ଜି-୨୦ ଜନଭାଗିଦାରୀ ଅନ୍ତର୍ଗତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲେ ବିଭିନ୍ନ ଶିକ୍ଷାନୁଷ୍ଠାନ

Published: Apr 15, 2023, 9:51 pm IST

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଆଜି ଭୁବନେଶ୍ୱର ଉପକଣ୍ଠ ଆଇସିଏଆର-ଏନଆଇଏମଏଫଡି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାରସାହି ପଞ୍ଚାୟତର ଚାଷୀମାନଙ୍କୁ ଗୋଖାଦ୍ୟ ବଣ୍ଟନ କରାଯିବା ସହିତ ଭାରତରେ ଅନୁଷ୍ଠିତ ହେଉଥିବା ଜି-୨୦ ସମ୍ମିଳନୀ ସମ୍ପର୍କରେ ସଚେତନ କରାଯାଇଥିଲା।

ଅନ୍ୟପଟେ ରାଉରକେଲା ଏନଆଇଟି ପକ୍ଷରୁ ଜି-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଏକ ଖାଦ୍ୟ ମେଳା ଆୟୋଜନ କରାଯାଇଥିଲା ଯେଉଁଥିରେ ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ବା ମିଲେଟ୍ସରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଏବଂ ସ୍ଥାନୀୟ ବ୍ୟଞ୍ଜନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।

ସେହିପରି ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ) ପକ୍ଷରୁ ତପୋବନ ହାଇସ୍କୁଲ ଠାରେ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଜଗତସିଂହପୁର ଜିଲ୍ଲା କାନ୍ତବଲ୍ଲଭପୁର ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସହଯୋଗରେ ମୌଳିକ ସାକ୍ଷରତା ଓ ସଂଖ୍ୟାଶାସ୍ତ୍ର ଉପରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା।

ସେହିପରି ଭୁବନେଶ୍ୱର ସ୍ଥିତ ଆଇସିଟି-ଆଇଓସି ପକ୍ଷରୁ ଜନଭାଗିଦାରୀ ଅଭିଯାନ ଅନ୍ତର୍ଗତ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା।

Related posts