ପିକଅପ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ପାଞ୍ଚ ମହିଳାଙ୍କ ସମେତ ୬ ମୃତ, ୨୧ ଆହତ

Published: May 15, 2023, 12:41 pm IST

ନୂଆଦିଲ୍ଲୀ: ଛତିଶଗଡର ବଲୌଦାବାଜାର ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ସୋମବାର ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ, ରବିବାର ବିଳମ୍ବିତ ରାତିରେ ଜିଲ୍ଲାର ପଲାରି ପୋଲିସ ଷ୍ଟେସନ ଅନ୍ତର୍ଗତ ଗୌଡା ପୁଲିଆ ନିକଟରେ ଟ୍ରକ ଏବଂ ପିକଅପ୍ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ମହିଳା ଓ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି।

ପୋଲିସ ସୂଚନା ଅନୁଯାୟୀ, ବଲୌଦାବାଜାର ପୋଲିସ ଷ୍ଟେସନ ଅଞ୍ଚଳର ଲଟୁଆ ଗାଁର ବାସିନ୍ଦା ପରସଦା ଗ୍ରାମରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ନିଜ ଗାଁକୁ ଫେରୁଥିଲେ। ସେ କହିଛନ୍ତି ଯେ, ବିଳମ୍ବିତ ରାତିରେ ଗୌଡା ପୁଲିଆ ନିକଟରେ ପହଞ୍ଚିବା ପରେ ତାଙ୍କ ଗାଡି ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପିକଅପ୍ ଗାଡିରେ ଯାତ୍ରା କରୁଥିବା ପାଞ୍ଚଜଣ ମହିଳା ଏବଂ ଜଣେ ୬ ବର୍ଷର ଶିଶୁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଏବଂ ଏହି ଘଟଣାରେ ଅନ୍ୟ ୨୧ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Related posts