ନିୟମ ଉଲ୍ଲଂଘନ ଘଟଣାରେ ୬ ଟି କାଶ ସିରପ ନିର୍ମାତାଙ୍କ ଲାଇସେନ୍ସ ରଦ୍ଦ

Published: Mar 4, 2023, 10:58 am IST

ମୁମ୍ବାଇ: ମହାରାଷ୍ଟ୍ର ସରକାର ୬ ଟି କାଶ ସିରପ ଉତ୍ପାଦନକାରୀଙ୍କ ଲାଇସେନ୍ସକୁ ରଦ୍ଦ କରିଛନ୍ତି। ବିଧାନସଭାରେ ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି। ଖାଦ୍ୟ ଓ ଔଷଧୀ ପ୍ରଶାସନ ମନ୍ତ୍ରୀ ସଞ୍ଜୟ ରାଠୋର ଶୁକ୍ରବାର ଦିନ ବିଧାନସଭାକୁ କହିଛନ୍ତି ଯେ, ମହାରାଷ୍ଟ୍ର ସରକାର କାଶ ସିରପ ଉତ୍ପାଦନ କରୁଥିବା ୧୦୮ ଉତ୍ପାଦକଙ୍କ ମଧ୍ୟରୁ ୮୪ ଟି ବିରୋଧରେ ତଦନ୍ତ ଆରମ୍ଭ କରିଛନ୍ତି। ଏଥି ମଧ୍ୟରୁ ଚାରିଟି ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ୬ ଟି କମ୍ପାନୀର ଲାଇସେନ୍ସ ରଦ୍ଦ କରାଯାଇଛି।

ମନ୍ତ୍ରୀ ସଞ୍ଜୟ ରାଠୋର କହିଛନ୍ତି ଯେ ନିୟମ ଉଲ୍ଲଂଘନ ପାଇଁ ୧୭ ଟି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ରାଠୋର କହିଛନ୍ତି ଯେ ରାଜ୍ୟର ୯୯୬ ଆଲୋପାଥିକ ଔଷଧ ଉତ୍ପାଦନକାରୀଙ୍କ ମଧ୍ୟରୁ ୫୧୪ ଜଣ ସେମାନଙ୍କ ଉତ୍ପାଦ ରପ୍ତାନି କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶର ନୋଏଡା ଭିତ୍ତିକ କମ୍ପାନୀ ଦ୍ୱାରା ନିର୍ମିତ କାଶ ସିରପ ପିଇବା ପରେ ଗତ ବର୍ଷ ଉଜବେକିସ୍ତାନରେ ୧୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ନୋଏଡା ପୋଲିସ ଶୁକ୍ରବାର କହିଛି ଯେ, ସେମାନେ କମ୍ପାନୀର ତିନି ଜଣ କର୍ମଚାରୀଙ୍କୁ ଗିରଫ କରିଛନ୍ତି।

Related posts