ନାବାଳକଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ: ଦୁଇ ମହିଳା ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

Published: May 16, 2023, 9:59 pm IST

ସୀତାରାମ ଅଗ୍ରୱାଲ
ବାଣପୁର: ସୋମବାର ବିଳମ୍ବିତ ରାତ୍ରିରେ ବାଣପୁରର ଜଣେ ୧୩ ବର୍ଷର ବାଳକକୁ ତଣ୍ଟିଚିପି ହତ୍ୟା ଉଦ୍ୟମ କରିବା ଫଳରେ ଦୁଇ ମହିଳାଙ୍କୁ ଗିରଫ କରି କୋର୍ଟ ସ୍ଥାନାନ୍ତର କରିଛି ବାଣପୁର ପୋଲିସ। ଖବରରୁ ପ୍ରକାଶ ଗୁରବାରି ନାୟକଙ୍କ ଘର ଦାଣ୍ଡ ଦୁଆରକୁ ପାଣ୍ଡୀ ନାୟକ ଓ ମିନତୀ ନାୟକ ନାମକ ଦୁଇଜଣ ମହିଳା ଆସିଥିଲେ। ସେମାନେ ଗୁରବାରିଙ୍କ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ଏବଂ ବିଭିନ୍ନ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ଗୁରୁବାରୀଙ୍କୁ ମାଡ଼ପିଟ କରିଥିଲେ। ଗୁରୁବାରୀଙ୍କ ୧୩ ବର୍ଷର ନାବାଳକ ପୁଅ ଆସିଯିବାରୁ ପାଣ୍ଡୀ ଓ ମିନତୀ ଜୀବନରେ ମାରିଦେବାର ଉଦ୍ଦେଶ୍ୟ ରଖି ତାର ତଣ୍ଟିକୁ ଚିପି ଦେଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ସେ ସେଠାରୁ ଖସି ପଳାଇଯିବାର ସକ୍ଷମ ହୋଇଥିଲା।

ଉପରୋକ୍ତ ମହିଳା ଦୁଇଜଣ ଗ୍ରାମର ଲତା ନାୟକଙ୍କ ଘରକୁ ଯାଇ ଲତା ଓ ତାଙ୍କ ଝିଅକୁ ମଧ୍ୟ ଆକ୍ରମଣ କରିଥିଲେ। ଗୁରୁବାରୀ ଉକ୍ତ ଘଟଣାକୁ ନେଇ ଥାନାର ଦ୍ଵାରସ୍ଥ ହେଲାପରେ ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା ପାଣ୍ଡୀ ଓ ମିନତୀଙ୍କୁ ମଙ୍ଗଳବାର ଗିରଫ କରି ୩୦୭ ଦଫାରେ କୋର୍ଟ ଚାଲାଣ କରିଥିଲେ। କୋର୍ଟ ଦୁଇ ମହିଳାଙ୍କର ଜାମିନ ନାମଂଜୁର କରି ଜେଲକୁ ପଠାଇଦେଇଥିବା ଜଣାଯାଇଛି।

ପ୍ରକାଶ ଥାଉ କି ଥାନା ଅଧିକାରୀଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ପ୍ରଂଶସା କରାଯାଇଛି।

Related posts