କୋଭିଡ ଭଳି ଆହ୍ୱାନର ସାମ୍ନା କରିବା ପାଇଁ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍‌

Published: Mar 4, 2023, 7:45 am IST

ଭୁବନେଶ୍ୱର: କୋଭିଡ ଭଳି ସମସ୍ୟାକୁ ମାନବ ସମାଜ ବାରମ୍ବାର ସାମ୍ନା କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଏହାକୁ ସାମ୍ନା କରିବା ସହ ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍ ବୋଲି ଶୁକ୍ରବାର ଜଣେ ଗବେଷକ କହିଛନ୍ତି। କୋଭିଡ୍ ୧୯ ଭଳି ସ୍ୱାସ୍ଥ୍ୟ ସମସ୍ୟା ଆଗକୁ ମଧ୍ୟ ଆସିପାରେ। କିନ୍ତୁ ଏଭଳି ଆହ୍ୱାନର ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍ ବୋଲି କହିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର (ଡକ୍ଟର) ଇ. ଭେଙ୍କଟ ରାଓ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ଏକ ଦିବସୀୟ କର୍ମଶାଳାର ଉଦ୍‌୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ପ୍ରଫେସର ରାଓ।

ପ୍ରଫେସର ରାଓ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କୋଭିଡ୍ ଭାକ୍ସିନ୍ “କୋଭାକ୍ସିନ୍‌” ଏବଂ ନାଜାଲ୍ କୋଭିଡ୍ ଭାକ୍ସିନ୍‌ର ମାନବୀୟ ପରୀକ୍ଷଣରେ ପ୍ରମୁଖ ନିରୀକ୍ଷକ ଭାବେ କାର୍ଯ୍ୟ କରିଥିଲେ।

ଏହି କର୍ମଶାଳାଟି ସୋଆ -ଡିବିଟି-ବିଲ୍ଡର ଜାତୀୟ ଗବେଷଣାଗାର ଆନୁକୂଲ୍ୟରେ ଆୟୋଜିତ କରାଯାଇଥିଲା। ଡିପାର୍ଟମେଂଟ ଅଫ୍ ବାୟୋଟେକ୍ନୋଲୋଜି ସହାୟତାରେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଅତ୍ୟାଧୁନିକ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ଏହି ଡିବିଟି-ବିଲ୍ଡର ଗବେଷଣାଗାର ସ୍ଥାପନ କରାଯାଉଛି। ଏସ୍‌ପିଏସ୍‌ରେ ମଧ୍ୟ ଏହି ଗବେଷଣାଗାର ସ୍ଥାପିତ ହୋଇଛି।

ଯୁବ ଗବେଷକମାନଙ୍କ ନିମନ୍ତେ ଏହି ସ୍କିମ୍ ଏକ ଉତ୍କୃଷ୍ଟ ମାଧ୍ୟମ ହୋଇଛି ବୋଲି ଉଲ୍ଲେଖ କରି ପ୍ରଫେସର ରାଓ କହିଥିଲେ ଯେ, ପ୍ରତ୍ୟେକ ମଣିଷ ଜନ୍ମରୁ ହିଁ ଗବେଷକ ହୋଇଥାଏ। ତେବେ ପ୍ରଶ୍ନ କରିବାର କ୍ଷମତା ମଣିଷ ଭିତରେ କ୍ରମେ ଲୁପ୍ତ ହୋଇଯାଏ। ତେଣୁ ଡିବିଟି-ବିଲ୍ଡର ଭଳି ପଦକ୍ଷେପ ଯୁବ ଗବେଷକଙ୍କୁ ଖୋଜି ବାହାର କରିବାରେ ସହାୟକ ହେବ।
ଗବେଷଣା ଅନୁଷ୍ଠାନଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇ ପ୍ରଫେସର ରାଓ କହିଥିଲେ ଯେ ଏକୁଟିଆ କାର୍ଯ୍ୟ କଲେ କୌଣସି ଲାଭ ହୁଏ ନାହିଁ କିମ୍ବା ସମସ୍ୟାର ସମାଧାନ ହୁଏ ନାହିଁ।

ଏସ୍‌ପିଏସ୍ ଡିନ୍ ପ୍ରଫେସର ଏସି.ସି ସିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ “ଫ୍ଲୋ ସାଇଟୋମିଟର: ୱାର୍କିଂ ପ୍ରିନ୍ସିପଲ୍ ଆଣ୍ଡ ଆପ୍ଲିକେସନ୍‌ସ” ଶୀର୍ଷକ ଆଲୋଚନା କରାଯାଇଥିବା ବେଳେ ପରେ ଏହାର କାର୍ଯ୍ୟକାରିତା ଉପରେ ତାଲିମ ଦିଆଯାଇଥିଲା।
ଏହି କର୍ମଶାଳାର ସଂଯୋଜ ପ୍ରଫେସର ଗୌତମ ରଥ ଓ ମୋଡେରେଟର ପ୍ରଫେସର ବି.ବି. ସୁବୁଦ୍ଧି ଉପସ୍ଥିତ ଥିଲେ।

Related posts