Categories
ଆଜିର ଖବର ରାଜ୍ୟ ଖବର

ଅର୍ଥ ଭଳି ବିଦ୍ୟୁତ୍ ସଞ୍ଚୟ କରିବା ଆବଶ୍ୟକ: ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ

ଭୁବନେଶ୍ଵର: ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ। ଟାରିଫ୍ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ। ତଥାପି ଭବିଷ୍ୟତକୁ ଦୃଷ୍ଟିରେ ରଖି ଶକ୍ତି ସଂରକ୍ଷଣ କରିବା ନିହାତି ଜରୁରୀ। ଏବେ ଶକ୍ତି ସଂରକ୍ଷଣର ଅନେକ ଅତ୍ୟାଧୁନିକ ରାସ୍ତା ବାହାରିଲାଣି; ସେସବୁକୁ ଗ୍ରହଣ କରି ଶକ୍ତିସଂରକ୍ଷଣ ଓ ଶକ୍ତି ଦକ୍ଷତା କ୍ଷେତ୍ରରେ ଅଗ୍ରଣୀ କରିବାକୁ ପଡ଼ିବ ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି। ଶକ୍ତି ବିଭାଗ ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦେବ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କୁ ସାମିଲ କରାଯିବା ଉପରେ ଗୁରୁତ୍ଵ ଦେଇଛନ୍ତି। କାରଣ ଛାତ୍ର ଓ ଯୁବଗୋଷ୍ଠୀ ହିଁ କୌଣସି ନୀତି ବା ନିୟମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରାଇବାର ଯଥାର୍ଥ ଦକ୍ଷତା ରଖନ୍ତି। ଏହା ସହିତ ଅକ୍ଷୟଶକ୍ତିର ବ୍ୟବହାରକୁ ଗୁରୁତ୍ଵ ଦେବା ସହ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ କମାଇବା ପାଇଁ ସେ କହିଥିଲେ।

ପାଣି, ବାୟୁ ଓ ଅଗ୍ନି ଭଳି ବିଦ୍ୟୁତ୍ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ପାଲଟିସାରିଛି। ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଶକ୍ତି ଚାହିଦା ପ୍ରତି ବର୍ଷ ୧୦ ପ୍ରତିଶତ ହାରରେ ବଢ଼ିବାରେ ଲାଗିଛି। ଯଦିଓ ଶକ୍ତି ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟ ସମର୍ଥ କିନ୍ତୁ ଏହି କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଚାହିଦା ଉତ୍ପାଦନ, ସଂଚାରଣ ଓ ବିତରଣ ବ୍ୟବସ୍ଥା ପାଇଁ ଏକ ବଡ଼ ଆହ୍ଵାନ ସୃଷ୍ଟି କରିବାରେ ଲାଗିଛି। ଭବିଷ୍ୟତର ଶକ୍ତି ସଂକଟକୁ ଏଡ଼ାଇବା ପାଇଁ ଏବେଠାରୁ ହିଁ ଶକ୍ତି ସଂରକ୍ଷଣକୁ ପ୍ରାଧାନ୍ୟ ଦେବାକୁ ଶ୍ରୀ ଦେବ ଗୁରୁତ୍ଵ ଦେଇଛନ୍ତି। ଅର୍ଥ ସଂଚୟକୁ ଆମେ ଯେପରି ଗୁରୁତ୍ଵ ଦେଉଛେ ସେମିତି ଶକ୍ତି ସଂଚୟ ମଧ୍ୟ କରିବା ଜରୁରୀ ବୋଲି ସେ କହିଥିଲେ।

ବର୍ତ୍ତମାନ ଶକ୍ତି ସଂରକ୍ଷଣ ପାଇଁ ଅନେକ ଅତ୍ୟାଧୁନିକ ରାସ୍ତା ବାହାରିଲାଣି। ଏସବୁକୁ କାମରେ ଲଗାଇବା ଜରୁରୀ। ସରକାରୀ ହେଉ କି ବେସରକାରୀ ପ୍ରତିଷ୍ଠାନରେ ଶକ୍ତି ସଂରକ୍ଷଣ ନୀତି ଗ୍ରହଣ କରାଯିବା ଦରକାର। ମୋସନ ସେନ୍ସର ଟେକ୍ନୋଲୋଜି ବ୍ୟବହାର ଉପରେ ମଧ୍ୟ ମନ୍ତ୍ରୀ ଶ୍ରୀ ଦେବ ଗୁରୁତ୍ଵ ଦେଇଥିଲେ। ଶକ୍ତି ସଂରକ୍ଷଣର କୌଣସି ବିକଳ୍ପ ନାହିଁ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ସେଣ୍ଟର ଫର୍ ଏନଭାଇରନମେଣ୍ଟ ଷ୍ଟଡିଜର ନିର୍ଦ୍ଦେଶକ ଡକ୍ଟର କେ ମୁରୁଗେସନ ଯୋଗ ଦେଇ ଜୀବାଶ୍ମ ଇନ୍ଧନ ବ୍ୟବହାର କମାଇବା ଉପରେ ଗୁରୁତ୍ଵ ଦେଇଥିଲେ। ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ହେଲେ ଶକ୍ତି ସଂରକ୍ଷଣ ଅଭିଯାନର ଆବଶ୍ୟକତା ନିତାନ୍ତ ଜରୁରୀ ବୋଲି ସେ କହିଥିଲେ।

ସ୍ଵାଗତ ଭାଷଣରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ପ୍ରମୁଖ ମୁଖ୍ୟ ବିଦ୍ୟୁତ୍ ନିରୀକ୍ଷକ ସୁରେଶ ଚନ୍ଦ୍ର ମହାରଣା ଶକ୍ତି ବିଭାଗ ପକ୍ଷରୁ ଶକ୍ତି ସଂରକ୍ଷଣ ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଶକ୍ତି ସଂରକ୍ଷଣର ଉପାଦେୟତା ବୁଝାଇବା ପାଇଁ ସ୍କୁଲ ପିଲାମାନଙ୍କୁ ଏଥିରେ ସାମିଲ କରାଯାଇଛି। ମୋ ସ୍କୁଲ ଅଭିଯାନ ଅଧୀନରେ ବିଭିନ୍ନ ସ୍କୁଲରେ ଶକ୍ତି କ୍ଲବ ଗଠନ କରାଯାଇଛି। ସେହି ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ ଏହି କ୍ଲବର ସଦସ୍ୟ ଭାବେ ଶକ୍ତି ସଂରକ୍ଷଣ ଅଭିଯାନରେ ସାମିଲ ହେଉଛନ୍ତି ବୋଲି ସେ କହିଥିଲେ। ଏହା ସହିତ ବିଭିନ୍ନ ସରକାରୀ ପ୍ରତିଷ୍ଠାନ, ଡାକ୍ତରଖାନାରେ ରେ ଶକ୍ତି ସଂରକ୍ଷଣ ପଦକ୍ଷେପ ନିଆଯାଇଛି। ଶକ୍ତି ଦକ୍ଷ ବୈଦୁତିକ ଉପକରଣ ଲଗାଯାଇଛି ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ।

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶକ୍ତି ସଂରକ୍ଷଣ ଓ ଶକ୍ତି ଦକ୍ଷତା କ୍ଷେତ୍ରରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ବିଭିନ୍ନ ସ୍ଵାସ୍ଥ୍ୟ, ଶିଳ୍ପ ଓ ଶିକ୍ଷା ପ୍ରତିଷ୍ଠାନକୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ନେଇ ପୂର୍ବାହ୍ନରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାକୁ ମନ୍ତ୍ରୀ ଶ୍ରୀ ଦେବ ଶୁଭାରମ୍ଭ କରିଥିଲେ। ଏକ ଡିଜିଟାଲ ସଚେତନତା ରଥ ସହର ପରିକ୍ରମା କରି ଶକ୍ତି ସଂରକ୍ଷଣର ବାର୍ତ୍ତା ପ୍ରଚାର କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ କୋଟି ଟଙ୍କାର ଲାଭାଂଶ ପ୍ରଦାନ

ଭୁବନେଶ୍ଵର: ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ, ପରିଚାଳନା ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ପ୍ରମୁଖ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ତିନି ବର୍ଷର ଲାଭାଂଶ ବାବଦରେ ୫ କୋଟି ୨ ଲକ୍ଷ ୬୬ ହଜାର ଟଙ୍କାର ଲାଭାଂଶ ପ୍ରଦାନ କରିଛନ୍ତି।

ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ଲିମିଟେଡ ଏକ ରୌପ୍ୟ ବର୍ଗର ସାର୍ବଜନୀକ କ୍ଷେତ୍ରର ରାଜ୍ୟ ସରକାରଙ୍କ ଉଦ୍ୟୋଗ, ଯାହାକି କ୍ଷୁଦ୍ରଶିଳ୍ପର ପ୍ରତିଷ୍ଠା, ପ୍ରଚାର ଏବଂ ପ୍ରସାର ନିମନ୍ତେ ଅଂଗୀକାରବଦ୍ଧ। ସରକାରଙ୍କ ନିମନ୍ତେ ବିଭିନ୍ନ ସାମଗ୍ରୀର କ୍ରୟ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏତଦ୍‌ବ୍ୟତୀତ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତିକରଣ ତଥା ନିର୍ମାଣ କାର‌୍ୟ୍ୟରେ ନିଜର ଅବଦାନ ମଧ୍ୟ ଦେଇଆସୁଅଛି।

ଏତଦ୍ବ୍ୟତୀତ କମ୍ପାନୀ ମାନଙ୍କର ସାମାଜିକ ଦାୟିତ୍ବ ପାଣ୍ଠିର ସୁବିନିଯୋଗରେ ସ୍କୁଲ ନିର୍ମାଣ, ପଶୁଧନ କେନ୍ଦ୍ର ନିର୍ମାଣ, ସ୍କୁଲ ଉପକରଣ କ୍ରୟ, ଜଳ ବିଶୋଧନ ଉପକରଣ କମ୍ପ୍ୟୁଟର କ୍ରୟ, ଫ୍ରିଜ ତଥା ବିଭିନ୍ନ କ୍ରୟ ମୋ ସ୍କୁଲ ଅଭିଯାନ। ଆଜି ବିଭିନ୍ନ କଲ୍ୟାଣ ଓ ବିକାଶ କାର‌୍ୟ୍ୟକ୍ରମ ମଧ୍ୟ ନିଗମ ପକ୍ଷରୁ କରାଯାଉଅଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶା ଜଳ ବିଦ୍ୟୁତ ନିଗମର ଟ୍ରେନିଂ ହଷ୍ଟେଲ ଓ କମ୍ପ୍ଳେକ୍ସ ଉଦ୍‌ଘାଟିତ

ଭୁବନେଶ୍ୱର: ପଟିଆସ୍ଥିତ ନବନିର୍ମିତ ଓଡ଼ିଶା ଜଳ ବିଦୁ୍ୟତ୍‌ ନିଗମର ଟ୍ରେନ୍‌ିଂ ହଷ୍ଟେଲ ଓ କମ୍ପ୍ଳେକ୍ସକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଆଜି ପୂର୍ବାହ୍ନରେ ଉଦ୍‌ଘାଟନ କରିଛନ୍ତି। ୩୬୬୨ ବର୍ଗକ୍ଷେତ୍ରରେ ନିର୍ମିତ ଏହି ହଷ୍ଟେଲରେ ୧୨ ଗୋଟି ସିଙ୍ଗଲ ବେଡେଡ୍‌ ବିଶିଷ୍ଟ ରୁମ୍‌, ୧୨ ଗୋଟି ଡବଲ ବେଡେଡ୍‌ ରୁମ୍‌, କାଫେଟେରିଆ, ବହୁମୁଖୀ ଉପଯୋଗୀ ହଲ୍‌, କନ୍‌ଫରେନ୍ସ ହଲ୍‌ ଓ ଅନ୍ୟାନ୍ୟ ସୁବିଧା ଉପଯୋଗୀ ଏହି ହଷ୍ଟେଲ ନିର୍ମିତ ହୋଇଛି। ପୁରାତନ ଓଏଚ୍‌ପିସି ଟ୍ରେନିଂ ସେଣ୍ଟର ସଂଲଗ୍ନ ଏହି ପାଞ୍ଚ ମହଲା ବିଶିଷ୍ଟ ନବନିର୍ମିତ ଟ୍ରେନିଂ ହଷ୍ଟେଲ ଓ କମ୍ପ୍ଳେକ୍ସ ତିଆରି ହୋଇଛି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ କହିଥିଲେ ଯେ ଓଏଚ୍‌ପିସି ରାଜ୍ୟର ବିଦୁ୍ୟତ ଚାହିଦାର ୨୫ ପ୍ରତିଶତ ବହନ କରୁଅଛି। ପିକ୍‌ ଆୱାରବେଳେ ୧୫୦୦-୧୬୦୦ ମେଗାୱାଟ୍‌ ବିଦୁ୍ୟତ୍‌ ଓଏଚ୍‌ପିସି ଯୋଗାଣ କରୁଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୪୦୦ କୋଟି ଟଙ୍କା ଲାଭ ଅର୍ଜନ କରିଛି । ଏହି ଟ୍ରେନିଂ ହଷ୍ଟେଲ ଓ ଟ୍ରେନିଂ ସେଣ୍ଟର ଆଗାମୀ ଦିନମାନଙ୍କରେ ଓଏଚ୍‌ପିସିକୁ ଅଧିକ ଦକ୍ଷ, କୁଶଳୀ ଓ ଲାଭଜନକ କରିବ, ଏହା ନିଃସନ୍ଦେହ। ଟ୍ରେନିଂ ହଷ୍ଟେଲ, ଟ୍ରେନିଂ ସେଣ୍ଟର ଓ କମ୍ପ୍ଲେକ୍ସ ପରିଦର୍ଶନ କରି ମନ୍ତ୍ରୀ ଶ୍ରୀ ଦେବ ସନ୍ତୋଷ ପ୍ରକାଶ କରିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଏଚ୍‌ପିସିର ଅଧ୍ୟକ୍ଷ ଶ୍ରୀ ବିଷ୍ଣୁପଦ ସେଠୀ ଓ ନିଗମର ବରିଷ୍ଠ ଅଧିକାରୀମାନେ ଯଥା ଶ୍ରୀ ଅମରେଶ୍‌ କୁମାର, ଶ୍ରୀ ପ୍ରବୋଧ କୁମାର ମହାନ୍ତି, ଶ୍ରୀ ଆଶିଷ କୁମାର ମହାନ୍ତିଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଏଥର ଏମଏସଏମଇ ପାଇଁ ରାଜ୍ୟ ସରକାର ଦେଲେ ୫୭୦ କୋଟି ଟଙ୍କା

ଭୁବନେଶ୍ୱର: ଏମ୍‌ଏସ୍‌ଏମ୍‌ଇ ଦ୍ୱାରା ଅଧିକ ନିଯୁକ୍ତି, ଆତ୍ମନିଯୁକ୍ତି ସୃଷ୍ଟି କରାଯାଇପାରିବ ବୋଲି ଅନୁଭବ କରି ଖଦୀ ଗ୍ରାମୋଦ୍ୟୋଗ ଓ କତାଶିଳ୍ପ ସହିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉନ୍ନତି ନିମନ୍ତେ ୨୦୧୧ ମସିହାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ଶିଳ୍ପ ବିଭାଗରୁ ପୃଥକ କରାଗଲା। ଆର୍ଥିକ ବର୍ଷ ୨୦୧୭-୧୮ ର ବଜେଟ ୯୬ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୩-୨୪ ରେ ୫୭୦ କୋଟିରେ ପହଞ୍ଚିବା ବିଭାଗର ଗୁରୁତ୍ୱ ଦର୍ଶାଉଛି ବୋଲି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି।

ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍‌ ୨୦୨୩-୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ କୃଷି ପରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏମ୍‌ଏସ୍‌ଏମ୍‌ଇ ରାଜ୍ୟରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ଏଥି ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ଏମ୍‌ଏସ୍‌ଏମ୍‌ଇ ଡେଭଲପମେଣ୍ଟ ଯୋଜନା ଅନ୍ତର୍ଗତ ସବସିଡି ଚଳିତ ଆର୍ଥିକ ବର୍ଷରେ ୯୮ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକୁ ୨୦ କୋଟି ଟଙ୍କାର ସବସିଡି ଦିଆଯାଇଛି।

ଓଡିଶା ଫୁଡ ପ୍ରୋସେସିଂ ପଲିସି ଅନ୍ତର୍ଗତ ସବସିଡି ୨୦୨୨-୨୩ ଆର୍ଥିକ ବର୍ଷରେ ୬୯ଟି ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥାକୁ ୧୯ କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଛି। ଶିଳ୍ପ ନୀତି ଅନ୍ତର୍ଗତ ପ୍ରୋତ୍ସାହନ ଯୋଜନାରେ ଲୋନ ସବସିଡି, ଏସ୍‌ଜିଏସ୍‌ଟି ରିଇମ୍‌ବର୍ସମେଣ୍ଟ (SGST Reimbursement) ଇତ୍ୟାଦିରେ ୨୭୨ଟି ଯୋଗ୍ୟ ସଂସ୍ଥାଙ୍କୁ ୧୦.୮୭ କୋଟି ଟଙ୍କା ବଣ୍ଟନ କରାଯାଇଛି।

ଅଣୁ ଏବଂ କ୍ଷୁଦ୍ର ଉତ୍ପାଦନକାରୀ ଉଦ୍ୟୋଗଗୁଡିକ ଦ୍ୱାରା ରପ୍ତାନି ପାଇଁ କାର୍ଯ୍ୟ କରୁଥିବା ପୁଞ୍ଜି ସମେତ ବ୍ୟାଙ୍କଗୁଡିକରୁ ପ୍ରାପ୍ତ କାର୍ଯ୍ୟର ପୁଞ୍ଜି ଋଣର ସୁଧ ଭାର ହ୍ରାସ କରିବାକୁ, ‘ଏମ୍‌ଏସ୍‌ଏମ୍‌ଇ ଏବଂ ରପ୍ତାନିକାରୀଙ୍କ ପାଇଁ ୱାର୍କିଂ କ୍ୟାପିଟାଲ୍‌ ଉପରେ ସୁଧ ସବଭେନ୍ସନ୍‌’ ନାମରେ ନୂତନ ଯୋଜନା ପ୍ରସ୍ତାବ ଦିଆଯାଇଛି।

ବ୍ୟାଙ୍କଗୁଡିକରୁ ପ୍ରାପ୍ତ ପୁଞ୍ଜି ଋଣ ଯେଉଁଠାରେ ନଗଦ କ୍ରେଡିଟ୍‌ (ରପ୍ତାନି କ୍ଷେତ୍ରରେ ପ୍ରାକ୍‌ – ଶିପମେଣ୍ଟ / ପ୍ୟାକିଂ କ୍ରେଡିଟ୍‌) ୧୦ ଲକ୍ଷ ଟଙ୍କା ସୀମା ପର୍ଯ୍ୟନ୍ତ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଫେରସ୍ତ କରାଯିବ ଏବଂ ଯେଉଁଠାରେ ରପ୍ତାନି କ୍ଷେତ୍ରରେ ନଗଦ କ୍ରେଡିଟ୍‌ (ରପ୍ତାନି କ୍ଷେତ୍ରରେ ପ୍ରାକ – ଶିପମେଣ୍ଟ / ପ୍ୟାକିଂ କ୍ରେଡିଟ୍‌) ୧୦ ଲକ୍ଷ ଟଙ୍କାରୁ ୩ କୋଟି ଟଙ୍କା ସୀମା ପର୍ଯନ୍ତ , ୨୫% ହାରରେ ଫେରସ୍ତ କରାଯିବ।

ଏହି ନୂତନ ଯୋଜନା ଅନ୍ତର୍ଗତ ବାର୍ଷିକ ଖର୍ଚ୍ଚ ୨୦୦ କୋଟି ହେବ। କ୍ଷତିପୂରଣ ରାଶି ହିତାଧିକାରୀ ଶିଳ୍ପ ୟୁନିଟଗୁଡିକର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଡିବିଟି ମୋଡରେ ଅଧା ବର୍ଷରେ କ୍ରେଡିଟ୍‌ ହେବ। ଏହି ଯୋଜନା ନିମନ୍ତେ ଖର୍ଚ୍ଚ ଆକଳନ ୧୫୦-୨୦୦ କୋଟି ଟଙ୍କା ମଧ୍ୟରେ କରାଯାଇଛି। ଆର୍ଥିକ ବର୍ଷ ୨୩-୨୪ ରେ ଏଥି ନିମନ୍ତେ ୧୦ କୋଟି ର ବ୍ୟୟ ଅଟକଳ କରାଯାଇଛି। ଅବଶିଷ୍ଟ ପାଣ୍ଠି ପାଇଁ ବ୍ୟବସ୍ଥା ଅତିରିକ୍ତ ବଜେଟ ମାଧ୍ୟମରେ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷରେ ଷ୍ଟାର୍ଟଅପ୍‌ ପଲିସି ଅନ୍ତର୍ଗତ ଆର୍ଥିକ ସହାୟତା ଯୋଜନାରେ ୧୦.୯୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସମୁଦାୟ ୩୧୧ ଟି ଷ୍ଟାର୍ଟଅପ୍‌ ଚିହ୍ନଟ କରାଯାଇ ୫୪ ଟି ଚିହ୍ନିତ ଷ୍ଟାର୍ଟଅପ୍‌କୁ ମାସିକ ଭତ୍ତା ଦିଆଯାଇଛି। ୨୦ଟି ଷ୍ଟାର୍ଟଅପ୍‌କୁ ପିଡିଏମ୍‌ଏ (PDMA) ଅନୁଦାନ ଏବଂ ୨ଟି କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଇଛି।

ଷ୍ଟାର୍ଟଅପ୍‌ଗୁଡିକର ଉନ୍ନତି ନିମନ୍ତେ ଅନେକଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଓ-ହବ୍‌ ଟାୱାର-ଏ ର ପ୍ରଥମ ପାଞ୍ଚ ମହଲା କ୍ରୟ କରିବା ନିମନ୍ତେ ୪୬.୮୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଟାୱାର ‘ଏ’ ଓ ‘ବି’ ର ସମସ୍ତ ମହଲକୁ କ୍ରୟ କରିବା ନିମନ୍ତେ ୧୫୦ କୋଟିର ବ୍ୟବସ୍ଥା ରଖାଯାଇଛି । ଷ୍ଟାର୍ଟଅପ୍‌ଗୁଡିକର ଉନ୍ନତି ନିମନ୍ତେ ଓ-ହବ୍‌ ପଥ ପ୍ରଦର୍ଶକ ହେବ।

ଏମ୍‌ଏସ୍‌ଏମ୍‌ଇ ମଲଫିପ୍ରଡକଫ ପାର୍କ (Multiproduct Park) ୩୦ ଟି ଯାକ ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇ ପାର୍କ ପ୍ରତିଷ୍ଠା ନିମନ୍ତେ ୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଅଛି ଖୋର୍ଦ୍ଧାର ଛତାବର, ସୁନ୍ଦରଗଡର ରେଉଣା, ଅନୁଗୋଳ ଜିଲ୍ଲାର ତଳମୂଳ ଶାସନ, ସମ୍ବଲପୁରର ବସନ୍ତପୁର, ଗଞ୍ଜାମର ବରପାଲି – ହିଞ୍ଜିଳି, କଳାହାଣ୍ଡିର କୁରଲୁପଡା -କେଶିଙ୍ଗା, କଟକର ରାମଦାସପୁର, ବୌଦ୍ଧର ଗାନ୍ଧୀଗ୍ରାମ, ଯାଜପୁରର କଳିଙ୍ଗନଗର ଓ ନବରଙ୍ଗପୁରର ଦାମନୀ ଠାରେ ପାର୍କ ପ୍ରତିଷ୍ଠା ନିମନ୍ତେ ଅନୁମୋଦିତ ହୋଇଛି ଏବଂ ଇଡ୍‌କୋ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି। ସୁବର୍ଣ୍ଣପୁରର ତରେଇକେଲା ନୟାଗଡର ନିରାକରପୁର, ଝାରସୁଗୁଡାର ପଞ୍ଚପଡା ଓ ବଲାଙ୍ଗିରର ସଡେଇପାଲିଠାରେ ଇଡ୍‌କୋ ମାଧ୍ୟମରେ ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି।

ଏସ୍‌ଆଇଡିବିଆଇ କ୍ଲଷ୍ଟର ((SIDBI Cluster) ଉନ୍ନୟନ ପାଣ୍ଠି ମାଲକାନାଗିରିର ତିତିବେରୁ, ମୟୂରଭଞ୍ଜର ରାଇରଙ୍ଗପୁର, ନୂଆପଡାର କୋମନା ଏବଂ ରାୟଗଡାର ଡମ୍ବସରା ବ୍ଲକରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏହି ପାଣ୍ଠିରୁ ୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ଏସ୍‌ଆଇଡିବିଆଇ (SIDBI)ର ୯୦% ଓ ଅଣୁ କ୍ଷୁଦ୍ର ଓ ମଧ୍ୟମ ବିଭାଗର ୧୦% ଯୋଗଦାନ ରହିବ। ଏହି ପ୍ରକଳ୍ପ ଗୁଡିକ ଇଡ୍‌କୋ ମାଧ୍ୟମରେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀ ଦେବ ପ୍ରକାଶ କରିଛନ୍ତି।

ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ବିଭାଗ ଦ୍ୱାରା ଓଡ଼ିଶା ଫୁଡ୍‌ ପ୍ରୋ (Odisha Food Pro))-୨୦୨୨ ଆୟୋଜିତ ହୋଇଥିଲା। ଖାଦ୍ୟପ୍ରକ୍ରିୟକରଣ ପ୍ରସାର ନିମନ୍ତେ ଅନ୍ନପୂର୍ଣ୍ଣା, ଏସ୍‌ଆଇଏଏଲ୍‌ (SIAL) -୨୦୨୨ ଭଳି କାର୍ଯ୍ୟକ୍ରମମାନ ଆୟୋଜନ କରଯାଇଥିଲା । ଏଥିରେ ୯.୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଶିଳ୍ପ ମେଳା, ପ୍ରଦର୍ଶନୀ ଇତ୍ୟାଦି ପାଇଁ ଏବଂ ୱାର୍କସପ ଇତ୍ୟାଦି ଆୟୋଜନ କରିବା ନିମନ୍ତେ ୯ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା, ସେଥିରୁ ପ୍ରାୟ ୪୫ ଲକ୍ଷ ଟଙ୍କା ଅନ୍ୟସୂତ୍ରରୁ ଯୋଗାଡ କରାଯାଇଛି ।

୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ଏଥିପାଇଁ ୧୧.୪୦ କୋଟି ଟଙ୍କାର ବ୍ୟବସ୍ଥା ରଖାଯାଇଛି । ବାଲେଶ୍ୱର ଠାରେ ଚାଉଳ ମିଲ ଓ କଟକ ଠାରେ ଇଂଜିନିୟରିଂ କ୍ଲଷ୍ଟର (Engineering Cluster) ପାଇଁ ଓଏସ୍‌ଆଇସି (OSIC) ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସହାୟତା ନେଇ କାର୍ଯ୍ୟ କରୁଛି ।
ତାଳଗୁଡ ଶିଳ୍ପର ପ୍ରସାର ୨୦୨୩-୨୪ ଆର୍ଥିକ ବର୍ଷରେ ତାଳଗୁଡର ରପ୍ତାନି ନିମନ୍ତେ ପ୍ରଶିକ୍ଷଣ କାରିଗରଙ୍କର ପ୍ରେରଣା, ପରୀକ୍ଷାଗାର ସ୍ଥାପନ ଏବଂ ପ୍ରଚାର-ପ୍ରସାର ନିମନ୍ତେ ୨ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ଉଦ୍ୟୋଗୀ ଉନ୍ନତି କରଣ କାର୍ଯ୍ୟକ୍ରମ ଅଧିନରେ ଉଦ୍ୟୋଗୀ ସପ୍ତାହ ପାଳନ ନିମନ୍ତେ ୨୦୨୨-୨୩ ଆର୍ଥିକ ବର୍ଷରେ ୨୦୨୩ ମସିହା ମାର୍ଚ୍ଚ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଓ ନୀତି ନେଇ ଆଲୋଚନା ଚକ୍ର ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ୨୦୧ ଗୋଟି ଉଦ୍ୟୋଗୀ ଉନ୍ନତିକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ରାଜ୍ୟରେ ୬୧୭୧ ଜଣ ସମ୍ଭାବ୍ୟ ଉଦ୍ୟୋଗୀ ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

କତା ଶିଳ୍ପର ପ୍ରସାର ନିମନ୍ତେ କତା ବୋର୍ଡ ସହାୟତାରେ ୨୦୨୨-୨୩ ଆର୍ଥିକ ବର୍ଷରେ ମହିଳା କତା କାରିଗରମାନଙ୍କର ୧୩ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଚାରୋଟି କ୍ଲଷ୍ଟର ମାଧ୍ୟମରେ ଦକ୍ଷତା ଉନ୍ନତି କରଣ ପ୍ରଶିକ୍ଷଣ ଦିଆଯାଇଛି। ପୁରୀ, କଟକ ଓ ଢେଙ୍କାନାଳରେ ପ୍ରଦର୍ଶନୀ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦି ପାଇଁ ୨ ଲକ୍ଷ ୧୦ ହଜାର ଟଙ୍କା ଦିଆଯାଇଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ମିଶ୍ର  କହିଛନ୍ତି।

ଏହି ସାମ୍ବାଦିକ ସମ୍ମଳନୀରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ୍‌ଙ୍କ ସମେତ ଏମ୍‌ଏସ୍‌ଏମ୍‌ଇ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ବର୍ଷକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଳ୍ପ ପ୍ରତିଷ୍ଠାନ, ଅନୁଧ୍ୟାନ କଲେ ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର: ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଡୁବୁରୀ-ପାରାଦ୍ୱୀପ ଏକ୍ସପ୍ରେସ ହାଇୱେ କଡ଼ରେ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ଆବଶ୍ୟକୀୟ ଜମି ଚିହ୍ନଟ ପାଇଁ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନ ବୁଲି ଦେଖିଛନ୍ତି।

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦର୍‌ ସିଂ ପୁନିଆ, ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ମିଶ୍ର, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ, କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସନ୍ଦୀପ ସଂପତ୍‌ ମାଡ୍‌କର, ଇଡ୍‌କୋର ଜି.ଏମ୍‌. ଶ୍ରୀ କଲ୍ୟାଣ କୁମାର ମହାନ୍ତିଙ୍କ ଗହଣରେ ଆସି ସେ ପ୍ରଥମେ ଯାଜପୁର ଜିଲ୍ଲାର ଦର୍ପଣ ତହସିଲ, ଚଣ୍ଡିଖୋଲ-ପାରାଦ୍ୱୀପ ଟୋଲଗେଟ୍‌ ସନ୍ନିକଟ ଶ୍ରୀରାମପୁର ମୌଜାର କେତେକ ଅବ୍ୟବହୃତ ଜମି ପରିଦର୍ଶନ କରିଥିଲେ।

ଜମି ନିକଟରେ ଏକ୍ସପ୍ରେସ ହାଇୱେ ଏବଂ ରେଳ ଲାଇନ ତଥା ବିଦୁ୍ୟତ ଲାଇନ ଥିବାହେତୁ ଏ ସ୍ଥାନ ଶିଳ୍ପ ଅନୁକୂଳ ଥିବା ସେ ପ୍ରକାଶ କରିଥିଲେ। ଏସବୁ ସ୍ଥାନ ଚାଷ ଉପଯୋଗୀ ନୁହେଁ ଏବଂ ଘରୋଇ ମାଲିକାନାରେ ଥିବା ସତ୍ତେ୍ୱ ଏଠାରେ କୃଷି କାର୍ଯ୍ୟ କରାଯାଉ ନଥିବା ଦେଖାଯାଇଥିଲା। ପରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ତହସିଲର କେତେକ ସ୍ଥାନ ବୁଲି ଦେଖିଥିଲେ।

ସେଠାରୁ କେନ୍ଦ୍ରାପଡ଼ା ଯାଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ବୈଠକ କରି ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ମହାକାଳପଡ଼ା ତହସିଲର ଅମେଇପାଳ ମୌଜା, କଳଗଡ଼ା ମୌଜା, ଯଦୁପୁର ମୌଜା, ଅଂଗୁଳାଇ ମୌଜା, ବେରୁହାଁ ମୌଜା, ଡେରାବିଶ ତହସିଲର ଫକୀରାବାଦ ମୌଜା, ତିଲକପୁର ମୌଜା, ନୂଆହାଟ ମୌଜାଗୁଡ଼ିକରେ ଉପଲବ୍ଧ ଜମି ନକ୍ସା ସବୁର ଅନୁଧ୍ୟାନ କରାଯାଇଥିଲା।

ଗୋଟିଏ ପଟେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ଅନ୍ୟ ପଟେ ପାରାଦ୍ୱୀପ ଶିଳ୍ପାଞ୍ଚଳ ବହୁଳଭାବେ ଗଢ଼ି ଉଠିଥିଲେ ହେଁ ମଧ୍ୟବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରେ କୌଣସି ଶିଳ୍ପ ପ୍ରତିଷ୍ଠାନ ହୋଇପାରୁ ନାହିଁ । ତେଣୁ ଏସବୁ ଚିହ୍ନଟ ଜମିକୁ ଶିଳ୍ପ ପ୍ରତିଷ୍ଠାନ ନିର୍ମାଣ ସକାଶେ କିପରି ପ୍ରସ୍ତୁତ କରାଯାଇପାରିବ ସେନେଇ ବିଭିନ୍ନ ଆନୁଷଙ୍ଗିକ ଦିଗ ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି, ଏକ୍ସପ୍ରେସ ହାଇେୱକୁ ଲାଗି ରହିଥିବା ସରକାରୀ ଜମିକୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରି ତା’ର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ।

ସେଠାରେ ନୂତନ ଶିଳ୍ପାନୁଷ୍ଠାନ ଗଢ଼ିଉଠିଲେ ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ସେ ମତ ରଖିଥିଲେ। ଯେଉଁ ବେସରକାରୀ ଜମି ଏହି ଉଦ୍ଦେଶ୍ୟରେ କ୍ରୟ କରାଯିବ ସେଥିରେ ଜମିର ଉପଯୁକ୍ତ ମୂଲ୍ୟ ସିଧାସଳଖ ପଟ୍ଟାଦାରଙ୍କ ଖାତାରେ ଜମା ହେବ,ଏଥିରେ କୌଣସି ତୃତୀୟ ପକ୍ଷର ସଂପୃକ୍ତି ରହିବ ନାହିଁ ବୋଲି ସେ ସୂଚିତ କରିଥିଲେ। ତେବେ ସମସ୍ତ ତଥ୍ୟ ଅବଗତ ହେବା ପରେ ଶ୍ରୀ ଶର୍ମା କଳଗଡ଼ାଠାରେ ଥିବା ଜମି ଚକଡ଼କୁ ପ୍ରଥମ, କଳଗଡ଼ାର ଦ୍ୱିତୀୟ ଚକଡ଼ାକୁ ଦ୍ୱିତୀୟ ଓ ମଣିକୁନ୍ଦା ଜମି ଚକଡ଼ାକୁ ତୃତୀୟ ଭାବେ ପ୍ରାଥମିକତା ସୂତ୍ରରେ ବାଛିବାକୁ କହିଥିଲେ।

ଏସବୁ ଜମିର କିସମ, ଜମି ମାଲିକଙ୍କ ଜାତି, ଜମି ବିକି୍ର ପାଇଁ ତାଙ୍କ ମନୋଭାବ ଇତ୍ୟାଦି ଉପରେ ଅଧିକ ଅନୁଧ୍ୟାନ କରିବାକୁ ସେ ଜିଲ୍ଲାପାଳ, ଜମି ଅଧିଗ୍ରହଣ ଅଧିକାରୀ ଓ ରାଜସ୍ୱ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲୋକେ ଜମି ବିକି୍ର ପାଇଁ ଇଚ୍ଛୁକ ହେଲେ ସରକାରୀ ମୂଲ୍ୟାୟନର ଯଥେଷ୍ଟ ଅଧିକ ମୂଲ୍ୟରେ କ୍ରୟ କରାଯିବ ବୋଲି ସେ କହିଥିଲେ।

ସେଠାରୁ ପାରାଦ୍ୱୀପ ଯାଇ ପାରାଦ୍ୱୀପ ପ୍ଲାଷ୍ଟିକ ପାର୍କଠାରେ ସିପେଟ୍‌ ଦ୍ୱାରା ପରିଚାଳିତ ତାଲିମ କାର୍ଯ୍ୟକ୍ରମର ସଂଚାଳନ ସହ ସେଠାରେ ପ୍ଲାଷ୍ଟିକର ବିଭିନ୍ନ ବ୍ୟବହାରଯୋଗ୍ୟ ଉପକରଣର ନିର୍ମାଣ କୌଶଳ ବୁଲି ଦେଖିଥିଲେ। ସଂପ୍ରତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ମହାନଦୀ କୋଲଡ୍‌ ଫିଲଡ୍‌ ଲିମିଟେଡ୍‌ ଏବଂ ଓଡ଼ିଶା ଅନୁସୂଚିତ ଜାତି/ଜନଜାତି ଉନ୍ନୟନ ନିଗମ ଦ୍ୱାରା ପ୍ରାୟୋଜିତ ଯୁବକଯୁବତୀଙ୍କୁ ତାଲିମ ଦିଆଯାଉଥିବା ଅନୁଧ୍ୟାନ କରିଥିଲେ।

ପରେ ସେଠାରେ ଜଗତସିଂହପୁର ଜିଲ୍ଲାପାଳ ସୁଶ୍ରୀ ପାରୁଲ ପଟ୍ଟୱାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଇଡ୍‌କୋର ଜମି ଅଧିଗ୍ରହଣ ଅଧିକାରୀମାନଙ୍କ ଉପସ୍ଥିତିରେ ଇଡ୍‌କୋ ଦ୍ୱାରା ଶିଳ୍ପପୁଞ୍ଜ ପ୍ରତିଷ୍ଠା ଓ ବିକାଶ ନିମନ୍ତେ କରାଯାଉଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ସଂପର୍କରେ ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା। ସେଠାରେ ଓଡ଼ିଶା ଶକ୍ତି ସଂଚରଣ ନିଗମ ଓ ଟିପିଓସିଡିଏଲ୍‌ ଦ୍ୱାରା କରାଯାଉଥିବା ବିଦୁ୍ୟତ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରାଯାଇ ଆଗାମୀ ୨୦/୩୦ ବର୍ଷକୁ ଆଖିରେ ରଖି ବିଦୁ୍ୟତର ଆବଶ୍ୟକତାକୁ ଆକଳନ କରି ଯୋଜନା ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କୁ ସାକ୍ଷାତ କଲେନରଓ୍ୱେ ରାଷ୍ଟ୍ରଦୂତ

ଭୁବନେଶ୍ୱର: ମେକ୍ ଇନ୍ ଓଡିଶା କନକ୍ଳେଭ-୨୦୨୨ରେ ଯୋଗ ଦେବାକୁ ଆସିଥିବାରୟାଲ ନରଓ୍ୱେର ରାଷ୍ଟ୍ରଦୂତ ହାଂସ ଜାକୋବ ଫ୍ରିଡେନଲ୍ୟୁଣ୍ଡ, ନରୱେର ସଂମ୍ମାନସ୍ପଦ ବାଣିଜ୍ୟଦୂତ ନାୟତରା ପାଲ ଚୌଧୁରୀ, ଦ୍ଵିତୀୟ ସଚିବ ଜୋହନ ଥୋମାସ ଜେରକମ ଆଜି ସଂଧ୍ୟାରେ ଲୋକସେବା ଭବନ ଠାରେ ଓଡିଶାର ଶିଳ୍ପ, ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଶକ୍ତିମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବଙ୍କୁ ସାକ୍ଷାତ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦେବ ଅତିଥିମାନଙ୍କୁ ଆମ ରାଜ୍ୟରେ ଥିବା ଶିଳ୍ପାନୁକୂଳ ବାତାବରଣ ସଂପର୍କରେ ଅବଗତ କରାଇଥିଲେ। ସେ କହିଥିଲେ ଯେ, ଓଡିଶାର ସୁଦୀର୍ଘ ସାମୁଦ୍ରିକ ବେଳାଭୂମି,ଖଣିଜ ସଂପଦ, ଜଳ ସଂପଦ, ଶକ୍ତି ଉତ୍ପାଦନ କ୍ଷେତ୍ର, ପର୍ଯ୍ୟଟନ ବିଭବ ଆଦି ସାଙ୍ଗକୁ ଏହାର ପ୍ରାଚୀନ ସାଂସ୍କୃତିକ ଐତିହ୍ୟ ରହିଛି।

କୃଷି କ୍ଷେତ୍ରରେ ଖାଦ୍ୟ ପ୍ରକ୍ରିୟାକରଣ ଓ ରସାୟନ କ୍ଷେତ୍ରରେ ମଧ୍ୟ ସୁବିଧା ରହିଛି। ଏହି ଦୃଷ୍ଟିରୁ ଓଡିଶାରେ ବିଭିନ୍ନ ଶିଳ୍ପ ଗଢିଉଠିଛି ଓ ଆଗାମୀ ଦିନରେ ଅଧିକରୁ ଅଧିକ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରି ନିଯୁକ୍ତି ସୁଯୋଗ ସୃଷ୍ଟି ମଧ୍ୟ ଆମର ଲକ୍ଷ୍ୟ ରହିଛି ।

ନରୱେ ମେକ୍ ଇନ୍ ଓଡିଶା-୨୦୨୨ ଆୟୋଜନର ଅନ୍ୟତମ ଅଂଶୀଦାର ହୋଇଥିବା ବେଳେ ଆଗାମୀ ଦିନରେ ଓଡିଶାରେ ଥିବା ଶିଳ୍ପାନୁକୂଳ ବାତାବରଣକୁନରୱେ ଦେଶ ତରଫରୁ ସ୍ୱତନ୍ତ୍ର ଭାବେ ପ୍ରତିନିଧି ଆସିଭଲଭାବେ ଅନୁଧ୍ୟାନ କରିବାକୁ ମନ୍ତ୍ରୀ ଶ୍ରୀ ଦେବ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ନରୱେ ତରଫରୁ ବିଶେଷ କରି ବିଭିନ୍ନ କ୍ଷେତ୍ର ସହିତ ଓଡିଶାରେ ରହିଥିବା ଅକ୍ଷୟ ଶକ୍ତିର ବିକାଶ, ମହିଳା ଓ ଶିଶୁ ବିକାଶ, ଧାବତ ଓ ଖଣିଜ ସଂପଦ ପ୍ରଭୃତି କ୍ଷେତ୍ରରେ ରହିଥିବା ସୁଯୋଗ ସଂପର୍କରେ ଆଲୋଚନା କରାଯାଇଥିଲା। ଏହି ସାକ୍ଷାତ ସମୟରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ।

ଓଡିଶା ତରଫରୁ ମନ୍ତ୍ରୀ ଶ୍ରୀ ଦେବ ନରୱେ ରାଷ୍ଟ୍ରଦୂତଙ୍କୁ ରୂପା ତାରକସୀ କାରୁକାର୍ଯ୍ୟର ଏକ କୋଣାର୍କ ଚକ୍ର ପ୍ରଦାନ କରିବା ସହିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୋଡ଼ ୪ ଓଡ଼ିଶା: ସୋଆରେ ରାଜ୍ୟର ସବୁଠାରୁ ବଡ଼ କୋଡ଼ିଙ୍ଗ ହାକାଥନ୍ ଆରମ୍ଭ

ଭୁବନେଶ୍ୱର: ଉତ୍ପାଦନ ଏବଂ ବିଭିନ୍ନ ସେବା କ୍ଷେତ୍ରରେ ପ୍ରାଥମିକ ସ୍ତରରୁ ଆର୍ଥିକ ବିକାଶକୁ ସୁଦୃଢ଼ କରିବା ନିମନ୍ତେ ଏକ ପରିବେଶ ସୃଷ୍ଟି କରିବା ନେଇ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶନିବାର ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ, ଶକ୍ତି ଓ ଏମ୍‌ଏସ୍‌ଏମ୍‌ର ମନ୍ତ୍ରୀ ପ୍ରତାପ କେଶରୀ ଦେବ।

ବୃତ୍ତିଗତ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତିଗୁଡ଼ିକର ସୁଯୋଗ ନେବା ସହ ଚାକିରୀ ପଛରେ ନ ଧାଇଁ ନିଜେ ନିଜର ଷ୍ଟାର୍ଟ ଅପ୍ ଆରମ୍ଭ କରି ଅନ୍ୟମାନଙ୍କୁ ନିଯୁକ୍ତି ସୁଯୋଗ ଦେବାର ସମୟ ଆସିଛି ବୋଲି ଶ୍ରୀ ଦେବ କହିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ପରିସରରେ ଆରମ୍ଭ ହୋଇଥିବା ରାଜ୍ୟର ସବୁଠାରୁ ବଡ଼ କୋଡ଼ିଙ୍ଗ ହାକାଥନ୍ କୋଡ଼ ୪ ଓଡ଼ିଶାର ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି ଶ୍ରୀ ଦେବ।

ଏଭଳି ହାକାଥନ୍ ଛାତ୍ରଛାତ୍ରୀଙ୍କୁ ନୂତନ ସୁଯୋଗ ଦେବା ସହ ବିଭିନ୍ନ ସମସ୍ୟାର ସମାଧାନ କରିବାରେ ମଧ୍ୟ ସହାୟକ ହୋଇଥାଏ। ଇଲେକ୍ଟ୍ରୋନିକ୍ସ, ଫୁଡ୍ ପ୍ରୋସେସିଂ, ଫାର୍ମାସୀ ଓ ଲାଇଟ୍ ଇଞ୍ଜିନିୟରିଂ ଭଳି ଷ୍ଟାର୍ଟ ଅପ୍ କ୍ଷେତ୍ରରେ ନିଯୁକ୍ତିର ଅଧିକ ସୁଯୋଗ ରହିଥାଏ ବୋଲି ଶ୍ରୀ ଦେବ କହିଛନ୍ତି।

ଏହି ୩୬ ଘଂଟିଆ ହାକାଥନ୍‌ ରେ ୨୦୦ ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି। ବିପର୍ଯ୍ୟୟ ପରିଚାଳନା, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ପର୍ଯ୍ୟଟନ ଭଳି ପ୍ରସଙ୍ଗ ଏବଂ ଏହି କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନର ବାଟ ଏହି ହାକାଥନ୍‌ରେ ବାହାର କରିବେ ପ୍ରତିଯୋଗୀ। ଛାତ୍ରଛାତ୍ରୀମାନଙ୍କୁ ନିଜର ଉନ୍ନତ ଚିନ୍ତାଧାରା ଦ୍ୱାରା ସମସ୍ୟାର ସମାଧାନର ବାଟ ଖୋଜିବା ନେଇ ଏହି ହାକାଥନ୍‌ରେ ପ୍ରୋତ୍ସାହନ ଦିଆଯିବ।

ଏହି ଅବସରରେ ଷ୍ଟାର୍ଟଅପ୍ ଓଡ଼ିଶାର ଏଗ୍‌ଜିକ୍ୟୁଟିଭ୍ ଚେୟାରମ୍ୟାନ୍ ଡକ୍ଟର ଓମ୍‌କାର ରାୟ ଯୋଗ ଦେଇ କହିଥିଲେ ଯେ ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ୨୦୧୬ରେ ଷ୍ଟାର୍ଟଅପ୍ ଓଡ଼ିଶା ଆରମ୍ଭ କରାଯାଇଥିଲା ଏବଂ ବର୍ତମାନ ରାଜ୍ୟରେ ୨୪ଟି ବିଶ୍ୱସ୍ତରୀୟ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛି। ଏହି ହାକାଥନ୍ ପରିପ୍ରେକ୍ଷୀରେ ଶ୍ରୀ ରାୟ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ସେମାନେ ନିଜର ଅଭିନବ ଚିନ୍ତାଧାରାକୁ ବିନିଯୋଗ କରନ୍ତୁ ଯାହାଦ୍ୱାରା କି ଷ୍ଟାର୍ଟଅପ୍ ଓଡ଼ିଶା ମଧ୍ୟ ସେମାନଙ୍କୁ ଆର୍ଥିକ ସ୍ତରରେ ସହଯୋଗ କରିପାରିବ।

ଏହି ଅବସରରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଅଟଳ ଇକ୍ୟୁବେସନ୍ ସେଂଟର-ନାଳନ୍ଦା, ଓଡ଼ିଶାର ସିଇଓ ଦେବଜ୍ୟୋତି ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଆଇଟିଇଆର୍ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉପସ୍ଥିତ ଥିଲେ।

ଆଇଟିଇଆର୍‌ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିବା ସହ ହାକାଥନଗୁଡ଼ିକ କିପରି ଛାତ୍ରଛାତ୍ରୀମାନଙ୍କୁ ବ୍ୟକ୍ତିଗତ ସ୍ତରରେ ନେତୃତ୍ୱ ନେବା, ନିଜକୁ ଉନ୍ନତ କରିବା ଏବଂ ଯୋଗାଯୋଗ କ୍ଷେତ୍ରରେ ସହାୟକ ହେଉଛି ସେ ନେଇ ତଥ୍ୟ ଉପସ୍ଥାପନା କରିଥିଲେ। ପ୍ରତିଯୋଗୀମାନେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏକ ଶୈକ୍ଷିକ ବାତାବରଣରେ ଅନେକ ସୁଯୋଗ ପାଇପାରିବେ ବୋଲି ପ୍ରଫେସର ଶର୍ମା କହିଥିଲେ।

ଆଗାମୀ ଦିନରେ ଏହି ହାକାଥନ ଭଳି ଅନେକ କାର୍ଯ୍ୟକ୍ରମ ସୋଆ ପକ୍ଷରୁ ଆୟୋଜନ କରାଯିବ। ସେହିପରି ରାଜ୍ୟରେ ଉପୁଜୁଥିବା ବୈଷୟିକ ତୃଟିଗୁଡ଼ିକର ସମାଧାନ କ୍ଷେତ୍ରରେ ସୋଆ ପକ୍ଷରୁ ସହାୟତା କରାଯିବ ବୋଲି ସେ କହିଥିଲେ।

ଶୁକ୍ରବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୦ ଦିନିଆ ଷ୍ଟାର୍ଟଅପ୍ ଯାତ୍ରା ୨.୦ର ଉଦ୍‌ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୋଆ ପକ୍ଷରୁ ମଧ୍ୟ କୋଡ୍ ୪ ଫର୍ ଓଡ଼ିଶା ହାକାଥନ୍ ମଧ୍ୟ ଆୟୋଜନ କରାଯାଇଥିବା ପ୍ରଫେସର ଶର୍ମା କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

୬୩୯ ଅଧ୍ୟାପକଙ୍କୁ ନିଯୁକ୍ତି ଓ ୨୪ ମାଧ୍ୟମିକ ବିଦ୍ୟାଳୟକୁ ସ୍ୱୀକୃତି ଦେଲା ବିଧାନସଭା କମିଟ

ଭୁବନେଶ୍ୱର: ବରିଷ୍ଠ ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ବିଧାନସଭା ଆକଳନ କମିଟିର ତୃତୀୟ ବୈଠକ ଆଜି ପୂର୍ବାହ୍ନରେ ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ବିଗତ ଦୁଇବର୍ଷ ମଧ୍ୟରେ ପୂର୍ତ୍ତ ଓ ଜଳସଂପଦ ବିଭାଗ ଦ୍ୱାରା ନିର୍ମିତ ବିଭିିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହିତ ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ କରାଯାଇଛି ବୋଲି ଅଧ୍ୟକ୍ଷ ଶ୍ରୀ ଦେବ ପ୍ରକାଶ କରିଛନ୍ତି।

ପର୍ଯ୍ୟାପ୍ତ ପରିମାଣରେ ଜଳସଂରକ୍ଷଣ କରାଯାଇପାରୁ ନଥିବାରୁ ଅନେକ ଜଳର ଉପଯୁକ୍ତ ବ୍ୟବହାର ହୋଇପାରୁନାହିଁ। ତେଣୁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଜଳସଂରକ୍ଷଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଜଳସଂରକ୍ଷଣ ଓ ସେତୁ ନିର୍ମାଣ ସଂପର୍କିତ ବିଭିନ୍ନ ନିୟମରେ ସମୟାନୁଯାୟୀ ପରିବର୍ତ୍ତନ ଆସିବା ଦରକାର ବୋଲି ସେ କହିଛନ୍ତି।

ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣାଧୀନ ବିଭିନ୍ନ ରାସ୍ତା, ସେତୁ, ବିଜୁ ଏକ୍ସପ୍ରେସ୍‌ ୱେ ଏବଂ ରାଜ୍ୟ ରାଜପଥ ସଂପ୍ରସାରଣ, ବିଭିନ୍ନ ବୃହତ୍‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ, ମେଗା ଲିଫଫ ପଏଣ୍ଟ ଉପରେ ବିସ୍ତିର୍ଣ୍ଣ ଆଲୋଚନା ହୋଇଥିଲା । ଗ୍ରୀଷ୍ମ ଦିନରେ ଚାଷ କାର୍ଯ୍ୟ କରିବା ପାଇଁ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୦୦ଟି ସେତୁ ସହ ବ୍ୟାରେଜ ନିର୍ମାଣର ପ୍ରସ୍ତାବ ଆଗତ ହୋଇଛି । ଏହାର କାର୍ଯ୍ୟ କେତେଦୂର ଅଗ୍ରସର ହେଲାଣି, ସେ ବିଷୟରେ ଅଧ୍ୟକ୍ଷ ଶ୍ରୀ ଦେବ ତଥ୍ୟ ସଂଗ୍ରହ କରିଥିଲେ ।

ଅନେକ ସ୍ଥାନରେ ସୌରଜଳ ପ୍ରକଳ୍ପଗୁଡ଼ିକ ଏକ/ଦୁଇ ବର୍ଷ ମଧ୍ୟରେ ଅକାମୀ ହୋଇଯାଉଥିବାର ନଜିର ସାମ୍‌ନାକୁ ଆସୁଛି । ତେଣୁ ଏହି ପ୍ରକଳ୍ପଗୁଡ଼ିକୁ ଅଧିକ ପ୍ରୋତ୍ସାହିତ ନକରିବାକୁ ସଦସ୍ୟମାନେ ମତ ଦେଇଛନ୍ତି । ରାଜ୍ୟର ଆକାମୀ ମେଗା ଲିଫଫ ପଏଣ୍ଟଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ କମିଟି ନିର୍ଦ୍ଦେଶ ଦେଇଛି ।

ସେହିପରି ଅପରାହ୍ନରେ ବରିଷ୍ଠ ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଶିକ୍ଷାର ସାମଗ୍ରିକ ବିକାଶ ଉପରେ ରାଜ୍ୟ ସରକାର ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଶିକ୍ଷା ବ୍ୟବସ୍ଥାକୁ ଅଧିକ କି୍ରୟାଶୀଳ କରିବା ପାଇଁ ୭୦୦୦ ଶିକ୍ଷକଙ୍କ ଆବଶ୍ୟକ ଥିଲା। ଆସନ୍ତା ଜୁନ ମାସ ମଧ୍ୟରେ ସେମାନଙ୍କୁ ନିଯୁକ୍ତି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଅଧ୍ୟକ୍ଷ ଶ୍ରୀ ସିଂହ ପ୍ରକାଶ କରିଛନ୍ତି।

ଏହା ସହିତ ୨୪ଟି ମାଧ୍ୟମିକ ବିଦ୍ୟାଳୟକୁ ସ୍ୱୀକୃତି ପ୍ରଦାନ କରିଥିବାବେଳେ ୬୩୯ ଜଣ ବେସରକାରୀ ମହାବିଦ୍ୟାଳୟର ଅଧ୍ୟାପକଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ଜୁନ ମାସରେ ୨୬୮ ଜଣ ରାଜନୀତି ବିଜ୍ଞାନ ଓ ଇଂରାଜୀ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କମିଟି ସଂପୃକ୍ତ ବିଭାଗ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି।

ଏହା ସହିତ ବରିଷ୍ଠ ବିଧାୟିକା ଉଷାଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହିଳା ଓ ଶିଶୁ ବିକାଶ ବିଭାଗ ଗୃହକମିଟି ବୈଠକରେ ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି। ବିଧାୟକ ପ୍ରଣବ ବଳବନ୍ତରାୟ, ଆଦିତ୍ୟ ମାଢ଼ୀ, ସୁନନ୍ଦା ଦାସ, ବିଷ୍ଣୁବ୍ରତ ରାଉତରାୟ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ବିଭାଗୀୟ ଅଧିକାରୀ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।