Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ ପାଇଁ ଓଡ଼ିଶାରେ ପହଞ୍ଚିଲେ ବିଦେଶୀ ପ୍ରତିନିଧି
ଆଜିର ଖବର

ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ ପାଇଁ ଓଡ଼ିଶାରେ ପହଞ୍ଚିଲେ ବିଦେଶୀ ପ୍ରତିନିଧି

May 14, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକରେ ଅଂଶଗ୍ରହଣ କରିବା ଲାଗି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏଥିପୂର୍ବରୁ ମଧ୍ୟପ୍ରଦେଶର ଖଜୁରୋହୋ ଠାରେ ପ୍ରଥମ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜିତ ହୋଇଥିଲା। ଏହାପରେ ଦୁଇ ମାସ ଧରି ବିଶେଷଜ୍ଞମାନଙ୍କ ଦ୍ୱାରା ବୈଶ୍ୱିକ ବିଷୟବସ୍ତୁ ଉପରେ ଆଧାରିତ ୱେବିନାରରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ଏଥିରୁ ପ୍ରାପ୍ତ ପରିଣାମକୁ ଆଗକୁ ବଢ଼ାଇବା ଉପରେ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀରେ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି। ଏହି ବୈଠକରେ ଚାରିଟି ପ୍ରାଥମିକତା କ୍ଷେତ୍ର ଯଥା : ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃପ୍ରତିଷ୍ଠା; ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ; ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନ; ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ ଉପରେ ଧ୍ୟାନ ଦିଆଯିବ।

ବୈଠକ ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଡୋନର ମନ୍ତ୍ରୀ ଜି. କିଶନ ରେଡ୍ଡୀ ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ ଏବଂ ଲାଇଫ-ଲାଇଫଷ୍ଟାଇଲ୍‌ ଫର ଏନଭାଇରନ୍‌ ମେଣ୍ଟ ବା ପରିବେଶ ପାଇଁ ଜୀବନଶୈଳୀ ବିଷୟରେ ଆଲୋକପାତ କରିଥିଲେ। ଶ୍ରୀ ରେଡ୍ଡୀ କହିଥିଲେ ଯେ ଏହା ସାରା ବିଶ୍ୱକୁ ଏକ ପରିବାର ଭାବେ ବିବେଚନା କରିବା ଏବଂ ପରିବେଶ ସ୍ଥାୟିତ୍ୱ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ଏବଂ ଉଭୟ ବ୍ୟକ୍ତିଗତ ଜୀବନଶୈଳୀ ଏବଂ ଜାତୀୟ ବିକାଶ ସ୍ତରରେ ଉତ୍ତରଦାୟୀ ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦେଉଛି।

ଆଜିର ବୈଠକର ଏଜେଣ୍ଡା ସମ୍ପର୍କରେ ଆଲୋଚନା କରି ଶ୍ରୀ ରେଡ୍ଡୀ କହିଥିଲେ ଯେ ଏହି ବୈଠକରେ ଚାରିଟି ପ୍ରାଥମିକତା କ୍ଷେତ୍ର ଯଥା : ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃପ୍ରତିଷ୍ଠା; ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ; ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନ; ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ ଉପରେ ଧ୍ୟାନ ଦିଆଯାଇଛି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡୀ ଆହୁରି କହିଥିଲେ ଯେ, ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ, ଯୁଗ୍ମ ଐତିହ୍ୟ ସଂରକ୍ଷଣ ପ୍ରକଳ୍ପ ଏବଂ ପାରସ୍ପରିକ ସାଂସ୍କୃତିକ ବିଚାର ବିମର୍ଶ ଭଳି ସହଭାଗୀ କାର୍ଯ୍ୟକ୍ରମକୁ ନେଇ ବିଚାରବିମର୍ଶ କରାଯିବା ଯଦ୍ଦ୍ୱାରା ଆପୋସ ସମ୍ପର୍କ ବଢ଼ାଇବା ଏବଂ ଅଧିକ ସହନଶୀଳ ତଥା ପରସ୍ପର ସହ ସଂଯୁକ୍ତ ସମୁଦାୟ ବିକଶିତ କରାଯାଇପାରିବ।

ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ  ଅର୍ଜୁନ ରାମ ମେଘୱାଲ ଏହି ଅବସରରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରେ ସାଂସ୍କୃତି ସମ୍ପତ୍ତିର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି।

ସେ ଆହୁରି କହିଥିଲେ ଯେ, ଦୀର୍ଘସ୍ଥାୟୀ ଭବିଷ୍ୟତ ଏବଂ ପରବର୍ତ୍ତୀ ପିଢ଼ିର ଉତ୍ତରାଧିକାରକୁ ନେଇ ଆଲୋଚନା ହେବ। ସାଂସ୍କୃତିକ ସ୍ଥଳୀଗୁଡ଼ିକୁ ଆର୍ଥିକ କାର୍ଯ୍ୟକଳାପ ଏବଂ ପର୍ଯ୍ୟଟନ ସହିତ ଯୋଡ଼ାଯିବା ଉଚିତ୍‌ ଯାହାଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏସବୁ କ୍ଷେତ୍ରରେ ପ୍ରଯୁକ୍ତିର ପ୍ରୋତ୍ସାହନ ଉପରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମେଘୱାଲ ଗୁରୁତ୍ୱାରୋପ କରିଥିଲେ।

ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ସଂସ୍କୃତି କାର୍ଯ୍ୟଗୋଷ୍ଠୀର ସହ-ଅଧ୍ୟକ୍ଷ ଲିଲୀ ପାଣ୍ଡେୟ କହିଥିଲେ ଯେ, ଆମ ରାଷ୍ଟ୍ରଗୁଡ଼ିକୁ ଏକଜୁଟ କରିବା ଏବଂ ବିଶ୍ୱସ୍ତରରେ ସଦଭାବନା ସୃଷ୍ଟି କରିବା ଲାଗି ସଂସ୍କୃତିର ଶକ୍ତିକୁ ଉପଯୋଗ କରିବା ନିମନ୍ତେ ଜି୨୦ ଦେଶ, ଅତିଥି ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକର ସହଭାଗୀ ସାମର୍ଥ୍ୟକୁ ଉପଯୋଗ କରିବା ନେଇ ଆଲୋଚନା ହେବ।

ଆଜି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ପ୍ରଦର୍ଶିତ ହୋଇଥିଲା। ବାଲୁକା କଳା ପ୍ରଦର୍ଶନୀ ଜରିଆରେ ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’ ବାର୍ତ୍ତା ପ୍ରଚାର କରାଯାଇଛି। କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଡୋନର ମନ୍ତ୍ରୀ ଜି. କିଶନ ରେଡ୍ଡୀ ଏବଂ କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହାକୁ ଉଦଘାଟନ କରିଥିଲେ।

ଭାରତରେ ବାଲୁକା କଳାର ଅଗ୍ରଦୂତ ଭାବେ ପରିଚିତ ସୁଦର୍ଶନ ପଟ୍ଟନାୟକଙ୍କୁ କଳା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନକୁ ବିଚାର କରି ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି। ତାଙ୍କର ବାଲୁକା କଳାକୃତିଗୁଡ଼ିକ ବିଶ୍ୱପ୍ରସିଦ୍ଧ ଏବଂ ବିଶ୍ୱସ୍ତରର ବିଭିନ୍ନ ପ୍ରତିଯୋଗିତାରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ବାଲୁକା କଳା ଏକ ଅଭିନବ ସାର୍ବଜନୀନ କଳା ସ୍ୱରୂପ ଯାହାର ବିଶ୍ୱବ୍ୟାପୀ ବିଶେଷ କରି ମରୁଭୂମି ବହୁ ଅଞ୍ଚଳ, ସମୁଦ୍ର ବେଳାଭୂମି ଓ ନଦୀଶଯ୍ୟାରେ ବିଶେଷ ସାଂସ୍କୃତିକ ଗୁରୁତ୍ୱ ରହିଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବାଲୁକା କଳା କାହାଣୀ କହିବାର ଏକ ଲୋକପ୍ରିୟ ମାଧ୍ୟମ ଏବଂ ପୌରାଣିକ ତଥା ଧାର୍ମିକ କାହାଣୀ ବ୍ୟାଖ୍ୟା କରିବାରେ ଏହାର ଉପଯୋଗ କରାଯାଇଥାଏ।

ଭାରତର ଜି–୨୦ ଅଧ୍ୟକ୍ଷତା ଅଧୀନରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ପକ୍ଷରୁ ‘‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’’ ଅଭିଯାନ ଆରମ୍ଭ କରାଯାଇଛି । ବିବିଧ ସଂସ୍କୃତି ଓ ସମୁଦାୟଗୁଡ଼ିକ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି । ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’ ବିଷୟବସ୍ତୁ ଏହି ବିଚାରକୁ ଗ୍ରହଣ କରିଥାଏ ଯେ, ଭିନ୍ନ ଭିନ୍ନ ସାଂସ୍କୃତିକ ପରମ୍ପରା ଓ ଚାଲିଚଳଣିରେ ବ୍ୟାପକ ଭିନ୍ନତା ରହିଥିଲେ ସୁଦ୍ଧା ସେଗୁଡ଼ିକ ମଧ୍ୟରେ ଏକ ଅନ୍ତର୍ନିହିତ ଆଦର୍ଶ ଓ ମୂଲ୍ୟବୋଧଗତ ସମାନତା ଦେଖିବାକୁ ମିଳେ। ସଂସ୍କୃତିରେ ଏପରି ସମ୍ଭାବନା ରହିଛି, ଯାହା ସୀମାପାର୍‌ ସମ୍ପର୍କକୁ ପ୍ରୋତ୍ସାହିତ କରିବା ସହିତ ରାଷ୍ଟ୍ର, ସମୁଦାୟ ଓ ବ୍ୟକ୍ତିବିଶେଷଙ୍କୁ ବାସ୍ତବ ପାରସ୍ପରିକ ଆଲୋଚନା ତଥା ବୁଝାମଣା ପାଇଁ ଅନୁପ୍ରାଣିତ କରିପାରିବ ।

ଆଜିର କାର୍ଯ୍ୟକ୍ରମ ଅବସରରେ ବିଦେଶାଗତ ଅତିଥିମାନଙ୍କ ପାଇଁ ଆଦିବାସୀ ଲୋକନୃତ୍ୟ ସିଙ୍ଗାରୀ ଓ ସମ୍ବଲପୁରୀ ନୃତ୍ୟ ସମେତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏସବୁ କଳା ପରିବେଷଣ କାର୍ଯ୍ୟକ୍ରମ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିବା ସହିତ ପାରମ୍ପରିକ କଳା ସ୍ୱରୂପକୁ ସଂରକ୍ଷିତ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲା।

ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକର ଆଲୋଚନା ଅଧିବେଶନ ଆସନ୍ତାକାଲି ଆରମ୍ଭ ହେବ। ଏହି ଅଧିବେଶନରେ ଜି୨୦ ସଦସ୍ୟ, ନିମନ୍ତ୍ରିତ ଅତିଥି ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିବା ସହିତ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକର ଚାରିଟି ପ୍ରାଥମିକତା କ୍ଷେତ୍ରରେ ସେମାନଙ୍କର ବିଚାର ରଖିବେ। ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକରେ ବ୍ୟାପକ ବିଚାରବିମର୍ଶ ଏବଂ ସହଭାଗିତା ଜରିଆରେ ବିଶ୍ୱସ୍ତରରେ ଦେଖା ଦେଇଥିବା ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ପ୍ରସଙ୍ଗଗୁଡ଼ିକର ସମାଧାନ ଉପରେ ଗୁରୁତ୍ୱାରୋପ କରାଯିବ।

ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକର ଅଂଶବିଶେଷ ସ୍ୱରୂପ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ’ ଶୀର୍ଷକ ଏକ ପ୍ରଦର୍ଶନୀ ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ – କଳାଭୂମି ପରିସରରେ ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଏହି ପ୍ରଦର୍ଶନୀ ଉଦଘାଟିତ ହେବ।

ଏହା ମାନବଜାତି ଓ ପ୍ରକୃତି ମଧ୍ୟରେ ସହାବସ୍ଥାନ ସମ୍ପର୍କରେ ପ୍ରଦର୍ଶନୀ ପରିଦର୍ଶକ, ପେସାଦାର, ନୀତି ନିର୍ମାତାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। ମେ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ଏଠାରେ ହସ୍ତଶିଳ୍ପୀମାନଙ୍କ ଦ୍ୱାରା ପାରମ୍ପରିକ କଳା ସମ୍ପର୍କରେ ଏକ ମାଷ୍ଟର କ୍ଲାସ୍‌ ଦେଖିବା ଲାଗି ବିଦେଶୀ ଅତିଥିମାନଙ୍କୁ ସୁଯୋଗ ମିଳିବ ଏବଂ ସେମାନେ ସଂଗ୍ରହାଳୟ ବୁଲିଦେଖିବେ।

ଅଧିବେଶନ ଏବଂ ଦ୍ୱିପାକ୍ଷୀକ ବୈଠକ ସହିତ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକରେ ଯୋଗ ଦେଇଥିବା ଜି୨୦ ପ୍ରତିନିଧିମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଭୁବନେଶ୍ୱର ଉଦୟଗିରି ଗୁମ୍ଫା ଦେଖିବାର ସୁଯୋଗ ପାଇବେ। ସେମାନଙ୍କ ନିମନ୍ତେ ଓଡ଼ିଶାର ବିବିଧ ଏବଂ ରଙ୍ଗୀନ ଐତିହ୍ୟକୁ ପ୍ରତିନିଧିତ୍ୱ କରୁଥିବା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

ଦୁଇ ଦିନ ଧରି ଭୁବନେଶ୍ୱରେ ବ୍ୟାପକ ଆଲୋଚନା କରାଯିବା ପରେ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଆସନ୍ତା ଜୁଲାଇ ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକର ହମ୍ପିରେ ଅନୁଷ୍ଠିତ ହେବ ଶେଷରେ ବାରାଣସୀ ଠାରେ ଅଗଷ୍ଟ ୨୦୨୩ ଶେଷ ଭାଗରେ ଜି୨୦ ସଂସ୍କୃତି ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ।

ଓଡିଶା ଜି20 ସଂସ୍କୃତି କାର୍ଯ୍ୟଗୋଷ୍ଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ

August 18, 2025

ପଞ୍ଚମ ରଥସେବା ସମ୍ମାନ ଅନୁଷ୍ଠିତ

August 18, 2025

୧୧,୦୦୦ କୋଟିର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 18, 2025

ଆଜି ସୋମବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର, ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2025
Latest News

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ

August 18, 2025

ପଞ୍ଚମ ରଥସେବା ସମ୍ମାନ ଅନୁଷ୍ଠିତ

August 18, 2025

୧୧,୦୦୦ କୋଟିର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 18, 2025

ଆଜି ସୋମବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର, ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2025

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.