ସିଆଇଆଇ ପ୍ରତିନିଧିଙ୍କ ସହ କୃଷିମନ୍ତ୍ରୀଙ୍କ ବୈଠକ

Published: Jul 7, 2023, 7:21 am IST
ଭୁବନେଶ୍ୱର: ରାଜ୍ୟରୁ ଅଧିକ ପରିମାଣର କୃଷିଜାତ ଦ୍ରବ୍ୟ, ମାଛ ଏବଂ ସାମୁଦ୍ରିକ ଖାଦ୍ୟ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକ୍‌କୁ ରପ୍ତାନୀର ସୁଯୋଗକୁ ବିନିଯୋଗ କରି ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।
ଗୁରୁବାର ଦିନ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି ଭବନଠାରେ କନ୍‌ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟି୍ରଜ୍‌ର ନୂଆଦିଲ୍ଲୀ ଏବଂ ଓଡ଼ିଶାର ପ୍ରତିନିଧିମାନଙ୍କ ସହିତ ଏକ ବୈଠକରେ ଏହିସବୁ ଦେଶକୁ କୃଷି ଓ ମତ୍ସ୍ୟଜାତ ଦ୍ରବ୍ୟର ରପ୍ତାନୀ ସୁଯୋଗ ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ।
ସଂପ୍ରତି ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ଓଡ଼ିଶାରୁ ସେହିସବୁ ଦେଶକୁ କୃଷିଜାତ ଦ୍ରବ୍ୟର ରପ୍ତାନୀ ସୁଯୋଗ ବୃଦ୍ଧି ପାଇଛି। ରାଜ୍ୟର ଚାଷୀମାନଙ୍କ ହିତ ଦୃଷ୍ଟିରୁ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ରପ୍ତାନୀ ବୃଦ୍ଧିର ସମ୍ଭାବନାକୁ ଉପଯୋଗ ନିମନ୍ତେ ବିହିତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ସିଆଇଆଇର ପ୍ରତିନିଧିମାନେ ଯୋଗଦେଇଥିଲେ।

Related posts