଂଗ୍ରେସର ପରାଜୟ ପରେ ରାଜସ୍ଥାନ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ମଧ୍ୟ ଅସ୍ଥିରତା ଦେଖାଦେଇଛି।