ଆଜି ବିଶ୍ଵ ପ୍ରସିଦ୍ଧ ମହାପ୍ରଭୃଙ୍କ ରଥଯାତ୍ରା, ଜାଣନ୍ତୁ ପୁରା ନୀତି ନିର୍ଘଣ୍ଟ

Published: Jun 20, 2023, 5:04 am IST

ପୁରୀ: ଆଜି ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ପ୍ରଭୃ ଗୁଣ୍ଡିଚା ମନ୍ଦିର ଯିବେ। ଏହି ଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି କେବଳ ମହାପ୍ରଭୃ ପହଣ୍ଡି ବିଜେ କରିବେ।

ତେବେ ରଥଯାତ୍ରା ଉପଲକ୍ଷେ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ମିଳିତ ବୈଠକରେ ପ୍ରଭୃଙ୍କ ନୀତିକାନ୍ତିର ସମୟ ନିର୍ଘଣ୍ଟ ହୋଇଛି। ସେହି ଅନୁସାରେ ମଙ୍ଗଳବାର ଦିନ ମହାପ୍ରଭୃ ସକାଳ ୯ଟା ୩୦ ରେ ପହଣ୍ଡି ବିଜେ ହୋଇ ରଥାଋଢ ହେବେ। ପ୍ରଥମେ ଭାଇ ବଳଭଦ୍ର, ପରେ ମା’ ସୁଭଦ୍ର ଏବଂ ଶେଷରେ ଜଗନ୍ନାଥ ହଲି ଦୋହଲି ରଥ ଉପରେ ବିଜେ କରିବେ।

ତେବେ ବୈଠକରେ ଯେଉଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି ତାହା ହେଲା ପ୍ରଥମେ ମଙ୍ଗଳା ଆରତି କରାଯିବ। ଏହା ଭୋର ୬.୦୦ ଟାରେ କରାଯିବ ବୋଲି ନିଷ୍ପତି କରାଯାଇଛି। ପ୍ରଥମାର୍ଦ୍ଧରେ ମଙ୍ଗଳା ଆରତିଠାରୁ ରଥ ପ୍ରତିଷ୍ଠା ନୀତି କରାଯିବ। ଏହା ଭୋର ୬ଟାରୁ ଆରମ୍ଭ ହୋଇ ସକାଳ ୯ଟାରେ ଶେଷ ହେବ।

ଏହାପରେ ପହଣ୍ଡି ବିଜେ ପାଇଁ ସମସ୍ତ ପ୍ରସ୍ତୁତି କରାଯିବ। ୯ ଟା ୧୫ ରେ ମଙ୍ଗଳାର୍ପଣ ପରେ ଭାଇଭଉଣୀ ଜଣେ ଜଣେ ହୋଇ ପହଣ୍ଡି ବିଜେ କରି ରଥାଋଢ ହେବେ। ଏହି ନୀତି ଦିନ ୧୨ ଟା ୩୦ ସୁଦ୍ଧା ଶେଷ କରାଯିବ।

ତିନିଠାକୁର ରଥରେ ବିଜେ ହେବା ପରେ ଗଜପତି ମହାରାଜା ଛେରା ପହଁରା କରିବେ। ଏହା ମଧ୍ୟାହ୍ନ ୨ ଟା ୩୦ ରୁ ଆରମ୍ଭ ହୋଇ ୩ ଟା ୩୦ରେ ଶେଷ ହେବ। ଏହାପରେ ରଥଟଣା ପାଇଁ ଚାରମାଳ ଫିଟାଯିବା ସହିତ ଘୋଡା ଯୋଚା ଯିବ। ଅପରାହ୍ନ ପ୍ରାୟ ୪ ଟା ବେଳକୁ ରଥଟଣା ଯିବ। ଗୁଣ୍ଡିଚା ମନ୍ଦିରରେ ତିନି ରଥ ଲାଗିବା ପରେ ଅନ୍ୟାନ୍ୟ ନୀତି କରାଯିବ।

Related posts