ଭୁବନେଶ୍ୱର: ତ୍ୱଚାରେ ବାର୍ଦ୍ଧକ୍ୟର ଚିହ୍ନକୁ ହ୍ରାସ କରାଇବା ସହ ଶରୀରରେ ଚମକ ଆଣିବା ଦିଗରେ ସହାୟକ ହୋଇପାରୁଛି ଗଧ ଦୁଗ୍ଧରୁ ପ୍ରସ୍ତୁତ ସାବୁନ୍। ପ୍ରସାଧନ ନିମନ୍ତେ ପ୍ରସ୍ତୁତ ସାମଗ୍ରୀରେ ଯୋଡ଼ି ହୋଇଯାଇଛି ଗଧ ଦୁଗ୍ଧରୁ ପ୍ରସ୍ତୁତ ସାବୁନ। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଲାଇଭ୍ଲିହୁଡ୍ ଅଲ୍ଟରନେଟିଭ୍ସ ଷ୍ଟାର୍ଟଅପ୍ କନ୍କ୍ଲେଭ୍ରେ ଏଭଳି ପ୍ରସାଧନକାରୀ ଉତ୍ପାଦ ପ୍ରସ୍ତୁତ କରିଥିବା ଷ୍ଟାର୍ଟଅପ୍ର କାର୍ଯ୍ୟ ସାମ୍ନାକୁ ଆସିଛି।
ଉତ୍ତର ପ୍ରଦେଶର ପୂଜା କୌଲ୍ ନାମକ ଜଣେ ଗବେଷିକା ଅର୍ଗାନିକୋ ନାମକ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିବା ସହ ଲଦାଖ ଅଂଚଳରୁ ଗଧଙ୍କ ଦୁଗ୍ଧ ସଂଗ୍ରହ କରି ସେଥିରୁ ବିଭିନ୍ନ ପ୍ରକାରର ସାବୁନ୍ ପ୍ରସ୍ତୁତ କରିଛନ୍ତି। ଲିଟର ପ୍ରତି ୧୩୦୦ ଟଙ୍କା ମୂଲ୍ୟର ଗଧ ଦୁଗ୍ଧରେ ଅଧିକ ପରିମାଣର ଆଂଟି ଏଜିଙ୍ଗ୍, ନ୍ୟୁଟ୍ରାସ୍ୟୁଟିକାଲ୍, ଆଂଟିବାୟୋଟିକ୍ ଏବଂ ପୁଷ୍ଟିକାରକ ପଦାର୍ଥ ରହିଛି। ଏହି ସାବୁନ୍ର ବ୍ୟବହାରର ୪ ରୁ ୫ ସପ୍ତାହ ମଧ୍ୟରେ ଏହାର ସୁଫଳ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ପୂଜା। ୩ ବର୍ଷ ମଧ୍ୟରେ ଆମେ କୌଣସି କେମିକାଲ୍ ବ୍ୟବହାର ନ କରି ଆଂଟି ଏଜିଙ୍ଗ୍, ଆଂଟି ଆକ୍ନେ, ଆଂଟି ପିଗ୍ମେନ୍ଟେସନ୍ ଏବଂ ହାଇଡେଟିଙ୍ଗ୍ ସାବୁନ୍ର ଉତ୍ପାଦନ କରିଛୁ ବୋଲି ସେ କହିଛନ୍ତି। ଏହି ସାବୁନର ବଜାର ଦର ଗୋଟିକୁ ୫୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି।
ସେହିପରି ଗୋମୂତ୍ରରୁ ପ୍ରସ୍ତୁତ ସାରକୁ କୃଷି କାର୍ଯ୍ୟରେ ବ୍ୟବହାର କରିବା ନେଇ ଷ୍ଟାର୍ଟଅପ୍ ଆରମ୍ଭ କରିଥିବା ଗୁଜରାଟର ଦେବରାମ ପୁରୋହିତ୍ ମଧ୍ୟ ଏହି କନ୍କ୍ଲେଭ୍ରେ ସାମିଲ ହୋଇଥିଲେ। ଧେନୁପ୍ରସାଦ ଆଗ୍ରୋଭାଟ୍ ପ୍ରାଇଭେଟ ଲିମିଟେଡ୍ ନାମକ ଷ୍ଟାର୍ଟଅପ୍ ଆରମ୍ଭ କରିଥିବା ଶ୍ରୀ ପୁରୋହିତ ବିନା କେମିକାଲ୍ରେ ଗୋମୂତ୍ରରୁ ପ୍ରସ୍ତୁତ ପାଉଡରକୁ ସାର ଭଳି ବ୍ୟବହାର କରି କିଭଳି ଅର୍ଗାନିକ୍ କୃଷି କରାଯାଇପାରିବ ସେ ନେଇ ତଥ୍ୟ ରଖିଥିଲେ।
ଅନ୍ୟପଟେ କଳାହାଣ୍ଡିର ଦୁଇ ଜଣ ଯୁବକ ବିରେନ୍ ସାହୁ ଏବଂ ବିଶ୍ୱବନ୍ଧୁ ପାଢ଼ୀ ମାନିକ୍ସ୍ତୁ ନାମକ ଷ୍ଟାର୍ଟଅପ୍ ପ୍ରସ୍ତୁତ କରି କିଭଳି ଛେଳିଚାଷ ଦିଗରେ କୃଷକମାନଙ୍କୁ ପ୍ରୋତ୍ସାହିତ କରାଯାଇପାରିବ ଏବଂ ଛେଳି ଦୁଗ୍ଧରୁ ଘିଅ ପ୍ରସ୍ତୁତ କରାଯାଇପାରିବ ସେ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ।
ପୁନେର ସ୍ୱପ୍ନିଲ୍ ଆମ୍ବୋରେ ୪୫ ଡିଗ୍ରୀ ଗ୍ରୀଷ୍ମରେ ଚାଷ କାର୍ଯ୍ୟ କରିବା ନିମନ୍ତେ ପଲିହାଉସ୍ ଏବଂ ପ୍ଲାଷ୍ଟିକ୍ ବାୟୋଡିଗ୍ରେଡେବୁଲ୍ ସେଡ୍ ପ୍ରସ୍ତୁତ କରି କିଭଳି ଚାଷ ଜମିକୁ ସୁରକ୍ଷିତ କରାଯାଇପାରିବ ସେ ବିଷୟରେ ଆମ୍ବ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ଷ୍ଟାର୍ଟଅପ୍ ପ୍ରସ୍ତୁତ କରିଥିବା ସୂଚନା ଦେଇଥିଲେ।
କୃଷକମାନଙ୍କୁ ଜଳବାୟୁ ପରିବର୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ସାମାଜିକ ଉଦ୍ୟୋଗ ଲାଇଭ୍ଲିହୁଡ୍ ଅଲ୍ଟରନେଟିଭ୍ସ, ଇନ୍ଷ୍ଟିଚ୍ୟୁଟ୍ ଅପ୍ ରୁରାଲ୍ ମ୍ୟାନେଜମେଂଟ ଆନନ୍ଦ (ଇର୍ମା)-ଆଇସିଡ୍ ଫାଉଣ୍ଡେସନ୍, ପେସ୍ ଫାଉଣ୍ଡେସନ୍ ଏବଂ ସୋଆର ମିଳିତ ଭାବେ ଏହି ଦୁଇ ଦିନିଆ ଷ୍ଟାର୍ଟଅପ୍ କନ୍କ୍ଲେଭ୍ ଆୟୋଜନ କରିଛନ୍ତି। ଏଥିରେ ନୂତନ ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଥିବା ଦେଶର ୬୦ ଟି ଷ୍ଟାର୍ଟଅପ୍ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଓଡ଼ିଶାର ୧୦ଟି ଷ୍ଟାର୍ଟଅପ୍ ରହିଛି। ଓଡ଼ିଶାର ୬୫ଟି ବ୍ଲକ୍ରୁ ୩୦୦ ଚାଷୀ ଏହି କନ୍କ୍ଲେଭ୍ରେ ସାମିଲ ହୋଇଛନ୍ତି। କନ୍କ୍ଲେଭର ବିଷୟବସ୍ତୁ ରହିଛି “ଚିନ୍ତାଧାରାରୁ ବ୍ୟବସାୟୀକରଣ”।
କନ୍କ୍ଲେଭର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଲାଇଭଲିହୁଡ୍ ଅଲ୍ଟରନେଟିଭ୍ସର ଅଧ୍ୟକ୍ଷ ତଥା ପରିଚାଳନ। ନିର୍ଦ୍ଦେଶକ ଶ୍ରୀ ସମ୍ବିତ ତ୍ରିପାଠୀ କନ୍କ୍ଲେଭ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ନୂଆ ପିଢ଼ିକୁ ନୂତନ ଜ୍ଞାନକୌଶଳ ଓ ଚିନ୍ତାଧାରା ବିଷୟରେ ଶିକ୍ଷିତ କରି କିଭଳି ଜଳବାୟୁ ପରିବର୍ତନ ସହ ଖାପ ଖୁଆଇ କୃଷି ଉତ୍ପାଦନକୁ ବୃଦ୍ଧି କରିହେବ ସେ ଦିଗରେ ଶ୍ରୀ ତ୍ରିପାଠୀ ତଥ୍ୟ ରଖିଥିଲେ।
କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ରୁରାଲ୍ ମ୍ୟାନେଜମେଂଟ ଆନନ୍ଦ (ଇର୍ମା) ର ନିର୍ଦ୍ଦେଶକ ପ୍ରଫେସର ଉମାକାନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ଚାକିରି ପଛରେ ନ ଗୋଡାଇ ନିଜର ଉଦ୍ୟୋଗ ଉପରେ ଅଧିକ ମନୋନିବେଶ କରିବା ଉପରେ ଗୁରୁତ୍ୱ ଦେଇଥିଲେ। କୃଷି କାର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତେଣୁ ଛାତ୍ରଛାତ୍ରୀମାନେ ଏ ଦିଗରେ ମନୋନିବେଶ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
କାର୍ଯ୍ୟକ୍ରମରେ ସ୍ତମ୍ଭକାର ତଥା ମୋଟିଭେସ୍ନାଲ୍ ସ୍ପିକର ଓ ୱାଓ ଫ୍ୟାକ୍ଟରସ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶଙ୍କର ଗୋଏଙ୍କା ତାଙ୍କର କମ୍ପାନୀ ପ୍ରସ୍ତୁତ କରୁଥିବା ଡ୍ରୋନ୍ ସମ୍ପର୍କରେ ତଥ୍ୟ ରଖିଥିଲେ। ଡକ୍ଟର ଗୋଏଙ୍କା କହିଥିଲେ ଯେ ଚାଷ କାର୍ଯ୍ୟରେ ଡ୍ରୋନ୍ର ବ୍ୟବହାର ଦ୍ୱାରା ପାଣି କମ୍ ଖର୍ଚ୍ଚ ହେବ, ଚାଷୀମାନେ ସାପ କାମୁଡାରେ ମୃତ୍ୟୁ ବରଣ କରିବେ ନାର୍ହି କିମ୍ବା କୀଟନାଶକ ଓ ସାରର ବ୍ୟବହାର ସମୟରେ ସଂକ୍ରମିତ ହୋଇ ଅସୁସ୍ଥ ହେବେ ନାହିଁ। ପ୍ରତିବର୍ଷ ଭାରତରେ ସାପ କାମୁଡ଼ାରେ ୫୦,୦୦୦ରୁ ଊର୍ଦ୍ଧ୍ୱ ଚାଷୀ ମୃତ୍ୟୁ ବରଣ କରନ୍ତି ବୋଲି ସେ କହିଥିଲେ।
ଆଗାମୀ ୩ ବର୍ଷରେ ଭାରତର ୬ ଲକ୍ଷ ରୁ ଊର୍ଦ୍ଧ୍ୱ ଗ୍ରାମରେ କୃଷି କାର୍ଯ୍ୟରେ ଡ୍ରୋନର ବ୍ୟବହାର ତାଙ୍କର ଲକ୍ଷ୍ୟ ରହିଥିବା ସେ କହିଛନ୍ତି।
ଏହି ଅବସରରେ ଆଇଓସିଏଲ୍ର ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀରଞ୍ଜନ ମହାପାତ୍ର ଏବଂ ଏଲ୍ଆଇସି-ଏଚ୍ଏଫ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୱାଇ ବିଶ୍ୱନାଥ ଗୌଡ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ବିଭିନ୍ନ ଷ୍ଟାର୍ଟଅପ୍ ସହିତ ଲାଇଭଲିହୁଡ ଅଲ୍ଟରନେଟିଭ୍ସ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।
କାର୍ଯ୍ୟକ୍ରମ ଶେଷରେ ଇର୍ମା-ଆଇସିଡ୍ର ଚେୟାର ଡକ୍ଟର ରାକେଶ ଆରାୱାଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ ଷ୍ଟାର୍ଟଅପ୍ ପ୍ରଦର୍ଶନୀର ମଧ୍ୟ ଉଦ୍ଘାଟନ ହୋଇଥିଲା।