Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ଉପକୂଳରେ ଦେବୀ ମନସା 
ଆଜିର ଖବର

ଚିଲିକା ଉପକୂଳରେ ଦେବୀ ମନସା 

July 7, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଅଧ୍ୟାପକ ଡକ୍ଟର ସତ୍ୟ ଷଡ଼ଙ୍ଗୀ

ଆଜି ଶ୍ରାବଣ କୃଷ୍ଣ ପଞ୍ଚମୀ, ମନସା ପଞ୍ଚମୀ। ଦେବୀ ମନସାଙ୍କ ଆରାଧନା ଦିନ। ସୁପ୍ତେ ଜନାର୍ଦ୍ଦନେ କୃଷ୍ଣେ ପଞ୍ଚମ୍ୟାଂ ଭବନାଙ୍ଗଣେ /ପୂଜୟେତ୍ ମନସା ଦେବୀଂ ସ୍ନୁହୀ ବିଟପ ସଂସ୍ଥିତାମ୍। ଅର୍ଥାତ୍ ହରିଶୟନ ପରେ ପଞ୍ଚମୀ ତିଥିରେ କଣ୍ଟାସିଝୁ ଗଛ ମୂଳେ ସ୍ଥିତା ଦେବୀ ମନସାଙ୍କ ପୂଜା କରଣୀୟ। ଆପଣ କେବେ ଚିଲିକା ବ୍ଳକ୍ ହରିପୁର ପଞ୍ଚାୟତ ପରବଳ ନୂଆପାଟଣା ଗ୍ରାମକୁ ଯାଇଛନ୍ତି? ସେଠାକାର ଉତ୍ତରାୟଣୀ ମନ୍ଦିର ବେଢ଼ାରେ ଅଛି ମନସା ଦେବୀଙ୍କ ପ୍ରାଚୀନ ପ୍ରତିମା।

ଗୋଟିଏ ପଥରରେ ନିର୍ମିତ ମନସାଙ୍କ ବିଗ୍ରହର ମୁଖମଣ୍ଡଳ ଓ କପାଳ ଭାଗ ଅସ୍ପଷ୍ଟ ହେଲେ ହେଁ ଅନ୍ୟାନ୍ୟ ଅଂଶ ବିଶେଷ କ୍ଷୟପ୍ରାପ୍ତ ହୋଇନାହିଁ। ଦେବୀ ପ୍ରସ୍ଫୁଟିତ ସହସ୍ରଦଳ ପଦ୍ମ ଉପରେ ଲଳିତଆସନ ଭଙ୍ଗୀରେ ଅର୍ଥାତ୍ ବାମ ପୟର ଆଣ୍ଡୁବକ୍ର କରି ବସିଥିବା ପଦ୍ମ ଉପରେ ରଖିଲାବେଳେ ଦକ୍ଷିଣ ପୟର ନିମ୍ନକୁ ପ୍ରଲମ୍ବିତ ରଖି ଉପବେଶନ କରିଛନ୍ତି। ତାଙ୍କ ବାମ କୋଳରେ ତାଙ୍କ ପୁତ୍ର ଆସ୍ତିକ ନିଜ ବାମ ଭୁଜ ପାପୁଲିରେ ଦେବୀଙ୍କ ବାମ ଆଣ୍ଠୁରେ ଭରା ଦେଇ ଅର୍ଦ୍ଧଶାୟିତ ରହିଛନ୍ତି। ଆସ୍ତିକଙ୍କର ଦକ୍ଷିଣ ଭୁଜ ସ୍କନ୍ଧରୁ କହୁଣୀ ପର‌୍ୟ୍ୟନ୍ତ ଉପରକୁ ଉଠି ପୁନଶ୍ଚ ନିମ୍ନକୁ ଦୋଳାୟମାନ ଅବସ୍ଥାରେ ଶରୀରର ପୃଷ୍ଠଦେଶରେ ନ୍ୟସ୍ତ ଅଛି। ତାଙ୍କର ଦୁଇ ଚରଣ ଦେବୀଙ୍କ ଦକ୍ଷିଣ ଜାନୁ ଅତିକ୍ରମ କରିଛି, ମାତ୍ର ବାମ ପାଦ ଭାଙ୍ଗି ଯାଇଛି।

ଦ୍ୱିଭୁଜା ଦେବୀ କୌଣସି ଆୟୁଧ ଧାରଣ କରିନାହାନ୍ତି ବରଂ ପୁତ୍ରକୁ କୋଳାଗ୍ରତ କରିଥିବା ଦୃଶ୍ୟ ଅଙ୍କିତ। ଦେବୀଙ୍କ ଭୁଜରେ ବାହୁଟି, ବଳୟ, କଣ୍ଠରେ ହାର, କର୍ଣ୍ଣରେ କୁଣ୍ଡଳାକୃତି କର୍ଣ୍ଣପୂରକ ପ୍ରଭୃତି ଅଳଙ୍କାର ମଣ୍ଡିତ ହୋଇଛି। ଆସ୍ତିକ ବ୍ରହ୍ମଚାରୀ-ସୁଲଭ କୃଷ୍ଣାଜୀନ ପରିଧାନ କରିଥିବା ପରିଲକ୍ଷିତ ହୁଏ। ଦେବୀଙ୍କ ଦକ୍ଷିଣ ସ୍କନ୍ଧ ଊର୍ଦ୍ଧ୍ୱରେ କେଶକବରୀ ଓ ଦକ୍ଷିଣ କର୍ଣ୍ଣରେ କୁଣ୍ଡଳାକୃତି କର୍ଣ୍ଣଭୂଷଣ ଶୋଭମାନ।

ଦକ୍ଷିଣଭୁଜ ପୃଷ୍ଠଭୂମିରେ ଜଣେ ଅନୁଗତ କିମ୍ବା ଅନୁଗତା ହାତ ପାପୁଲିକୁ ସର୍ପଫଣାକୃତି କରି ନୃତ୍ୟ କଲାଭଳି ଦଣ୍ଡାୟମାନ। ପ୍ରସ୍ତରର ଦକ୍ଷିଣ ଭାଗରେ ବାଳକଙ୍କ ହସ୍ତପାପୁଲି ନିମ୍ନକୁ ମଧ୍ୟ ସେହିଭଳି ଅଙ୍କନ ରହିଛି। ବାଳକ ଆସ୍ତିକଙ୍କ ବକ୍ଷରେ ରୁଦ୍ରାକ୍ଷ ତୁଲ୍ୟ ମାଳା ଓ ହସ୍ତରେ ମଧ୍ୟ ତତ୍ତୁଲ୍ୟ କିଛି  ପରିଧେୟ ରହିଛି। ଉଭୟଙ୍କ ମୁଖମଣ୍ଡଳ ଓ ମସ୍ତକ ଶୀର୍ଷ ନଷ୍ଟ ହୋଇଥିବା ହେତୁ ତାହାର ବର୍ଣ୍ଣନା ପ୍ରାଞ୍ଜଳ ରୂପେ କରାଯାଇପାରୁନାହିଁ।

ତଥାପି ଦେବୀଙ୍କ ମସ୍ତକୋପରି ସର୍ପଫଣା ଓ ସ୍ନୁହୀ (କଣ୍ଟାସିଝୁ) ବୃକ୍ଷର କଣ୍ଟକିତ ଡାଳ ରହିଥିବା ଅନୁମେୟ। ପଦ୍ମ ତଳକୁ ଦେବୀଙ୍କର ପ୍ରଲମ୍ବିତ ଦକ୍ଷିଣପାଦର ବାମ ପାଶ୍ୱର୍ରେ ଦୁଇ ଜଣ ଉପାସକ ଦୃଶ୍ୟ ହେଉଛନ୍ତି ଓ ଦକ୍ଷିଣରେ ଫଣା ଟେକିଥିବା ଗୋଟିଏ ସର୍ପ ଅଙ୍କିତ ଅର୍ଥାତ୍ ସେମାନେ ସର୍ପ ପୂଜା କରୁଛନ୍ତି। ପ୍ରତିମା ଅତ୍ୟନ୍ତ ରମଣୀୟ, ସୌଷ୍ଠବପୂର୍ଣ୍ଣ ଓ କଳାତ୍ମକ।

ପୁରାଣଗୁଡ଼ିକରେ ଦେବୀ ମନସାଙ୍କ ପରିଚୟ ଦେଇ କୁହାଯାଇଛି ଯେ ସେ “କଶ୍ୟପଙ୍କ ଔରସରେ କଦ୍ରୁଙ୍କ ଗର୍ଭଜାତ କନ୍ୟା। ଏ ଅନନ୍ତ ବା ବାସୁକି ନାଗଙ୍କ ଭଉଣୀ। ଏହାଙ୍କର ଅନ୍ୟ ନାମ ଜରତ୍କାରୀ। ଜରତ୍କାରୁ ଋଷି ଏହାଙ୍କୁ ବିବାହ ହୋଇଥିଲେ। ଆସ୍ତୀକ ଋଷି ଏହି ଦମ୍ପତିର ସନ୍ତାନ। ଏ ସର୍ପମାନଙ୍କଠାରୁ ମନୁଷ୍ୟକୁ ରକ୍ଷା କରିବା ଦେବୀ ରୂପେ ପୂଜିତା ହୁଅନ୍ତି। ଏହାଙ୍କର ପ୍ରିୟ ବୃକ୍ଷ କଣ୍ଟାସିଝୁ।” ପୁନଶ୍ଚ ଆସ୍ତିକଙ୍କ ସମ୍ପର୍କରେ ପୁରାଣରେ କଥିତ ଅଛି: “ମହର୍ଷି ଜରତ୍କାରୁ ଏହାଙ୍କର ପିତା। ସର୍ପରାଜ ବାସୁକୀଙ୍କ ଭଗିନୀ ଜରତ୍କାରୀ ମାତା। ପାଣ୍ଡୁ କୁଳୋଦ୍ଭବ ମହାରାଜ ଜନ୍ମେଜୟଙ୍କ ସର୍ପଯଜ୍ଞ ସମୟରେ ଏଇ ଆସ୍ତିକ ମାତୁଳବଂଶକୁ ରକ୍ଷା କରିଥିଲେ, ତେଣୁ ଆସ୍ତିକ ନାମ ସ୍ମରଣ କଲେ ସର୍ପ ଭୟ ନିବାରିତ ହୁଏ ବୋଲି ପୁରାଣର ମତ।”

ଦେବୀ ମନସାଙ୍କ ପୂଜା ଉପାସନାର ପ୍ରସାରରେ ବଙ୍ଗଳା ଭାଷାରେ ରଚିତ ଲୋକପ୍ରିୟ କାବ୍ୟର ବିଶେଷ ଭୂମିକା ରହିଛି। କାବ୍ୟର ବିଷୟବସ୍ତୁ ହେଲା:

ଚମ୍ପକ ନଗରୀର ବିଭବଶାଳୀ ଶିବଭକ୍ତ ଚାନ୍ଦ ସୌଦାଗର ମନସାଦେବୀଙ୍କୁ ଅବଜ୍ଞା କରିବା ଫଳରେ ଦେବୀଙ୍କ କୋପରୁ ତାଙ୍କର ଛଅ ପୁଅ ପ୍ରାଣ ହରାଇଲେ। ‘ସପ୍ତଡିଙ୍ଗା’ ନାମକ ତାଙ୍କ ବୋଇତ ସମୁଦ୍ରରେ ବୁଡ଼ିଗଲା। ତାଙ୍କ ପୁତ୍ର ଲକ୍ଷ୍ମୀଧର ବାସର ଘରେ ସର୍ପାଘାତରେ ମୃତ୍ୟୁ ବରଣ କଲା, ମାତ୍ର ତାର ଧର୍ମପତ୍ନୀ ବେହୁଲା ସ୍ୱାମୀର ଶବକୁ କଦଳି ପାଟୁକାରେ ବାହିବାହି ଦେବପୁରରେ ପହଞ୍ଚିଲା ଓ ସେଠାରେ ନୃତ୍ୟ ଜରିଆରେ ଦେବତାଙ୍କୁ ତୁଷ୍ଟ କରି ସ୍ୱାମୀଙ୍କୁ ଫେରି ପାଇଲା। ପୁତ୍ରବଧୂ ବେହୁଲାଙ୍କ ତ୍ୟାଗ, ସାଧନାରେ ପ୍ରଭାବିତ ହୋଇ ଚାନ୍ଦ ସୌଦାଗର ପରିଶେଷରେ ମନସା ଦେବୀଙ୍କୁ ପୂଜା କଲେ।

ଓଡ଼ିଶାରେ ଆସ୍ତିକ-ମନସା ଉପାସନା:

ମନସା ମୂଳତଃ ଜନଜାତିର ଦେବୀ ଭାବରେ ପୂଜା ପାଉଥିଲେ। ପରବର୍ତ୍ତୀ କାଳରେ ମହାଭାରତ ପ୍ରଭୃତିରେ ତାଙ୍କୁ ସନାତନ ଧର୍ମ ପରିସରରେ ଅନ୍ତର୍ଭୁକ୍ତ କରାଯାଇଥିବା ପରିଲକ୍ଷିତ ହୁଏ। ସର୍ପାଘାତରୁ ରକ୍ଷା ପାଇବା ନିମନ୍ତେ ଦେବୀ ମନସାଙ୍କର ଉପାସନା ଆସାମ, ବଙ୍ଗ ତଥା ଓଡ଼ିିଶାରେ ବେଶ୍ ପ୍ରଚଳିତ ଥିଲା।

ଓଡ଼ିଶାର ବିଭିନ୍ନ ସ୍ଥାନରୁ ତାଙ୍କର ପ୍ରତିମା ମିଳୁଛି। ଓଡ଼ିଆ ପଞ୍ଜିକାରେ ମନସାପଞ୍ଚମୀ ତିଥି ସୂଚୀତ ହୋଇଥାଏ। ଡକ୍ଟର ଡୋନାଲ୍ଡସନ୍ ତାଙ୍କ ପୁସ୍ତକରେ ଶେରଗଡ଼, ପାଇକପଡ଼ା, କାକଟପୁର, ଅଡ଼ଶପୁର, ବେରବୋଇ, ଯାଜପୁର ପ୍ରଭୃତି ସ୍ଥାନରେ ଥିବା ୧୮ଟି ଆସ୍ତିକ-ଜରତ୍କାରୀ ବା ଆସ୍ତିକ-ମନସା ପ୍ରତିମୂର୍ତ୍ତିର ଫଟୋଚିତ୍ର ଦେଇଛନ୍ତି, ଯେଉଁଥିରେ ଦେବୀଙ୍କ ସହ ତାଙ୍କ ପୁତ୍ର ଆସ୍ତିକ ମଧ୍ୟ ସ୍ଥାନ ପାଇଛନ୍ତି। ରାଜ୍ୟ ସଂଗ୍ରହାଳୟ ଓ କେନ୍ଦୁଲି ସଂଗ୍ରହାଳୟରେ ମଧ୍ୟ ଗୋଟିଏ ଗୋଟିଏ ଜରତ୍କାରୀ-ଆସ୍ତିକ ମୂର୍ତ୍ତି ରହିଛି।

ଚିଲିକା ବ୍ଳକ ଅନ୍ତର୍ଗତ ପରବଳ ଗ୍ରାମରୁ ଆବିଷ୍କୃତ ଏହି ମନସା-ଆସ୍ତିକ ପ୍ରତିମା ପ୍ରମାଣ ଦିଏ ଯେ ବର୍ତ୍ତମାନ ସାଧାରଣ ଭାବରେ ଦୃଶ୍ୟମାନ ହେଉନଥିଲେ ମଧ୍ୟ ଏକଦା ଚିଲିକାର ପଶ୍ଚିମ ଉପକୂଳ ଅଞ୍ଚଳରେ ଜରତ୍କାରୀ-ଆସ୍ତିକ ଅର୍ଥାତ୍ ମନସାଦେବୀଙ୍କ ଉପାସନା ଆଦୃତ ଥିଲା। ମୂର୍ତ୍ତିଟି ଆୟତନ ଦୃଷ୍ଟିରୁ କୌଣସି ମନ୍ଦିର ଗାତ୍ରର ଅଂଶ ବିଶେଷ ହୋଇଥାଇ ପାରେ, ମାତ୍ର ଏଥିପାଇଁ ଆଖପାଖରେ ଅନୁସନ୍ଧାନ ଜାରି ରଖିବାକୁ ପଡ଼ିବ। ପୁଣି ସମ୍ପୃକ୍ତ ଅଞ୍ଚଳରୁ ଆଉ ମନସା ପ୍ରତିମା ମିଳିନାହିଁ। ଏ ଦୁଇଟି ମଧ୍ୟରୁ କୌଣସି ଗୋଟିଏ ଦିଗରେ ନୂତନ ତଥ୍ୟ ମିଳିବା ପର‌୍ୟ୍ୟନ୍ତ କୁହାଯାଇପାରେ ଯେ ଚିଲିକାର ଏହି ଉପକୂଳ ଅଞ୍ଚଳରେ ମନସା-ଉପାସନା ପ୍ରଚଳିତ ଥିଲା।

ସର୍ପାଘାତରୁ ରକ୍ଷା ପାଇବା ବା ଆରୋଗ୍ୟ ଲାଭ କରିବା ବ୍ୟତୀତ ମନସାଦେବୀଙ୍କ ଉପାସନାର ଅନ୍ୟ ଗୋଟିଏ ଦୃଷ୍ଟିକୋଣକୁ ବିଚାର କରାଯାଇପାରେ। ସମ୍ବାଦପତ୍ରରୁ ଜଣାଯାଏ ଯେ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳରେ ରହୁଥିବା ବଙ୍ଗଦେଶୀ ମତ୍ସ୍ୟଜୀବୀ ସମ୍ପ୍ରଦାୟ କନ୍ୟା ସଂକ୍ରାନ୍ତିରେ ନୌକା ଦୁର୍ଘଟଣାରୁ ରକ୍ଷା ନିମନ୍ତେ ଦେବୀ ମନସାଙ୍କ ପୂଜାର୍ଚ୍ଚନା କରନ୍ତି। ମନସା ମଙ୍ଗଳ ବା ପଦ୍ମା ପୁରାଣ ବର୍ଣ୍ଣିତ ଚାନ୍ଦ ସୌଦାଗରଙ୍କ ବୋଇତ ଦୁର୍ଘଟଣାଗ୍ରସ୍ତ ହେବା ସ୍ମୃତି ହୁଏତ ଏହା ପୃଷ୍ଠଭୂମିରେ ରହିଛି। ସେହିପରି ନୌବାଣିଜ୍ୟ, ନୌବାହିନୀ ଓ ମତ୍ସ୍ୟ ଉତ୍ପାଦନର ପ୍ରଧାନ ପେଣ୍ଠ ଚିଲିକା ଉପକୂଳର ଅଧିବାସୀ ମଧ୍ୟ ମନସାଦେବୀଙ୍କ ଉପାସନା କରୁଥିବା ଅମୂଳକ ନହୋଇପାରେ।

କୋଟବିଦ୍ୟାଧରପୁର, ବାଣପୁର- ୭୫୨୦୩୧, ଖୋର୍ଦ୍ଧା , ଯୋଗାଯୋଗ- ୯୪୩୮୩୬୦୫୧୬ 

ଅଧ୍ୟାପକ ଡକ୍ଟର ସତ୍ୟ ଷଡ଼ଙ୍ଗୀ ଚିଲିକା ଚିଲିକା ଉପକୂଳ ଦେବୀ ମନସା ମନସା
Share. Facebook Twitter LinkedIn Email WhatsApp Copy Link

Related Posts

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025
Latest News

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.