
ଭୁବନେଶ୍ଵର: ରାଜ୍ୟ ପାଇଁ ଆଉ ଗୋଟିଏ ଭଲ ଖବର। ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ରଜ ସମୟରେ ମାସିକ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରୟାସ ‘ନାଲି ବିନ୍ଦୁ’ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନଟି ‘ପ୍ରୋମାକ୍ସ ଇଣ୍ଡିଆ ରିଜିଓନାଲ ଆୱାର୍ଡ 2023’ ର ଦୁଇଟି କ୍ୟାଟେଗୋରିରେ ଆୱାର୍ଡ ପାଇଛି। ପ୍ୟାନ ଇଣ୍ଡିଆ ଅର୍ଥାତ୍ ଜାତୀୟ ସ୍ତରରେ, ପବ୍ଲିକ୍ ସର୍ଭିସ ବା ଜନସେବା କ୍ୟାଟେଗୋରି ଅଧୀନରେ ଓ ମୋସ୍ଟ ଆଉଟଷ୍ଟାଣ୍ଡିଂ ମାର୍କେଟିଙ୍ଗ ଇନିସିଏଟିଭ (ଆଉଟ ଅଫ ହାଉସ) କ୍ୟାଟେଗୋରି ଅଧୀନରେ ଦୁଇଟି ଗୋଲ୍ଡ ପାଇ ରାଜ୍ୟ ପାଇଁ ଗୌରବ ହାସଲ କରିଛି।
ଜୀ-ସାର୍ଥକର ଏହି ଅଭିନବ ପ୍ରୟାସ ଜାତୀୟସ୍ତରରେ ବହୁ ସମ୍ମାନ ଓ ପ୍ରଶଂସା ର ପାତ୍ର ହୋଇଛି। ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲଙ୍କ ବିଶେଷ ଆଗ୍ରହ ଓ ତତ୍ତ୍ଵାବଧାନରେ ଏହି ଅଭିଯାନଟି ସଫଳ ହୋଇଛି ବୋଲି ଜୀ-ସାର୍ଥକ ପକ୍ଷରୁ କୁହାଯାଇଛି।
‘ପ୍ରୋମାକ୍ସ ଇଣ୍ଡିଆ ରିଜିଓନାଲ ଆୱାର୍ଡ’ ଆଞ୍ଚଳିକ ସ୍ତରରେ ଜନସେବା ଉଦେ୍ଦଶ୍ୟ ରେ ହେଉଥିବା ଅଭିଯାନ ସମୂହକୁ ଜାତୀୟ ସ୍ତରରେ ସମ୍ମାନିତ କରେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ରଜପର୍ବ ଅବସରରେ ଜୀ ସାର୍ଥକ ପକ୍ଷରୁ ମାସିକ ଋତୁସ୍ରାବ ଜନିତ ସ୍ୱଚ୍ଛତା ବିଷୟରେ ମହିଳାଙ୍କୁ ଶିକ୍ଷିତ କରିବା ସହ ଏହି ବିଷୟରେ ଥିବା ସମସ୍ତ ଅଭ୍ୟାସକୁ ମନେ ରଖିବା ପାଇଁ ଏହି ‘ନାଲି ବିନ୍ଦୁ’ ଅଭିଯାନ ଆରମ୍ଭ କରାଯାଇଥିଲା।
ଏହି ଅଭିଯାନ ମାଧ୍ୟମରେ ଏକ ଅଭିନବ ଭିଡ଼ିଓ ଦ୍ୱାରା ଭାରତର ମହିଳାମାନଙ୍କୁ ମାସିକ ଋତୁସ୍ରାବ ସ୍ୱଚ୍ଛତା ଜନିତ ସମସ୍ତ ବିବରଣୀ ଦର୍ଶକଙ୍କୁ ଦିଆଯାଇଥିଲା। ଏହି ଅଭିଯାନ ମାଧ୍ୟମରେ ମହିଳାମାନଙ୍କ ସହ କିଶୋରୀମାନଙ୍କୁ ମଧ୍ୟ ସଚେତନ କରାଯାଇଥିଲା।
ରଜପର୍ବରେ ପୃଥିବୀ ରଜସ୍ୱଳା ହେଉଥିବା ବିଶ୍ୱାସ ରହିଥିବା ବେଳେ ସେହି ସମୟରେ ଏଭଳି ବିଶେଷ ଅଭିଯାନ ଆରମ୍ଭ କରି ଜୀ-ସାର୍ଥକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା।