Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ପ୍ରଥମ: ସମ୍ମମରେ ବ୍ରେନ୍ ଡେଡ ବ୍ୟକ୍ତିଙ୍କ ଅଂଗଦାନ ଯୋଗୁଁ ୪ ରୋଗୀଙ୍କୁ ମିଳିଲା ନୂଆ ଜୀବନ
ଆଜିର ଖବର

ଓଡ଼ିଶାରେ ପ୍ରଥମ: ସମ୍ମମରେ ବ୍ରେନ୍ ଡେଡ ବ୍ୟକ୍ତିଙ୍କ ଅଂଗଦାନ ଯୋଗୁଁ ୪ ରୋଗୀଙ୍କୁ ମିଳିଲା ନୂଆ ଜୀବନ

June 25, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶନିବାର ଜଣେ ବ୍ରେନ୍ ଡେଡ୍ ହୋଇଥିବା ରୋଗୀଙ୍କର ଶରୀରରୁ ଏକାଧିକ ଅଂଗ ବାହାର କରାଯାଇ ଅନ୍ୟ ଗୁରୁତର ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇପାରିଛି। ଗତ ଶନିବାର ଦିନ ଦେଶର ତିନିଟି ଭିନ୍ନ ଭିନ୍ନ ସହରରେ ବଂଚିବା ପାଇଁ ସଂଘର୍ଷ କରୁଥିôବା ଚାରି ଜଣ ରୋଗୀଙ୍କ ଶରୀରରେ ଏହି ଅଂଗଗୁଡ଼ିକୁ ସଫଳତାର ସହ ପ୍ରତ୍ୟାରୋପଣ କରାଯିବା ଦ୍ୱାରା ସେମାନେ ନୂଆ ଜୀବନ ପାଇପାରିଛନ୍ତି।

ଏକ ଅଭୁତପୂର୍ବ ସଫଳତା ଦ୍ୱାରା ସମ୍ମମ୍‌ରେ ଚିକିତ୍ସିତ ହେଉଥିବା ବ୍ରେନ୍ ଡେଡ୍ ରୋଗୀ ପ୍ରସେନ୍‌ଜିତ ମହାନ୍ତିଙ୍କ ପରିବାରବର୍ଗଙ୍କ ସହମତି ଓ ସରକାରୀ ସଂସ୍ଥାଗୁଡ଼ିକର ଉତମ ସହଯୋଗ ଦ୍ୱାରା ତାଙ୍କ ଶରୀରରୁ ଦୁଇଟି ବୃକକ୍‌, ଦୁଇଟି ଫୁସ୍‌ଫୁସ୍ ଓ ଗୋଟିଏ ଯକୃତ ବାହାର କରାଯାଇ କଟକ, ନୂଆଦିଲ୍ଲୀ ଏବଂ କୋଲକାତାର ହସ୍ପିଟାଲ୍‌ରେ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି ବୋଲି ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ପ୍ରକାଶ କରିଛନ୍ତି।

ମେଡିକାଲ୍ ଟିମ୍‌ଙ୍କ ସହାୟତାରେ ଅଂଗଗୁଡ଼ିକ ଭୁବନେଶ୍ୱରରୁ ଅନ୍ୟ ଦୁଇଟି ସହରକୁ ବିମାନ ଯୋଗେ ନେବା ନିମନ୍ତେ ଦୁଇଟି ଆମ୍ବୁଲାନ୍ସ ଯୋଗେ ସମ୍ମମ୍‌ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ପର୍ଯ୍ୟନ୍ତ ରାସ୍ତାରେ କୌଣସି ବାଧା ସୃଷ୍ଟି ନ ହେବା ପାଇଁ ପୋଲିସ୍ ଏକ ଗ୍ରୀନ୍ କରିଡର ସୃଷ୍ଟି କରିଥିଲା।

ସଂପୃକ୍ତ ବ୍ୟକ୍ତିଙ୍କର ଦୁଇଟି ବୃକକ୍ ମଧ୍ୟରୁ ସମ୍ମମ୍‌ର ଜଣେ ରୋଗୀଙ୍କ ଶରୀରରେ ଗୋଟିଏ ବୃକକ୍ ଶନିବାର ପ୍ରତ୍ୟାରୋପଣ କରାଯାଇଥିବା ବେଳେ ଅନ୍ୟଟି ଅନ୍ୟ ଏକ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ କଟକ ଏସ୍‌ସିବି ମେଡିକାଲ୍ କଲେଜ ହସ୍ପିଟାଲକୁ ପଠାଯାଇଥିଲା।

ଫୁସ୍‌ଫୁସ୍ ଦୁଇଟିକୁ କୋଲକାତାର ଏକ ଘରୋଇ ହସ୍ପିଟାଲ୍‌ରେ ବିଷ ପ୍ରକ୍ରିୟାରେ ପୀଡ଼ିତ ହୋଇ ଜଟିଳ ଅବସ୍ଥାରେ ଥିବା ଜଣେ ୧୬ ବର୍ଷର କିଶୋରଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି। ସଂପୃକ୍ତ କିଶୋର ଇକ୍‌ମୋ ସହାୟତାରେ ଥାଇ ଦୀର୍ଘ ୪୫ ଦିନ ଧରି ଅଂଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷା କରିଥିଲେ।

ସେହିପରି ଯକୃତଟିକୁ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ଥିôବା ଜଣେ ଜଟିଳ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି ବୋଲି ଡକ୍ଟର ଦାଶ କହିଥିଲେ। ୪୩ ବର୍ଷୀୟ ପ୍ରସେନ୍‌ଜିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ତାଙ୍କୁ ତୁରନ୍ତ ଗତ ଜୁନ୍ ୨୨ ତାରିଖରେ ସମ୍ମମ୍‌ରେ ଭର୍ତି କରାଯିବା ସହ ଏକ ଜରୁରୀକାଳୀନ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା ବୋଲି କନ୍‌ସଲ୍‌ଟାଂଟ ନ୍ୟୁରୋସର୍ଜନ ଡାକ୍ତର ସୋମନାଥ ପ୍ରସାଦ ଜେନା କହିଥିଲେ।

ଯଦିଓ ଅସ୍ତ୍ରୋପଚାର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଥିଲା ତେବେ ପରବର୍ତୀ ସମୟରେ ଏହା ବିଗିଡିବାରେ ଲାଗିଥିଲା। ଜୁନ୍ ୨୩ ତାରିଖରେ ଆପ୍‌ନିଆ ଟେଷ୍ଟ କରାଯିବା ପରେ ଏହାର ରିପୋର୍ଟ ପଜିଟିଭ ଆସିଥିଲା ଯେଉଁଥିରେ ରୋଗୀ ବ୍ରେନ୍ ଡେଡ୍ ହୋଇଥିବା ସୂଚନା ମିଳିଥିଲା। ଏହାର ୬ ଘଂଟା ପରେ ଦ୍ୱିତୀୟ ପରୀକ୍ଷା କରାଯିବା ପରେ ରୋଗୀ ବ୍ରେନ୍ ଡେଡ୍ ହୋଇଥିବା ପ୍ରମାଣିତ ହୋଇଥିବା ଡାକ୍ତର ଜେନା କହିଥିଲେ।

ଡକ୍ଟର ଦାଶ କହିଥିଲେ ଯେ, ରୋଗୀଙ୍କ ପରିବାରବର୍ଗଙ୍କୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେବା ପରେ ତାଙ୍କର ବିଭିନ୍ନ ଅଂଗଗୁଡ଼ିକୁ ଦାନ କରିବା ନିମନ୍ତେ ସେମାନେ ପ୍ରସ୍ତାବ ଦେଇଥିଲେ ଯେପରି ଏହା ଦ୍ୱାରା ଅନ୍ୟ ବ୍ୟକ୍ତିଙ୍କର ଜୀବନ ବଂଚିପାରିବ। ଏହା ଏକ ବଡ଼ ନିଷ୍ପତି ଥିଲା ଏବଂ ଅଂଗ ଦାନ କରିବା ନେଇ ଏହି ପଦକ୍ଷେପ ନିମନ୍ତେ ଆମେ ସ୍ୱର୍ଗତଃ ମହାନ୍ତିଙ୍କ ପତ୍ନୀ ଶ୍ରୀମତି ମୃଦୁମଞ୍ଜରୀ ମହାପାତ୍ରଙ୍କୁ ସମ୍ମାନ ଜଣାଉଛୁ କାରଣ ଏଭଳି ନିଷ୍ପତି ନେବାରେ ସମାଜରେ ଅନେକ କ୍ଷେତ୍ରରେ ଅନିଚ୍ଛା ପ୍ରକାଶ ପାଇଥାଏ ବୋଲି ସେ କହିଥିଲେ।

ଅଂଗଦାନ ନେଇ ହସ୍ପିଟାଲ୍ ପକ୍ଷରୁ ରାଜ୍ୟ ଅଂଗ ଓ ତନ୍ତୁ ପ୍ରତ୍ୟାରୋପଣ ସଂସ୍ଥା ବା ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)କୁ ସୂଚନା ଦିଆଯାଇଥିବା ବେଳେ ଏହି ଖବର ପରବର୍ତୀ ସମୟରେ ଆଂଚଳିକ ଅଂଗ ଓ ତନ୍ତୁ ପ୍ରତ୍ୟାରୋପଣ ସଂସ୍ଥା ଅର୍ଥାତ୍ ରୋଟୋ ଓ ଜାତୀୟ ଅଂଗ ଓ ତନ୍ତୁ ପ୍ରତ୍ୟାରୋପଣ ସଂସ୍ଥା ଅର୍ଥାତ୍ ନୋଟୋ ପାଖରେ ପହଂଚିଥିଲା।

ଶନିବାର ଦିନ ସମ୍ମମ୍‌ରେ କୋଲକାତା ଏବଂ ନୂଆଦିଲ୍ଲୀରୁ ଆସିଥିବା ମେଡିକାଲ୍ ଟିମ୍ ପହଂଚିଥିବା ବେଳେ ସମ୍ମମ୍ ଏବଂ ଅନ୍ୟ ହସ୍ପିଟାଲ୍‌ର ଡାକ୍ତରମାନଙ୍କୁ ନେଇ ଗଠିତ ଏକ ୨୦ ଜଣିଆ ସର୍ଜନ ଟିମ୍ ଦୀର୍ଘ ସାଢ଼େ ଚାରି ଘଂଟା ଧରି ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରରୁ ଆବଶ୍ୟକୀୟ ଅଂଗଗୁଡ଼ିକୁ କାଢ଼ିବାରେ ନିୟୋଜିତ ହୋଇଥିଲେ।

ମୃତକଙ୍କ ପତ୍ନୀ ଶ୍ରୀମତି ମହାପାତ୍ର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥାଇ କହିଥିଲେ ଯେ, ଅଂଗଦାନ କରିବା ନେଇ ପୂର୍ବରୁ ତାଙ୍କ ସ୍ୱାମୀଙ୍କର ଇଚ୍ଛା ଥିଲା। “ଆମେ ମଧ୍ୟ ଚିନ୍ତା କଲୁ ଯେ, ଯଦି ତାଙ୍କ ଶରୀରର ଅଂଗଗୁଡ଼ିକ ଚାରି ଜଣ ବ୍ୟକ୍ତିଙ୍କର ଜୀବନ ବଂଚାଇପାରିବ ତେବେ ଆମେ ଏହି ମହତ୍ କାର୍ଯ୍ୟ କାହିଁକି କରିବୁ ନାହିଁ” ବୋଲି ସେ କହିଥିଲେ।

ତାଙ୍କର ଏଭଳି ଦୃଢ଼ ଓ ନିଃସ୍ୱାର୍ଥପର ନିଷ୍ପତି ନିମନ୍ତେ ଶ୍ରୀମତି ମହାପାତ୍ରଙ୍କୁ ହସ୍ପିଟାଲ୍ ପକ୍ଷରୁ ଏକ ନିଯୁକ୍ତି ଦିଆଯିବା ନିମନ୍ତେ ନିଷ୍ପତି ନିଆଯାଇଛି ବୋଲି ଡକ୍ଟର ଦାଶ କହିଥିଲେ। ତାଙ୍କର ଏଭଳି ନିଷ୍ପତି ଏକ ବଡ଼ ଉଦାହରଣ ସୃଷ୍ଟି କରିଥିବା ବେଳେ ଅଂଗଦାନ କରିବା କ୍ଷେତ୍ରରେ ସମାଜର ମାନସିକତାରେ ପରିବର୍ତନ ଆଣିବା ଦିଗରେ ଆମେ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।

ଏହି ଅବସରରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଶ୍ରୀମତି ମହାପାତ୍ରଙ୍କର ଏଭଳି ନିଷ୍ପତିକୁ ପ୍ରଶଂସା କରିବା ସହ ଅଂଗଦାନ କରିବା କ୍ଷେତ୍ରରେ ପରିବାର ସଦସ୍ୟଙ୍କ ସହଯୋଗ ନିମନ୍ତେ ଧନ୍ୟବାଦ ଦେଇଥିଲେ।

ସମ୍ମମ୍‌ର ନ୍ୟୁରୋସର୍ଜନ ଏବଂ କ୍ରିଟିକାଲ୍ କେୟାର ବିଶେଷଜ୍ଞ ଡାକ୍ତର ଜେନା, ଡାକ୍ତର ଭିଟଲ୍ ରାଜନାଲା ଓ ଡାକ୍ତର ଆଲୋକ ପାଣିଗ୍ରାହୀ (ଉଭୟ କ୍ରିଟିକାଲ୍ କେୟାର କନ୍‌ସଲ୍‌ଟାଂଟ) ବ୍ରେନ୍ ଡେଡ୍ ହୋଇଯାଇଥିବା ବ୍ୟକ୍ତିଙ୍କର ଅଂଗଦାନ ନିମନ୍ତେ କିଭଳି ଶରୀରକୁ ସ୍ଥିର ରଖାଯାଇପାରିବ ସେ ନେଇ ସମସ୍ତ ଉଚିତ୍ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ସମ୍ମମ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା ସୂଚନା ଦେଇଥିଲେ।

ଅଂଗ କାଢ଼ିବା ପ୍ରକ୍ରିୟାରେ ସମ୍ମମ୍‌ର ୟୁରୋଲୋଜି ବିଭାଗର କନ୍‌ସଲଟାଂଟ ଡାକ୍ତର ପ୍ରିୟବ୍ରତ ଦାସ ଓ ଡାକ୍ତର ଜିତେନ୍ଦ୍ର କୁମାର ବରାଡ, ଆନେସଥେସିଓଲୋଜି ବିଭାଗର କନ୍‌ସଲଟାଂଟ ଡାକ୍ତର ଦୀପଙ୍କର ପଢ଼ିଆରୀ, ଡାକ୍ତର ଭବାନୀ ପତି ଓ ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ା ସାମିଲ ଥିବା ବେଳେ କଟକ ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ତଥା କୋଲକାତା ଓ ନୂଆଦିଲ୍ଲୀର ଡାକ୍ତରୀ ଟିମ୍ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସଂପୂର୍ଣ୍ଣ ଅସ୍ତ୍ରୋପଚାର ପ୍ରକ୍ରିୟାରେ ସମ୍ମମ୍‌ର ଅପରେସନ୍ ଥିଏଟର ଟିମ୍‌, ଆଇସିୟୁ ଟିମ୍ ଏବଂ ଅନ୍ୟ ଟେକ୍ନିକାଲ୍ ଟିମ୍ ସହଯୋଗ କରିଥିଲେ ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ଦୁଇଟି ଆମ୍ବୁଲାନ୍ସରେ ଅଂଗଗୁଡ଼ିକ ବିମାନ ବନ୍ଦରକୁ ବିନା କୌଣସି ବାଧାବିଘ୍ନରେ ଓ ସମୟ ଅପଚୟ ନ କରି ଯିବା ନିମନ୍ତେ ଏକ ଗ୍ରୀନ୍ କରିଡର ସୃଷ୍ଟି କରାଯାଇଥିବା ବେଳେ ଏଥି ନିମନ୍ତେ ପୋଲିସ୍ ଓ ସ୍ଥାନୀୟ ପ୍ରଶାସନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି।

ଅଂଗଦାନ ଓଡିଶା ବ୍ରେନ୍ ଡେଡ ସମ୍ ଅଲ୍ଟିମେଟ୍ ମେଡିକେୟାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.