
ଭୁବନେଶ୍ବର: ପ୍ରଖ୍ୟାତ ବୈଜ୍ଞାନିକ ପ୍ରଫୁଲ କୁମାର ଜେନାଙ୍କ ଆଜି ୯୧ ବର୍ଷ ବୟସରେ ପରଲୋକ ଘଟିଛି। ସେ ଭାରତର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବେ ପରିଚିତ। ସେ ଇଣ୍ଡସ୍ଟ୍ରିଆଲ ରିସର୍ଚ୍ଚରେ ରିଜିଓନାଲ ରିସର୍ଚ୍ଚ ଲାବୋରେଟରୀରେ ୧୯୭୨ରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ।
୧୯୭୭ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଥିଲେ ।୧୯୮୬ରେ ସିଏସଆଇଆରରେ ଡାଇରେକ୍ଟର ଜେନେରାଲ ହୋଇଥିଲେ । ଦୁଇଟି ବିଦେଶ ବିଶ୍ୱବିଦ୍ୟାଳୟ, ବ୍ରାଜିଲର ପୋଣ୍ଟିଫିକାଲ କ୍ୟାଥିଲିକ ବିଶ୍ବବିଦ୍ୟାଳୟ (ୟୁନିଭରସିଟି) ୟୁନିଭରସିଟି ଅଫ ରିଓ ଡି ଜାନେରିଓ, ଓ ଜାପାନର ସେଣ୍ଡାଇସ୍ଥିତ ଟୋହୋକୁ ବିଶ୍ୱବିଦ୍ୟାଳୟରେ ସେ ଭିଜିଟିଙ୍ଗ ପ୍ରଫେସର ଥିଲେ ।
ବୈଜ୍ଞାନିକ ଜେନାଙ୍କ ଦେହାନ୍ତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜ୍ଞାନ ଓ ଗବେଷଣା ବିଶେଷ କରି ଧାତବ ବିଜ୍ଞାନ କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
ତାଙ୍କର ଶେଷ କୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।