ବ୍ୟାଙ୍କକୁ ଫେରିଲା ଦୁଇ ତୃତୀୟାଂଶରୁ ଅଧିକ ୨ ହଜାର ଟଙ୍କିଆ ନୋଟ: ଆରବିଆଇ ଗଭର୍ଣ୍ଣର

Published: Jun 25, 2023, 8:04 pm IST

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ମୋଟ ୩.୬୨ ଲକ୍ଷ କୋଟି ମଧ୍ୟରୁ ଦୁଇ-ତୃତୀୟାଂଶ ଅର୍ଥାତ ୨.୪୧ ଲକ୍ଷ କୋଟିରୁ ଅଧିକ ୨,୦୦୦ ଟଙ୍କା ନୋଟ ଏକ ମାସ ମଧ୍ୟରେ ବ୍ୟାଙ୍କକୁ ଫେରିଛି। ଏଥିସହ ସେ କହିଛନ୍ତି ଯେ, ବର୍ତ୍ତମାନ ଜମା କରାଯାଉଥିବା ୨,୦୦୦ ଟଙ୍କା ନୋଟ୍ ଅର୍ଥନୀତି ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ। ମେ ୧୯ ତାରିଖରେ କେନ୍ଦ୍ରୀୟ ବ୍ୟାଙ୍କ ୨,୦୦୦ ଟଙ୍କା ନୋଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ସହିତ ଲୋକଙ୍କୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ଆକାଉଣ୍ଟରେ ୨,୦୦୦ ଟଙ୍କା ଜମା କରିବାକୁ କିମ୍ବା ଅନ୍ୟ ମୂଲ୍ୟର ନୋଟ୍ ବିନିମୟ କରିବାକୁ ସମୟ ଦିଆଯାଇଥିଲା। ମାର୍ଚ୍ଚ ୨୦୨୩ ରେ ହୋଇଥିବା ମୂଲ୍ୟ ଅନୁଯାୟୀ ମୋଟ ୩.୬୨ ଲକ୍ଷ କୋଟି ୨,୦୦୦ ଟଙ୍କା ନୋଟ ଥିଲା।

ଏହାପୂର୍ବରୁ ଜୁନ୍ ୮ ତାରିଖରେ ମୁଦ୍ରା ନୀତି ସମୀକ୍ଷା (ଏମପିସି) ପରେ ଆରବିଆଇ ଗଭର୍ଣ୍ଣର କହିଥିଲେ ଯେ, ୧.୮ ଲକ୍ଷ କୋଟି ଟଙ୍କାର ୨,୦୦୦ ନୋଟ୍ ଫେରସ୍ତ କରାଯାଇଛି। ମୋଟ ୨,୦୦୦ ଟଙ୍କିଆ ନୋଟ୍ ର ଏହା ପ୍ରାୟ ୫୦ ପ୍ରତିଶତ ଥିଲା। ଏଥିମଧ୍ୟରୁ ପ୍ରାୟ ୮୫ ପ୍ରତିଶତ ବ୍ୟାଙ୍କରେ ଜମା ହୋଇଥିବାବେଳେ ବାକି ଅନ୍ୟ ମୂଲ୍ୟର ନୋଟ୍ ରେ ବିନିମୟ ହୋଇଛି।

Related posts