ଅନ୍ୟ ଜାତିରେ ବିବାହ ଯୋଗୁଁ ଛୁଇଁଲେନି ମୃତଦେହ: ଶବ ସତ୍କାର କଲା ସ୍ବେଚ୍ଛାସେବୀ ସଂଗଠନ 

Published: May 9, 2023, 9:42 am IST

କନ୍ଦର୍ପ ବେହେରା

ରେଢ଼ାଖୋଲ: ଏବେ ବି ଗ୍ରାମାଞ୍ଚଳରେ ଜାତି ସମାଜକୁ ନେଇ କୋଠର ନିୟମ ରହିଛି। ଏଥି ପାଇଁ ଜାତି ସମାଜ ମାନିବାକୁ ବାଧ୍ୟ ହୋଇଥାନ୍ତି। ସେମିତି ଏକ ଘଟଣା ଘଟିଛି ନାକଟିଦେଉଳ କିସିଣ୍ଡା ଥାନା ଅଂଚଳରେ। ଜନୈକ ବ୍ୟକ୍ତି ଅନ୍ୟଜାତିର ବିବାହ କରିଥିବାରୁ ନିଜର ଶବ ପଡ଼ି ରହିଲା ୨୪ ଘଣ୍ଟା। ଜାତି ସମାଜକୁ ସ୍ଥାନୀୟ ସରପଂଚ ତଥା ଗ୍ରାମବାସୀ ବୁଝାସୁଝା କରିଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳି ପାରି ନ ଥିଲା। ଶେଷରେ ସମ୍ବଲପୁରରୁ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଆସି ଶବ ସତ୍କାର କରି ଉଦାହରଣ ପାଲଟିଲେ। ଏବେ ବି ଗ୍ରାମାଞ୍ଚଳର ଲୋକମାନେ ମାନବିକତା ଭୁଲିଯାଇଛନ୍ତି।

ସେମିତି ଏକ ଘଟଣା ଘଟିଛି ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା କଞ୍ଚନପୁର ଗ୍ରାମରେ। ଗତକାଲି ଗ୍ରାମର ସନ୍ତୋଷ ଦେହୁରୀ (୫୫) ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା।  ହେଲେ ଗ୍ରାମର ଜାତିସମାଜ ଶବ ସଂସ୍କାର କରିବାକୁ ରାଜି ହେଲେ ନାଇଁ। ଗ୍ରାମବାସୀ କହିବା ମୁତାବକ ମୃତ ସନ୍ତୋଷ ନିଜ ଜାତିର ଝିଅ ବାହା ନ ହୋଇ ଅନ୍ୟ ଜାତିର ଝିଅକୁ ବିବାହ କରିଥିଲେ। ତାଙ୍କ ଔରସରୁ କନ୍ୟାସନ୍ତାନଟିଏ ମଧ୍ୟ ରହିଛି। ଗତ କାଲି ଜାତି ସମାଜର ଭାଇ ମାନେ ସନ୍ତୋଷ ଅନ୍ୟଜାତିର ବିବାହ କରିଥିବାରୁ ତାର ଶବକୁ ଉଠାଇବାକୁ ରାଜି ହୋଇ ନ ଥିଲେ। ଗିରିଶିଚନ୍ଦ୍ରପୁର ପଂଚାୟତର ସରପଂଚ ସୁରେନ୍ଦ୍ର ପ୍ରଧାନ ବହୁ ସମୟ ଧରି ଜାତି ଭାଇମାନଙ୍କୁ ବୁଝାସୁଝା କରି ବିଫଳ ହୋଇଥିଲେ। ଏମିତି ୨୪ ଘଣ୍ଟାକାଳ ଶବ ନିଜ ଘରେ ପଡ଼ିରହିଥିଲା। ଶେଷରେ ସମ୍ବଲପୁରରୁ ସମ୍ବଳ ସ୍ବଚ୍ଛାସେବୀ ଅନୁଷ୍ଠାନର କର୍ମଚାରୀମାନେ ଆସି ଶବ ସଂସ୍କାର କରି ଏକ ଉଦାହରଣ ପାଲଟିଛନ୍ତି।

Related posts