ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳାଫଳ: ଡିଏଭି ପୋଖରୀପୁଟର ସୌମ୍ୟ ଶୁଭ୍ରକାନ୍ତ ବିଜ୍ଞାନରେ ପ୍ରଥମ

Published: May 12, 2023, 8:59 pm IST

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଡିଏଭି ପୋଖରୀପୁଟର ବିଜ୍ଞାନ ବିଭାଗରେ ମୋଟ୍ ୨୪୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୪ ଜଣ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନ ବିଭାଗରେ ବିଦ୍ୟାଳୟର ସାମଗ୍ରିକ ହାର ୮୨.୨୯ ପ୍ରତିଶତ ଥିବାବେଳେ ବାଣିଜ୍ୟ ବିଭାଗରେ ୮୦.୫୭ ପ୍ରତିଶତ ଓ କଳା ବିଭାଗରେ ୮୯.୫୧ ପ୍ରତିଶତ ରହିଅଛି।

ବିଜ୍ଞାନରେ ସୌମ୍ୟ ଶୁଭ୍ରକାନ୍ତ ପ୍ରଥମ, ସ୍ମାର୍ତା ଦେବ୍ ଓ ସୈଜଲ ତ୍ରିପାଠୀ ଯୁଗ୍ମଭାବେ ଦ୍ୱିତୀୟ, ଶୁଭଙ୍କର ନାୟକ ଓ ଶିବାନୀ ପ୍ରିୟଦର୍ଶିନୀ ପଣ୍ଡା ତୃତୀୟ, ବାଣିଜ୍ୟରେ ସ୍ନେହା ମହାନ୍ତି ପ୍ରଥମ, ଶ୍ରୀଦାତ୍ରୀ ସାହୁ ଦ୍ୱିତୀୟ, ଆଦ୍ୟାଶା ସାହୁ ତୃତୀୟ ଓ କଳାରେ ବିଶ୍ୱ ଶ୍ରୁତିମୟୀ ପ୍ରଧାନ ପ୍ରଥମ, ରୋଶନ କୁମାର ବେହେରା ଦ୍ୱିତୀୟ ଓ ଶୁଭଶ୍ରୀ ସାମନ୍ତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଜ୍ଞାନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ସୌମ୍ୟ ଶୁଭ୍ରକାନ୍ତ ତାଙ୍କର ସଫଳତା ପାଇଁ ନିଜର କଠିନ ପରିଶ୍ରମ, ବିଦ୍ୟାଳୟର ଅଧ୍ୟକ୍ଷା , ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ନିଜର ମାତାପିତାଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି।

ସେହିପରି ବାଣିଜ୍ୟ ବିଭାଗରେ ପ୍ରଥମ ସ୍ଥାନ କରିଥିବା ସ୍ନେହା ମହାନ୍ତି ଭଗବାନଙ୍କ ଆଶୀର୍ବାଦ, ବିଦ୍ୟାଳୟର ଅଧ୍ୟକ୍ଷା ମହୋଦୟା ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ପଥ ପ୍ରଦର୍ଶନ ଓ ପିତାମାତାଙ୍କ ଉଚିତ ପରାମର୍ଶକୁ ଗ୍ରହଣ କରି ଏହି ସଫଳତା ପାଇଛନ୍ତି ବୋଲି କହିଛନ୍ତି। ଅନରୂପଭାବେ କଳାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଶ୍ୱ ଶ୍ରୁତିମୟୀ ପ୍ରଧାନ ଏହି ସଫଳତା ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷା, ମାତାପିତା, ଶିକ୍ଷକ ଶିକ୍ଷୟିତ୍ରୀ, ସହପାଠୀମାନଙ୍କ ପ୍ରେରଣାରେ ଏହା ସମ୍ଭବ ହୋଇପାରିଛି ବୋଲି ମତପ୍ରଦାନ କରିଛନ୍ତି। ଅଧିକାଂଶ ଛାତ୍ରଛାତ୍ରୀ ବିଷୟଭିତ୍ତିକ ଶତପ୍ରତିଶତ ନମ୍ବର ରଖି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।

ଏହି ସଫଳତା ପାଇଁ ବିଦ୍ୟାଳୟର ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ, ଡିଏଭି ସମୂହ ଓଡ଼ିଶା ଜୋନ୍‌ର ଆଞ୍ଚଳିକ ଅଧିକାରୀ ଡ. କେଶବ ଚନ୍ଦ୍ର ଶତପଥୀ ଓ ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ଏହି ସଫଳତା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।

Related posts