ଚିଲିକା: ବଜ୍ରାଘାତରେ ଚାରି ଛାତ୍ର ଗୁରୁତର 

Published: Jun 16, 2023, 9:14 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ କଳକଳେଶ୍ୱର ପଞ୍ଚାୟତର ତାରିମି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଜ୍ରାଘାତରେ ଚାରି ଜଣ ଛାତ୍ର ଆହତ ହୋଇଥିବା ଖବର ହସ୍ତଗତ ହୋଇଛି।

ଖବର ମୁତାବକ ଅପରାହ୍ନ ପାଖାପାଖି ତିନି ଘଟିକା ସମୟରେ ଉକ୍ତ ଗ୍ରାମର ଭାଟପୋଖରା ସାହିରେ ଖରା ଛୁଟି ଉପଲକ୍ଷେ କିଛି ଛାତ୍ର ଭୋଜି କରୁଥିଲେ। ତେବେ ହଠାତ ସେହି ସମୟରେ ଉକ୍ତ ଅଞ୍ଚଳରେ ଅଦିନିଆ କାଳବୈଶାଖୀ ବଜ୍ରପାତ ହୋଇଥିଲା ଏବଂ ଉକ୍ତ ଛାତ୍ରମାନେ ଏହାର ଶିକାର ହୋଇଥିଲେ। ଯାହା ଫଳରେ ଚାରି ଜଣ ଛାତ୍ର ଆହତ ହୋଇଛନ୍ତି।

ଆହତ ଛାତ୍ରମାନେ ହେଲେ ଶୁଭମ ଚମ୍ପତ୍ତି, ଦିନେଶ ସାହୁ, ସୁନୀଲ ସାହୁ ଏବଂ ଜିଜ୍ଞାଂଶୁ ସାହୁ। ସମସ୍ତଙ୍କ ବୟସ ୧୬-୨୨ ମଧ୍ୟରେ ହେବ। ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହଯୋଗରେ ସେମାନଙ୍କୁ ତୁରନ୍ତ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତିନିଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଡାକ୍ତର ସେମାନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି।

ତେବେ ସେମାନଙ୍କୁ ସରକାରୀ ସହାୟତାରେ ଚିକିତ୍ସା କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି।

Related posts