ରାମ ସମସ୍ତଙ୍କର ଭଗବାନ, ବିଜେପି ତାଙ୍କୁ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରୁଛି: ଫାରୁକ୍ ଅବଦୁଲ୍ଲା

Published: Mar 24, 2023, 1:39 pm IST

ଉଦ୍ଧମପୁର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ବିଜେପିକୁ ଟାର୍ଗେଟ କରିଛନ୍ତି। ଦଳକୁ କେବଳ ଭୋଟ ପାଇଁ ପ୍ରଭୁ ରାମଙ୍କ ନାମ ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି। ପ୍ରଭୁ ରାମ ସମସ୍ତଙ୍କର ଭଗବାନ ଅଟନ୍ତି ବୋଲି ସେ କହିଛନ୍ତି। ଜମ୍ମୁ-କାଶ୍ମୀର ନ୍ୟାସନାଲ ପାନ୍ଥର୍ସ ପାର୍ଟିର ପ୍ରତିଷ୍ଠା ଦିବସରେ ଉଧମପୁର ଜିଲ୍ଲାର ଗାରନେଇ ରାଲିରେ ସମ୍ବୋଧିତ କରିବା ସମୟରେ ଫାରୁକ୍ ଏହି ମତ ଦେଇଛନ୍ତି।

ନିର୍ବାଚନ ସମ୍ପର୍କରେ ଅବଦୁଲ୍ଲା ରାଲିରେ କହିଛନ୍ତି ଯେ, ପରୀକ୍ଷା (ନିର୍ବାଚନ) ଖୁବ ଶୀଘ୍ର ଆସୁଛି ଏବଂ ଏଠାରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ ହେବ। ଆମ ମା ଏବଂ ଝିଅମାନଙ୍କୁ ମନ୍ଦିର ବିଷୟରେ ବାରମ୍ବାର କୁହାଯିବ। ଏହା ମଧ୍ୟ ସମ୍ଭବ ଯେ, ବିଜେପି ସେହି ଦିନ ରାମ ମନ୍ଦିରର ଉଦଘାଟନ କରିବ। ସେ କହିଛନ୍ତି ଯେ, “ଏପରି କରାଯିବ ଯାହା ଲୋକମାନେ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ବେକାରୀ ସମସ୍ୟା ବିଷୟରେ ଭୁଲିଯିବେ ଏବଂ ଭାବିବେ ଯେ ବିଜେପି କେବଳ ରାମଙ୍କ ଭକ୍ତ ଅଟନ୍ତି।

ନ୍ୟାସନାଲ କନଫରେନ୍ସ ନେତା କହିଛନ୍ତି ଯେ, “ପ୍ରଭୁ ରାମ କେବଳ ହିନ୍ଦୁମାନଙ୍କର ଭଗବାନ ନୁହଁନ୍ତି। ଏହି ଜିନିଷ ମନରୁ ହଟାଯିବା ଉଚିତ। ପ୍ରଭୁ ରାମ ସମସ୍ତ ମୁସଲମାନ, ଖ୍ରୀଷ୍ଟିଆନ ଏବଂ ଅନ୍ୟମାନଙ୍କର ଭଗବାନ ଅଟନ୍ତି। ସେହିପରି ଭାବରେ ଆଲ୍ଲାହା ମଧ୍ୟ ସମସ୍ତଙ୍କର ଭଗବାନ ଅଟନ୍ତି, କେବଳ ମୁସଲମାନମାନଙ୍କ ପାଇଁ ନୁହେଁ। ନିକଟରେ ମୃତ୍ୟୁବରଣ କରିଥିବା ପାକିସ୍ତାନର ଜଣେ ପ୍ରସିଦ୍ଧ ଲେଖକ ଲେଖିଥିଲେ ଯେ, ଲୋକଙ୍କୁ ସଠିକ୍ ରାସ୍ତା ଦେଖାଇବା ପାଇଁ ରାମଙ୍କୁ ଆଲ୍ଲାହା ପଠାଇଛନ୍ତି। ତେଣୁ ଯେଉଁମାନେ କୁହନ୍ତି ଯେ, ଆମେ କେବଳ ରାମଙ୍କ ଭକ୍ତ ଅଟୁ। ସେମାନେ ମୂର୍ଖ। ସେମାନେ କେବଳ ରାମଙ୍କୁ ‘ବିକ୍ରୟ’ କରିବାକୁ ଚାହାଁନ୍ତି, ତାଙ୍କ ସହ ସେମାନଙ୍କର କୌଣସି ମୋହ ନାହିଁ, ସେମାନଙ୍କର କେବଳ କ୍ଷମତାର ମୋହ ଅଛି। ”

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ସେଥିପାଇଁ ମୁଁ ମା ଏବଂ ଝିଅମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ବୁଣାଯାଉଥିବା ଘୃଣାର ମଞ୍ଜି ଶେଷ କରିବାକୁ ପଡିବ। ଭୋଟ୍ ଦେବା ସମୟରେ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ରଖିବାକୁ ସେ ଅନୁରୋଧ କରିଥିଲେ।

Related posts