
ସୀତାରାମ ଅଗ୍ରୱାଲ
ବାଲୁଗାଁ: ବାଲୁଗାଁ ଥାନା ଅନ୍ତର୍ଗତ କିମ୍ଭିରିପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କିଛି ଟଙ୍କା ପାଇଁ ପାରିବାରିକ କଳହ ଲାଗିରହିଥିବା ବେଳେ ବାପ ଷଡଯନ୍ତ୍ର କରି ପୁଅକୁ ଅପହରଣ କରିଥିବା ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ କିମ୍ଭିରିପଡା ଗ୍ରାମର ରମେଶ ମଙ୍ଗରାଜଙ୍କ ଝିଅ ସରୋଜିନୀ ଗତ ଫେବୃଆରୀ ୧୫ ତାରିଖରେ ପାଇକକୋଶଡିହ ଗ୍ରାମର ଖଗେଶ୍ୱର ବାହୁବଳେନ୍ଦ୍ରଙ୍କ ପୁଅ ଅନିଲକୁ ବୈଦିକ ରୀତିରେ ବିବାହ କରିଥିଲେ। ବରପକ୍ଷ ଦାବି ମୁତାବକ ଯାନିଯୌତୁକ ଓ ଆସବାବପତ୍ର ମଧ୍ୟ ଦିଆଯାଇଥିଲା। ଶାଶୁ ଶଶୁର ପଶ୍ଚିମବଙ୍ଗ ଖଡକପୁର ଅଞ୍ଚଳରେ ରହୁଥିବାରୁ ସେଠାରେ କିଛି ଦିନ ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ କରିବାପରେ ଶାଶୁ ଶଶୁର ଅଧିକ ଯୌତୁକ ଆଣିବାପାଇଁ ବୋହୁ ସରୋଜିନୀଙ୍କୁ ବାରମ୍ବାର କହିଥିଲେ। ଏଥିରେ ବିଭ୍ରାଟ ହେବାରୁ ନାନାଦି ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶିକାର ମଧ୍ୟ ହୋଇଥିଲେ ସରୋଜିନୀ। ଏସମସ୍ତ କଥା ସରୋଜିନୀ ସ୍ୱାମୀ ଅନିଲକୁ ଜଣାଇବା ପରେ ବହୁବାର ଅନୀଲ ନିଜ ବାପା ମାଙ୍କୁ ବୁଝାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା।
ଯାହାଫଳରେ ବାଧ୍ୟ ହୋଇ ସରୋଜିନୀ ସମସ୍ତ କଥା ବାପ ଘରକୁ ଜଣାଇଥିଲା। ଏନେଇ ସରୋଜିନୀର ବାପା ରମେଶ ମଙ୍ଗରାଜ ଶାଶୁ ଶଶୁରଙ୍କ ସହ କଥାବାର୍ତ୍ତା ହୋଇ କିଛି ଦିନ ସମୟ ମଧ୍ୟରେ ଟଙ୍କା ଦେବାପାଇଁ ପ୍ରତିଶୃତି ଦେଇଥିଲେ। ମାତ୍ର ଟଙ୍କା ଦେବାରେ ବିଳମ୍ବ ହେବାରୁ ସରୋଜିନୀଙ୍କ ପ୍ରତି ଦିନକୁଦିନ ଅତ୍ୟାଚାର ଅସହିଷ୍ଣୁ ହେବାରେ ଲାଗିଥିଲା। ସ୍ତ୍ରୀ ପ୍ରତି ଏଭଳି ଅତ୍ୟାଚାର ହେଉଥିବା ଦେଖି ଅନୀଲ ସହ୍ୟ କରିପାରୁନଥିବା ବେଳେ ଅନ୍ୟଉପାୟ ନପାଇ ସ୍ତ୍ରୀ ସହିତ ଶଶୁର ଘର କିମ୍ଭିରିପଡା ଠାରେ ଆଶ୍ରୟ ନେଇଥିଲେ।
ମାତ୍ର ଗତ ୨୯ ତାରିଖ ପୂର୍ବାହ୍ନରେ ଡବ୍ଲୁ ବି ୩୬ କେ ୨୯୬୦ ନମ୍ବର ବିଶିଷ୍ଟ ଏକ କଳା ରଙ୍ଗର କାରରେ ବାପା ଖଗେଶ୍ୱର ବାହୁବଳେନ୍ଦ୍ରଙ୍କ ସମେତ ଚାରି ଜଣ ଦୁର୍ବୁତ୍ତ ଅନିଲର ଶଶୁର ଘର କିମ୍ଭିରିପଡା ଗ୍ରାମରେ ପହଞ୍ଚିଥିଲେ। ଝିଅ ଓ ଜ୍ୱାଇଁଙ୍କ ସମେତ ସପରିବାର ଘରେ ବସିଥିବା ବେଳେ ଦୁର୍ବୁତ୍ତ ମାନେ ଜବରଦସ୍ତ ଘରେ ପଶି ଜ୍ୱାଇଁ ଅନିଲକୁ ଉଠାଇ ନେବାପାଇଁ ଉଦ୍ୟମ କରିଥିଲେ। ଏହା ଦେଖି ପରିବାର ଲୋକେ ପ୍ରତିବାଦ କରିବାସହ ପାଟିତୁଣ୍ଡ କରିଥିଲେ।
ପାଟିତୁଣ୍ଡ ଶୁଣି ଗ୍ରାମର କିଛି ବ୍ୟକ୍ତି ସେଠାରେ ପହଞ୍ଚି ଅପହରଣକାରୀ ମାନଙ୍କ କବଳରୁ ଅନିଲକୁ ଉଦ୍ଧାର କରିବାସହ ଅପହରଣକାରୀଙ୍କୁ କାବୁ କରି ପୋଲିସକୁ ଜଣାଇଥିଲେ।ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅନିଲର ବାପା ଖଗେଶ୍ୱର ବାହୁବଳେନ୍ଦ୍ରଙ୍କ ସମେତ ଚାରି ଜଣ ଅପହରଣକାରୀଙ୍କୁ ଥାନାକୁ ଆଣି ପଚରାଉଚରା କରିବାସହ ବ୍ୟବହୃତ କାରକୁ ଜବତ କରିଛନ୍ତି।
ଅପହୃତଙ୍କ ସ୍ତ୍ରୀ ସରୋଜିନୀଙ୍କ ଅଭିଯୋଗକୁ ଭିତି କରି ପୋଲିସ କେଶ ନଂ ୧୧୯/୨୩ ରେ ଦଫା ୪୯୮(କ), ୪୪୮, ୪୫୧, ୨୯୪, ୩୨୩, ୫୦୬, ୩୬୫, ୫୧୧, ୩୪ ଆଇପିସି, ୪ ଡିପିଆର ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାସହ କାର ଜବତ କରି ତଦନ୍ତ ଜାରିରଖିଥିବା ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ସମ୍ପୃକ୍ତ ଅଭିଯୁକ୍ତମାନେ ହେଲେ ଅନିଲର ବାପା ଖଗେଶ୍ୱର ବାହୁବଳେନ୍ଦ୍ରଙ୍କ ସମେତ ପଶ୍ଚିମବଙ୍ଗ ଖଡକପୁର ଅଞ୍ଚଳର ସୁରଜିତ କୁମାର ଧର, ମିର୍ଣମୟ ସାହ, ଶୁଭମ ଗିରି, ସାକିଲ ଖାଁ।