ଓଡ଼ିଶା ଜଳ ବିଦ୍ୟୁତ ନିଗମର ଟ୍ରେନିଂ ହଷ୍ଟେଲ ଓ କମ୍ପ୍ଳେକ୍ସ ଉଦ୍‌ଘାଟିତ

Published: Apr 24, 2023, 6:40 pm IST

ଭୁବନେଶ୍ୱର: ପଟିଆସ୍ଥିତ ନବନିର୍ମିତ ଓଡ଼ିଶା ଜଳ ବିଦୁ୍ୟତ୍‌ ନିଗମର ଟ୍ରେନ୍‌ିଂ ହଷ୍ଟେଲ ଓ କମ୍ପ୍ଳେକ୍ସକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଆଜି ପୂର୍ବାହ୍ନରେ ଉଦ୍‌ଘାଟନ କରିଛନ୍ତି। ୩୬୬୨ ବର୍ଗକ୍ଷେତ୍ରରେ ନିର୍ମିତ ଏହି ହଷ୍ଟେଲରେ ୧୨ ଗୋଟି ସିଙ୍ଗଲ ବେଡେଡ୍‌ ବିଶିଷ୍ଟ ରୁମ୍‌, ୧୨ ଗୋଟି ଡବଲ ବେଡେଡ୍‌ ରୁମ୍‌, କାଫେଟେରିଆ, ବହୁମୁଖୀ ଉପଯୋଗୀ ହଲ୍‌, କନ୍‌ଫରେନ୍ସ ହଲ୍‌ ଓ ଅନ୍ୟାନ୍ୟ ସୁବିଧା ଉପଯୋଗୀ ଏହି ହଷ୍ଟେଲ ନିର୍ମିତ ହୋଇଛି। ପୁରାତନ ଓଏଚ୍‌ପିସି ଟ୍ରେନିଂ ସେଣ୍ଟର ସଂଲଗ୍ନ ଏହି ପାଞ୍ଚ ମହଲା ବିଶିଷ୍ଟ ନବନିର୍ମିତ ଟ୍ରେନିଂ ହଷ୍ଟେଲ ଓ କମ୍ପ୍ଳେକ୍ସ ତିଆରି ହୋଇଛି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ କହିଥିଲେ ଯେ ଓଏଚ୍‌ପିସି ରାଜ୍ୟର ବିଦୁ୍ୟତ ଚାହିଦାର ୨୫ ପ୍ରତିଶତ ବହନ କରୁଅଛି। ପିକ୍‌ ଆୱାରବେଳେ ୧୫୦୦-୧୬୦୦ ମେଗାୱାଟ୍‌ ବିଦୁ୍ୟତ୍‌ ଓଏଚ୍‌ପିସି ଯୋଗାଣ କରୁଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୪୦୦ କୋଟି ଟଙ୍କା ଲାଭ ଅର୍ଜନ କରିଛି । ଏହି ଟ୍ରେନିଂ ହଷ୍ଟେଲ ଓ ଟ୍ରେନିଂ ସେଣ୍ଟର ଆଗାମୀ ଦିନମାନଙ୍କରେ ଓଏଚ୍‌ପିସିକୁ ଅଧିକ ଦକ୍ଷ, କୁଶଳୀ ଓ ଲାଭଜନକ କରିବ, ଏହା ନିଃସନ୍ଦେହ। ଟ୍ରେନିଂ ହଷ୍ଟେଲ, ଟ୍ରେନିଂ ସେଣ୍ଟର ଓ କମ୍ପ୍ଲେକ୍ସ ପରିଦର୍ଶନ କରି ମନ୍ତ୍ରୀ ଶ୍ରୀ ଦେବ ସନ୍ତୋଷ ପ୍ରକାଶ କରିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଏଚ୍‌ପିସିର ଅଧ୍ୟକ୍ଷ ଶ୍ରୀ ବିଷ୍ଣୁପଦ ସେଠୀ ଓ ନିଗମର ବରିଷ୍ଠ ଅଧିକାରୀମାନେ ଯଥା ଶ୍ରୀ ଅମରେଶ୍‌ କୁମାର, ଶ୍ରୀ ପ୍ରବୋଧ କୁମାର ମହାନ୍ତି, ଶ୍ରୀ ଆଶିଷ କୁମାର ମହାନ୍ତିଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Related posts