କରୋନା ପଜିଟିଭ୍ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, କିଛି ଦିନ ପୂର୍ବରୁ ପୁଅ ହୋଇଥିଲେ ସଂକ୍ରମିତ

Published: Apr 17, 2023, 11:40 pm IST

ନୂଆଦିଲ୍ଲୀ: କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା କବଳରେ ଆସିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କୋଭିଡ ରିପୋର୍ଟ ପଜିଟିଭ ହୋଇଛି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଟୁଇଟ୍‌ରେ ଶ୍ରୀ ସିନ୍ଧିଆ ଲେଖିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶରେ କରାଯାଇଥିବା କୋଭିଡ -୧୯ ପରୀକ୍ଷାରେ ମୋର ରିପୋର୍ଟ ପଜିଟିଭ ହୋଇଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି, ସତର୍କତା ଅବଲମ୍ବନ କରନ୍ତୁ କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଆନ୍ତୁ ଏବଂ ନିଜକୁ ପରୀକ୍ଷା କରନ୍ତୁ।

ପ୍ରକାଶ ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏପ୍ରିଲ ୧୬ ତାରିଖରେ ଗ୍ୱାଲିଅରର ଆମ୍ବେଦକର ମହାକୁମ୍ବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ବିଜେପି ରାଜ୍ୟ ସଭାପତି ଭି.ଡି ଶର୍ମା, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ଭେଟିଥିଲେ।

ଉଲ୍ଲେଖନୀୟ କଥା ହେଉଛି, ଏପ୍ରିଲ ୧୩ ତାରିଖରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁଅ କରୋନାରେ ସଂକ୍ରମିତ ହୋଇଥିଲେ। ଦୁଇ ଦିନ ପୂର୍ବେ ତାଙ୍କର କାଶ ଏବଂ ଥଣ୍ଡା ଅଭିଯୋଗ ହୋଇଥିଲା, ଯାହା ପରେ ସେ କରୋନା ପରୀକ୍ଷା କରିଥିଲେ ଏବଂ ରିପୋର୍ଟଟି ପଜିଟିଭ ଆସିଥିଲା। ଏହା ପରେ ସେ ଜୟ ବିଲାସ ପ୍ୟାଲେସରେ ଥିବା ନିଜ କୋଠରୀରେ ପୃଥକ ବାସ ହୋଇଥିଲେ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ପୁରା ପରିବାର କରୋନା ପରୀକ୍ଷା କରିଥିଲେ।

Related posts