
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ଗତ ୨୦୧୯ ସେପ୍ଟେମ୍ବର ୨୦ ତାରିଖରେ ଭଞ୍ଜନଗର ସହରର ଜନୈକା ନାବାଳିକାକୁ ଦୁଷ୍କର୍ମ ମାମଲା ଅଭିଯୋଗରେ ବିଚାର କରି ବ୍ରହ୍ମପୁର ସ୍ଵତନ୍ତ୍ର ପୋକସ ଅଦାଲତ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଅଟୋ ଚାଳକ ଭାସ୍କର ସାହୁକୁ ବିଚାରପତି ପ୍ରଭାତ କୁମାର ରାଜଗୁରୁ ୨୦ ବର୍ଷ କାରାଦଣ୍ଡ ସହ ନଗଦ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ କରିଛନ୍ତି।
ପ୍ରକାଶ ଥାଉକି ପିଡୀତା ନାବାଳିକା ଜଣକ ଭାସ୍କରର ଅଟୋରେ ପ୍ରତ୍ୟେକ ଦିନ ଏକ ଇଁରାଜୀ ମାଧ୍ୟମ ବିଦ୍ୟାଳୟକୁ ଯିବା ଆସିବା କରେ। କିନ୍ତୁ ଉକ୍ତ ଦିନ ଅଟୋ ଚାଳକ ଭାସ୍କର ପିଡୀତାକୁ ଏକ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରି ତାଙ୍କ ଘରକୁ ନେଇ ଛାଡ଼ି ଦେଇଥିଲା। ନାବାଳିକା ଜଣକ ଡରି ଏହି ବିଷୟରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଗ୍ରହଣ କରି ପୋଲିସ ୨୯୭/୧୯ ଅନୁସାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେହି ଦିନଠାରୁ ଭାସ୍କର ଜେଲରେ ଥିବା ବେଳେ ଅଦାଲତରେ ମାମଲାର ବିଚାର ଚାଲିଥିଲା। ମାମଲାର ଚୁଡାନ୍ତ ଶୁଣାଣି ଚାଲିଥିବା ବେଳେ ଭାସ୍କରକୁ କଡା ସୁରକ୍ଷା ବଳୟରେ ଅଦାଲତକୁ ଅଣାଯାଇଥିଲା।
ମାନ୍ୟବର ଜଜ୍ ୧୩ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସର ଅଭିଯୋଗ ଫର୍ଦ୍ଦକୁ ବିଚାର କରି ଏହି ରାୟ ଶୁଣାଇଛନ୍ତି। ଏତଦବ୍ୟତୀତ ମାନ୍ୟବର ଜଜ୍ ପିଡୀତାର ଭବିଷ୍ୟତ ନିମନ୍ତେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।