ସୀତାରାମ ଅଗ୍ରୱାଲ
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଧ୍ୟକ୍ଷା ଏବଂ ସମସ୍ତ କାଉନସିଲର। କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନାରାଣୀ ପାଢ଼ୀଙ୍କ ମନମୁଖୀ ଶାସନ ବିରୋଧରେ ଅଭିଯୋଗ ଆଣି ନିର୍ବାଚିତ ଜନପ୍ରତିନିଧିମାନେ ଧାରଣାରେ ବସିଛନ୍ତି।
ସେମାନଙ୍କ ଅଭିଯୋଗ ମୁତାବକ କାର୍ଯ୍ୟନିବାହୀ ଅଧିକାରିଣୀ ଜନପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ଦେଉନାହାନ୍ତି ଏବଂ କୌଣସି ଉନ୍ନୟନ କାର୍ଯ୍ୟରେ ସହଯୋଗ କରୁନାହାନ୍ତି। ସେହିପରି ଭାବେ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ବଦଳି ଦାବି ନେଇ ଜନପ୍ରତିନିଧିମାନେ ଧାରଣାରେ ବସି ରହିଛନ୍ତି। ତେବେ ଘଟଣାସ୍ଥଳରେ ଜିଲ୍ଲାପାଳ ନଆସିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ସମସ୍ତ କାଉନସିଲର ଏବଂ ଅଧ୍ୟକ୍ଷା।
ଅପରପକ୍ଷେ ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ପାଢ଼ୀଙ୍କୁ ପଚାରିବାରୁ ସମ୍ପୃକ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ସେହିପରି ଭାବେ ସମସ୍ତ ଜନ ପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ମିଳୁଛି ଏବଂ ଉନ୍ନୟନ କାର୍ଯ୍ୟ ଆଇନ ଅନୁଯାୟୀ ହେଉଥିବାର କହିଛନ୍ତି ଶ୍ରୀମତୀ ପାଢ଼ୀ।
ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଜନ ପ୍ରତିନିଧିଙ୍କ ଧାରଣା ପ୍ରାୟ ୩ ଘଣ୍ଟା ଧରି ଜାରି ରହିଛି।



