ଟ୍ରେନ ଦୁର୍ଘଟଣାସ୍ଥଳରେ ମେଡିକାଲ ଟିମ ନିୟୋଜିତ କଲା ଆଇଏନଏସ ଚିଲିକା

Published: Jun 4, 2023, 12:47 pm IST
INSTrainAccidnet

ସୀତାରାମ ଅଗ୍ରୱାଲ

ଚିଲିକା: ଚଳିତ ଜୁନ ୨ ତାରିଖରେ ବାଲେଶ୍ଵର ନିକଟରେ କୋରୋମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଉକ୍ତ ସ୍ଥାନରେ ମେଡିକାଲ ରିଲିଫ ଏବଂ ସହାୟତା ଯୋଗାଇବା ପାଇଁ ଭାରତୀୟ ନୌସେନା ଓଡିଶା ସରକାର ସହ ହାତ ମିଳାଇଛି।

ଗତକାଲି ରାତିରେ ଆଇଏନଏସ ଚିଲିକାରୁ ସର୍ଜିକାଲ୍ ସ୍ପେଶାଲିଷ୍ଟ ଏବଂ ମେଡିକାଲ୍ ଆସିଷ୍ଟାଣ୍ଟ, ଆମ୍ବୁଲାନ୍ସ ଓ ସପୋର୍ଟ ସେବା ସମେତ ୪୩ ଜଣ ଅଧିକାରୀଙ୍କ ଏକ ଟିମ୍ ବାଲେଶ୍ୱର ପହଞ୍ଚିଥିବା ବେଳେ ବର୍ତ୍ତମାନ ସେମାନେ ଆହତମାନଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା କରିବା ସହ ସେମାନଙ୍କୁ ଆଶୁ ଚିକିତ୍ସା ସହାୟତା ଏବଂ ଓଟି ସୁବିଧା ଯୋଗାଇ ଦେଉଛନ୍ତି।

ଗୁରୁତର ନଥିବା ରୋଗୀଙ୍କ ଚିକିତ୍ସା ପାଇଁ ବାଲେଶ୍ଵର ଗଙ୍ଗାଧର କଲ୍ୟାଣ ମଣ୍ଡପରେ ନାଭାଲ ମେଡିକାଲ ରିଲିଫ ଟିମ ଦ୍ୱାରା ଏକ ମେଡିକାଲ କ୍ୟାମ୍ପ ମଧ୍ୟ ସ୍ଥାପନ କରାଯାଇଛି। ଆହତ ନାଗରିକଙ୍କ ଥଇଥାନ ଏବଂ ଉଦ୍ଧାର କାର୍ଯ୍ୟରେ ଉକ୍ତ ନାଭାଲ ଟିମ ଓଡ଼ିଶା ସରକାରଙ୍କୁ ସହାୟତା ମଧ୍ୟ କରୁଛି।

ପୂର୍ବାଞ୍ଚଳ ନାଭାଲ୍ କମାଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ସହ ସମନ୍ୱୟ ରକ୍ଷା କରାଯାଇ ଉକ୍ତ ରିଲିଫ କାର୍ଯ୍ୟ ବାଲେଶ୍ୱରରେ ଜାରି ରହିଛି l

Related posts